Unknown

 

 

 

 

 

 

 

 

 

 

ପୁରସ୍କାର

ଶ୍ରୀ ହରିଚରଣ ଗିରି

 

 

 

 

 

 

 

ଡାକ୍ତର ରାଧାଚରଣ ପଣ୍ଡା ଏଲ.ଏମ୍.ପି., ଡାକ୍ତର ଗୋବିନ୍ଦଚନ୍ଦ୍ର ମହାନ୍ତି ଏଲ୍.ଏମ୍.ପି. ଓ ଶ୍ରୀଯୁକ୍ତ ଦାଶରଥି ପଟ୍ଟନାୟକ ଜମିଦାର, ଓଳସିଂହ, ସ୍ଵତଃପ୍ରବୃତ୍ତ ହୋଇ ଉକ୍ତ ପୃସ୍ତକର ଅର୍ଦ୍ଧାଧିକ ମୁଦ୍ରଣ ଭାର ବହନ କରି ଉତ୍କଳ ସାହିତ୍ୟର ପ୍ରଚାର ଓ ପ୍ରସାର ନିମିତ୍ତ ଯଥେଷ୍ଟ ସାହାଯ୍ୟ କରିଥିବାରୁ ସେମାନଙ୍କ ଠାରେ ମୁଁ ଅନ୍ତରର କୃତଜ୍ଞତା ଜ୍ଞାପନ କରୁଅଛି । ଇତି ।

 

ପିପିଲି

ବିନୀତ

ତା ୧୯/୧/୩୪

ଲେଖକ

Image

 

ପ୍ରଥମ ପରିଚ୍ଛେଦ

 

ଦିନ ବାରଟାରୁ ବଳିଲାଣି । ଜଗନ୍ନାଥ ମଙ୍ଗରାଜ ତାଙ୍କର ମେଲାଘରେ ମହାଜନୀ କାଗଜପତ୍ର ଘେନି ବସିଛନ୍ତି । ନିକଟରେ ସତର ଅଠର ବର୍ଷର ଗୋଟିଏ ଯୁବକ ବସିଛି । ମଙ୍ଗରାଜ ହିସାବ ପତ୍ରରେ ଏତେ ବ୍ୟସ୍ତ ଯେ, ଦୁଇ ଘଣ୍ଟାକାଳ ଅତୀତ ହୋଇଗଲାଣି, ସେ ଯୁବକ ଆଡ଼କୁ ଥରେ ସଦ୍ଧା ଦୃଷ୍ଟି ଫେରାଇବାକୁ ଅବସର ପାଇନାହାନ୍ତି । ସୁଧ ହିସାବରେ କଡ଼ାକ୍ରାନ୍ତି ଯେପରି ଭୁଲ ନ ହୁଏ, ସେଥିପାଇଁ ଆଖି ଉପରେ ଆଉ ଯୋଡ଼ାଏ ଆଖି ଲଗାଇ ଚତୁରାକ୍ଷ ହୋଇଛନ୍ତି ।

 

“ହରି!ହରି ।” କହି ଡମା ଆସି ଦାଣ୍ଡଦ୍ଵାରେ ଠିଆ ହୋଇଗଲା । ମଙ୍ଗରାଜେ କାଗଜରୁ ଆଖି ଫେରାଇଲେ । ଡମାକୁ ଚାହିଁ କହିଲେ, “କିରେ ! କ’ଣ ହେଲା ?” ଡମା ତା’ର ଶତଚ୍ଛିନ୍ନ ତେଲଚିକିଟା ବୋଳା ଗାମୁଛାରେ କପାଳରୁ ଝାଳ ପୋଛୁ ପୋଛୁ କହିଲା, “ଦାମ ସାହୁକୁ ସାଙ୍ଗେ ସାଙ୍ଗେ ନେଇ ଆସିଛି । ନିଧି ଶତପଥୀ କହିଲା ‘ଆଉ ଟିକିଏ ଛାଡ଼ିକି ଆସିବ’ । ମଙ୍ଗରାଜେ ଆଉ କିଛି ନ କହି ପୂର୍ବବତ୍ ହିସାବରେ ମନୋଯୋଗ ଦେଲେ । ଡମା ପିଣ୍ଡା ଉପରେ ବସି ଗାମୁଛା ହଲାଇ ପବନ ଖାଇବାକୁ ଲାଗିଲା ।

 

“ଜୁହାର ଆଜ୍ଞା !”

 

ମଙ୍ଗରାଜେ କିଛି କହିଲେ ନାହିଁ–ଜୁହାର ଗ୍ରହଣସୂଚକ ମସ୍ତକ ସଞ୍ଚାଳନ ସୁଦ୍ଧା କଲେ ନାହିଁ । ଦାମ ସାହୁ ନୀରବରେ ଠିଆ ହୋଇ ରିହିଲା । ପ୍ରାୟ ପାଞ୍ଚ ମିନିଟ୍ ପରେ ମଙ୍ଗରାଜେ କାଗଜପତ୍ର ସବୁ ଗୋଟିଏ ପାଖକୁ ଆଡ଼େଇଦେଇ ସମ୍ମୁଖ ସ୍ଥାନଟା ପରିଷ୍କାର କରିଦେଲେ । ଦାମ ସାହୁକୁ ଉଦ୍ଦେଶ୍ୟ କରି କହିଲେ, “ଆଣ ସବୁତକ, ଆଣିଛୁ ନା ଆଉ କିଛି ରହିବ ?” ଦାମ ସାହୁ ବାଁ ହାତରେ ମୁଣ୍ଡ କୁଣ୍ଡାଉ କୁଣ୍ଡାଉ କହିଲା, “ନାଇଁ ଆଜ୍ଞା ! କିଛି ଆଣି ନାହିଁ । ଖାଲି ଆପଣଙ୍କର…” ମଙ୍ଗରାଜେ ବାଧା ଦେଇ ଉତ୍ତେଜିତ ଭାବରେ କହିଲେ, “ଚୁପ କର ବଦମାସ । କହିଲା ନାଇଁ ଆଜ୍ଞା, କିଛି ଆଣି ନାହିଁ କାହିଁକି ? ଏଡ଼େ ଗେଲବସର କାହିଁକି ? ଯେତେବେଳେ ଦାନ୍ତରେ କୁଟା ହୋଇ ଦିନ ରାତି ପଡ଼ି ପଡ଼ି ନେଇ ଯାଉଥିଲୁ, ସେ କଥା କ’ଣ ଭୁଲିଗଲୁ ? ମଦଘଡ଼ା ନା କାମ ସରିଲେ ଗଡ଼ଗଡ଼ା । ତୋର କାମ ହୋଇଗଲା, ଏବେ ଆମ କାମ ହେଲେ କେତେ ନ ହେଲେ କେତେ ? କିଛି ଆଣି ନାହୁଁ ତ କ’ଣ ମୁହଁ ଦେଖାଇବାକୁ ଆସିଲୁ ? ସେ ସବୁ ରଖିଦେ, ମୋର ଜରୁରୀ ଦରକାର, ଆଜି ସନ୍ଧ୍ୟାରେ କଟକ ଯିବି । ସନ୍ଧ୍ୟା ପୂର୍ବରୁ ଟଙ୍କାତକ ଆଣି ଯେମିତି ହେଲେ ଦାଖଲ କର । ନ ହେଲେ ମୁଁ ସତ କହୁଛି କାହାରି ମୁହଁ ମହତକୁ ଚାହିଁ ବି ନାହିଁ ।”

 

“ଆଜ୍ଞା ! ମୁଁ କ’ଣ କରିବି ? ଆଜିକି ତିନି ଦିନ ହେଲା ମୁଁ ଯେ କି କଷ୍ଟ ପାଇଲିଣି, ତା ମୋ ମନ ଜାଣେ । ବେଳ ମୁହଁକୁ ମାରୁଚି, ପଦେ ମିଛ କହୁ ନାହିଁ ।–କଂସା ଖଣ୍ଡେ ଘେନି ଗାଁ ଯାକ ବୁଲି ଆସିଲି ଯେ କେହି ପଇସା ଚାରିଅଣା ହେଲେ ଦେଲେ ନାହିଁ । ସେତକ ହୋଇଥିଲେ ପିଲାଙ୍କର ଓଳିଏ ଦାନା ଚଳି ଯାଇଥାନ୍ତା । କାଳ ତ ଯେମିତି ଦେଖୁଚ ଆପଣ । ଭୋକ ବିକଳରେ ସାନ ଛୁଆଟି ତା ମାକୁ…. ।”

 

ମଙ୍ଗରାଜେ କ୍ରୋଧରେ ଅଧୀର ହୋଇ ଉଠିଲେ । ନିତାନ୍ତ ଅସହିଷ୍ଣୁ ଭାବରେ କହିଲେ, “ହଇରେ ପାଜି। ତୋ ଘରର ଜମା ଖର୍ଚ୍ଚ ବୁଝି ମୋର କ’ଣ ଲାଭ କହିଲୁ ? ତୋର ପିଲେ ମଲେ କି ବଞ୍ଚିଲେ ମୋର କ’ଣ ଅଛି ? ତୁ ସୁସ୍ଥରେ ରହି ବେଶ୍ ଘିଅ ଭାତ ଖାଇଲେ ପଚାଶ ଜଗାରେ ମୋତେ କ’ଣ ପାଞ୍ଚଶ ହେଇଯିବୁ ! ତୁ ବଦମାସ ଯଦି ନ ଆଣିଛୁ ଆସିଲୁ କାହିଁକି ? ମୁଖପଦ୍ମ ଦେଖାଇବାକୁ ନା ଚିକ୍କଣ ‘ଜୁହାର ଆଜ୍ଞା’ଟି ଶୁଣାଇବାକୁ ? ‘ଜୁହାର ଆଜ୍ଞା’ ଶବ୍ଦଟି ବେଶ୍ ଶୁଭୁଛି; କିନ୍ତୁ ମନଭିତରେ ଯାହା ଅଛି, ତାହା ଜଗନ୍ନାଥ ମଙ୍ଗରାଜଙ୍କୁ ଅମାଲୁମ୍ ନାହିଁ ରେ ବାପା ।”

 

“ରାମ, ରାମ ! ଆପଣ ତ ଏପରି କହୁଛ, ଆଉ କିଏ କ’ଣ ନ କହିବ ? ଜୁହାର.… ।” “ହଁ ରେ, ମୁଁ ସବୁ ଜାଣେ । ଆଛା, ସତ କହିଲୁ, ତମେସବୁ ଯେ ଜୁହାର କର, ସେ ଜୁହାର କ’ଣ ମୋତେ କର !”

 

“ଆଜ୍ଞା, କି କଥା କହୁଛନ୍ତି ।”

 

“ତୁ ଯଦି ମହାପ୍ରସାଦ କୁଡ଼ୁଆ ଧରି କହୁ, ‘ମୁଁ ତୁମକୁ ଜୁହାର କରେ, ତେବେ ବି ମୁଁ ବିଶ୍ଵାସ କରିବି ନାହିଁ । ମୁଁ ତ ଆଉ ଦୁଧଖିଆ ପିଲାଟି ନୁହେଁ ଯେ ଭୁଲିଯିବି ? ତମେ ସବୁ ଜୁହାର କର ମୋର ଏହି ଟଙ୍କା ସିନ୍ଦୁକକୁ, ଆଉ ଏ ସିରସ୍ତାର କାଗଜପତ୍ରକୁ ମୋତେ କେବେ ହେଲେ ଜୁହାର କର ନାହିଁ । ଏ କଥା ଧ୍ରୁବ ସତ୍ୟ । ପାଖରେ ଥିବାଯାଏ ‘ଆଜ୍ଞା’ ‘ଆପଣ’ । ଟିକିଏ ଦୂର ହୋଇଗଲେ ମୋର ସପ୍ତପୁରୁଷ ନାଁ ଧରି ଶୋଧୁଥିବ । ଆଉ ତମର ମାଇପେ ସବୁ ବୃନ୍ଦାବତୀଙ୍କ ପାଖରେ ସନ୍ଧ୍ୟାବତୀ ଦେଉଥିବେ କିପରି ମୁଁ ଚଞ୍ଚଳ ମରିବି ।”

 

“ରାମ, ରାମ ! ଆପଣ……”

 

“ସେପରି ଖୋସାମତିଆ କଥା ବହୁତ ଶୁଣିଛି । ଶୁଣି ଶୁଣି ମୁଣ୍ଡର ବାଳ ଧଳା ହେଲାଣି । ଆଉ ଶୁଣିବା ଦରକାର ନାହିଁ । ଅସଲ କଥାଟି କହ ଟଙ୍କାତକ ଭଲରେ ଭଲରେ ଦେଇଦବୁ ନା ନାଲିସ ଯାଏ ଯିବ ?”

 

“ଆଜ୍ଞା ! ଆଉ ପାଞ୍ଚଟି ଦିନ ସତାର କରନ୍ତୁ ।”

 

“ବେଶ୍, ଯା । ଆଜି ସନ୍ଧ୍ୟାରେ ତ କଟକ ଯାଉଛି । ଯାହାହେଉ ଗୋଟାଏ କିନାରା କରି ଆସିବି । ଦେଖିବି, ତୁ ତେଲି ଟୋକା କରଣ ଛୁଆ ସାଙ୍ଗରେ କେତେ ଖେଳିବୁ ।”

 

ଦାମ ସାହୁ କିଛି କହିବ ବୋଲି ଉଦ୍ୟତ ହେଲାକ୍ଷଣି ମଙ୍ଗରାଜେ ଡମାକୁ ଲକ୍ଷ୍ୟ କରି କହିଲେ, “ଆରେ, ମୋର କାଗଜପତ୍ରରେ ଗୋଳମାଳ ହେଲା । ୟାକୁ ଚଞ୍ଚଳ ଏଠାରୁ ବାହାର କରି ଦେ ତ !” ଡମା ଉଠି ଠିଆ ହେଲା । ଦାମ ସାହୁ ଦେଖିଲା, ପାଟି ଖୋଲିଲେ ବିପଦ । ସେ ନୀରବରେ ସେ ସ୍ଥାନ ତ୍ୟାଗ କଲା । ଦୁଇଦିନ ଉପବାସ ହେତୁ ଡମାର ‘ଆସମାନ କୋରା’ ଖାଇବାକୁ ସାହସ କରି ପାରିଲା ନାହିଁ ।

କ୍ଷଣପରେ ନିଧି ଶତପଥୀ ଆସି ପହଞ୍ଚିଲେ । ସେ ଦୁଆରେ ଗୋଡ଼ ଦେଲାକ୍ଷଣି ମଙ୍ଗରାଜେ କହିଲେ, “ଆଜି କଟକ ଯାଉଛି ଶତପଥୀଏ । ନାଲିସ ଦାଏର କରି ଆସିବି ସେ କ’ଣ ଭଲ ହେବ ? ଆଜିକି ଛ ମାସ ହେଲା କହୁଛି ଶୁଣୁ ନାହିଁ–ତମ ଇଛା ଏଣିକି ! ଆଉ ମୁହୂର୍ତ୍ତେ ମୁଁ ସମ୍ଭାଳି ପାରିବି ନାହିଁ ।”

 

ନିଧି ଶତପଥୀ କାନ୍ଦ କାନ୍ଦ ହୋଇ କହିଲେ, “କ’ଣ କହିବି ଆଜ୍ଞା ! କରମ କଥା ସେ । ଝିଅଟିକୁ ଏଗାର ବର୍ଷ ପୂରି ଗଲାଣି । ବ୍ରାହ୍ମଣ ସଂସାର ଆଉ ତ ରଖିହେବ ନାହିଁ । ସେଥିପାଇଁ ଆଗ ପଛ ନ ବିଚାରି ଜମି ଦୁଇ ମାଣ ଛଡ଼ାଇଦେଲି । କିନ୍ତୁ କ’ଣ ହେବ ? କାଲି ଘଟଣା ତ ଶୁଣିଥିବେ । କେଉଁଠୁ ସେ ଶୂନ୍ୟ ନିଆଁ ଆସିଲା, କୁଟା ଖିଏ ସୁଦ୍ଧା ରଖିଲା ନାହିଁ । କ’ଣ କରିବି, ମୋତେ କିଛି ବୁଦ୍ଧି ବାଟ ଦିଶୁନାହିଁ । ଝିଅଟିକୁ କିପରି ଉଠାଇଦେଲେ ରକ୍ଷା ପାଇ ଯାଆନ୍ତି ।” ମଙ୍ଗରାଜେ ଦୁଇ ମିନିଟ ଧରି ନିଧି ଶତପଥୀର ମୁହଁକୁ ଚାହିଁଲେ । ତା ପରେ କହିଲେ, “ହଉ, ତମେ ଯାଅ, ପରେ କଥାବାର୍ତ୍ତା ହେବା ।”

 

ଶତପଥୀ ଚାଲିଗଲେ । ମଙ୍ଗରାଜ ଆପଣା ମନକୁ କହିବାକୁ ଲାଗିଲେ, “କୁଟା ଖିଏ ରଖିଲା ନାହିଁ–କିପରି ରଖନ୍ତା ? ଅନ୍ଧ ବୋଲି ଚନ୍ଦ୍ର ସୂର୍ଯ୍ୟ କ’ଣ ଆଖି ବୁଜିଛନ୍ତି ? ଉପରେ ତ ଜଣେ ଅଛି ନ୍ୟାୟ ଅନ୍ୟାୟ ବିଚାର କରିବାକୁ । ଯେ ଯେମିତି କର୍ମ କରିବ, ସେ ସେମିତି ଫଳ ପାଇବ । ଝିଅ ବାହା କରିବୁ ବୋଲି ଜମି ଦୁଇମାଣ ଛଡ଼ାଇଦେଲୁ । ବେଶ୍ କଲୁ ମୋତେ ଦେଲୁ ନାହିଁ ? ମୁଁ ମହାଜନ, ମୋର ଟଙ୍କା ଧାରୁ । ମୋତେ ଲୁଚାଇ ଅନ୍ୟତ୍ର ଜମି ବିକୁଛୁ । କାହିଁକି ? ମୁଁ କ’ଣ ଟଙ୍କା ଦିଅନ୍ତି ନାହିଁ ? ନା, ଶାସ୍ତ୍ରରେ ଅଛି ପରା କଳାମୁଣ୍ଡିଆଙ୍କ ବିଶ୍ଵାସ ନାହିଁ ।” ତା ପରେ ଟିକିଏ ଭାବି ନେଇ ଡାକିଲେ, “ଡମା !” ଡମା ‘ଆଜ୍ଞା’ କହି ଘରକୁ ଆସିଲା ମଙ୍ଗରାଜେ ପଚାରିଲେ, “ହଇରେ, ନିଧି ଶତପଥୀର ସମୁଦାୟ ଜମି କେତେ ?” “ଜମା ତ ଚାରିମାଣ, ସେଥିରୁ ଦୁଇ ମାଣ ହାଲ ଆଠ ଦିନ ହେବ ସଦେଇ ସାନ୍ତରାକୁ ବିକିଛି ! ଆଉ ଦୁଇ ମାଣ ଥିବ ।” “ସେ ଦୁଇମାଣକ ବି ବିକିବ ଦେଖାଗଲାଣି । ଝିଅକୁ ସେ ଏ ବର୍ଷ ରଖିବ ନାହିଁ, ଯେମିତି ହେଉ ବାହା ଦେବ । ତେବେ ଅସଲ ହେଉଛି ଟଙ୍କା । ଟଙ୍କା ଦେଲାବାଲା ଆଉ କିଏ ଅଛି କି ? ବଡ଼ ଜୋର ଆସି ଆସି ମୋରି ପର୍ଯ୍ୟନ୍ତ, ମୁଁ ତ ଆଉ ଛଦାମଟିଏ ଦେବି ନାହିଁ । ସେ ବାଧ୍ୟ ହୋଇ ଜମି ବିକିବ । ସେ ଦୁଇମାଣ ଯେତେବେଳେ ମତେ ନ ଦେଇଛି, ଏ ଦୁଇ ମାଣ କ’ଣ ଦେବ ? ଜଣାଯାଉଛି ମୋତେ ଲୁଚାଇ ବୋଧହୁଏ ସଦେଇ ସାମନ୍ତରାକୁ ବିକିବ । କିନ୍ତୁ ସେତକ ଜମି ହାତରୁ ଗଲେ ଆଉ ଯେ ଆଦାୟ ହେବାର କିଛି ଉପାୟ ନାହିଁ ! କ’ଣ କରିବା ? କାଲି ତା ନାମରେ ନାଲିସ ଦାଏର କରିବାକୁ ହେବ । ତା ଛଡ଼ା ଆଉ ଉପାୟ କ’ଣ ?”

 

ଦାଣ୍ଡରେ ଯାଉ ଯାଉ ସଦାନନ୍ଦ ସାମନ୍ତରାୟ ଓରଫେ ସଦେଇ ସାନ୍ତରା ଡାକିଲେ, “ବସିଚ ମଙ୍ଗରାଜ ବାବୁ !” ସାନ୍ତରାଙ୍କର ସେ କଥା ଦୁଇପଦ ମଙ୍ଗରାଜଙ୍କର ଦେହର ବଜ୍ରପରି ଭେଦିଗଲା । ସେ ପେଡ଼ିସାପ ପରି ଭିତରେ ଭିତରେ ଫଁ ଫଁ ହେବାକୁ ଲାଗିଲେ; କିନ୍ତୁ ବାହାରକୁ ଭଦ୍ରତା ଦେଖାଇ କହିଲେ, “କିଏ ସାମନ୍ତରାୟେ, ଆସ ହେ ଏଣେ । ଏତେବେଳେ କୁଆଡ଼େ ବିଜେ ହୋଇଥିଲା ?” ସଦାନନ୍ଦ ହସି ହସି ଘର ଭିତରକୁ ପଶି ଆସିଲେ । କହିଲେ, “ଅଗାଧୁଆ ପରା ? ଦିନ ଯେ ଗୋଟାଏ ହେବ । ମଙ୍ଗରାଜେ ଉତ୍ତର ଦେବାକୁ ଉଦ୍ୟତ ହେଉଛନ୍ତି, ସାମନ୍ତରା ଯୁବକ ଆଡକୁ ଆଙ୍ଗୁଳି ନିର୍ଦ୍ଦେଶ କରି କହିଲେ, “ଏଉଟି କିଏ ?”

 

ମଙ୍ଗରାଜ ଯୁବକ ଆଡକୁ ଟିକିଏ ଚାହିଁ ଦେଇ କହିଲେ–“ଏଉଟି କିଏ ? ବୁଝି ପାରୁ ନାହିଁ ସେଉଟି କିଏ ? ବ୍ରାହ୍ମଣ ଛୁଆଟି ବ୍ରତ ହୋଇ ପାରୁ ନ ଥିବ । ଭିକ୍ଷା ପାଇଁ ତ ଆଜିକାଲି କମ୍ ଲୋକ ବୁଲୁ ନାହାନ୍ତି । କାଲି ପରା…… ।” ସଦାନନ୍ଦ ବାଧା ଦେଇ କହିଲା, “କ’ଣ ତମେ କହି ଯାଉଛ ? ନ ବୁଝି ନ ଶୁଝି ବାହ୍ମଣ ପିଲା ! ଅଧଇଞ୍ଚିଏ ନିଶ ବଢିଛି । ବ୍ରାହ୍ମଣ ପିଲା ହୋଇଥିଲେ ଏତେ ଦିନ ଯାଏ ବ୍ରତ ନ ହୋଇ ଥାଆନ୍ତା ?” ମଙ୍ଗରାଜେ ଆଉ ଥରେ ଯୁବକକୁ ଚାହିଁଲେ । “ହେ ହେ, ବ୍ରାହ୍ମଣ ପିଲା ନ ହେଲେ ସ୍କୁଲ ପିଲା ତ । ଚାନ୍ଦା କରିବାକୁ ଆସିଥିବ । ଓଃ, ଚାନ୍ଦା ଭେଦାରେ ମଣିଷ ଜଳି ପୋଡ଼ି ମରିଗଲା ସତେ ଯେପରି ପାଠ ପଢ଼ି ଦେଶଟାକୁ ଆକାଶକୁ ଟେକିଦେବେ ! କିରେ ବାପା ତୁମର ଯଦି ପଢ଼ିବାର କଥା, ନିଜ ପଇସାରେ ପଢ । ପର ପାଟିରେ ପିଠା ଖାଇବାକୁ ଜିଭ ଲହ ଲହ କାହିଁକି-? ପାଠ ପଢ଼ି ଚାକିରୀ କଲେ ରୋଜଗାରରୁ ଭାଗେ ଦେବେ ପରା ! କ୍ରମେ ତ ଦେଶରେ ଅନ୍ୟାୟ ଘୋଟିଗଲା । କେଉଁ କଥାରେ ହେଲେ ବାଛ ବିଚାର ଅଛି ? ଆଗେ ଥିଲା କରଣ ପିଲାଏ ପାଠ ପଢ଼ୁଥିଲେ–ଚାକିରୀ ବାକିରୀ ତାଙ୍କର ଥିଲା । ଆଜିକାଲି ତା ହାଡ଼ିବାଉରି ପାଠ ପଢ଼ିଲେ । ପାଠର ମର୍ଯ୍ୟଦା ବି ଗଲାଣି । ଦେଖୁ ନାହଁ, ଆଗେ ଚପରାଶିଟାର କେତେ ହାକିମି ଥିଲା–ଆଜିକାଲି ଦିପୋଟି ଜଣେ ବି ସେମିତି ମାନମର୍ଯ୍ୟାଦା ପାଉ ନାହିଁ ।” ସାମନ୍ତରାୟ କହିଲେ, “ହଁ, ଆଜିକାଲି ତ ସମସ୍ତେ ଶିକ୍ଷିତ ହେଲେ ଆଖି ଫିଟିଗଲା ସମସ୍ତଙ୍କର । ଆଉ କିଛି ବିଷୟରେ ଫିଟି ନାହିଁ ଯେ, ଆଖି ଫିଟିଛି କାହା ପାଖରେ ଧନ ଅଛି–କଳ କୌଶଳରେ ତାହା ଠାରୁ କିପରି ଆଦାୟ କରିବେ, ସେଥିପାଇଁ ଯାବତ ଫନ୍ଦ, ଯାବତ ପେଚ ଏହି… ।” ସାମନ୍ତରାୟ ବାଧା ଦେଇ କହିଲେ, “ତମର ଆଉ କେତେ ଦିନ ଯେ ! ଧନ, ସମ୍ପତ୍ତି, ବିଷୟ ନେଇ ଘାଣ୍ଟି ହେଉଛ କାହିଁକି ? ଦାନ ଧର୍ମ କର…ତୀର୍ଥ ବ୍ରତ କର । ଆଉ କାହାପାଇଁ ବୃଥାରେ ଧନ ଧନ ହେଉଛ ?” ମଙ୍ଗରାଜଙ୍କର ମୁହଁଟା ଲାଲ ହୋଇ ଉଠିଲା ରାଗରେ । କିନ୍ତୁ ତାହା ସେ ଯତପରୋନାସ୍ତି ଚେଷ୍ଟାରେ ଗୋପନ ରଖି ସହଜ କଣ୍ଠରେ କହିଲେ, “ହଁ, ମୁଁ ବି ସେଇଆ ସ୍ଥିର କରିଛି, ବାକୀତକ କିପରି ଆଦାୟ ଅସୁଲ କରିନେଲେ କାଶୀ ଯାଇ ବାବା ବିଶ୍ଵନାଥଙ୍କର ଦର୍ଶନ କରି ଆସିବି । ତା ପରେ ଇଶ୍ଵରଙ୍କର ନାମ ନେବି ଘରେ ବସି–ଏ ମହାଜନୀ ଜଞ୍ଜାଳକୁ ଛାଡଦେବି ।”

 

“ହଁ, ସେଇଆ, କର, ଟଙ୍କା ପଇସା କ’ଣ ସ୍ଵର୍ଗ ନେବ ?”

 

ଅନ୍ୟାନ୍ୟ କଥାବର୍ତ୍ତା ପରେ ସଦାନନ୍ଦ ସାମନ୍ତରାୟ ଉଠିଗଲେ । ମଙ୍ଗରାଜେ ଡମାକୁ ପାଖକୁ ଡାକି କହିଲେ, “ଦେଖିଲ କାଳର ଗତି ! ୟାର କ’ଣ ଟଙ୍କା ନାହିଁ ନା ଧର୍ମ କରିବା ଭଳି ବୟସ ହୋଇ ନାହିଁ ? ମୋତେ କହୁଛି ଦାନ ଧର୍ମ କର, କିନ୍ତୁ ନିଜ ବେଳକୁ ସେ ବୁଦ୍ଧି ଦିଶୁ ନାହିଁ । କହନ୍ତି ପରା -ଆପଣା ଆଖିକୁ ଆଙ୍ଗୁଳି ଯାଏ ନାହିଁ । ମୁଁ କିପରି ଖସିଗଲେ ସେ ଶତପଥୀର ବାକି ଜମି ଦୁଇମାଣ ହାତରେ ପକାଇବ । ହୁଁ ! ଜଗନ୍ନାଥ ମଙ୍ଗରାଜ ସହଜରେ ଛାଡ଼ି ଦେଇଛି ପରା । ଦେଖିବି ସଦା କିପରି ସେ ଜମିକୁ ନେବ । କାଲି ଆଗ ନାଲିସଟା ଦାଏର କରି ଆସେ ।”

 

ଡମା ଢୋକ ଗିଳି ଟିକିଏ ଇତସ୍ତତଃ କରି କହିଲା, “ସତେ ଆଜ୍ଞା, ଆପଣଙ୍କର କ’ଣ ଆଉ ଦିନ ଆସୁଛି ? ଯାଆନ୍ତୁ ତୀର୍ଥ ବୁଲି ଦାନ ଧର୍ମ କରି ଆସିବେ । ଭାଗବତରେ ନେଖିଛି ପରା–‘ଧନ ଅର୍ଜିଲେ ଧର୍ମ କରି, ଧର୍ମେ ପ୍ରାପତ ନରହରି…..”

 

“ହଇରେ, ତୋର ଏଡ଼େ ଧର୍ମଜ୍ଞାନ କେବେଠୁ ହେଲା ମ ? ଗଉଡ଼ ! ଅଶୀବର୍ଷରେ ତମର ନାବାଳକି ଯାଏ ନାହିଁ ପରା । ପଟ୍ଟନାୟକ ସାଆନ୍ତଙ୍କୁ ତୁ ପୁଣି ଆଜି ଜ୍ଞାନ ବୁଝାଇଲୁ ? କାଳ ତ ଏହା କଲା, ତୁ କ’ଣ କହନ୍ତୁ ।”

 

ଡମା ଭୟରେ ଥରି ଉଠିଲା । କହିଲା, “ଆଜ୍ଞା, ମୁଁ ଆପଙ୍କୁ ଧର୍ମ ଶିଖାଇବା ଲୋକ !” ମଙ୍ଗରାଜେ କହିଲେ, “ହଇରେ ! ମୁଁ ତୀର୍ଥକୁ ଗଲେ ଏ ସମ୍ପତ୍ତି ରହିବଟି ? ସମସ୍ତେ ତ ମୋ ଗୋଡ଼କୁ ଚାହିଁ ବସିଛନ୍ତି । ମୋର କ’ଣ ଭଲ ଊଣା ଅଛି କହିଲ, ମୁଁ ତୀର୍ଥ କରି ପୃଣ୍ୟ ଅର୍ଜନ କରିବାକୁ ଯିବି ? ପୃଣ୍ୟ ଅର୍ଜିଛି ବୋଲି ତ ଆଜି ଅଚଳାଚଳ ସମ୍ପତ୍ତିର ମାଲିକ ହୋଇଛି । ତୀର୍ଥ କଲେ ଏହାଠାରୁ ଅଧିକ କ’ଣ ଗୁଡ଼ାଏ ହେବ ? ଯେ ପାପୀ ସେ ସିନା ଯିବ ତୀର୍ଥ କରି ପାପ ଛଡ଼ାଇବ–ମୁଁ ଯେ ମହାଜନୀ କାରବାର କରୁଛି, ଅନ୍ୟାୟରେ ତ କାହାଠାରୁ ଦୁଇପଇସା ନେଉ ନାହିଁ–ସଦେଇ ସାନ୍ତରା ଆଜି ସିନା ବିରାଡ଼ି ବୈଷ୍ଣବ ହୋଇଗଲା । ଯେତେ ଲୋକଙ୍କର ତଣ୍ଟି ଚିପିଛି, ସେ ଯଦି ଶାଗୁଣା ଗାଣ୍ଡିରେ ଟିଙ୍କ ନ ହେବ, ମୋ ନାଁ ଜଗନ୍ନାଥ ମଙ୍ଗରାଜ ନୁହେଁ !”

 

ଏକାଦଶବର୍ଷୀୟା କିଶୋରୀଟି ଦୌଡିଆସି କହିଲା, “ବାପା ! ତମେ କ’ଣ ଆଜି ଗାଧୋଇବ ନାହିଁ ?” ମଙ୍ଗରାଜେ କହିଲେ, “ହଁ, ମା ! ଯାଉଛି । ମୋତେ ତ ଜଳେଇ ପୋଡ଼େଇ ମାରିଲେ, ମୁଁ କ’ଣ କରିବି ? ଏତେ ବେଳଯାଏ ପେଟକୁ ଟୋପାଏ ପାଣି ଯାଇ ନାହିଁ, ସେ କଥା କିଏ ବୁଝୁଛି ?” ତା ପରେ ପୂର୍ବବତ୍ କାଗଜପତ୍ରରେ ମନେନିବେଶ କଲେ ।

 

କିଶୋରୀଟିର ନାଁ ‘କିଶୋରୀ’ । ସେ ମଙ୍ଗରାଜଙ୍କର ପାଖକୁ ଆଉ ଟିକିଏ ଘୁଞ୍ଚି ଯାଇ କହିଲା, “ଏ କ’ଣ । ପୁଣି କାମ କରି ବସିଲ ଯେ ! ବେଳ କେତେ ହେଲାଣି ଜାଣିଛ ? ମଙ୍ଗରାଜେ ଆକାଶକୁ ଚାହିଁ ଦେଇ କହିଲେ, "ନାଁ ବେଶୀ ବେଳ ହେବ ନାହିଁ ଯେ–ଠିକ୍ ଦିପହର ହେବ ।” “ହୁଁ ! ଦିପହର ହେବ, ନା ? ଅଢ଼େଇ ପହର ବେଳ ହେଲାଣି । ମୋତେ ଭାରି ଭୋକ ହେଉଚି, ଚାଲ ।” କିଶୋରୀ ମଙ୍ଗରାଜଙ୍କର ବଡ଼ ଆଦରଣୀ କନ୍ୟା । ତା’ର ଇଚ୍ଛା ବିରୁଦ୍ଧରେ ଆଉ ବସି ରହିବାକୁ ମଙ୍ଗରାଜଙ୍କର ଇଚ୍ଛା ହେଲା ନାହିଁ । ସେ କାଗଜପତ୍ର ସବୁ ବାକ୍ସରେ ବନ୍ଦ କରିବାକୁ ଲାଗିଲେ । କିଶୋରୀ ଯୁବକୁ ଉଦ୍ଦେଶ୍ୟ କରି କହିଲା, “ବାପା । ଏ କିଏ ?” ମଙ୍ଗରାଜେ ବିରକ୍ତ ଭାବରେ କହିଲେ–“ମଙ୍ଗରାଜଙ୍କ ଛଡ଼ା ଏ ରାଜ୍ୟରେ ଆଉ କିଏ ଅଛନ୍ତି କି ? ଯାହାର ଯାହା ଦରକାର ହେଲା, ଯାଅ ମଙ୍ଗରାଜଙ୍କ ପାଖକୁ–ଚାନ୍ଦା କ’ଣ, ଭେଦା କ’ଣ.…କି ହୋ ! ତମ ପିତୃପିତାମହ କ’ଣ ମଙ୍ଗରାଜଙ୍କ ଘରେ ଅସରପି ତୋଡା ଥୋଇ ଯାଇଛନ୍ତି ?” କିଶୋରୀ ପିତାଙ୍କର କଥା କାନକୁ ନ ନେଇ ଯୁବକଙ୍କୁ ଲକ୍ଷ୍ୟ କରି ପଚାରିଲା, “ଆପଣଙ୍କ ଘର କେଉଁଠି ?”

 

ମଙ୍ଗରାଜଙ୍କର ଢଙ୍ଗଢାଙ୍ଗ ଦେଖି ବିଶେଷତଃ ‘ବ୍ରାହ୍ମଣ ପିଲା, ବ୍ରତ ହୋଇ ପାରୁ ନଥିବ,’ ‘ସ୍କୁଲ ପିଲା, ଚାନ୍ଦା ପାଇଁ ଆସିଥିବ’ ଇତ୍ୟାଦି ତୁଚ୍ଛ ତାଚ୍ଛିଲ୍ୟ କଥା ଶୁଣି ଯୁବକଙ୍କର ହୃଦୟ ବିରକ୍ତିରେ ପୂରି ଉଠିଛି । ପ୍ରତି ମୁହୂର୍ତ୍ତରେ ତାଙ୍କର ଇଚ୍ଛା ହେଉଛି ସେଠାରୁ ଉଠି ଚାଲିଯାନ୍ତେ; ମାତ୍ର ନିଜର ଭବିଷ୍ୟତ ଚିନ୍ତା କରି ଯାଇ ପାରୁ ନାହାନ୍ତି । ସରଳପ୍ରାଣା କିଶୋରୀର ସହଜ ପ୍ରଶ୍ନଟି ତାଙ୍କ ବ୍ୟଥିତ ହୃଦୟକୁ ଆହୁରି ବ୍ୟଥିତ କରି ପକାଇଲା । ସେ ଯାହା ପାଖକୁ ଆସିଛନ୍ତି, ସେ କୌଣସି କଥା ପଚାରିବା ଦୂରେ ଥାଉ ଯାବତ ବ୍ୟଙ୍ଗ ବିଦ୍ରୂପ କରିବାକୁ ଛାଡ଼ୁ ନାହାନ୍ତି । ଏ ବାଳିକା ପ୍ରଶ୍ନର ବା ମୂଲ୍ୟ କ’ଣ ? ଉତ୍ତର ଦେବାକୁ ଯୁବକଙ୍କର ଇଚ୍ଛା ହେଲା ନାହିଁ । ମନ୍ତ୍ରମୁଗ୍ଧ ପରି ସେ ବାଳିକାର ମୁହଁକୁ ଚାହିଁ ରହିଲେ କେବଳ । ମଙ୍ଗରାଜେ ଉତ୍ତେଜିତ ଭାବରେ କହିଲେ, “ଓହୋ ରେ ନବାବ । ପଚାରିଲେ କଥାର ଉତ୍ତର ବି ନାହିଁ ? କିରେ, ତୋର ଘର କେଉଁଠି ?”

 

ଏହି ଜଗନ୍ନାଥ ମଙ୍ଗରାଜ ? ଯାହାଙ୍କର ନାମ ଶୁଣି ପନ୍ଦର କୋଶ ରାସ୍ତା ଅତିକ୍ରମ କରିବାକୁ ପଡ଼ିଛି ? ଏଡ଼େ ଅଭଦ୍ର ସେ ? କଥା ପଦେ କହିବାକୁ ଶିଖି ନାହିଁ । ଜଣେ ଅପରିଚିତ ଭଦ୍ରବ୍ୟକ୍ତିଙ୍କ ସଙ୍ଗରେ ଚାକର ଠାରୁ ବଳି ତୁଚ୍ଛ ତାଚ୍ଛିଲ୍ୟ ବ୍ୟବହାର ! ଘୃଣାରେ ଯୁବକଙ୍କର ମୁଖ ବିକୃତ ହୋଇଗଲା । ମଙ୍ଗରାଜେ କାଗଜପତ୍ର ନେଇ ବ୍ୟସ୍ତ ଥିବାରୁ ତାହା ଲକ୍ଷ୍ୟ କରିପାରିଲେ ନାହିଁ-

 

ଲକ୍ଷ୍ୟ କଲା ତାଙ୍କର କିଶୋରୀ କନ୍ୟା ‘କିଶୋରୀ’ । ଯୁବକଙ୍କର ବେଦନାକୁ ସେ ମଧ୍ୟ ପ୍ରାଣରେ ଅନୁଭବ କଲା ।

 

ମଙ୍ଗରାଜଙ୍କ ପ୍ରଶ୍ନ ନିତାନ୍ତ ଅଭଦ୍ରୋଚିତ ହେଲେହେଁ ଯୁବକ ଉତ୍ତର ନ ଦେଇ ରହିପାରିଲେ ନାହିଁ । କହିଲେ, “ମୋ ଘର ଆଜ୍ଞା, ଚବିଶପ୍ରଗଣା । ଶୁଣିଲି ଆପଣଙ୍କର ଗୋଟିଏ ଲୋକ ଆବଶ୍ୟକ..…”

 

“ହଁ, ହଁ, ମୋର ଗୋଟିଏ ଲୋକ ଦରକାର; ସେ କିନ୍ତୁ ଯୋଡ଼ିଏ କାମ କାରିବ । ମହାଜନୀ କାଗଜପତ୍ର ବୁଝିବ–ଆଉ ମୋର ଏହି ଝିଅଟିକୁ ଘଣ୍ଟାଏ ଘଣ୍ଟାଏ ପଢ଼ାଇବ । ତୁ କେତେ ଯାଏ ପଢ଼ିଛୁ ?”

 

“ଏଣ୍ଟ୍ରାନ୍ସ ଫାର୍ଷ୍ଟ କ୍ଲାସକୁ ପ୍ରମୋଶନ ପାଇଥିଲି, ଫେବୃୟାରୀରେ ବାପା ମରିଗଲେ । ଆଉ……”

 

“ଆଛା, ବେଶ, ବେଶ୍, ତୁମ୍ଭର ନାମ କ’ଣ ?”

 

“ରାଜକିଶୋର ପଟ୍ଟନାୟକ ।”

 

“କରଣ ତା ହେଲେ ?”

 

“ଆଜ୍ଞା !”

 

ମଙ୍ଗରାଜେ କାଗଜପତ୍ର ରଖିଦେଇ କନ୍ୟା ସହିତ ଭିତରକୁ ଗଲେ । ପ୍ରାୟ ପଞ୍ଚ ମିନିଟ୍ ପରେ ଡାକିଲେ, “ଆସ ହେ ରାଜ କିଶୋର ।”

 

ମଙ୍ଗରାଜଙ୍କର ସମ୍ବୋଧନ ‘ତୁ’ କାରରୁ ହଠାତ୍ ‘ତୁମେ’ ଉପରକୁ ଉଠିବାର ଦେଖି ରାଜକିଶୋରଙ୍କୁ ବଡ଼ ଆଶ୍ଚର୍ଯ୍ୟ ବୋଧହେଲା । ସେ ସେହି ବିଷୟ ଭାବୁ ଭାବୁ ଘରଭିତରକୁ ଉଠିଗଲେ ।

Image

 

ଦ୍ଵିତୀୟ ପରିଚ୍ଛେଦ

 

ରାଜକିଶୋର ଜଗନ୍ନାଥ ମଙ୍ଗରାଜଙ୍କ ଘରେ ରହିବାର ଦୁଇ ମାସ ହୋଇଗଲାଣି । ତାଙ୍କର ଶିକ୍ଷକତାରେ ମଙ୍ଗରାଜେ ଯେତେ ସନ୍ତୁଷ୍ଟ, ଗୁମାସ୍ତାଗରିରେ ତହୁଁ ବଳି ଅସନ୍ତୁଷ୍ଟ । ଚକ୍ରବୃଦ୍ଧି ସୁଧ ହିସାବରେ କିପରି ଖାତକକୁ ଭୁଲାଇ ଟଙ୍କାରେ ଦୁଇ ଅଣା ଠକି ନେବାକୁ ହେବ, କିପରି କଡ଼ା କଡ଼ା କଥା କହି ଖାତକକୁ ପ୍ରତିବାଦ ବା ଆପତ୍ତି କରିବାର ଅବସର ଦେବାକୁ ହେବନାହିଁ, ‘ଗୁମାସ୍ତା ପାଉଣା’, ‘ଦିଅଙ୍କ ପାଉଣା’, ‘ନୂଆ ଖାତା ଖର୍ଚ୍ଚ’ ଇତ୍ୟାଦି କିପରି ଆଦାୟ କରିବାକୁ ହେବ–ଏ ସମସ୍ତ ଦୁଇ ମାସ ଧରି ସେ ରାଜକିଶୋରଙ୍କୁ ଶିଖାଇ ସୁଦ୍ଧା ଏପର୍ଯ୍ୟନ୍ତ ତାଙ୍କୁ ମନୋମତ ଗୁମାସ୍ତାଟି କରି ଗଢ଼ି ପାରିଲେ ନାହିଁ । ସେଥିପାଇଁ ମଙ୍ଗରାଜଙ୍କର ମନୋଦୁଃଖ କହିଲେ ନ ସରେ । ଅନେକ ସମୟରେ ଭାବନ୍ତି, ରାଜକିଶୋରଙ୍କୁ ବିଦାୟ କରି ଦେଵେ । ଏପରି ଶାନ୍ତ ଶିଷ୍ଟ ପରଦୁଃଖକାତର ଗୁମାସ୍ତାଟିଏ ରଖି ବା ତାଙ୍କର ଲାଭ କ’ଣ ? କିନ୍ତୁ କାର୍ଯ୍ୟରେ ପରିଣତ କରିପାରନ୍ତି ନାହିଁ । ରାଜକିଶୋରଙ୍କ ପରି ସୁଶୀଳ, ସହିଷ୍ଣୁ, ସତ୍ୟବାନ୍ ଓ ବିଦ୍ଵାନ ଲୋକଟିଏ କ’ଣ ସେ ସହଜରେ ପାଇବେ ?

 

ଦିନ ଗୋଟାଏ ସମୟ ହେବ, ରାଜକିଶୋର ମହାଜନୀ ସିରସ୍ତା ଘେନି ଦାଣ୍ଡ ଘରେ ବସିଛନ୍ତି । ମଧୂ, ଗଧୂ, ସାଧୂ ଓଗେର ଖାତକ ଦଶଜଣ ହେବେ ତାଙ୍କୁ ବେଢ଼ିଛନ୍ତି । ଆଉ ଜଣେ ଖାତକ ଆସି ଦାଣ୍ଡ ଦ୍ଵାର ସାମନା ସଡ଼କର ଉତ୍ତପ୍ତ ଧୂଳିରେ ଲମ୍ବ ହୋଇ ଦଣ୍ଡ ପ୍ରଣାମଟାଏ କରି କହିଲା, “ଆଜ୍ଞା, ମୋ ଗୁହାରୀ ଟିକିଏ ବୁଝିଦେଲେ ମୁଁ ଯାନ୍ତି ଚାଲି–ଠିଆ ହୋଇ ପାରୁ ନି ।”

 

ରାଜକିଶୋର ଦେଖିଲେ, ତା ଗୋଡ଼ରେ ପଟି ଭିଡ଼ା ହୋଇଛି । ହାତର ଆଙ୍ଗୁଠିଗୁଡ଼ିକ କେମ୍ପା କେମ୍ପା–ତହିଁରୁ ପୁଣି ଦୁଇଟି ରୋଗରେ କ୍ଷୟପ୍ରାପ୍ତ । ଲୋକଟିର ଦେହରୁ ଶୀତଦିନ ସକାଳେ ଗଛରୁ କାକର ଝଡିଲା ପରି ଅଜସ୍ର ଧାରରେ ଝାଳ ବହୁଛି । ଉପରେ ଅସହ୍ୟ ତାପ, ଖରାରେ ମୁଣ୍ଡ ଫାଟି ଯାଉଛି । ଉତ୍ତପ୍ତ ଧୂଳି ଉପରେ ଠିଆ ହୋଇ ନ ପାରି ସେ ଥରେ ସେ ଗୋଡ଼ ଟେକି ଯନ୍ତ୍ରଣାରେ ଛଟପଟ ହେଉଛି । କୁଷ୍ଠରୋଗୀ ସେ–ମହାଜନଙ୍କ ପିଣ୍ଡାକୁ ଆସିବାର କ୍ଷମତା ନାହିଁ ତା’ର । ରାଜକିଶୋରଙ୍କ ହୃଦୟ କରୁଣାରେ ବିଚଳିତ ହୋଇଗଲା । ସେ ମନେ ମନେ କହିଲେ, “ପ୍ରଭୁ ! ଶତ୍ରୁକୁ ସୁଦ୍ଧା ଏପରି ଶାସ୍ତି ନ ଦିଅନ୍ତୁ ।” ତା ପରେ ସେ ରୋଗୀକୁ ଉଦ୍ଦେଶ୍ୟ କରି କହିଲେ, “ତମ ନାଁ କ’ଣ ?”

 

“ଆଜ୍ଞା, ମୋ ନାଁ ନିଧି ସ୍ଵାଇଁ ।”

 

“କ’ଣ କହୁଚ ?”

 

ନିଧି କପାଳରୁ ଝାଳ ପୋଛି କହିଲା, “ଟଙ୍କା କୋଡିଏଟା କରଜ ନେଇଥିଲି ୨ ବର୍ଷ ହୋଇଗଲାଣି ଯେ……”

 

“ଖାଲି ସୁଧ ଦେବ ନା ଅସଲ ସୁଧ ସମୁଦାୟ ଦେବ ?”

 

“ଆଜ୍ଞା, ହିସାବ କରନ୍ତୁ, ସମୁଦାୟ ଦେବି ।”

 

ରାଜକିଶୋର ଅନ୍ୟାନ୍ୟ ଖାତକଙ୍କର କାମ ଛାଡ଼ି ଆଗ ନିଧି ଖାତା ବାହାର କଲେ । ପାଞ୍ଚ ମିନିଟ ମଧ୍ୟରେ ହିସାବ କରି କହିଲେ, “ଦୁଇ ବର୍ଷର ଚକ୍ରବୃଦ୍ଧି ହାରରେ ଅସଲ ସୁଧ ମିଶି ଟ ୬୧ ।, ଗୁମାସ୍ତା ପାଉଣା ଟଙ୍କାରେ ଅଣାଏ ହିସାବରେ ତିନି ଟଙ୍କା ତେର ଅଣା ତିନି ପାହୁଲା, ଦିଅଁଙ୍କ ଟଙ୍କାଏ, ନୂଆ ଖାତା ଖର୍ଚ୍ଚ ଦୁଇ ବର୍ଷକୁ ଦୁଇ ଟଙ୍କା–ଗାଏ ମୋଟ ଅଠଷଠି ଟଙ୍କା ଅଣାଏ ତିନି ପାହି-।”

 

“ଆଜ୍ଞା, ମୋର ମୂଳ ଟଙ୍କା କୋଡ଼ିଏଟା ମୋଟେ । ତିନି ଡବଲରୁ କ’ଣ ବେଶୀ କହୁଚ ଆପଣ ? ସୁଧରୁ କ’ଣ କିଛି ଛାଡ଼ ମିଳିବ ନାହିଁ ? ତିନି ତିନିଟା ପିଲା–ମୋର ଅବସ୍ଥା ତ ଦେଖୁଚ । ଗରିବଟା ମରିଯିବି ।” ସଙ୍ଗେ ସଙ୍ଗେ ନିଧି ଲମ୍ବ ହୋଇ ସେହି ଗରମ ବାଲିରେ ଶୋଇ ପଡ଼ିଲା । ରାଜକିଶୋରଙ୍କର ହୃଦୟଟା ବଡ଼ ନରମ । ସେ ତା’ର ଦଃଖ ସହି ନ ପାରି କହିଲେ, “ହଉ, ଗୁମାସ୍ତା ପାଉଣାଟା ଛାଡ଼ିଦେଲି, ଆଉ ତ କାହିଁରୁ କାଟିପାରିବି ନାହିଁ ।” ନିଧି କାତର କରୁଣ କଟାକ୍ଷରେ ରାଜକିଶୋରଙ୍କ ମୁହଁକୁ ଚାହିଁ ରହିଲା । ରାଜକିଶୋର ଟିକିଏ ଚିନ୍ତା କରି କହିଲେ, “ଆଛା, ନୂଆ ଖାତା ଖର୍ଚ୍ଚ ବି ଛାଡ଼ିଦେଲି । ତମ ଲାଗି ମୁଁ ମାଲିକଙ୍କ କହି ପୋଛି……କଥାଟା ସମାପ୍ତ କରିବାକୁ ରାଜକିଶୋର ଅବସର ପାଇପାରିଲେ ନାହିଁ । ବିଜୁଳି ପରି ମଙ୍ଗରାଜେ ସହସା ଆବିର୍ଭୁତ ହୋଇ ବ୍ୟଙ୍ଗ ସ୍ଵରରେ କହିଲେ, “ଆହା, ବାବୁଙ୍କର ଆମର କି ଦୟା ! ଦେହଟା ଯେମିତି ଖାଲି ଦୟା ଧର୍ମରେ ଗଢ଼ା !

 

“ମୁଁ ମାଲିକଙ୍କୁ କହି ପୋଛି’……କାହିଁକି ? ଏଡ଼େ କହିଲା ପୋଛିଲାବାଲା କେବଠାରୁ ହେଲ ମ ? ମଙ୍ଗରାଜଙ୍କ ଘରେ ରହିବା ଠାରୁ ନା ତା ପୂର୍ବରୁ ? ଯାହା କହନ୍ତି ଛୋଟ ତୁଣ୍ଡରେ ବଡ଼ କଥା । ଯାବତ ଅର୍କ୍ଷିତ, ଯେ ଟଙ୍କା କିପରି ଦେଖିନାହାନ୍ତି–ପର ଦ୍ଵାରେ ମୁଣ୍ଡ ବିକନ୍ତି ଟଙ୍କା ପାଇଁ, ସେ ଦାନଶୀଳ ନ ହେବେ ବା କାହିଁକି ? ଟଙ୍କା କିପରି କଷ୍ଟରେ ଆସେ, ସେ କଥା କ’ଣ ଜଣା ପଡୁଛି ? ସିରସ୍ତାରେ ବସି ଦି କଲମ ରାମ୍ପି ଦେଲେ ତ ଖାଇ ପିଇ ମାସ ଶେଷକୁ ରୋକଡା ଟଙ୍କା ମିଳିଲା–ଚିନ୍ତା କ’ଣ ? ତମର ବ୍ୟବହାର ବଡ଼ ଖରାପ ହେଉଛି ରାଜୁ । ସବୁଦିନ ସବୁବେଳେ ତମ ସାଙ୍ଗରେ ମୁଁ ଆଉ ପାଟି କରିପାରିବି ନାହିଁ । କାଲି ପରା ଏଇ ସୁଧ ଛାଡ ନେଇ ଏତେ କଥା । ଛଳ ପଶିଗଲା ଯେ ଦିନଟା ଉପବାସ ରହିଲ ? ଆଜି ପୁଣି ସେହି କଥା ! ଦିମାସ ହେଲା ରହିଲଣି ଯେ ଆଜିପର୍ଯ୍ୟନ୍ତ ମୁଁ ତମକୁ ଛାଡ଼ି ଦୁଇଘଣ୍ଟା ଲାଗି ସୁଦ୍ଧା କୁଆଡ଼େ ଯାଇ ପାରୁ ନହିଁ । ଛାଡ଼ିଦେଲେ ତମେ ଯେ କ’ଣ କରି ବସିବ…… !”

 

ରାଜକିଶୋର ବିନା ପ୍ରତିବାଦରେ ମଙ୍ଗରାଜଙ୍କର ସମସ୍ତ କୁକଥା ଅକଥା ହଜମ କରି କଲମ ଚଳାଇବାକୁ ଲାଗିଲେ ।

 

ମଙ୍ଗରାଜେ ଗଳାରେ ଆଉ ଟିକିଏ ଜୋର ଦେଇ କହିଲେ, “ଆଛା, କହିଲ ତମକୁ ଆଣି ମୁଁ ରଖିଛି ମୋର ଲାଭ କରିବ କି କ୍ଷତି କରିବ ?” ରାଜକିଶୋର ନିରୁତ୍ତର । ମଙ୍ଗରାଜେ ଛେପ ଢୋକି କହିଲେ, “ହଁ, ସେ ଛାଡ ନେବ–କାହିଁକି ? ସେ କ’ଣ ନିଃସ୍ଵ ? ତା’ର କ’ଣ କିଛି ନାହିଁ ? ସେ ଆମ୍ବତୋଟାଟା ଦେଇ ଦେଉ ନାହିଁ ?” ତାପରେ ନିଧି ଉପରେ ପଡ଼ିଲା କଟାକ୍ଷ । ତା ସହିତ ଯେଉଁ ଅଭିଧାନ ଛଡ଼ା ଭାଷାରେ କଥୋପକଥନ କଲେ, ସେ ସବୁ ଲେଖିବା ଅପେକ୍ଷା ପାଠକମାନେ ଅନୁମାନ କରି ନେବା ଭଲ ।

 

ରାଜକିଶୋରଙ୍କର ରୁଟିନ୍‍ବନ୍ଧା କାମ । ସକାଳ ସାତଟାରୁ ଦଶଟା ପର୍ଯ୍ୟନ୍ତ କିଶୋରୀକୁ ପଢ଼ାଇବେ । ଦଶଟା ପରେ ଗଣ୍ଡାଏ ଖାଇଦେଇ ମହାଜନୀ କାଗଜପତ୍ର ଘାଣ୍ଟିବେ ଯେ ଠିକ୍ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ । ପୁଣି ସାତଟାରୁ ନଟା ଯାଏ କିଶୋରୀକୁ ପଢ଼ାଇବେ । ସେ ଦିନ ସନ୍ଧ୍ୟା ସାତଟାରେ ସେ କିଶୋରୀର ପଢ଼ା ଘରକୁ ଯାଉଛନ୍ତି, ମଙ୍ଗରାଜେ କହିଲେ, “ରାଜୁ, ମୁଁ ଦେଖୁଛି ତମେ ମହାଜନୀ ସିରସ୍ତାକୁ ଆଦୌ ଉପଯୁକ୍ତ ନୁହ । ତମଦ୍ଵାରା ସେ ପେଚ ପାଚ ହେବ ନାହିଁ । ତମେ ଯଦି ରୋଷେଇ ଗଣ୍ଡାଏ କରି ଦିଅନ୍ତ, ମୁଁ ସେସବୁ..…ମୁଠାଏ ଫୁଟାଇ ଦେଇପାରିବ ନାହିଁ ?” ରାଜକିଶୋର ମଙ୍ଗରାଜଙ୍କ କୌଣସି କଥାର ପ୍ରତିବାଦ କରନ୍ତି ନାହିଁ । ସେ ମୁଣ୍ଡ ହଲାଇ ସମ୍ମତି ଜଣାଇଲେ । ମଙ୍ଗରାଜେ କାର୍ଯ୍ୟାନ୍ତରେ ଅନ୍ୟତ୍ର ଚାଲି ଗଲାରୁ ରାଜକିଶୋର ମନେ ମନେ କହିଲେ ଭଲକଥା । ରୋଷେଇ କ’ଣ, ତାଠାରୁ ହୀନ କାର୍ଯ୍ୟ ସୁଦ୍ଧା କରିବାକୁ ପ୍ରସ୍ତୁତ ଅଛି; କିନ୍ତୁ ନିରୀହ ଗରିବ ଖାତକଙ୍କ ଉପରେ ନିର୍ମମ ବ୍ୟବହାର କରିବା ମୋଦ୍ଵାରା ହେବ ନାହିଁ । ସେହି ଦିନଠାରୁ ତାଙ୍କର ରୁଟିନ୍ ବଦଳିଗଲା ।

 

ଜଗନ୍ନାଥ ମଙ୍ଗରାଜଙ୍କର ପରିବାର ମଧ୍ୟରେ ସେ ଓ ତାଙ୍କର ଏକମାତ୍ର କନ୍ୟା କିଶୋରୀ-। ଡମା ଭିନ୍ନ ତାଙ୍କର ଦ୍ଵିତୀୟ ଚାକର ନାହିଁ । ପୂଜାରୀ ହାତରେ ତୃପ୍ତି ଆସିବ ନାହିଁ ବୋଲି ଛପନ ବର୍ଷ ବୟସରେ ମଙ୍ଗରାଜେ ଦୁଇ ଓଳି ନିଜ ହାତରେ ମୁଠାଏ ଫଟାଇ ଦିଅନ୍ତି । କିଶୋରୀ ମଙ୍ଗରାଜଙ୍କର ବଡ଼ ଆଦରର କନ୍ୟା । ତାକୁ କୌଣସି କାର୍ଯ୍ୟ କରିବାକୁ ପଡ଼େ ନାହିଁ ।

 

ଏବେ ଦୁଇମାସ ହେବ ମଙ୍ଗରାଜେ ରୋଷେଇ କାର୍ଯ୍ୟରୁ ଛୁଟି ପାଇଛନ୍ତି । ଡମା ପରିବାକଟା, ମସଲାବଟା ପ୍ରଭୁତି ବାହାର କାର୍ଯ୍ୟ କରିଦିଏ । ରାଜକିଶୋର ଚୁଲା ପାଖରେ ବସି ମୁଠାଏ ଫୁଟାଇ ଦିଅନ୍ତି କେବଳ । ତଥାପି ‘ରନ୍ଧନଂ ବନ୍ଧନଂ ପୃଂସାଂ ।’ ଏକେତ ସୁକୁମାର ବୟସ, ସେଥିରେ ପୁଣି ଅଭ୍ୟାସ ନାହିଁ । ଚୁଲା ପାଖରେ ବସିବାଟା ରାଜକିଶୋରଙ୍କୁ ବଡ଼ ବୋଧେ । ତା ଉପରେ ପୁଣି ମଙ୍ଗରାଜଙ୍କର ଲାଲ ଆଖି । ଆଜି ଲୁଣି ତ କାଲି ଅଲଣା, ଏହିପରି କେତେ କ’ଣ ନିନ୍ଦାବାଦ ଶୁଣିବା ସଙ୍ଗେ ସଙ୍ଗେ ଗାଳି ଗଞ୍ଜଣା ମଧ୍ୟ ସହିବାକୁ ପଡ଼େ ।

 

ପେଟକୁ ଦେଇ ପିଠିକି ମାରିବା ନୀତି ମଙ୍ଗରାଜଙ୍କ ପାଖରେ ଓଲଟା–ସେ ପେଟକୁ ନ ଦେଇ ପିଠିକୁ ମାରି ଜାଣନ୍ତି ବେଶ୍ । ତାଙ୍କର ଇଚ୍ଛା, ସେ ରାଜକିଶୋରଙ୍କଠାରୁ ଗଣି ଗଣି ଚବିଶ ଘଣ୍ଟା କାମ ନେବେ, ଆଉ ଭିକାରୀକୁ ଦେଲା ପରି ଶାଗ ଭାତ କରି ମୁଠାଏ ଦେବେ ସେ ରୁଚିକର ହେଉ ବା ନ ହେଉ । ରୁଚିକର ନ ହେବାର ତ କୌଣସି କାରଣ ନାହିଁ । ଯେ ପେଟ ବିକଳରେ ଚାକିରୀ କରିବାକୁ ଆସିଛି, ତା’ର ପୁଣି ଭଲ ମନ୍ଦ ବାଛିବାର କି ଅଧିକାର ଅଛି ?

 

ରାଜକିଶୋର ରହିଲେ; କିନ୍ତୁ ମନ ମାନିଲା ନାହିଁ । ମନୁଷ୍ୟ ହୃଦୟରେ ଯେଉଁଠି ଦୟା, ଦାକ୍ଷିଣ୍ୟ, ସ୍ନେହ, ପ୍ରୀତି କିଛି ନାହିଁ ଅଛି କେବଳ ମୋହମାୟା ଧନ ଉପରେ–ଧନ ହିଁ ଏକମାତ୍ର ସମ୍ଵଳ–ଧନହିଁ ଜୀବନ ସର୍ବସ୍ଵ–ପ୍ରାଣଠାରୁ ଧନର ମୂଲ୍ୟ ବେଶୀ–ଧନ ଲାଗି ଯେ କୌଣସି ଅକର୍ମ କୁକର୍ମ କରାଯାଇପାରେ–ଧନଲାଗି ମୃତ୍ୟୁ ଯନ୍ତ୍ରଣାପୂର୍ଣ୍ଣ ନରକ କୁଣ୍ଡରେ ଝାସ ଦେବାକୁ ଯେ କୁଣ୍ଠିତ ନୁହେ, ସେପରି ଲୋକର ଘରେ ତା’ର ଅଧୀନରେ ରହି କେଉଁ ଲୋକ ଭଲା ମନକୁ ମନାଇପାରିବ-?

 

ସକାଳୁ ସନ୍ଧ୍ୟାଯାଏ ଅବିଶ୍ରାନ୍ତ କାର୍ଯ୍ୟ-ମୁନିବଙ୍କର ନିତାନ୍ତ ରୁକ୍ଷ ଓ ଅଭଦ୍ରୋଚିତ ବ୍ୟବହାର, ସେଥିରେ ପୁଣି ଟଙ୍କା ପାଞ୍ଚଟା ଦରମା । ସେଠାରେ ରହିବାକୁ ରାଜକିଶୋରଙ୍କର ଆଦୌ ଇଚ୍ଛା ନ ଥିଲେ ସୁଦ୍ଧା ସେ ରହିବାକୁ ବାଧ୍ୟ ହେଲେ । ଇଚ୍ଛା କରିଥିଲେ ଅନ୍ୟତ୍ର ଯାଇ ଚାକିରୀ ଅନ୍ଵେଷଣ କରିପାରିଥାନ୍ତେ । ବେଶୀ ଦରମା ନ ପାନ୍ତୁ, ଏହାଠାରୁ ଅବଶ୍ୟ ଭଲ ଖାଇବାକୁ ପାଇଥାନ୍ତେ ତ ମିଠା କଥା ଦି’ପଦ ଶୁଣିବାକୁ ପାଇଥାନ୍ତେ ତ; କିନ୍ତୁ ସେ ଅନ୍ୟତ୍ର ଯାଇପାରିଲେ ନାହିଁ କେବଳ କିଶୋରୀ ଯୋଗୁ । କିଶୋରୀର ଶାନ୍ତ ସରଳ ବ୍ୟବହାର ଓ ଅତ୍ୟଧିକ ସ୍ନେହ ତାଙ୍କୁ ନାଗଫାଶ ବନ୍ଧନରେ ପକାଇ ଦେଲା । ସେ ସବୁ ଜାଣିଶୁଣି ସୁଦ୍ଧା ଶକ୍ତିହୀନ ପରି ମଙ୍ଗରାଜଙ୍କର କବଳରେ ପଡ଼ିରହିଲେ କିଶୋରୀ ମୁହଁକୁ ଚାହିଁ ।

 

ରାଜକିଶୋର ଶୈଶବରୁ ପିତୃମାତୃହୀନ ଥିଲେ । କେବଳ ସେତିକି କହିଲେ ତାଙ୍କର ପ୍ରକୃତ ଅବସ୍ଥା ବୁଝାଯିବ ନାହିଁ । ସହାୟ ସମ୍ବଳହୀନ ଅନାଥ ଥିଲେ ସେ । ପିତାଙ୍କ ମୃତ୍ୟର ପନ୍ଦର ଦିନ ପରେ ଯେତେବେଳେ ତାଙ୍କର ମାତୃବିୟୋଗ ଘଟିଲା, ସେତେବେଳେ ତାଙ୍କୁ ଚାରିବର୍ଷ ମାତ୍ର । ମାତୁଳ ବନବିହାରୀ ପଟ୍ଟନାୟକ ଭଗିନୀପତିଙ୍କର ଶୁଦ୍ଧ ଶ୍ରାଦ୍ଧରେ ଯୋଗ ଦେବା ପାଇଁ ଭଗିନୀଗୃହକୁ ଆସିଥିଲେ । ସହସା ସୋଦରରେ ମୃତ୍ୟୁ ହେବାର ଦେଖି ଅନାଥ ରାଜକିଶୋରକୁ ନିଜ ଗୃହକୁ ଘେନିଗଲେ ।

 

ବନବିହାରୀ ବାବୁଙ୍କର ଦ୍ଵିତୀୟ ସଂସାର । ଦ୍ଵିତୀୟ ପକ୍ଷଙ୍କ ନିକଟରେ ସ୍ଵାମୀମାନେ ସାଧାରଣତଃ ବଚସ୍କର ହୋଇଥାନ୍ତି–ବନବିହାରୀ ବାବୁ ସେ ନୀତିର ବହିର୍ଭୂତ କାର୍ଯ୍ୟ କରୁ ନ ଥିଲେ–ବିଶେଷତଃ ତାଙ୍କର ଶରୀର ଆଧୁନିକ ଶିକ୍ଷା ସଭ୍ୟତାର ଜଳବାୟୁରେ ପୁଷ୍ଟ ଥିବାରୁ ସେହି ନୀତିଟାକୁ ସେ ଅନ୍ତରର ସହିତ ମାନି ଚଳୁଥିଲେ । କୁମୁଦିନୀଙ୍କର ମୁଖର ସ୍ଵଭାବ–ତହିଁରେ ମଣି ସହିତ କାଞ୍ଚନର ଯୋଗ ହେଲା । ସ୍ତ୍ରୀଙ୍କ ବିପକ୍ଷରେ ‘ଉଁ’ ଶବ୍ଦଟି ପର୍ଯ୍ୟନ୍ତ ଉଚ୍ଚାରଣ କରିବା ଭଳି ସାହସ ତାଙ୍କର ନ ଥିଲା ।

 

ମାତୁଳାନୀ କୁମୁଦିନୀ ଶିଶୁ ରାଜକିଶୋରଙ୍କୁ ଦେଖି ଭୈରବୀ ମୂର୍ତ୍ତି ଧାରଣ କଲେ । ବନବିହାରୀ ବାବୁଙ୍କର ସ୍ତ୍ରୀଙ୍କ ବିପକ୍ଷରେ କୌଣସି କଥା କହିବାର ଶକ୍ତି ନ ଥିଲେହେଁ ସ୍ତ୍ରୀଙ୍କ ବାକ୍ୟବାଣ ସହିବାର ଶକ୍ତି ଯଥେଷ୍ଟ ଥିଲା । ସେ କୌଣସି କଥାକୁ ଭ୍ରୂକ୍ଷେପ ନ କରି ରାଜକିଶୋରଙ୍କୁ ପାଳିବାକୁ ଲାଗିଲେ । ସେଥିପାଇଁ କୁମୁଦିନୀ କେତେ ଦିନଲାଗି ସ୍ଵାମୀଙ୍କ ସହିତ ଅସହଯୋଗ କଲେ–କାନ୍ଦିଲେ, ମୁଣ୍ଡ ପଟିଲେ, କେତେ ମାସ ପାଇଁ ପିତ୍ରାଳୟକୁ ମଧ୍ୟ ପଳାଇଲେ–ମାତ୍ର କାହିଁରେ କିଛି ଫଳ ହେଲାନାହିଁ । ବନବିହାରୀବାବୁ ଏକ ଜିଦ୍ ଧରି ବସିଲେ, “ଅସହାୟ ଭଣଜାଟିକୁ ପାଳନ କରିବା ମୋର କର୍ତ୍ତବ୍ୟ । ମୁଁ କୌଣସି ମତେ ତାକୁ ଅବହେଳା କରିପାରିବି ନାହିଁ ।” ନାନା ଉପାୟ ଅବଲମ୍ବନ କରି ସୁଦ୍ଧା କୁମୁଦିନୀ ଯେତେବେଳେ ଦେଖିଲେ କାହିଁରେ କିଛି ଫଳ ହେଲା ନାହିଁ, ସେ ବାଧ୍ୟ ହୋଇ ଦାନ୍ତରେ ଦାନ୍ତ ଚିପି ପଡ଼ି ରହିଲେ । କ’ଣ କରିବେ ? ଏଣେ ସ୍ଵାମୀ ଯେ ହାତଛଡ଼ା ହେବା ଉପରେ । ବଞ୍ଚିଥିଲେ କ’ଣ ଦିନେ ସେ ପ୍ରତିଶୋଧ ନେଇପାରିବେ ନାହିଁ ?

 

ରାଜକିଶୋର କ୍ରମେ ବଢ଼ିବାକୁ ଲାଗିଲେ । ପାଠ ପଢ଼ିବାର ବୟସ ହେଲା । ବନବିହାରୀ ବାବୁ ପଢ଼ାଇବାର ପ୍ରସ୍ତାବ କଲେ । ସେଥିପାଇଁ ପୁଣି କେତେ ପାଲା ଲାଗିଲା । ଶେଷରେ କୁମୁଦିନୀ ପରାସ୍ତ ହେଲେ । ରାଜକିଶୋର ନଅ ବର୍ଷ ବୟସରେ ବିଦ୍ୟାରମ୍ଭ କଲେ । ବନବିହାରୀ ବାବୁଙ୍କର ଚାରୋଟି ସନ୍ତାନ ଥିଲେ; ତଥାପି ସେ ରାଜକିଶୋରଙ୍କୁ ବଡ଼ ଆଦର କରନ୍ତି । ରାଜକିଶୋର ମଧ୍ୟ ତାଙ୍କୁ ବାପା ବୋଲି ଡାକି ତାଙ୍କର ଅଧିକ ସ୍ନେହ ଲାଭ କରୁଥିଲେ । ବନବିହାରୀ ବାବୁଙ୍କର ଯେତେବେଳେ ବିସୂଚିକାରେ ସହସା ମୃତ୍ୟୁ ହେଲା, ରାଜକିଶୋର ଚତୁର୍ଦ୍ଦିଗ ଅନ୍ଧକାର ଦେଖିଲେ । ପିତୃ ସ୍ନେହରୁ ବଞ୍ଚିତ ହେବା ସଙ୍ଗେ ସଙ୍ଗେ ବିଦ୍ୟାଧ୍ୟୟନ କରିବାରୁ ଯେ ବଞ୍ଚିତ ହେବାକୁ ହେବ ସେହି କଥା ଭାବି ସେ ବଡ଼ ବିବ୍ରତ ହୋଇ ପଡ଼ିଲେ । କିନ୍ତୁ କୁମୁଦିନୀ ତାଙ୍କୁ ସେ ବିଷୟରେ ବେଶୀ ଗୁଡ଼ାଏ ଭାବିବାକୁ ଦେଲେ ନାହିଁ । ସ୍ଵାମୀଙ୍କ ମୃତ୍ୟର ଦ୍ଵାଦଶ ଦିନପରେ ସେ ରାଜକିଶୋରଙ୍କୁ ଡାକି କହିଲେ,“ରାଜୁ ! ଯେ ତୋତେ ପଢ଼ାଇଥିଲେ ସେ ତ ଚାଲିଗଲେ । ଚାରି ଚାରିଟା ପିଲା କିପରି ସେମାନେ ପ୍ରତିପୋଷଣ ହେବେ, ସେଇ ଚିନ୍ତା କରୁ କରୁ ମୋର ଦିନ ସରୁ ନାହିଁ । ସତେ ପ୍ରଭୁ ଦିନବନ୍ଧୁ ସାହା ହେବେ ? …..ତୁ ବାପ, ଏଥର ତୋର ରାସ୍ତା ଦେଖ । କେଉଁଠି ଚାକିରୀ ବାକିରୀ ଖଣ୍ଡେ ଯୋଗାଡ଼ କର । ନ ହେଲେ ଦେଖୁଛୁ ତ ଆଜିକାଲି କାଳ ଯେମିତି..… ।”

 

ମାଟ୍ରିକ୍ୟୁଲେଶନ କ୍ଲାସରୁ ରାଜକିଶୋରଙ୍କର ପାଠପଢ଼ା ଶେଷ ହେଲା । ସେ ଚାକିରୀ ଖୋଜିବାକୁ ଲାଗିଲେ । ଦିନେ ଦୈବାତ୍ ତାଙ୍କର ଜଣେ ବନ୍ଧୁଙ୍କଠାରୁ ଶୁଣିଲେ, ଚବିଶପ୍ରଗଣାରେ ଜଗନ୍ନାଥ ମଙ୍ଗରାଜ ଜଣେ ବିଷୟବାନ୍ ଲୋକ । ତାଙ୍କର ଜଣେ ଗୁମାସ୍ତା ଦରକାର । ସେ ଆଉ କାଳ ବିଳମ୍ବ ନ କରି ସଙ୍ଗେ ସଙ୍ଗେ ଚକିଶପ୍ରଗଣା ଦୌଡି ଆସିଲେ । ତାହାପରେ କିପରି ମଙ୍ଗରାଜଙ୍କ ଗୃହରେ ସ୍ଥାନ ପାଇଲେ, ସେ କଥା ପାଠକେ ପୂର୍ବରୁ ଅବଗତ ଅଛନ୍ତି ।

 

ରାଜକିଶୋର ଦେଖିଲେ, ସେ ଯେଉଁଠାକୁ ଯାଉଛନ୍ତି, ଅମଙ୍ଗଳ ଗ୍ରହମାନେ ତାଙ୍କ ପାଖ ଛାଡୁ ନାହାନ୍ତି । ମାତୁଳାଳୟରେ ମାତୁଳାନୀଙ୍କର ବ୍ୟବହାରଠାରୁ ଜଗନ୍ନାଥ ମଙ୍ଗରାଜଙ୍କର ବ୍ୟବହାର ବଳିଗଲା । ହେଲେ କିଶୋରୀ ସହିତ କିପରି ଗୋଟାଏ ଅଚ୍ଛେଦ୍ୟ ବନ୍ଧନରେ ବାନ୍ଧି ହୋଇଗଲେ ଯେ, ସେ ଜଗନ୍ନାଥ ମଙ୍ଗରାଜଙ୍କର ଅନାଦର, ଅବହେଳା ଓ ଅଭଦ୍ରୋଚିତ ବ୍ୟବହାର ସମସ୍ତ ଅତି ସହଜରେ ଉପେକ୍ଷା କରିପାରିଲେ । ଭାଗ୍ୟ ମନ୍ଦ ଥିଲେ ଆମ୍ବ ଗଛରେ ମଧ୍ୟ ଆମ୍ବଡା ଫଳେ । ଦିନକର ଘଟଣାରେ ରାଜକିଶୋରଙ୍କର ମଙ୍ଗରାଜଙ୍କ ଗୃହରୁ ସବୁ ମାୟା ତୁଟିଗଲା–କିଶୋରୀର ସ୍ନେହବନ୍ଧନ ମଧ୍ୟ ଛିଣ୍ଡିଗଲା ।

 

ସେ ଦିନ ଦୁଇ ପ୍ରହର ବେଳେ ରାଜକିଶୋରଙ୍କୁ ଜ୍ଵର ହୋଇଥିବାରୁ ସନ୍ଧ୍ୟାରେ ବଡ଼ ଦୁର୍ବଳ ବୋଧ କରୁଥିଲେ । ତଥାପି ସେ ଅନ୍ୟ ଦିନପରି ଯଥାସମୟରେ ରନ୍ଧନ କରିବାକୁ ଆରମ୍ଭ କଲେ । କର୍ତ୍ତବ୍ୟରେ ଅବହେଳା କଲେ ମଙ୍ଗରାଜଙ୍କ ପାଖରେ ଯେ ନିଷ୍କୃତି ନାହିଁ । ସେ ସବୁ ସହିପାରନ୍ତି–ଦୁଇଟି କଥା ଭିନ୍ନ । କର୍ତ୍ତବ୍ୟରେ ଅବହେଳା, ଆଉ ଅପବ୍ୟୟ, ଏ ଦୁଇଟି ତାଙ୍କ ପାଖରେ ନାହିଁ । ରାଜକିଶୋର ରୁଗ୍ଣ ଶରୀରରେ ଚୁଲା ପାଖରେ ବସି ରୋଷେଇ କରିବେ, ଏ କଥା କିଶୋରୀର ସହ୍ୟ ହେଲା ନାହିଁ । ତାଙ୍କୁ ଅବସର ଦେବା ନିମିତ୍ତ ପିତାଙ୍କର ଅଜ୍ଞାତରେ ସେ ନିଜେ ରନ୍ଧନ କରି ବସିଲା । ଦୁର୍ଭାଗ୍ୟବଶତଃ କୌଣସି କାର୍ଯ୍ୟ ଉପଲକ୍ଷରେ ସିରସ୍ତା ଛାଡ଼ି ମଙ୍ଗରାଜେ ଭିତରକୁ ଉଠି ଆସିଲେ । କିଶୋରୀକୁ ଚୁଲା ପାଖରେ ଦେଖି ରାଗରେ ତାଙ୍କର ହାଡ଼ କଡ଼ମଡ଼ ହୋଇ ଉଠିଲା । ପିତାଙ୍କର ସହସା ରୁଦ୍ର ମୂର୍ତ୍ତି ଦର୍ଶନ କରି କିଶୋରୀ ପ୍ରମାଦ ଗଣିଲା । ରାଜକିଶୋରଙ୍କୁ ରକ୍ଷା କରିବା ଅଭିପ୍ରାୟରେ କହିଲା, “ଆଜି ଦ୍ଵିପ୍ରହରୁ ରାଜୁନନାଙ୍କୁ ଜ୍ଵର ହୋଇଛି, ତମେ କାମ କରୁଥିଲ ବୋଲି ମୁଁ ଭାତଟା ବସାଇଦେଇଛି ।” ମଙ୍ଗରାଜ ବଡ଼ ଚତୁର । କନ୍ୟାର ଉଦ୍ଦେଶ୍ୟଟା ବୁଝିପାରିଲେ । କିନ୍ତୁ ରାଜକିଶୋର ତ୍ରାହି ପାଇଲେ ନାହିଁ । ଯାହା ତ ଶୁଣିଲେ ଶୁଣିଲେ, ତାହା ସହିତ ଶୁଣିବାକୁ ପାଇଲେ, “ତୁ ବୁଲା ଭିକାରୀଟା କେଉଁଠୁ ଆସି କେତେଟା ଦିନ ଭିତରେ ମୋ ସୁନା ଝିଅଟିକୁ ଖରାପ କରିଦେଲୁଣି ? ମୁନିବର ଝିଅକୁ ନିଜର ଦାସୀ ପରି ଖଟାଇବାକୁ ତୋତେ ଟିକିଏ ଭୟ ଲାଗୁ ନାହିଁ ? ମୋ ଝିଅ ରାନ୍ଧିଦେବ–ତୁ ବସି ଖାଇବୁ ? ହଇରେ, ତୋ ବାପ ଦିହକରେ ଭଲା ଏମିତି ସୁଖ କରିଥିଲୁ ? ଅବି ମୋ ଘରୁ ଯା–ତୋର ମୁହଁ ଚାହିଁଲେ ପାପ । ନିମକହାରାମ୍, ହାରମଜାଦା ।” ଇତ୍ୟାଦି ବହୁତ କଥା ।

 

“ମୋ ସୁନା ଝିଅଟିକୁ ଖରାପ କରିଦେଲୁଣି ?” ଏହି କଥାଟି ରାଜକିଶୋରଙ୍କୁ ବଡ଼ ବାଧିଲା । ରାଜକିଶୋରଙ୍କ ସଂସର୍ଗରେ ଆସି କିଶୋରୀ ଯଥେଷ୍ଟ ଉନ୍ନତି ପଥରେ ଅଗ୍ରସର ହୋଇଛି-। ତା’ର ଜୀବନର ଗତି ପରିବତ୍ତିତ ହୋଇଛି । ରାଜକିଶୋରଙ୍କ ଠାରୁ ସେ ଯେଉଁ ସତଶିକ୍ଷା ଲାଭ କରିଛି, ତାହା ମଙ୍ଗରାଜେ ଯେ ଜାଣି ନ ପାରୁଛନ୍ତି ସେପରି ନୁହେ; ତଥାପି ଅପବାଦ । ଆଉ ଲବ ମାତ୍ର ସେ ସ୍ଥାନରେ ରହିବାକୁ ରାଜକିଶୋରଙ୍କର ଇଚ୍ଛା ହେଲା ନାହିଁ । ସେ ତାଙ୍କ ଲୁଗା ପଟା ଦୁଇଖଣ୍ଡ ଧରି ସେହି ଅନ୍ଧକାର ରଜନୀରେ ମଙ୍ଗରାଜଙ୍କର ଗୃହ ତ୍ୟାଗ କଲେ । ବିଦାୟ ସମୟରେ କିଶୋରୀକୁ ପଦେ ମାତ୍ର କହିପାରିଲେ ନାହିଁ । ଦୁଃଖରେ ତାଙ୍କର ହୃଦୟ ବିଦୀର୍ଣ୍ଣ ହେବାକୁ ଲାଗିଲା । କିଶୋରୀର ଅବସ୍ଥା ମଧ୍ୟ ତଦ୍ରୂପ । ସେ ଚିତ୍ରପ୍ରତିମା ପରି ଛଳଛଳ ଆଖିରେ ଚାହିଁ ରହିଲା କେବଳ ।

Image

 

ତୃତୀୟ ପରିଚ୍ଛେଦ

 

ରାଜକିଶୋର କୋଡ଼ିଏଟି ଟଙ୍କା ସଞ୍ଚୟ କରିଥିଲେ । ସେହି ଟଙ୍କା କୋଡ଼ିଏଟି ପାଣ୍ଠି ଘେନି ସେ ମଙ୍ଗରାଜଙ୍କ ଗୃହରୁ ଯାଇ ପୁରୀରେ ପହଞ୍ଚିଲେ । ପୁରୀରେ ପହଞ୍ଚିଲେ ସିନା, କର୍ମକ୍ଷେତ୍ରରେ ପହଞ୍ଚିପାରିଲେ ନାହିଁ । ପୁରୀ ଆଗମନ ଏହି ତାଙ୍କ ଜୀବନରେ ନୂତନ । ଅପରିଚିତ ସ୍ଥାନ, କାହା ପାଖକୁ ଯାଇ କିପରି ଭାବରେ ନିଜର ଅଭିଳାଷ ଜଣାଇବେ, ଭାବି ସ୍ଥିର କରିପାରିଲେ ନାହିଁ । ଧର୍ମଶାଳାରେ ରହି ଜଗନ୍ନାଥ ଦର୍ଶନ ଓ ସମୁଦ୍ରକୂଳ ଭ୍ରମଣ ଇତ୍ୟାଦିରେ କେତେ ଦିନ କଟିଗଲା । ତା ପରେ ସୁଯୋଗ ପାଇ ଗୋଟିଏ ‘ମେସ୍’ରେ ଯାଇ ରହିଲେ । ମେସରେ ରହିବା ଦିନରୁ ତାଙ୍କର ଭାଗ୍ୟ-ଦେବତା ପ୍ରସନ୍ନ ହେଲେ । ଜଣେ ନୂତନ ବନ୍ଧୁଙ୍କ ସାହାଯ୍ୟରେ ପୁରୀର କଲେକ୍ଟର୍ ସାହେବ ବୈକୁଣ୍ଠନାଥ ଦାସଙ୍କ ପୁତ୍ରର ଗୃହ ଶିକ୍ଷକ ଚାକିରୀଟିଏ ପାଇଲେ । ଦିନଭିତରେ ଥରେ ପଢ଼ାଇବାକୁ ହେବ । ସେ ପୁଣି ସନ୍ଧ୍ୟା ଛ ‘ଟାରୁ ରାତି ନ’ଟା ପର୍ଯ୍ୟନ୍ତ । ଦରମା ପନ୍ଦର ଟଙ୍କା । ରାଜକିଶୋରଙ୍କର ଅନ୍ତର ଆନନ୍ଦରେ ନାଚି ଉଠିଲା । ଦିନରେ ଆଉ କୌଣସିଠାରେ ‘ଟିଉସନ୍’ ଯୋଗାଡ଼ କରିପାରିଲେ ଆଉ ପାଞ୍ଚ ଦଶ ଟଙ୍କା ମିଳିବାର ଆଶା । ସେ ମଙ୍ଗରାଜଙ୍କର ସମସ୍ତ ଅତ୍ୟାଚାର ଲାଞ୍ଛନା ଭୁଲି ନୂତନ ଉତ୍ସାହରେ ନୂତନ ଆନନ୍ଦରେ ନୂତନ ବନ୍ଧୁମେଳରେ ନିଜର କର୍ତ୍ତବ୍ୟରେ ଲାଗି ପଡ଼ିଲେ ।

 

ଓଡିଶାର ପ୍ରସିଦ୍ଧ ଚୋର ବିହାରୀ ନାୟକର ନାମ କିଏ ନ ଶୁଣିଛି ? ରାଜା, ଜମିଦାର ଓ ବିଶିଷ୍ଟ କର୍ମଚାରୀ ହୋଇ ତା’ର ଦୌରାତ୍ମ୍ୟରୁ କିଏ ରକ୍ଷା ପାଇଛ ? ତିନିମାସ କାଳ ପୁଲିଶି ଗୋଇନ୍ଦାକୁ ଠକି ଠକି ବହୁ କଷ୍ଟରେ ସେ ଧରା ପଡ଼ିଛି ଆଠଦିନ ହେବ ।

 

ସେ ଦିନ ବିହାରୀର ମୋକଦ୍ଦମା ବିଚାର ତାରିଖ । ପୁରୀ କଲେକ୍ଟରୀ କଚେରୀ ହତା ଜନତାରେ ପୂର୍ଣ୍ଣ । ସହର ଛଡ଼ା ମଫସଲରୁ ମଧ୍ୟ ଅସଂଖ୍ୟ ଲୋକ ଆସି ରୁଣ୍ଡ ହୋଇଛନ୍ତି କେବଳ ବିହାରୀ ନାୟକକୁ ଦେଖିବା ଉଦ୍ଦେଶ୍ୟରେ । ରାଜକିଶୋରଙ୍କର ଦିନରେ ତ କିଛି କାମ ନାହିଁ । ତାଙ୍କର ବନ୍ଧୁମାନେ ସମସ୍ତେ ସ୍କୁଲ ଛାତ୍ର । ସେମାନେ ଦଶଟାରେ ସ୍କୁଲକୁ ଚାଲିଗଲେ ରାଜକିଶୋର ଏକୁଟିଆ ବସାରେ ପଡ଼ିରହନ୍ତି । ସେ ଦିନ ବିହାରୀ ନାୟକର ମୋକଦ୍ଦମା ବିଚାର ହେଉଥିବାର ଶୁଣି ତାଙ୍କର ମଧ୍ୟ କୌତୂହଳ ଜାତ ହେଲା । ସେ ମଧ୍ୟାହ୍ନ ଭୋଜନ ପରେ ବିଶ୍ରାମ ନ କରି କଚେରୀକୁ ଚାଲିଗଲେ ।

 

ସେତେବେଳକୁ ବିଚାର ଆରମ୍ଭ ହୋଇଗଲାଣି । ବିହାରୀ ହାତକଡ଼ି ପିନ୍ଧି କାଠଗଡ଼ାରେ ଠିଆ ହୋଇଛି ବୀର ଦର୍ପରେ । ଲଜ୍ଜା ନାହିଁ, ସଙ୍କୋଚ ନାହିଁ–ଭୟ ନାହିଁ ଭ୍ରାନ୍ତି କିଛି ନାହିଁ । ପୁଲିସ ଆଉ କେତେ ମଧ୍ୟ ସାକ୍ଷୀ ମିସଲ ପାଖରେ ଛିଡା ହୋଇଛନ୍ତି । ଦର୍ଶକ ମାନଙ୍କର କୌତୂହଳ-ପ୍ରଦୀପ୍ତ ଚକ୍ଷୁ ବିହାରୀର ଉନ୍ନତ ଶରୀର ଉପରେ କେନ୍ଦ୍ରୀଭୂତ । ବିହାରୀ ସହଜ କଣ୍ଠରେ କହିଲା, “ଆଛା, ଜମାଦାର ବାବୁ ! ଆପଣ ଯେଉଁ ସୁନାର ଅଳଙ୍କାରଟି ମୋ ପକେଟରୁ ପାଇଲେ ବୋଲି କହୁଛନ୍ତି, ଆପଣ ସେ ଅଳଙ୍କାରଟିକୁ ଭଲ ଭାବରେ ଦେଖିଛନ୍ତି ? ଆପଣ ତ ହିନ୍ଦୁ । ହିନ୍ଦୁ ପକ୍ଷରେ ମିଛ କହିବା ମହାପାପ । ସତ କୁହନ୍ତୁ ।” ଜମାଦାର ବିପିନବିହାରୀ ପାଳ-କେରା ବଙ୍ଗାଳି; ସେ ଗୁରୁ ଗମ୍ଭୀର ସ୍ଵରରେ କହିଲେ, “ହଁ, ମୁଁ ଭଲରୂପେ ଦେଖିଛି ।”

 

“ଆଛା, ତା’ର ନାଁ କ’ଣ କହିପାରିବେ କି ?”

 

“ବଙ୍ଗଳାରେ କୁହନ୍ତି ସିନ୍ଥି–ଓଡିଆରେ କହନ୍ତି ଅଳକା ।”

 

“ବେଶ୍, ସେ ଅଳଙ୍କାରଟି କେଉଁଠି ପିନ୍ଧନ୍ତି କହିପାରିବେ ?”

 

“ସ୍ତ୍ରୀଲୋକମାନେ ମୁଣ୍ଡରେ ପିନ୍ଧନ୍ତି ।”

 

“ହାଃ ହାଃ”–ଉଚ୍ଚ ହାସ୍ୟରେ କହିଲେ ବିହାରୀ ଜନତାକୁ ଚମକାଇ ଦେଇ ଦଫାଦାର ବାଉରିବନ୍ଧୁଙ୍କୁ ଲକ୍ଷ୍ୟକରି କହିଲା, “ଦଫାଦାର ବାବୁ ! ଆପଣ ତ ସରକାର ଅଧୀନରେ ଚାକିରୀ କରି କରି ମୁଣ୍ଡ ବାଳ ପଚେଇଲେଣି । ଆପଣଙ୍କ ଜମାଦାର ବାବୁଙ୍କ ବୁଦ୍ଧିବିଦ୍ୟା ତ ଜଣା ପଡ଼ିଗଲା । ଆପଣ ଏବେ ସତ କହନ୍ତୁ ଦେଖି, ସେ ଅଳଙ୍କାରଟି ଆପଣ ଦେଖିଛନ୍ତି ?” ଦଫାଦାର ବାବୁ ଗଳାଟି ପରିଷ୍କାର କରିଦେଇ କହିଲେ, “ଏ କି କଥା ! ମୁଁ ନିଜେ ସେ ଅଳଙ୍କାର ତମ ପକେଟରୁ ବାହାର କରି–ଦେଖିଲି ନାହିଁ କିପରି ?”

 

“ତେବେ କୁହନ୍ତୁ ସେ ଅଳଙ୍କାର କେଉଁଠି ପିନ୍ଧନ୍ତି ?”

 

ଦଫଦାର ଟିକିଏ ଚିନ୍ତିତ ହୋଇ ପଡ଼ିଲେ । ବିହାରୀର ନିର୍ଭୀକ ପ୍ରଶ୍ନ ଓ ‘ଜମାଦାରଙ୍କ ବୁଦ୍ଧିବିଦ୍ୟା ତ ଜଣା ପଡ଼ିଗଲା’ ଏହି କଥାଟି ଦଫାଦାରଙ୍କୁ ବଡ଼ ମୁଷ୍କିଲରେ ପକାଇଦେଲା । ସେ ଭାବିଲେ ଜମାଦାର ବାବୁ ବୋଧହୁଏ ଭୁଲ କହିଛନ୍ତି ତା ନ ହେଲେ ବିହାରୀ ଏପରି କାହିଁକି କହାନ୍ତା-?

 

ଦଫାଦାରଙ୍କର ବିଳମ୍ବ ଦେଖି ବିହାରୀ ତାଚ୍ଛଲ୍ୟ ହସଟାଏ ହସି କହିଲା, “କି ଦଫାଦାର ବାବୁ, ଚୁପ୍ ରହିଲେ ଯେ !” ଦଫାଦାର ବାବୁ ଦେଖିଲେ ମହା ବିପଦ । ଚାକିରୀ ଖଣ୍ଡ ଯେ ଏଣେ ଯିବା ଉପରେ । ଆଉ କିଛି ଭାବିବାର ଅବସର ପାଇଲେ ନାହିଁ । କହିଲେ, “ଅଣ୍ଟାରେ ପିନ୍ଧନ୍ତି ସେ ଅଳଙ୍କାର ।” ଦର୍ଶକ, ସାକ୍ଷୀ ସମସ୍ତଙ୍କର ମୁଖ ବିକୃତ ହୋଇଗଲା । ବିହାରୀ ଜମାଦାରଙ୍କୁ ଲକ୍ଷ୍ୟ କରି କହିଲା, “ଜମାଦାର ବାବୁ ବିରକ୍ତ ହେଲେ ବୋଧହୁଏ ଜଗନ୍ନାଥଙ୍କ ସ୍ଥାନରେ ବୁଢ଼ା ହୋଇ ଦଫାଦାର ବାବୁ ମିଛ କହନ୍ତେ କିପରି ?” ତା ପରେ ହାକିମଙ୍କୁ ଚାହିଁ କହିଲେ, “ହଜୁର ! ମୋର ଆଉ କିଛି ପଚାରିବାର ନାହିଁ ।” ହାକିମ ଜନାନ୍ତିକେ ଟିକିଏ ମୁରୁକି ମୁରୁକି ହସିଲେ । ତାପରେ ରାୟ ଲେଖିବାକୁ ଆରମ୍ଭ କଲେ । ଜନତା ମଧ୍ୟ ନ ହସି ରହିପାରିଲା ନାହିଁ । ସମସ୍ତେ ଏକମୁଖରେ ଦଫାଦାରଙ୍କର ବୁଦ୍ଧିକୁ ନିନ୍ଦା କରିବାକୁ ଲାଗିଲେ ।

 

ବିହାରୀ ତ ଗୋଟିଏ କେଶରେ ଗିରଫ ହୋଇ ନାହିଁ, ତିନିଟା କେଶ୍ ତା ଉପରେ । ହାକିମ ଲେଖା ଶେଷ କରି ଆଉ ଗୋଟାଏ କେଶ୍‍ର ବିଚାର ଆରମ୍ଭ କଲେ । ପୁରୀର ନାମଜାଦା ବାଈ ଚନୀକୁ ଅଣାହେଲା । ତାକୁ ପଚାରିବାରେ ସେ କହିଲା, “ହଜୁର ! ମୋର ଘର ଚୂଡ଼ଙ୍ଗ ସାହିରେ । ଏ ବିହାରୀ ନାୟକ ତିନି ମାସ ତଳେ ମୋ ଘରେ ଯାଇ ରହିଲା । ମୋତେ ପ୍ରଥମେ ପାଞ୍ଚଶ ଟଙ୍କା, ଆଉ ପ୍ରାୟ ଟଙ୍କା ସାତଶ ଆଠଶର ଅଳଙ୍କାର ଦେଇ କହିଲା, ‘ମୁଁ ବରାବର ତୁମ ପାଖରେ ରହିବି । ଏ ସବୁ ନିଅ ରଖ ।’ ଟଙ୍କା ଅଳଙ୍କାର ଦେଖି, ଆଉ ତା’ର ମିଠା କଥା ଶୁଣି ମୁଁ ଭୁଲିଗଲି । ଯଦି ସେତେବେଳେ ଜାଣିଥାନ୍ତି ଏ ଏମିତି ଦଗାବାଜ ଦ୍ଵାଚୋର ବୋଲି ଆଜ୍ଞା, ସାଙ୍ଗେ ସାଙ୍ଗେ ପୋଲିଶରେ ଖବର ଦେଇଥାନ୍ତି ପରା । ଏ ନିମକହାରାମ ଯେମିତି ଆଠ ଦଶ ଦିନ ରହିଗଲା, ମୋର ୟା ଉପରେ ଖୁବ୍‍ ବିଶ୍ଵାସ ହୋଇଗଲା । ମୋର ସିନ୍ଦୁକର ଚାବି ସୁଦ୍ଧା ତା ହାତକୁ ବଢ଼ାଇଦେଲି । ଦିନେ ସଞ୍ଜବେଳେ ମୁଁ ପୋଖରୀ ଯାଇଛି, ଏ ନିମକହାରାମ ତା’ର ପାଞ୍ଚଶ ଟଙ୍କା ଆଉ ଯେଉଁସବୁ ଅଳଙ୍କାର ମୋତେ ଦେଇଥିଲା ସେତକ ଆଉ ମୋର ୨୦୦ ଟଙ୍କା, ୫୦୦ ଟଙ୍କାର ଅଳଙ୍କାର ଘେନି କେଉଁ ଆଡେ ଚମ୍ପଟ କଲା । ତା ପରେ ମୁଁ ଆସି ଥାନାରେ ଏତଲା କଲି । ପୋଲିଶ ଏନକ୍ଵାରି ହେଲା । କିଛି ପତା ମିଳିଲା ନାହିଁ । ତିନି ମାସ ପରେ ଏବେ ଧରା ପଡ଼ିଛି । ହଜୁର ଯାହା ବିଚାର କରିବେ ।” ଯଥାବିଧି ମୋକଦ୍ଦମା ବିଚାର ଚାଲିଲା । ଶେଷରେ ହାକିମ ବିହାରୀକୁ କହିଲେ, “ତମର କିଛି ପଚାରିବାର ଥିଲେ ପଚାରିପାର ।” ବିହାରୀ ଚନୀକୁ ଲକ୍ଷ୍ୟ କରି କହିଲା, “ତିନି ମାସ ତଳେ ମୁଁ ତୋର ଘରେ ଥିଲି, ଆଉ ଟଙ୍କା, ଅଳଙ୍କାର ନେଇ ଯାଇଛି–ତୁ ସତ କହୁଛୁ ?” ଚନୀ ରାଗରେ ନାଲ ପଡ଼ିଗଲାଣି ସେତେବେଳକୁ । ସେ ଖଦର ନାଗବଲ୍ଲୀଜନିତ ରାଗରଞ୍ଜି ଜବାଧରକୁ ଥରାଇ ଥରାଇ କହିଲା, “ସତ କହୁ ନାହିଁ କ’ଣ ମିଛ କହୁଛି ?”

 

“ଆଗ, ମୋତେ ଚିହ୍ନିଛୁ ଭଲକରି ? ତିନିମାସ ତଳେ ମୁଁ ତୋର ଘରେ ଥିଲି ସତ କହୁଛୁ ତ ?” “ଭଲକରି ଚିହ୍ନିଛୁ ଆଛା କରି ଚିହ୍ନିଛି । ତୁ ଦଲାଲ ମୋ ଘରେ ଭଦ୍ରଲୋକ ପରି ଯାଇ ରହିଲୁ । ଶେଷରେ ମୋରି ବେକରେ ଛୁରୀ ଦେଲୁ ବିଶ୍ଵାସଘାତକ ।”

 

“ଆଛା, ଗୋଟିଏ କଥା ପଚାରିବି, ସତ କହିବୁ ଏକା । କହିଲୁ ପଅରଦିନ ରାତି ୯ଟା ବେଳେ କିଏ ତୋ ଘରକୁ ଯାଇଥିଲା ?”

 

ଚନୀ ଟିକିଏ ଚିନ୍ତାକଲା । କହିଲା, ‘କହିପାରିବି ନାହିଁ ।’

 

‘କାହିଁକି ?’

 

“ମୋର ମନେ ପଡ଼ୁ ନାହିଁ ।”

 

‘ଆଛା, ସେ ଦିନ ସକାଳଓଳି କି ତରକାରୀ ହୋଇଥିଲା ତୋର ?’

 

“ମଲା, ତିନିଦିନ କଥା ମନେ ଅଛି ନା ମୋର ? କିଏ ଆସିଥିଲା, କ’ଣ ତରକାରୀ ହୋଇଥିଲା, ମୁଁ କ’ଣ ଲେଖି ରଖିଥିଲି ?”

 

“ନା, ତା କିପରି ହେବ ? ଏ ସବୁ କଥା କ’ଣ କିଏ ଲେଖି ରଖେ ? ଦାରୀ ଘର ତ, କେତେ କିଏ ଆସୁଛି, ଯାଉଛି । ଆଛା, ବାଇଜି । ତିନିଦିନର ଘଟଣା ଯାର, ମନେ ରହେ ନା, ତିନି ମାସର କଥା କିପରି ମନରେ ରହିଲା ? ତିନି ମାସ ତଳେ ମୁଁ ତୋର ଘରେ ରହିଥିଲି, କିପରି ମନେ ରଖିଲୁ ? ଜମାଦାର ବାବୁ ତୋତେ ଶିଖାଇ ଦେଇ ନାହାନ୍ତି ତ ?”

 

ଚନୀ କେତେ ଆଶା କରିଥିଲା ତା’ର ଅପହୃତ ସଂପତ୍ତି ଫେରି ପାଇବ ବୋଲି; କିନ୍ତୁ ବିହାରୀ ଜେରାରେ ମକଦ୍ଦମାକୁ ଯେତେବେଳେ ଅପ୍ରମାଣ କରିଦେଲା, ତା’ର ଜ୍ଞାନ ହଜିଗଲା । ହୃତ ଧନ ଆଉ ଫେରି ପାଇବ ନାହିଁ ଏହି ଆଶଙ୍କାରେ ତା’ର ଚୈତନ୍ୟଲୋପ ହୋଇଗଲା । ସେ ଶରାହତ ହରିଣୀ ପରି ସେହିଠାରେ ଢଳି ପଡ଼ିଲା । ଉକ୍ତ ଘଟଣା ଦର୍ଶନରେ ରାଜକିଶୋରଙ୍କ ଧମନୀରେ ରକ୍ତ ସବୁ ଗରମ ହୋଇ ଉଠିଲା । ସେ ବିହାରୀ ଉପରେ ଭୟଙ୍କର ଚଟି ଉଠିଲେ । ଏହି ବିହାରୀ ଚୋରଟା । ଏହାର ପୁଣି କି ଅସୀମ ସାହସ ! କି ତୀକ୍ଷ୍ମ ବୁଦ୍ଧି । ପ୍ରକୃତରେ ଦୋଷ କରି ସୁଦ୍ଧା ଲବ ମାତ୍ର ଭୟ ନାହିଁ । ଜେରାରେ ଅନ୍ୟର ମସ୍ତିଷ୍କକୁ ବିକୃତ କରି ଦେଉଛି । ରାଜକିଶୋର ଦନ୍ତରେ ଦନ୍ତ ଘର୍ଷଣ କରିବାକୁ ଲାଗିଲେ । ସେ ପୁଲିସ ବିଭାଗରେ କାର୍ଯ୍ୟ କରୁଥାନ୍ତେ କି ।

 

ସେ ଦିନ ରାତିରେ ରାଜକିଶୋରଙ୍କର ସୁନିଦ୍ରା ହେଲା ନାହିଁ । ବିହାରୀ କଥା ମନରେ ପଡ଼ି ତାଙ୍କର ହୃଦୟ ବ୍ୟଥିତ ହେବାକୁ ଲାଗିଲା । ସେ ଭାବିଲେ–କି ଉପାୟରେ ବିହାରୀକି ଜବତ୍ କରାଯାଇପାରେ । କେତେ ଶତ ନିରୀହ ଲୋକମାନେ ଯେ ତା ଯୋଗୁଁ ସର୍ବସ୍ଵାନ୍ତ ହୋଇଛନ୍ତି ଓ ହେଉଛନ୍ତି, ତା’ର ଇୟତ୍ତା ନାହିଁ ।

 

ରାଜକିଶୋର ବହୁତ ଭାବିଲେ ସେ ବିଷୟରେ; କିନ୍ତୁ ବଳହୀନ ସେ ତାଙ୍କଦ୍ଵାରା ବା କ’ଣ ହୋଇପାରେ । ଶେଷରେ ସ୍ଥିର କଲେ, ଦିନରେ ଯେଉଁ ସମୟତକ ସେ ଅବସର ପାଉଛନ୍ତି, ସେହି ସମୟରେ ଅନ୍ୟନ୍ତ୍ର ଟିଉସନ ଯୋଗାଡ଼ ନ କରି ନିଜେ ପଢ଼ିବେ । ବାହାର ଛାତ୍ରରୂପେ ମାଟ୍ରିକୁଲେଶନ ପରୀକ୍ଷାଟା ଦେବେ । ତାପରେ ଚେଷ୍ଟା କରିବେ ପୋଲିଶ ବିଭାଗରେ ପଶିବାକୁ । ତଦ୍ଦ୍ଵାରା ଯଦି ସେ ଲୋକ ସାଧାରଣଙ୍କର କିଛି ଉପକାର କରିପାରନ୍ତି ।

Image

 

ଚତୁର୍ଥ ପରିଚ୍ଛେଦ

 

ରାଜକିଶୋର ନିଜ ଅଧ୍ୟବସାୟ ବଳରେ ଯଥାସମୟରେ ବାହାର ଛାତ୍ରରୂପେ ମାଟ୍ରିକୁଲେଶନ ପରୀକ୍ଷା ଦେଇ ଫଳ ବାହାରିବାକୁ ଅନାଇ ରହିଲେ । କଲେକ୍ଟର ବୈକୁଣ୍ଠବାବୁଙ୍କ ଘରେ ଟିଉସନଟି ପୂର୍ବବତ୍ ଥାଏ । ସେ ପ୍ରତ୍ୟହ ସନ୍ଧ୍ୟା ଛଟାରେ ଟିଉସନକୁ ଯାନ୍ତି । ତା ପୂର୍ବରୁ ଘଣ୍ଟାଟିଏ ସନ୍ଧ୍ୟା ଭ୍ରମଣ କରିବା ତାଙ୍କର ଅଭ୍ୟାସ । ନିତାନ୍ତ ଅସୁବିଧା ନ ହେଲେ ସେ ଅଭ୍ୟାସର କୌଣସି ଦିନ ବ୍ୟତିକ୍ରମ ହୋଇଥିବାର ଦେଖା ନାହିଁ । ଅଧିକାଂଶ ଦିନ ପ୍ରାୟ ତାଙ୍କର ଛାତ୍ର ମୁରଲୀଧରଙ୍କୁ ସଙ୍ଗରେ ନେଇଯାନ୍ତି । ମୁରଲୀଧର ବଡ଼ ପ୍ରକୃତି ପ୍ରିୟ । ସେ ‘ସାର’ଙ୍କ ସଙ୍ଗରେ ସମୁଦ୍ରକୂଳରେ ବୁଲିବାକୁ ବଡ଼ ଭଲପାଏ । ପ୍ରକୃତିର ନିତ୍ୟ ନୂତନ ବେଶ ବଙ୍ଗୋପସାଗରର ରୁଦ୍ରସୁନ୍ଦର କଳେବର ଦେଖି ସେ ତନ୍ମୟ ହୋଇ ଉଠେ । ରାଜକିଶୋର ମଧ୍ୟ ଶିଶୁଟି ପରି ଛାତ୍ର ସଙ୍ଗରେ ପ୍ରକୃତିସୌନ୍ଦର୍ଯ୍ୟରେ ବିଭୋର ହୋଇ ବେଳାଭୂମିରେ ସମୁଦ୍ର କଙ୍କଡ଼ାକୁ ଗୋଡ଼ାଇବା, ଲହରୀ ସଙ୍ଗରେ ଦୌଡ଼େ ଦୌଡ଼ି ଖେଳିବା ଇତ୍ୟାଦିକୁ ଭାରି ଭଲ ପାନ୍ତି ।

 

ସେ ଦିନ ରାଜକିଶୋର ଯେତେବେଳେ ମୁରଲୀଧରକୁ ଡାକିଲେ ବୁଲିଯିବା ପାଇଁ, ଆଉ ଗୋଟିଏ ନବୀନ ସାଥୀ ତାଙ୍କ ସଙ୍ଗରେ ବୁଲି ବାହାରିଲା । ସେ ବୈକୁଣ୍ଠବାବୁଙ୍କ ଭାଇ ବିପିନବାବୁଙ୍କର ଝିଅ ବିଦ୍ୟୁଲ୍ଲତା । ବିପିନବାବୁ ବାଲେଶ୍ଵର ସବଡିଭିଜନର ଏସ୍.ଡି.ଓ. । କେତେ ମାସ ହେବ ମେଲେରିଆରେ ଭୋଗି ଭୋଗି ବଡ଼ ରୁଗ୍ଣ ହୋଇଯିବାରୁ ଦୁଇମାସ ଛୁଟି ନେଇ ସେ ପୁରୀକୁ ପରିବର୍ତ୍ତନରେ ଆସିଛନ୍ତି । ତାଙ୍କର ପରିବାର ମଧ୍ୟରେ ସେ, ତାଙ୍କର ସ୍ତ୍ରୀ ଓ ଚତୁର୍ଦ୍ଦଶବର୍ଷୀୟା ଏକମାତ୍ର କନ୍ୟା ‘ବିଦୁ’ ।

 

ରାଜକିଶୋର ମୁରଲୀ ଓ ବିଦୁକୁ ଘେନି ସମୁଦ୍ରକୂଳକୁ ବାହାରିଲେ । ସମୁଦ୍ର କୂଳ ଭ୍ରମଣ ବିଦୁ ପକ୍ଷରେ ନୂତନ । ତାକୁ ବଡ଼ ରମଣୀୟ, ବଡ଼ ତୃପ୍ତିପ୍ରଦ ବୋଧ ହେଲା । ତରତର ଫରଫର ପ୍ରଜାପତିଟି ପରି ସେ ସିକତାମୟ ବେଳାରେ ଡେଇଁ ଡେଇଁ ବୁଲିବାକୁ ଲାଗିଲା । ପାରବାରର ଉନ୍ମକ୍ତ ସୌନ୍ଦର୍ଯ୍ୟରେ ସେ ତନ୍ମୟ ବିଭୋର । ବେଳାଭୂମିରେ ଅସଂଖ୍ୟ ନର ନାରୀ ବିଚରଣ କରୁଛନ୍ତି । ତାପରି କେତେ ନବ ଯୁବତୀ, ରାଜକିଶୋରଙ୍କ ପରି କେତେ ନବ ଯୁବକ, ମୁରଲୀ ପରି କେତେ ବାଳକ ଓ କେତେ ବୃଦ୍ଧ, ପ୍ରୌଢ଼ ବିଚରଣ କରୁଛନ୍ତି । କିନ୍ତୁ ତା’ର କାହାରି ପ୍ରତି ନଜର ନାହିଁ ଭ୍ରୂକ୍ଷେପ ମଧ୍ୟ ନାହିଁ । ସେ ଯେପରି ସଂସାରରୁ ବହୁ ଦୂରରେ–ଜନନେତ୍ରର ଅନ୍ତରାଳରେ ଉନ୍ମୁକ୍ତ ପକ୍ଷୀଟିଏ । ତା’ର ମନକୁ ସେ କେତେ ଗୀତ ଗାଇ ଯାଉଛି–କେତେ ଭଙ୍ଗୀରେ ନାଚି ଯାଉଛି । ବିରାଟ ବାରିଧର ମୃଦୁ-ମନ୍ଦ୍ର ଗର୍ଜନ ତା’ର ଅନ୍ତରରେ କି ଏକ ଅଭିନବ ରାଗିଣୀର ସୃଷ୍ଟି କରୁଛି । କେତେବେଳେ ଯେ ସଙ୍ଗୀତ ଗାଇ ଯାଉଛି ସେ, ନିଜେ ମଧ୍ୟ ବୁଝି ପାରୁ ନାହିଁ । ବିଦୁର ଏବଂବିଧ ଆଚରଣ ଦେଖି ରାଜକିଶୋର ବଡ଼ ବିସ୍ମିତ ହୋଇ ଉଠିଲେ । ତାଙ୍କ ପକ୍ଷରେ ବିଦୁ ପରି ନବ ତରୁଣୀର ସହଭ୍ରମଣ ଏ ମଧ୍ୟ ନୂତନ । ସେ ପ୍ରଥମେ କିଛି ବୁଝିପାରିଲେ ନାହିଁ ତା’ର ବାଳିକାସୁଲଭ ଚପଳତା ଦେଖି । ସେ ବୁଝି ନ ପାରିଲେହେଁ ତାଙ୍କ ଅଲକ୍ଷ୍ୟରେ ତାଙ୍କର ଅନ୍ତରାତ୍ମା ବୁଝି ପାରିଲା । ବିଦୁ ଯାହାର ପ୍ରେରଣାରେ ପ୍ରକୃତ-ସୌନ୍ଦର୍ଯ୍ୟରେ ମୁଗ୍ଧ ତନ୍ମୟ, ରାଜକିଶୋର ସେହି ପ୍ରେରଣାରେ ବିଦୁର ଚପଳ ତରଙ୍ଗିତ ଛବି ଦେଖି ମୁଗ୍ଧ ତନ୍ମୟ ହୋଇପଡ଼ିଲେ । ବିଦୁର ଶରତ୍ ଜ୍ୟୋସ୍ନା ନିନ୍ଦୀ ଢଳଢଳ ବଦନ-ସୁଷମା ତାଙ୍କର ଯୁବକ ପ୍ରାଣରେ ମଧୁମାସର ଉନ୍ମାଦନା ଆଣି ଢାଳିଦେଲା । ସେ ମଧ୍ୟ ଜଗତକୁ ଭୁଲି କମଳ ଗର୍ଭଗତ ଅଳି ପରି ବିଦୁ-ହୃଦୟଗତ ହୋଇପଡ଼ିଲେ ।

 

“ମାଷ୍ଟ୍ରବାବୁ, ସବୁବେଳେ କ’ଣ ଏହିପରି ଲହରୀ ଉଠୁଥାଏ ? ସମୁଦ୍ରର ଓସାର କେତେ-? ଏ ଚଡ଼େଇଟା ନାଁ କ’ଣ । ଏ କଙ୍କଡ଼ାକୁ ଖାନ୍ତି ? ନୋଳିଆମାନେ ଏତେ ବାଟ ମାଛ ଧରିବାକୁ ଯାଉଛନ୍ତି, ଲହରୀରେ ତାଙ୍କର ଡଙ୍ଗା ବୁଡି ଯାଉ ନାହିଁ ?” ଇତ୍ୟାଦି ପ୍ରଶ୍ନରେ ରାଜକିଶୋର ଆହୁରି ତନ୍ମୟ ହୋଇପଡ଼ିଲେ ।

 

ସାନ୍ଧ୍ୟ ଭ୍ରମଣ ସାଙ୍ଗ ହେଲା…..ରାଜକିଶୋର ମୁରଲୀକୁ ପଢ଼ାଇ ସାରି ନିଜର ବସାକୁ ଗଲେ । କିନ୍ତୁ ଅନ୍ୟ ଦିନ ପରି ସେ ଦିନ ସେ ଶାନ୍ତିରେ ଗଣ୍ଡିଏ ଖାଇପାରିଲେ ନାହିଁ କି ସୁଖରେ ନିଦ୍ରା ଯାଇ ପାରିଲେ ନାହିଁ । ତାଙ୍କ ପ୍ରାଣରେ ଗୋଟାଏ ମସ୍ତ ପରିବର୍ତ୍ତନ ସଘଂଟିତ ହୋଇଗଲା । ତାଙ୍କୁ ଯେପରି ସବୁ ଖାଲି, ନୀରସ ବୋଧ ହେଲା । ଯେପରି କେଉଁଠି ସେ କ’ଣ ଛାଡ଼ି ଆସିଛନ୍ତି–ମହାମୂଲ୍ୟ ବସ୍ତୁଟିଏ ହରାଇ ଦେଇଛନ୍ତି । ମନଟା ଚଞ୍ଚଳ ହେବାକୁ ଲାଗିଲା । ସେ ବହୁତ ଭାବିଲେ; କାରଣ ସ୍ଥିର କରିପାରିଲେ ନାହିଁ ।

 

ରାଜକିଶୋର ଶୋଇବାକୁ ବହୁତ ଚେଷ୍ଟା କଲେ; ମାତ୍ର ନିଦ୍ରା ଆସିଲା ନାହିଁ । ବିଦ୍ୟୁତ୍-କାନ୍ତିମତୀ ବିଦୁର ରମଣୀୟ ମୂର୍ତ୍ତିଟି ତାଙ୍କର ଆଖି ଆଗରେ ଭାସି ଉଠିଲା । ବିଦୁ ସତେ କେଡ଼େ ସରଳ, ନିତନ୍ତ ଅଜ୍ଞ ଶିଶୁଟି ପରି । ସଂସାର ବିଷୟରେ ତା’ର ଆଦୌ ଜ୍ଞାନ ନାହିଁ । ସେ ଫୁଟା ଫୁଲଟି ପରି ନିଜ ସୌନ୍ଦର୍ଯ୍ୟର ସୌରଭରେ ବିଭୋର । ରାଜକିଶୋରଙ୍କର ଭାବନା କ୍ରମେ ଦୂରକୁ ଚାଲିଲା । ଫୁଟା ଫୁଲ କଥା ଭାବୁ ଭାବୁ ଆଉ ଗୋଟିଏ ସ୍ଫୁନୋନୁଖ କୋରକ ତାଙ୍କର ଦୁଷ୍ଟିପଥାରୂଢ଼ ହେଲା । ସେ କୋରକଟିକୁ ବହୁ ଦିନ ହେଲା ପାସୋରି ପକାଇଛନ୍ତି । ସେ ବର୍ତ୍ତମାନ ପ୍ରସ୍ଫୁଟିତ ହୋଇ ତା’ର ସୌନ୍ଦର୍ଯ୍ୟପସରା ମେଲିଦେବଣି ପରା ! କିଶୋରୀର ସରମ-ବୋଳା ଆୟତ ନେତ୍ରର କି ମଧୁର ଚାହାଣୀ !

 

ରାଜକିଶୋର ଏତେ ଦିନ ଯାଏ ଛାତ୍ର ଥିଲେ । “ମାଟ୍ରିକ୍ୟୁଲେଶନ ପରୀକ୍ଷା ଦେବେ” ଏହି ବଳବତୀ ଇଚ୍ଛା ତାଙ୍କୁ ଏତେ ଦିନ ଯାଏ ପୁସ୍ତକରେ ମଜ୍ଜାଇ ରଖିଥିଲା । ସେ ବିଦୁପରି ନବ ଯୁବତୀର ସହଭ୍ରମଣ କେବେ ନ କରିଥିଲେହେଁ ବିଦୁଠାରୁ ବଳି ବହୁତ ରୂପସୀ ତାଙ୍କର ଦୃଷ୍ଟିପଥାରୂଢ଼ ହୋଇଛନ୍ତି । ସାୟଂଭ୍ରମଣ ସମୟରେ ସେ କେତେ କେତେ ସୁନ୍ଦରୀ ଷୋଡ଼ଶୀଙ୍କୁ ଦେଖିଛନ୍ତି; ମାତ୍ର ସେମାନଙ୍କ ବିଷୟରେ ଲବମାତ୍ର ଭାବିବାକୁ ଅବସର ପାଇ ନ ଥିଲେ ।

 

ଆଜି ସେ ତାଙ୍କର କର୍ତ୍ତବ୍ୟ ସଂପାଦନ କରି ସାରିଛନ୍ତି । ଇଚ୍ଛା ଶକ୍ତି ତାଙ୍କର ଗୋଟିଏ ସ୍ଥାନରେ ନିବଦ୍ଧ ନ ହୋଇ ଉନୁକ୍ତ ପକ୍ଷୀ ପରି ଚତୁର୍ଦ୍ଦିଗରେ ବିଚରଣ କରୁଛି । ସେଥିପାଇଁ ସେ ବିଦୁର ସୌନ୍ଦର୍ଯ୍ୟ-ସୁଧା ପାନ କରିବାର ସୁବିଧା ପାଇପାରିଲେ । ତା ସହିତ କିଶୋରୀ ବିଷୟରେ ମଧ୍ୟ ଭାବିବାକୁ ଅବସର ପାଇଲେ । ବିଦୁଠାରୁ ସେ କିଶୋରୀ ବିଷୟ ବହୁତ ଭାବିଲେ । କିଶୋରୀ–ସେ ବିଦୁଠାରୁ ଆହୁରି ସୁନ୍ଦର, ଆହୁରି ସରଳ ଉପାଦାନରେ ଗଠିତ । ତାହାରି ଯୋଗୁଁ ସିନା ଚାରିମାସ କାଳ ସେ ଜଗନ୍ନାଥ ମଙ୍ଗରାଜ ଘରେ କଟାଇ ଆସିଲେ । କିଶୋରୀ ନ ଥିଲେ ଚାରି ମୁହୂର୍ତ୍ତ ସେଠାରେ ରହିବା ତାଙ୍କ ପକ୍ଷରେ ଯେ କଷ୍ଟକର ହୋଇଥାନ୍ତା । ସେ ବାଳିକା ହେଲେହେଁ ପାପ୍ତବୟସ୍କାଠାରୁ ବଳି ତା’ର ବୁଦ୍ଧି । ତାଙ୍କୁ କେତେ ଭଲ ପାଉ ନ ଥିଲା ସେ–ନିଜର ପ୍ରାଣଠାରୁ ବଳି ଭଲ ପାଉଥିଲା । ଆହା, ତା’ର ‘ରାଜୁ ନନା’ ଡାକଟି କି ମଧୁର, କି ସରଳ ! ଶେଷରେ ତାଙ୍କରି ଯୋଗୁଁ ସିନା ସେ ପିତାଠାରୁ ଲାଞ୍ଛନା ପାଇଲା । କିଶୋରୀ ପରି ବନ୍ଧୁ କ’ଣ ସେ ଜୀବନରେ ପାଇବେ-? କିନ୍ତୁ ରାଜକିଶୋର ବଡ଼ କୃତଘ୍ନ–ବଡ଼ ସ୍ଵାର୍ଥପର । ତା ପରି ଉପକାରୀର ସେ ପ୍ରତ୍ୟୁପକାର କ’ଣ କରିଛନ୍ତି ଭଲା ? ଏପରିକି ସୁଦୀର୍ଘ ଏକ ବର୍ଷକାଳ ଧରି ତା ବିଷୟରେ ପଦେମାତ୍ର ଭାବିବାର ଅବସର ପାଇ ନାହାନ୍ତି । ଛି, ଛି, କି ଅନ୍ୟାୟ ନ କରିଛନ୍ତି ସେ !

 

ରାଜକିଶୋର ବହୁତ ଭାବିଚିନ୍ତି ସ୍ଥିର କଲେ, କିଶୋରୀ ପାଖକୁ ଖଣ୍ତିଏ ପତ୍ର ଦେବେ । ସେ ପ୍ରତ୍ୟୁତ୍ତରରେ ତା’ର ଭଲମନ୍ଦ କଥା ଲେଖିବ ଅବଶ୍ୟ । “ମୁଁ ଭଲ ଅଛି” ଏହି ଦୁଇଟି ପଦ ଶୁଣିବାକୁ ପାଇଲେ ହେଲା । ରାଜକିଶୋରଙ୍କ ପକ୍ଷରେ ସେହି ସ୍ଵର୍ଗ !

 

ରାଜକିଶୋର କାଗଜ କଲମ ଘେନି ଚିଠି ଲେଖି ବସିଲେ । ଯଥାସମୟରେ ଚିଠିଲେଖା ଶେଷ ହେଲା । ପତ୍ରଟିକୁ ଥରେ ଆମୂଳ ପାଠ କରିଗଲେ । ତାପରେ ଲଫାଫାରେ ବନ୍ଦ କରି ଠିକଣା ଲେଖିବାକୁ ଆରମ୍ଭ କଲେ । ‘ଶ୍ରୀମତୀ କିଶୋରୀ ଦେଈ’ ଏହି ପର୍ଯ୍ୟନ୍ତ ଲେଖି ହାତ ଆଉ ଚାଲିଲା ନାହିଁ । ଅଙ୍ଗୁଳିର ଶିଥିଳତାରୁ କଲମଟା ଖସି ପଡ଼ିଲା । କାହା ଠିକଣାରେ ପତ୍ର ଦେବେ ? ଜଗନ୍ନାଥ ମଙ୍ଗରାଜ ଠିକଣାରେ ପତ୍ର ଦେବେ ସିନା ! ଯେଉଁ ଜଗନ୍ନାଥ ମଙ୍ଗରାଜ ସେ ଦିନ କହିଥିଲା, “ତୁ ମୋର ଝିଅକୁ ଖରାପ କରିଦେଲୁଣି” ତାରି ଠିକଣାରେ ପତ୍ର ଦେବେ ? ଉଚିତ କଥା ପଦେ କହିବାରୁ ଏକମାତ୍ର କନ୍ୟାକୁ ଲାଞ୍ଛନା ଦେବାକୁ ଯେ ଲବମାତ୍ର ବିଳମ୍ବ କଲା ନାହିଁ–ତା ହାତରେ ଏ ପତ୍ର ପଡ଼ିଲେ କୋମଳହୃଦୟା ବାଳିକାର କି ଶୋଚନୀୟ ଅବସ୍ଥା ନ ଘଟାଇବ ସେ ! ନା, ରାଜକିଶୋର ତାହା କରିପାରିବେ ନାହିଁ । ଜାଣୁ ଜାଣୁ ସରଳପ୍ରାଣା ଦେବୀପ୍ରତିମାଟିକୁ ଲାଞ୍ଛିତ କରାଇବେ ନାହିଁ ।

 

ସେ ଚିଠି ଖଣ୍ଡ ଶତଚ୍ଛିନ୍ନ ହୋଇ ଅଳିଆ ଗଦାରେ ସ୍ଥାନ ପାଇଲା । ପରୀକ୍ଷାର ଫଳ ବାହାରିଲା–ରାଜକିଶୋର ପାସ୍ କରିଛନ୍ତି । ପାସ୍ କରିଛନ୍ତି ବୋଲି ରାଜକିଶୋର ଯେତେ ଦୂର ଆନନ୍ଦିତ ନୁହନ୍ତି, ତହୁଁ ବଳି ଆନନ୍ଦିତ ହେଲେ କଲେକ୍ଟର ବୈକୁଣ୍ଠ ବାବୁ । ଘରେ ଘରେ ପଢ଼ି ଗରିବ ଛାତ୍ରଟି ପାସ୍ କରିଛି । ସେ ଶତମୁଖରେ ରାଜକିଶୋରଙ୍କ ପ୍ରଶଂସା ଗାନ କରିବାକୁ ଲାଗିଲେ । ମେସର ଅନ୍ୟାନ୍ୟ ଛାତ୍ରମାନଙ୍କର ମଧ୍ୟ ଆନନ୍ଦର ସୀମା ନାହିଁ । ସେମାନେ ସମସ୍ତେ ରାଜକିଶୋରଙ୍କଠାରୁ ଭୋଜି ଆଦାୟ କରିବାର ଚେଷ୍ଟାରେ ଲାଗିପଡ଼ିଲେ ।

 

ରାଜକିଶୋର ପାସ୍ କଲେ ସତ, ନିଶ୍ଚିନ୍ତ ହୋଇ ପାରିଲେ ନାହିଁ । ଯେଉଁ ବିଷୟରେ ଲକ୍ଷ୍ୟ ରଖି ପାସ୍ କଲେ, ସେ କାର୍ଯ୍ୟଟି କିପରି ପାଇବେ, ସେହି ଚିନ୍ତା ତାଙ୍କୁ ଅଧୀର ଅସ୍ଥିର କରି ପକାଇଲା । କିପରି ପୋଲିସ ବିଭାଗରେ ଭର୍ତ୍ତି ହେବେ,ଦିବା ନିଶି ବସି ଭାବିବାକୁ ଲାଗିଲେ ।

 

ସେ ଦିନ ସକାଳୁ ନାନା କଥା ଭାବି ଭାବି ମନଟା ତାଙ୍କର ବଡ଼ ଖରାପ ଥିଲା । ନଅଟା ବାଜିବା ଉପରେ । ମେସ୍ ବାରନ୍ଦାରେ ସେ ଟହଲ କରୁଛନ୍ତି, ସେହି ସମୟରେ ‘ସମାଜ’ ‘ଦୈନିକ ଅଶା’ ଡାକି ଡାକି ଜଣେ ଖବରକାଗଜ ବିଡ଼ାଟା ଧରି ରାସ୍ତା ଉପରେ ଚାଲି ଯାଉଛି । ମନ ପରିବର୍ତ୍ତନ ଲାଗି ସେ ଖଣ୍ଡେ ସମାଜ କିଣି ପଢ଼ିବାକୁ ଆରମ୍ଭ କଲେ । କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ କୌଣସି ସ୍ତମ୍ଭଟା ନ ପଢ଼ି ପ୍ରଥମେ ବଡ଼ ବଡ଼ ଅକ୍ଷର ଉପରେ ଆଖି ବୁଲେଇଲେ । “ରେଳଗାଡି ଚିତ୍ ପଟାଙ୍ଗ” “ବିନା ମେଘରେ ବଜ୍ରପାତ” “ବେହାରରେ ନୂଆ ଅଡିନାନସ” ଇତ୍ୟାଦି ବହୁତ ଦେଖିଲେ । ଶେଷ ସ୍ତମ୍ଭର ନିମ୍ନ ଭାଗରେ ଲେଖାଅଛି, “ପାଞ୍ଚଶ ଟଙ୍କା ପୁରସ୍କାର ।” ତାଙ୍କର କୌତୂହଳ ହେଲା । ସେ ଆଗ “ପାଞ୍ଚଶ ଟଙ୍କା ପୁରସ୍କାର” କୁ ପଢ଼ି ବସିଲେ–

 

“ଆଜିକୁ ଆଠ ଦିନ ହେବ ଆମ୍ଭର ଏକମାତ୍ର କନ୍ୟା କିଶୋରୀ ଦେଈ ନିରୁଦ୍ଦେଶ ହୋଇଅଛି । ଖୁବ୍ ସମ୍ଭବ କୌଣସି ଦସ୍ୟୁଦଳ ଦ୍ୱାରା ସେ ଅପହୃତା । ଯଦି କେହି ତା’ର ସନ୍ଧାନ ଦିଅନ୍ତି, ତେବେ ପାଞ୍ଚଶ ଟଙ୍କା ପୁରସ୍କାର ପାଇବେ । କନ୍ୟାଟିର ବୟସ ୧୩ ବର୍ଷ । ବର୍ଣ୍ଣ ଗୌର । ଗଠନ ମଧ୍ୟମ ପ୍ରକାର । ତା’ର ନାସିକାର ବାମ ପାର୍ଶ୍ଵରେ ଗୋଟାଏ କଳାଜାଇ ଅଛି ।”

 

ଜଗନ୍ନାଥ ମଙ୍ଗରାଜ

ଗ୍ରାମ–ଚବିଶପ୍ରଗଣା

ଥାନା–ସାଲେପୁର

ପୋ : ଅ: ସାଲେପୁର

ଜି : କଟକ

 

କିଶୋରୀ ନିରୁଦ୍ଦେଶ ? ଦସ୍ୟୁମାନଙ୍କ ଦ୍ଵାରା ଅପହୃତା ? ରାଜକିଶୋର ପ୍ରଥମେ ବିଶ୍ଵାସ କରିପାରିଲେ ନାହିଁ । ସେ ବିଷୟଟିକୁ ଥରେ, ଦୁଇଥର, ତିନିଥର ପଢ଼ିଲେ । ତାଙ୍କର ମୁଣ୍ଡ ଘୂରାଇଦେଲା । ହାୟ ! କିଶୋରୀ–ତାଙ୍କର ଦୁର୍ଦିନର ଏକମାତ୍ର ସାଥୀ–ଅତିପ୍ରିୟ ବନ୍ଧୁ–କେଉଁ ଚଣ୍ଡାଳ ଏପରି ଦୁର୍ଦ୍ଦଶା ଘଟାଇଲା ତା’ର ? ଏପରି ଦୁଃଖରେ,ବାର୍ତ୍ତା ଶୁଣି ରାଜକିଶୋର କ’ଣ ନୀରବ ରହିବେ ? ତେବେ ଏ କ୍ଷେତ୍ରରେ ତାଙ୍କର କର୍ତ୍ତବ୍ୟ କ’ଣ ? ସେ ବହୁତ ଭାବିଲେ; ମାତ୍ର କିଛି ସ୍ଥିର କରିପାରିଲେ ନାହିଁ । ଦୁଃଖରେ, ବେଦନାରେ ତାଙ୍କର ହୃଦୟ ବିଦୀର୍ଣ୍ଣ ହେବାକୁ ଲାଗିଲା । ସେହିଠାରେ ସେ ଶୂନ୍ୟକୁ ଚାହିଁ ଜୀବନ୍ମୃ ତ ପରି ବସି ରହିଲେ ।

Image

 

ପଞ୍ଚମ ପରିଚ୍ଛେଦ

 

ଇଚ୍ଛା ଥିଲେ ରାସ୍ତା ମିଳେ । ରାଜକିଶୋର କଲେକ୍ଟର ସାହେବଙ୍କ ସୁପାରିସରେ ପୋଲିସ ହେଡକନେଷ୍ଟବଳ୍ ଚାକିରୀଟିଏ ପାଇଲେ । ବହୁଦିନ–ପୋଷିତ ଆଶା ତାଙ୍କର ଫଳବତୀ ହେଲା ସତ; ମାତ୍ର ସେ ତହିଁରେ ସୁଖୀ ହୋଇପାରିଲେ ନାହିଁ । ତାଙ୍କର ଇଚ୍ଛା, କଟକ ଜିଲ୍ଲାର ସାଲେପୁର ଥାନାରେ ଚାକିରୀ ଖଣ୍ଡିଏ ପାଇଥିଲେ ଭଲ ହୋଇଥାନ୍ତା । ତଦ୍ଦ୍ଵାରା ସେ କିଶୋରୀର ଅନୁସନ୍ଧାନ କରିବାକୁ ସୁଯୋଗ ପାଇଥାନ୍ତେ । ଯାହାହେଉ, ସେ କିଶୋରୀ ବିଷୟରେ ଏକବାରେ ହତାଶ ହେଲେ ନାହିଁ । ପୁଲିସ ବିଭାଗରେ ଯେତେବେଳେ ପ୍ରବେଶ ଲାଭ କଲେଣି, ଯେ କୌଣସି ପ୍ରକାରେ ହେଉ ସେ ନିଶ୍ଚୟ ତା’ର ଅନୁସନ୍ଧାନ କରିବେ ।

 

ରାଜକିଶୋରଙ୍କର ଆଶାପଥ ଚାହିଁ ସମୟ ଅପେକ୍ଷା କରିପାରିଲା ନାହିଁ । ସେ ତା’ର ସ୍ଵାଭାବିକ ଗତିରେ ଗଡ଼ି ଚାଲିବାକୁ ଲାଗିଲା । ଚାହୁଁ ଚାହୁଁ ବର୍ଷଟାଏ ବିତିଗଲା । ରାଜକିଶୋର କିଶୋରୀର ଅନୁସନ୍ଧାନ କରିବା ଦୂରେ ଥାଉ, ମୁଣ୍ଡ ଖର୍ଚ୍ଚ କରି କାର୍ଯ୍ୟ କରିବା ଭଳି ଉପଯୁକ୍ତ ‘କେସ୍’ ଗୋଟାଏ ସୁଦ୍ଧା ପାଇଲେ ନାହିଁ । ସେ ଯାହା ଭାବୁଥିଲେ–ପୁରୀ ଟାଉନ ଥାନାରେ ରହିଲେ ଅତ୍ୟଳ୍ପ ଦିନ–ମଧ୍ୟରେ ଧୁରନ୍ଧର ପୁଲିସଟିଏ ହୋଇଯିବେ, ସେ ଆଶା ତାଙ୍କର ନିରାଶାରେ ପରିଣତ ହେବାକୁ ଲାଗିଲା ।

 

ସେ ଦିନ ଅତି ପ୍ରତ୍ୟୁଷରେ ଉଠି ସେ ଥାନା ବାରନ୍ଦାରେ ଟହଲ କରୁ କରୁ ଭାବୁଛନ୍ତି–କ’ଣ କରିବେ ? କିଶୋରୀର ଅନୁସନ୍ଧାନ କରିବେ କିପରି ? ଯଦି କୌଣସି ଉପାୟରେ ବଦଳି ହୋଇ ସାଲେପୁର ଯାଇପାରନ୍ତେ…… । ସେହି ସମୟରେ ମଧୁ ପଢ଼ିଆରୀ ଆସି ଖବର ଦେଲା–ଗତ ରାତ୍ରିରେ ତା ଘରୁ ପ୍ରାୟ ଟଙ୍କା ଚାରି ହଜାରର ମାଲ ଚୋରି ହୋଇଯାଇଛି । ରାଜକିଶୋର ସଙ୍ଗେ ସଙ୍ଗେ ଏତଲା ଲେଖି ବସିଲେ ।

 

ତିନି ଦିନ ବିତିଗଲାଣି, ଯଥାରୀତି ପୁଲିସ ତଦନ୍ତ ଚାଲିଛି; ମାତ୍ର ତଦନ୍ତରେ କୌଣସି ଫଳ ହେଲାପରି ଜଣାଯାଉ ନାହିଁ । ରାଜକିଶୋର ରାତିରେ ଶୋଇ ଭାବିବାକୁ ଲାଗିଲେ–“ମୁଁ କିଶୋରୀର ଅନୁସନ୍ଧାନ କରିବା ଲାଗି ବରାବର ଭାବୁଥିବାରୁ ଭଗବାନ ଏହି ଚୋରି କେସଟି ମୋ ହାତରେ ଦେଇ ବୋଧହୁଏ ମୋତେ ପରୀକ୍ଷା କରୁଛନ୍ତି । ଏ ଚୂଡ଼ଙ୍ଗ ସାହୀ କେସର୍ ଯଦି କିଛି କିନାରା କରି ନପାରେ,ତେବେ କିଶୋରୀର ଅନୁସନ୍ଧାନ ମୋ ପକ୍ଷରେ ନିତାନ୍ତ ଅସାଧ୍ୟ ଓ ଏକାନ୍ତ ଅସମ୍ଭବ । ତିନି ଦିନ ପୂର୍ବ ଘଟଣାର ଅନୁସନ୍ଧାନ କରି ଯଦି ପ୍ରକୃତ ଆସାମୀକୁ ଧରାଯାଇ ନ ପାରେ, ତେବେ ଏକବର୍ଷ ପୂର୍ବ ଘଟଣାର ଅନୁସନ୍ଧାନ କରି ଆସାମୀକୁ ଗିରଫ କରିବା ତ ସହଜ ନୁହେ । ନା, ପ୍ରାଣପଣ ଚେଷ୍ଟାରେ ମଧୁ ପଢ଼ିଆରୀ ଘରେ ହୋଇଥିବା ଡକାୟତି ମାମଲାର ପ୍ରକୃତ ଆସାମୀକୁ ଗିରଫ କରିବି–ତାପରେ ଯାଇ କିଶୋରୀ କଥା । ଏ କେସ୍‍ରେ ଯଦି ‘ଫେଲ୍’ ହୁଏ, ତେବେ କିଶୋରୀ ଚିନ୍ତା ହୃଦୟରୁ ଦୂର କରିଦେବାକୁ ହେବ ।”

 

ରାଜକିଶୋର ହୃଦୟରେ ନୂତନ ଆଶା ବାନ୍ଧି ସରଜମିନ ତଦନ୍ତ କରିବାକୁ ବାହାରିଲେ । ପ୍ରାୟ ୪ ଘଣ୍ଟା କାଳ ଲାଗି ତନ୍ନ ତନ୍ନ କରି ସମସ୍ତ ତଦନ୍ତ କରି ଫେରିଲେ । ସେ ଦିନ ରାତ୍ରିରେ ତାଙ୍କର ନିଦ୍ରା ହେଲା ନାହିଁ । ସେ ବିଛଣାରେ ପଡ଼ି ସେ ବିଷୟରେ ଭାବିବାକୁ ଲାଗିଲେ । ସନ୍ଧ୍ୟା ସମୟରେ ଇନ୍ସପେକ୍ଟର ଓ ସବ୍ ଇନ୍ସପେକ୍ଟର ବାବୁଙ୍କ ମଧ୍ୟରେ ସେହି ଡକାୟତି କେସ୍ ନେଇ ଯେଉଁସବୁ ବିଷୟରେ ଆଲୋଚନା ପଡ଼ିଥିଲା, ସେ ସମସ୍ତ ମଧ୍ୟ ଭାବିଲେ । କିନ୍ତୁ ସେ ବିଷୟରେ ସେ ଯେତିକି ଭାବିବାକୁ ଲାଗିଲେ, ସେହି ପରିମାଣରେ ତାଙ୍କର ମତ ଇନ୍ସପେକ୍ଟର ଓ ସବ୍ ଇନ୍ସପେକ୍ଟର ବାବୁଙ୍କ ସହିତ ଅମେଳ ହେବାକୁ ଲାଗିଲା ।ଇନ୍ସପେକ୍ଟର ଓ ସବ୍ ଇନ୍ସପେକ୍ଟର ବାବୁଙ୍କ ମନ୍ତବ୍ୟ ଯେ, ସେ ଡକାୟତି କୌଣସି ବିଦେଶୀୟ ଚୋରଦ୍ଵାରା ସାଧିତ ହୋଇଅଛି ।

 

ପୁରୀ ସହରର କୌଣସି ଲୋକ ସେ ସମ୍ପର୍କରେ ସଂଯୁକ୍ତ ନୁହନ୍ତି । କିନ୍ତୁ ରାଜକିଶୋର ସେଥିରେ ଏକମତ ହୋଇପାରିଲେ ନାହିଁ । ସେ ମନେ ମନେ କହିବାକୁ ଲାଗିଲେ–ଏ ଚୋରି କୌଣସି ବିଦେଶୀୟ ଲୋକ ଦ୍ଵାରା ହୋଇଥିବାର ଅନୁମାନ କରି ସବ୍ ଇନ୍ସପେକ୍ଟର ଓ ଇନ୍ସପେକ୍ଟର ଉଭୟେ ଏକ ସ୍ଥାନରେ ଭୁଲ କରୁଛନ୍ତି । ଏ ସିଦ୍ଧି କୌଣସି ବିଦେଶୀୟ ଚୋରଦ୍ଵାରା ହୋଇନାହିଁ । ଏ କଥା ଧ୍ରୁବ ସତ୍ୟ । ଏଠାକାର ଜଣା ଶୁଣା ଲୋକ, ବିଶେଷତଃ ଜନାର୍ଦ୍ଦନ ପଢ଼ିଆରୀ ବା ତାଙ୍କ ଘରର କୌଣସି ଲୋକର ସହାୟତାରେ ହୋଇଛି, ସନ୍ଦେହ ନାହିଁ ।

 

ରାଜକିଶୋରଙ୍କର ଏରୂପ ଅନୁମାନର ଉପଯୁକ୍ତ କାରଣ ଦର୍ଶାଇବା ପୂର୍ବରୁ ସିଦ୍ଧି ହୋଇଥିବା ସ୍ଥାନ ଏବଂ ତାହାର ଚୌହିଦିଟା ଦେଖାଇଦେଲେ ପାଠକମାନଙ୍କୁ ଅନେକ ସୁବିଧା ହେବ-। ସେମାନେ ରାଜକିଶୋରଙ୍କର ହେଉ ବା ଇନ୍ସପେକ୍ଟରଙ୍କର ହେଉ, କାହାରି ପକ୍ଷ ସମର୍ଥନ କରିବାକୁ ସୁବିଧା ପାଇପାରିବେ ।

 

ମଧୁ ପଢ଼ିଆରୀ ଘରଟି ଚୂଡ଼ଙ୍ଗ ସାହୀର ଠିକ୍ ମଝିରେ । ତାଙ୍କ ଘରକୁ ଲାଗି ପୂର୍ବ ପଶ୍ଚିମ ଦୁଇ ପାଖରେ ଜନାର୍ଦ୍ଦନ ପଢ଼ିଆରୀ ଓ ସଦେଇ ପାଟସାଣୀଙ୍କର ବାସଗୃହ । କୌଣସି ଲୋକ ବାରିପାଖରୁ ଆସି ସେ ଘରେ ପ୍ରବେଶ କରିବାର ପଥ ନାହିଁ । ଉଚ୍ଚ ଏବଂ ଘନ ସନ୍ନିବିଷ୍ଟ ନାଗଫେଣିଆ ବାଡ ଚାରିପାଖରେ ପାଚେରୀ ପରି ରହିଛି । ଏକମାତ୍ର ପ୍ରବେଶ ପଥ ଅଛି ଜନାର୍ଦ୍ଦନ ପଢ଼ିଆରୀ ଘରର ଦକ୍ଷିଣ ପଶ୍ଚିମ କୋଣରେ । ସେଠାରେ ମଧ୍ୟ ସେହି ନାଗଫେଣିଆ ବଣ । କିନ୍ତୁ ସେ ବଣର ଉଚ୍ଚତା ବେଶୀ ନୁହେ । ସଦର ରାସ୍ତାରୁ ସେହି ବଣ ମଧ୍ୟକୁ ଗୋଟିଏ କ୍ଷୁଦ୍ର ପ୍ରବେଶ ପଥ ମଧ୍ୟ ଅଛି । ଆଉ ଯେଉଁ ବଖରାରେ ସିଦ୍ଧ ହୋଇଛି, ସେ ବଖରାଟି ରୋଷେଇ ଘର । ରୋଷେଇ ଘରକୁ ଲାଗି ପଶ୍ଚିମ ପାଖ ଘରଟି ପଢ଼ିଆରୀଙ୍କର ଶୋଇବା ଘର ବା ‘ବଡ଼’ ଘର । ଜିନିଷ ଚୋରିଯାଇଛି ସେହି ବଡ଼ ଘରୁ ।

 

ଏ ତ ଗଲା ଚୋରି ହୋଇଥିବା ଘରର ପରିଚୟ । ବର୍ତ୍ତମାନ ଚୋରି ବିଷୟରେ ରାଜକିଶୋରଙ୍କର ମନ୍ତବ୍ୟ ପ୍ରଣିଧାନ କରିବା । ସେ କହନ୍ତି–ଯେଉଁମାନେ ସିନ୍ଧି କରିଛନ୍ତି,ସେମାନେ ଜୋତା ପିନ୍ଧି ଅବା ଅନ୍ୟ କୌଣସି କଠିନ ଆବରଣ ଦ୍ଵାରା ପାଦକୁ ନିରାପଦ ରଖି ନାଗଫେଣିଆ ବଣ ଉପରେ ଦେଇ ଯାଇ ନାହାନ୍ତି । ତା ହୋଇଥିଲେ ନାଗଫେଣିଆ କଣ୍ଟା ଅଗସବୁ ସମାନଭାବରେ ଭାଙ୍ଗିଯାଇ ନ ଥାନ୍ତା । ଏକାଧିକ ଲୋକ ଯିବା ଆସିବା କଲେ ସୁଦ୍ଧା ସମସ୍ତଙ୍କର ପାଦ ଯେ କେବଳ ଅଗ୍ରଭାଗରେ ପଡ଼ିବ, ଏହାର ସେପରି କିଛି ବିଶେଷ କାରଣ ଅଛି କି ? ନାଗଫେଣିଆ ଗଛସବୁର ଅଗ ସମାନଭାବରେ ଭାଙ୍ଗି ଯାଇଥିବାରୁ ସହଜରେ ଅନୁମାନ କରାଯାଇ ପାରେ, ବଡ଼ ପଟା ବା ଟିଣ କିମ୍ବା ସେହିପରି ଅନ୍ୟ କୌଣସି ଚଉଡା ଜିନିଷ ସେ କଣ୍ଟାଉପରେ ରଖି ତା ଉପର ଦେଇ ଲୋକ ଯାତାୟାତ କରିଛନ୍ତି । ଏ ଅନୁମାନ ଯଦି ସତ୍ୟ ହୁଏ, ତେବେ ଭାବିବାକୁ ହେବ, ସେ ବୃହଦାକାର ପଟା ବା ଟିଣଟି ସେ ସ୍ଥାନକୁ କେଉଁ ପଥ ଦେଇ ଆସିଲା । ପ୍ରବେଶ ଦ୍ଵାରଟି ଏତେ କ୍ଷୁଦ୍ର ଯେ କୌଣସିମତେ ଗୋଟିଏ ଲୋକ ପ୍ରବେଶ କରିପାରେ । କିନ୍ତୁ ନାଗଫେଣିଆ ଯେତେ ଆକାରରେ ଭାଙ୍ଗିଛି, ତା’ର ଲମ୍ବ ଛଅ ଫୁଟ୍ ଓ ଓସାର ତିନି ଫୁଟରୁ କମ୍ ହେବ ନାହିଁ । ସେହି କ୍ଷୁଦ୍ର ପ୍ରବେଶ ପଥରେ କ୍ଷୁଦ୍ର କ୍ଷୁଦ୍ର ପଟା ବା ଟିଣ ନେଇ ଛ ଫୁଟ ଲମ୍ବ ଓ ତିନି ଫୁଟ ଓସାରରେ ମଧ୍ୟ ବିଛାଇ ଦିଆଯାଇ ପାରେ । ବଡ଼ ହେଉ ବା ଛୋଟ ହେଉ, ଟିଣ କିମ୍ବା ପଟା ଉପରେ ଯାଇ ଚୋର ଯଦି ସିଦ୍ଧ କରିଥିବା ସ୍ଵୀକାର କରାଯାଏ, ଚୋର ନିଶ୍ଚୟ ସ୍ଥାନୀୟ, ଏ କଥା ସ୍ଵୀକାର କରିବାକୁ ହେବ । କାରଣ ମଧୁ ପଢ଼ିଆରୀର ଯେତେବେଳେ ନିଦ ଭାଙ୍ଗେ, ଚୋର ସେତେବେଳେ ତା’ର ଘରଭିତରେ । ଚୋର ସିନ୍ଧଗାତ ଭିତରେ ପ୍ରବେଶ କରିବାର ସେ ପ୍ରତ୍ୟକ୍ଷ କରିଛି । ନିଦରୁ ଉଠି ହଠାତ୍ ଲୋକକୁ ସେ ଚିହ୍ନି ନ ପାରିବାରୁ ସଙ୍ଗେ ସଙ୍ଗେ ଦ୍ଵାର ଖୋଲି ଦାଣ୍ଡକୁ ବାହାରି ଆସିଛି । ଦାଣ୍ଡଦ୍ଵାରରେ ଡାକିବା ସମୟରେ କେହି ଜଣେ ପୂର୍ବୋକ୍ତ କ୍ଷୁଦ୍ର ପଥ ଦେଇ ପଳାୟନ କରିବାର ମଧ୍ୟ ଦେଖିଛି । ସଙ୍ଗେ ସଙ୍ଗେ ସେ ସେହି ପଥ ଦେଇ ବାରିପାଖକୁ ଯାଇଛି; ମାତ୍ର ସେଠାରେ ଆଉ କୌଣସି ଲୋକକୁ ଦେଖିବାକୁ ପାଇ ନାହିଁ । ଏଥିରୁ ଅନୁମାନ କରାଯାଏ–ଗୃହମଧ୍ୟରେ ପ୍ରବେଶ କରିଥିବା ଚୋର ସିଦ୍ଧପଥରେ ଜିନିଷପତ୍ର ବଢ଼ାଇ ଦେବା ପରେ ପରେ ଅନ୍ୟାନ୍ୟ ମାନେ ଚୋରିମାଲ ଓ କଣ୍ଟାଉପରେ ପଡ଼ିଥିବା ପଟା ବା ଟିଣକୁ ଘେନି ସେହି କ୍ଷୁଦ୍ର ପଥ ଦେଇ ପଳାୟନ କରିଛନ୍ତି ଏବଂ ଗୃହମଧ୍ୟରେ ଥିବା ଚୋର ପରେ ଆସିଛି ।

 

ଗୋଡ଼ରେ ଜୋତା ଥିବାରୁ କଣ୍ଟା ତାହାର କୌଣସି ଅନିଷ୍ଟ କରିପାରି ନାହିଁ । ମଧୁ ପଢ଼ିଆରୀ ଦ୍ଵାର ଖୋଲି ଦାଣ୍ଡକୁ ବାହାରିବା ସମୟରେ ସେହି ଦସ୍ୟୁ ବୋଧହୁଏ ପଳାୟନ କରିଛି । ତାହାହେଲେ ଆଉ ଗୋଟିଏ ଦିଗରେ ନଜର ଦେବାକୁ ହେବ । ଚୋର ଯଦି ଜୋତା ପିନ୍ଧି ଗୃହମଧ୍ୟରେ ପ୍ରବେଶ କରିଥାନ୍ତା, ସେ ଯେଉଁ ପଥ ଦେଇ ଯାଇଛି ସେହିଠାରେ ଚୂନ ଗୁଡ଼ାଏ ଜମା ଥଲା–ଚୂନ ଉପରେ ଜୋତାର ଚିହ୍ନ ନିଶ୍ଚୟ ଥାନ୍ତା । କିନ୍ତୁ ଜୋତା ପରିବର୍ତ୍ତରେ ପାଦର ଦାଗ ଅଛି । ଅଙ୍ଗୁଳିଗୁଡ଼ିକର ଦାଗ ସ୍ପଷ୍ଟ ଜଣା ପଡୁଛି । ତେବେ ଏଥିରୁ ନିଶ୍ଚୟ ବୁଝିବାକୁ ହେବ, ଚୋର ଖୋଲା ଗୋଡ଼ରେ ଯାଇଥିଲା । ସେ ଘରୁ ବାହାରି ଆସିବା ପୂର୍ବରୁ ଯଦି ତା’ର ସଙ୍ଗୀମାନେ ପଟା ବା ଟିଣ (ଯାହା କଣ୍ଟା ଉପରେ ପଡ଼ିଥିବାର ଅନୁମାନ କରାଯାଏ) ଘେନି ପଳାୟନ କରିଥାନ୍ତି, ତେବେ ସେ ଖାଲି ଗୋଡ଼ରେ ଏତେ ଶୀଘ୍ର କଣ୍ଟା ଉପର ଦେଇ ଆସିପାରନ୍ତା ନାହିଁ । ଆସିଲେ ମଧ୍ୟ କ୍ଷତ ପଦରେ କୌଣସିମତେ ଦୌଡି ପଳାଇପାରନ୍ତା ନାହିଁ ।

 

ଉପର୍ଯ୍ୟୁକ୍ତ ବିଷୟସବୁ ଉତ୍ତମରୂପେ ଆଲୋଚନା କଲେ ସ୍ପଷ୍ଟ ବୁଝାଯିବ–ଚୋର ବିଦେଶୀ ନୁହେ । ଆଉ ମଧ୍ୟ ଜଣା ଯାଉଛି, ଜନାର୍ଦ୍ଦନ ପଢ଼ିଆରୀ କିମ୍ବା ତା’ର ପରିବାରର ସହାୟତାରେ ହୋଇଛି । କିନ୍ତୁ ସେତକ ଅପ୍ରମାଣ କରାଇବା ଉଦ୍ଦେଶ୍ୟରେ ଜଣେ ଲୋକ କ୍ଷୁଦ୍ର ପଥ ଦେଇ ପଳାୟନ କରିଛି । ପଟା ବା ଟିଣ ତାଙ୍କରି ଘରୁ ଯାଇ ଚୋରି ହୋଇଛି ଏବଂ ସେହି ଜିନିଷ ପୁଣି ତାଙ୍କରି ଘରକୁ ଫେରି ଆସିଛି ।

 

ଅନ୍ୟାନ୍ୟ ଦସ୍ୟୁମାନେ ତାଙ୍କରି ଘର ଦେଇ ପଳାୟନ କରିଛନ୍ତି, ଏଥିରେ ସନ୍ଦେହ ନାହିଁ । ଦୁଇଦିନ ପୂର୍ବରୁ ଜନାର୍ଦ୍ଦନ ପଢ଼ିଆରୀ ବିଦେଶ ଯିବା କଥା ମିଥ୍ୟା । ସେ ଏହି ଚୋରି ଉଦ୍ଦେଶ୍ୟରେ ଲୁଚି ରହି ବିଦେଶ ଯିବାର ମିଥ୍ୟା ରଚନା କରିଥିଲା ।

 

ରାଜକିଶୋର ବହୁତ ଅଲୋଚନା ମନେ ମନେ କରି ଶେଷରେ ଏହି ସିନ୍ଧାନ୍ତରେ ଉପନୀତ ହେଲେ । ମାତ୍ର ତାଙ୍କର ସନ୍ଦେହ ହେଲା ସବ୍ ଇନ୍ସସେକ୍ଟର ଓ ଇନସପେକ୍ଟରଙ୍କ ମନ୍ତବ୍ୟରେ । ଚୋରି ବିଦେଶୀ ଲୋକଦ୍ଵାରା ହୋଇଥିବାର ସେମାନେ କାହିଁକି ମତ ଦିଅନ୍ତି ? ଟିକିଏ ଆଲୋଚନା କଲେ ତ ସବୁ ବୁଝିପାରନ୍ତେ । ଭାବିଲେ–କାଲି ତାଙ୍କୁ ସମସ୍ତ ଘଟଣା କହିବି । ପୁଣି ଭାବିଲେ କହି କିଛି ଲାଭ ନାହିଁ । ତାଙ୍କର କଥାବାର୍ତ୍ତାରୁ ଜଣାଯାଉଛି, ସେମାନେ ଏ କେସ୍‍ରେ ଆଦୌ ଉତ୍ସାହିତ ନୁହନ୍ତି । ମୋ କଥା କାନକୁ ନେଇ ପାରନ୍ତି, ନ ନେଇପାରନ୍ତି । ସେମାନଙ୍କୁ କିଛି ନ କହି ନୀରବରେ କାର୍ଯ୍ୟ କରିଯିବା ବରଂ ଭଲ । ଈଶ୍ଵରଙ୍କ ଅନୁଗ୍ରହରେ ଯଦି କୃତକାର୍ଯ୍ୟ ହୁଏ, ତେବେ…..

Image

 

ଷଷ୍ଠ ପରିଚ୍ଛେଦ

 

ଅଷ୍ଟମ ପାଳି ଚନ୍ଦନ ଯାତ । ରାଜକିଶୋର ନରେନ୍ଦ୍ରରୁ ଚାପ ଦେଖି ଫେରିଲା ବେଳକୁ ରାତି ଏଗାରଟ । । ବସାକୁ ଯାଉଁ ଯାଉଁ ହଠାତ୍ କ’ଣ ଭାବି ଜନାର୍ଦ୍ଦନ ପଢ଼ିଆରୀ ଦ୍ଵାରେ ଉପସ୍ଥିତ ହେଲେ । ଟିକିଏ ଠିଆ ହେଲେ ସେଠାରେ । ଭିତରୁ ପୁରୁଷ କଣ୍ଠର ଶବ୍ଦ ଶୁଣାଗଲା । ଜନାର୍ଦ୍ଦନ ପଢ଼ିଆରୀ ତ ଘରେ ନାହିଁ–ରାତି ଅଧରେ ତା ଘରେ ପୁରୁଷ ଜଣେ କିଏ ? ତାଙ୍କର କୌତୂହଳ ବଢ଼ିଲା । ସେ କାନ ପାତିଲେ; କିନ୍ତୁ କୌଣସି କଥା ପରିଷ୍କାର ଶୁଣାଗଲା ନାହିଁ । ରାଜକିଶୋର ସ୍ଵର ବଦଳାଇ ଡାକିଲେ–

 

“ପଢ଼ିଆରୀ ମଶାୟ ! ଓ ପଢ଼ିଆରୀ ମୋଶାୟ ! ଏକଟୁ ଶୁନେ ଯାନ ।” ସ୍ତ୍ରୀ କଣ୍ଠରେ ଅନୁଚ୍ଚସ୍ଵରରେ ଗୃହ ମଧ୍ୟରୁ ଶୁଣାଗଲା–“ଧୀରେନ୍ ଡାକୁଛି ପରା ।” ତା ପରେ ପୁରୁଷ ଜଣେ ବଡ଼ ପାଟିରେ କହି ଉଠିଲା, “ ତୁଇ ଏସେଛିସ୍ ଧୀରେନ୍ ! ବାଃ, ଠିକ୍ ସମୟରେ ଆସିଛୁ ଏକା । ଆ–ଆ-।” ରାଜକିଶୋର ନୀରବରେ ଠିଆ ହୋଇ ରହିଲେ । ଆଗନ୍ତୁକଠାରୁ କିଛି ଉତ୍ତର ନ ପାଇ ଜନାର୍ଦ୍ଦନ ପଢ଼ିଆରୀର ମା ବୁଢ଼ୀ ଦାଣ୍ଡଦ୍ଵାରକୁ ଆସି କହିଲେ, “କିରେ ଧୀରୁ ? ଘରୁକୁ ଆସୁ ନାହୁ ?” ରାଜକିଶୋର ଉତ୍ତର କଲେ–“ଆପନି କାକେ ଚାଛେନ ? ଆମି ଧୀରୁ ନଇ ।”

“ତୁ କିଏରେ ବାପ !”

 

“ଆମାର ବାଡ଼ି କଲିକାତାୟ । ଆମି ପଢ଼ିଆରୀ ମଶାୟର ସାକ୍ଷାତ ଚାଇ । ତିନି ବାଉ ଆଛେନ ?”

 

“ନା, ସେ ତ ସେଇ କଲିକତା ଯାଇଛି ।”

 

ରାଜକିଶୋର ଆଶ୍ଚର୍ଯ୍ୟାନ୍ଵିତ ଭାବରେ କହିଲେ, “ପଢ଼ିଆରୀ ମଶାୟ କଲିକତା ଗେଛେନ୍ ? କୋନ ଦିନ୍ ଗେଲେନ ?”

 

“ସେ ତ ଆଜକୁ ଆଠ ଦିନ ହେଲା ଗଲାଣି ।”

 

“କୋନ ଦିନ ଗେଲେନ, ସେ ଦିନଟି ଠିକ୍ କରେ ବଲିତେ ପାରେନ କି ? ଏକଟା ଜରୁରୀ କାଜ ଆଛେ ।’’

 

ବୃଦ୍ଧା ଟିକିଏ ଚିନ୍ତା କରି କହିଲେ, “ଏଇ ସୋମବାର ଦିନ ତ ଯାଇଛି ।’’

 

“ସୋମବାର ଦିନ–ଆଛା, କଟାର ସମୟ ଗେଲେନ ?”

 

“ଖାଇପିଇ ଦିନ ନଟା ବେଳକୁ ତ ଗଲା ।”

 

“ନଟା ବେଲାକୁ ! ନୟଟାର ଆର ଟ୍ରେନ କୋଥାୟ ? କଲିକାତାୟ ଯେତେ ହେଲେ ସକାଳ ସାତଟା କିମ୍ବା ସନ୍ଧ୍ୟା ୭ ଟା, ଏର ମଧ୍ୟେ ଆର ଟ୍ରେନ ପାବେନ କୋଥାୟ ?”

 

“କେଜାଣି ବାପ, ସେ କଥା କି ମୁଁ ଜାଣେ ? ସେ ତ ନଟା ବେଳକୁ ଯାଇଛି ।”

 

ଗୃହମଧ୍ୟରୁ ପୁରୁଷ ଜଣେ ଆସି ବୃଦ୍ଧାଙ୍କ ନିକଟରେ ଠିଆ ହେଲା । ରାଜକିଶୋରଙ୍କୁ ଉଦ୍ଦେଶ୍ୟ କରି କହିଲା, “କ’ଣ ? କି ଦରକାର ବାବା ! ଦନେଇକୁ ଖୋଜୁଛ ? ବେଶ୍, ସେ ଘରେ ନାହିଁ–କଲିକତା ଯାଇଛି ।” ରାଜକିଶୋର କହିଲେ, “ଆଜ୍ଞା,ଆମି ଶୁନେଛି ।”

 

“ହାଃ, ହାଃ, ଶୁନେଛ ? ଭଲ କଥା । ଚାଲିଯାଅ ତେବେ । ଠିଆ ହେଲ କାହିଁକି ? ଆଉ କିଛି କହିବାର ଅଛି ?”

 

“କେବେ ଗେଲେନ ଓଇ କଥା ଜିଜ୍ଞାସା କରିଛିଲାମ ।”

 

“କେନ ? ଦରକାର ? ଶୁଣିଲ ତ ଘରେ ନାହିଁ–‘କେବେ ଗଲେ’ ‘କେତେବେଳେ ଗଲେ ‘ଏତେ ଜମା ଖର୍ଚ୍ଚ ଖୋଜିବାର ଦରକାର ?”

 

“ମଶାୟ, ୟାତ ରାଗ କରଛେନ କେନ ? ତାତେ କିଛୁ କ୍ଷତି ଆଛେ ?”

 

“କ୍ଷତି ନାହିଁ କାହିଁକି ? ହପ୍ତାଏ ହୋଇ ନାହିଁ ପଡ଼ିଶାଘରେ ଗୋଟାଏ ସିଦ୍ଧ ହୋଇ ଯାଇଛି-। ଆଜିକାଲି ସମୟ ଯେ ରକମ କାହାକୁ ବିଶ୍ଵାସ ଅଛି ? ନିଶାଖୋରମାନେ ତ ଚୋରି କରୁଛନ୍ତି । କିରେ ବାପା, ତମେ ଯେମିତି ଦୁଧ, ରାବିଡି, ଛେନା ତାଡ଼ିଆ, ଅମାଲୁ, ରସଗୋଲା, ମାଛ, ମାଉଁସ,କାକରା, ଲଡୁ, ରୁଟି, ବିସ୍କୁଟ, ଚା, ସିଗାରେଟ ଖାଉଚ, ଆଉ କିଏ ସେମିତି ଗୁଲି ହେଉ ବା ଗଞ୍ଜେଇ ହେଉ ତା’ର ଗୋଟିଏ ଅମଳ ଖାଉଚି । ସେଥିପାଇଁ କ’ଣ ସେ ହେଲା ଚୋର ?”

 

ଲୋକଟି ଅନର୍ଗଳ ବକିଯିବାକୁ ଲାଗିଲା । ରାଜକିଶୋର ବାଧା ଦେଇ କହିଲେ, “ଆମର ବିଶେଷ କାଜ–ଆସିଛି ମଶାୟ, ନମସ୍କାର ।” ରାଜକିଶୋର ପ୍ରସ୍ଥାନ କରିବାର ଦେଖି ସେ ଲୋକଟି ବୃଦ୍ଧାଙ୍କୁ ଲକ୍ଷ୍ୟ କରି କହିଲା, “ମା, ମୁଁ ଆସୁଛି । ରାତି ବହୁତ ହୋଇଗଲାଣି ।” “ହଉରେ ବାପ, ଯା” କହି ବୃଦ୍ଧା ଦ୍ଵାର ବନ୍ଦ କଲେ ।

 

ରାଜକିଶୋର ପୂର୍ବରୁ ଯାଇ ନିକଟସ୍ଥ ଗୋଟାଏ ଗଳିରେ ଗୁପ୍ତଭାବରେ ଠିଆ ହୋଇଥିଲେ । ଲୋକଟି ଜନାର୍ଦ୍ଦନ ପଢ଼ିଆରୀ ଘରୁ ବାହାରି ମାର୍କଣ୍ଡେଶ୍ଵର ସାହୀ ଆଡ଼କୁ ଚାଲିଲା । ରାଜକିଶୋର ଅତି ସତର୍କତାର ସହିତ ତା’ର ଅନୁସରଣ କରିବାକୁ ଲାଗିଲେ । ସେ ଲୋକର କଥା ତ ପୂର୍ବରୁ ଶୁଣିଥିଲେ–ବର୍ତ୍ତମାନ ତା’ର ଚାଲିବାର ଠାଣି ଦେଖି ରାଜକିଶୋର ଅକ୍ଳେଶରେ ବୁଝିପାରିଲେ ଯେ, ସେ ଗୁଲି ହେଉ ବା ମଦ ହେଉ କୌଣସି ନିଶାରେ ନିମଜ୍ଜିତ । ତାଙ୍କର ସନ୍ଦେହ ଆହୁରି ବଢ଼ିଲା । ସେ ମନେ ମନେ ନାନା କଥା ଭାବି ଭାବି ତା’ର ଅନୁସରଣ କଲେ । କିଛି ଦୂର ଯିବାପରେ ଲୋକଟି ଗୋଟିଏ ଜୀର୍ଣ୍ଣ ଚାଳଘରର ଦ୍ଵାରଦେଶରେ ଦଣ୍ଡାୟମାନ ହୋଇ ଡାକିଲା, “ବାଉରି କବାଟ ଖୋଲ ।” ମୁହୂର୍ତ୍ତପରେ ଦ୍ଵାର ଖୋଲା ହେବାର ଶବ୍ଦ ଶୁଣାଗଲା । ରାଜକିଶୋର ତତ୍ କ୍ଷଣାତ୍ ତା’ର ନିକଟବର୍ତ୍ତୀ ହୋଇ ସୁଦୀର୍ଘ ପ୍ରଣାମଟାଏ କରି କହିଲେ, “ଅଜ୍ଞା, ଆପଣଙ୍କୁ ମୁଁ କେତେ ଖୋଜିଲିଣି । ଜନାର୍ଦ୍ଦନ ପଢ଼ିଆରୀ ଆପଣଙ୍କ ପାଖକୁ ଗୋଟଏ ଜରୁରୀ ଚିଠି ଦେଇଛନ୍ତି ।“ ଲୋକଟି ଦଣ୍ଡେ କାଳ ନୀରବରେ ଠିଆ ହୋଇଗଲା । ତାପରେ କହିଲା, “ଏ–ଆମ ଦନେଇ ?”

 

“ଆଜ୍ଞା ହଁ, ଗୋଟାଏ କ’ଣ ଜରୁରୀ ଚିଠି ଦେଇଛନ୍ତି ।”

 

“କାହିଁ ଦେଖି ।”

 

“ମୁଁ ତ ଆପଣଙ୍କୁ କେବେ ଦେଖି ନାହିଁ । ଆପଣ ସେହି ଲୋକ କି ନା ଜାଣେ ନା । ଆପଣଙ୍କର ନାଁଟା କ’ଣ କହିଲେ ?”

 

“ମୋହନ ଦାସ ମୋ ନାଁ ।”

 

“ହଁ ଆଜ୍ଞା, ଆପଣଙ୍କ ପାଖକୁ ତ ଚିଠି ଦେଇଛନ୍ତି, ଆପଣଙ୍କ ଘରଟା କେଉଁଠି କହିଲେ-?”

 

“ଏହି ଘର ପରା ।”

 

“ଏ ସାହୀ ନାଁ ତ ମୁଁ ଜାଣି ନାହିଁ.… ।”

 

“ଏ ସାହୀ ନାଁ ହେଉଛି ମାର୍କଣ୍ଡେଶ୍ଵର ସାହୀ ।”

 

“ଆଜ୍ଞା, ଠିକ୍ । ସେ ତ ମାର୍କଣ୍ଡେଶ୍ଵର ସାହୀ ବୋଲି କହିଥିଲେ, ନିଅନ୍ତୁ ତେବେ ଆପଣଙ୍କର ଚିଠି ।” ରାଜକିଶୋର କୁରୁତା ପକେଟ ଦରାଣ୍ଡିବାର ଛଳନା କରି ପ୍ରାୟ ପାଞ୍ଚ ମିନିଟ ପରେ କହିଲେ, “ମହାଶୟ, ଚିଠିଟା ତ ବସାରେ ରହିଗଲା । ଆପଣ ଟିକିଏ ଠିଆ ହୁଅନ୍ତୁ, ମୁଁ ଅବିକା ଦୌଡ଼ିଯାଇ ନେଇ ଆସୁଛି ।”

 

ରାଜକିଶୋର ଦୌଡ଼ି ଚାଲିଗଲେ । ମୋହନ ଦାସ ଠିଆ ହୋଇ ରହିଲା । ପାଞ୍ଚ ମିନିଟ,ଦଶ ମିନିଟ, କ୍ରମେ ପନ୍ଦର ମିନିଟ ଅତୀତ ହେଲା…….କାହାରି ଦେଖା ନାହିଁ । ଦାସେ ନିତାନ୍ତ ବିରକ୍ତି ଭରେ କହିଲେ, “ମାର ଶାଲା ଚୋର କୋଉଠିକାର ଚିଠି ଦେଖାଉଛି । ମଣିଷ ଏତେବେଳକୁ କଡ଼େ ନିଦ ଶୁଅନ୍ତାଣି ।” ତାପରେ ଦ୍ଵାର ବନ୍ଦ କରି ଗୃହ ଭିତରକୁ ଚାଲିଗଲେ ।

 

ରାଜକିଶୋର କୌଶଳକ୍ରମେ ଯେତେବେଳେ ଜାଣି ପାରିଲେ ମାର୍କଣ୍ଡେଶ୍ଵର ସାହୀରେ ମୋହନ ଦାସ ଓ ଧୀରେନ୍ଦ୍ରନାଥ ସିଂହ ଦୁଇଜଣ ଏକନମ୍ବର ଗୁଲିଖୋର, ତାଙ୍କର ପୂର୍ବ ସନ୍ଦେହ ଦୃଢ଼ୀଭୂତ ହେଲା । ସେ ମୋହନ ଦାସ ଓ ଧୀରେନ୍ଦ୍ରନାଥ ସିଂହ ଉଭୟଙ୍କର ଅନୁସରଣ କରି ତାଙ୍କର ପ୍ରତ୍ୟେକ କାର୍ଯ୍ୟ ପର୍ଯ୍ୟବେକ୍ଷଣ କରିବାକୁ ଲାଗିଲେ । ଦିନ ଦୁଇଟା ମଧ୍ୟରେ ତାଙ୍କର ଉଦ୍ୟମ ସଫଳ ହେଲା । ସେମାନଙ୍କର ଆଉ ଦୁଇ ତିନିଟା ସଙ୍ଗୀ ଥିବାର ଲକ୍ଷ୍ୟ କଲେ; ଚାଲି ଆଡ଼ଟା ମଧ୍ୟ ଆବିଷ୍କାର କରିପାରିଲେ । କିନ୍ତୁ ସେ ଗୁଲିଆଡ଼ା ମଧ୍ୟରେ ପ୍ରବେଶ କରି ନ ପାରିଲେ କାର୍ଯ୍ୟୋଦ୍ଧାର ଆଶା ବୃଥା । ରାଜକିଶୋରଙ୍କର ପ୍ରଧାନ ଚିନ୍ତା ହେଲା–ସେ ଆଡ଼ାରେ ପ୍ରବେଶ କରିବେ କି ନା । ଆଡ଼ାଟା ହେଉଛି ନରେନ୍ଦ୍ର କୋଣରେ ହେମବାଈ ଘରେ । ରାଜକିଶୋରଙ୍କର ଚରିତ୍ରବଳ ଯଥେଷ୍ଟ ଥିଲା । ସେ ବେଶ୍ୟା ଏବଂ ବେଶ୍ୟାଭକ୍ତମାନଙ୍କୁ ଅନ୍ତରର ସହିତ ଘୃଣା କରନ୍ତି । ସେ କହନ୍ତି–ବେଶ୍ୟାଭକ୍ତ ସମସ୍ତ ପ୍ରକାର ପାପର ଆଗାର ଛଡ଼ା ଆଉ କିଛି ନୁହେଁ । ବର୍ତ୍ତମାନ କିପରି ନିଜେ ସେହି ପାପାଗାରରେ ପ୍ରବେଶ କରିବେ ? ସେ ଭାବିଲେ–କାର୍ଯ୍ୟୋଦ୍ଧାର ପାଇଁ ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ ଗଧ ପାଦ ଧାରଣ କରିଥିଲେ । ସେ ବେଶ୍ୟାଳୟକୁ ଗଲେ ବା କ୍ଷତି କ’ଣ ? ପରକ୍ଷଣରେ ପୁଣି ଭାବିଲେ କିନ୍ତୁ ବେଶ୍ୟାଳୟକୁ ଯିବା ଅର୍ଥ ଯିବା ଆଉ ସଙ୍ଗେ ସଙ୍ଗେ ଫେରି ଆସିବା ତ ନୁହେ । ତଦ୍ଦ୍ଵାରା ବା ଲାଭ କ’ଣ ? ବେଶ୍ୟା ସହିତ ଆତ୍ମୀୟତା ସ୍ଥାପନ କରିବା ଅର୍ଥ–ପାପ ନୁହେ, ମହାପାପକୁ ପ୍ରଶ୍ରୟ ଦେବା । ତାହାର ପରିଣାମ କ’ଣ ହେବ, କିଏ କହିପାରେ ? ନିଜେ ଯେ ଦିନେ ଗୋଟିଏ ପାପର ଅବତାର ହୋଇ ଦଣ୍ଡାୟମାନ ନ ହେବେ, ତା’ର ବା ସ୍ଥିରତା କ’ଣ ? ସମୁଦ୍ରରେ ଝାସ ଦେଲେ ଅତଳ ଗର୍ଭକୁ ଯିବ ନାହିଁ ବୋଲି କିଏ କହିପାରେ ?

 

ରାଜକିଶୋର ମନେ ମନେ ବହୁତ ଯୁକ୍ତି ତର୍କ କରି ଶେଷରେ ସ୍ଥିର କଲେ–ଯାହାହେଉ ବେଶ୍ୟା ଘରକୁ ଯିବାକୁ ହେବ ଏବଂ ତା ସହିତ ଆତ୍ମୀୟତା ସ୍ଥାପନ କରିବାକୁ ହେବ । ଆତ୍ମୀୟତା ସ୍ଥାପନ ପାଇଁ ଯାହା ନ କଲେ ନ ଚଳେ, ତାହା ବାହ୍ୟିକ ଭାବରେ କରିବାକୁ ହେବ । ସେଥିରେ ଯଦି ମନର ପରିବର୍ତ୍ତନ ଘଟେ ଏବଂ ନରକରେ ଦିନେ ଡୁବିବାକୁ ପଡ଼େ, ପଡ଼ୁ । ସେଥିପାଇଁ ଆଉ ବା ଉପାୟ କ’ଣ ? ସୁକର୍ମ, କୁକର୍ମ ଭେଦ ରଖି କାର୍ଯ୍ୟ କଲେ କର୍ତ୍ତବ୍ୟରେ ଏଣେ ଯେ ବାଧା ପଡ଼ୁଛି ।

 

ସନ୍ଧ୍ୟା ଉତ୍ତୀର୍ଣ୍ଣ ପ୍ରାୟ । ନରେନ୍ଦ୍ରରୁ ଚନ୍ଦନ ବିହାର ଶେଷ କରି ମଦନମୋହନ ବଡ଼ଦେଉଳକୁ ବିଜେ ହେଉଛନ୍ତି । ଘଣ୍ଟ, କାହାଳୀ ପ୍ରଭୃତି ବିବିଧ ବାଦ୍ୟରେ ବଜାର ପ୍ରକମ୍ପିତ ହେଉଛି-। ବିସିନୀ ଯୁବକ ମାନେ ଦଳ ଦଳ ହୋଇ ବିଚରଣ କରୁଛନ୍ତି । କିଏ କାନ୍ଧ ଉପରେ ପଡ଼ିଥିବା ପାଚିଲା ଗାମୁଛାରେ ମୁହଁଟା ପୋଛି ପକାଇ ଜନତାଙ୍କୁ ଚାହିଁ ଦେଉଛି–ତା’ର ପାଚିଲା ଗାମୁଛା ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରୁଛି କି ନାହିଁ, ସେ ଲକ୍ଷ୍ୟ କରିବାରେ ବ୍ୟସ୍ତ । କିଏ ହାତରେ ବାନ୍ଧିଥିବା ମଲ୍ଲୀହାର ଦେଖାଇ ହେବା ଅଭିପ୍ରାୟରେ କଥା କହିଲାବେଳେ ବାରମ୍ବାର ଅଯଥା ହାତ ହଲାଇ ହେଉଛି । କେହି କେହି ଅତରବୋଳା ସିଲ୍କ ପଞ୍ଜାବୀ ପିନ୍ଧା ବିସିନୀ ନିଜର ମଦନ–ମର୍ଦ୍ଦିତ ଚେହେରା ଦେଖାଇବା ଉଦ୍ଦେଶ୍ୟରେ ଅଯଥା ଉଚ୍ଚହାସ୍ୟ କରିବାରେ ପ୍ରମତ୍ତ । ଚନ୍ଦନ–ଜାତିଆ ନୁଖୁରା ନାଗରମାନଙ୍କୁ ଭୁଲାଇବା ପାଇଁ ହେମ ତା’ର ଯଥାସାଧ୍ୟ ଚେଷ୍ଟାରେ ବେଶବିନ୍ୟାସ କରି ଦ୍ଵାରଦେଶରେ ଦଣ୍ଡାୟମାନ ହୋଇଛି । କେବଳ ଦଣ୍ଡାୟମାନ ହୋଇ ନାହିଁ–ଶୀକାର ଦେଖି ବେଳେ ବେଳେ କୁଟିଳ–କଟାକ୍ଷ-ବାଣ ମଧ୍ୟ ପ୍ରହାର କରୁଛି । ସକାଳୁ ଉଠି ସେ କାହା ମୁହଁଟା ଚାହିଁଥିଲା କେଜାଣି, ତା’ର ସେ ଦିନ ମନୋରଥ ପୂର୍ଣ୍ଣ ହେଲା ନାହିଁ । ତୂଣୀର ଶୂନ୍ୟ ହେଲା–ସେ ନିଜେ ମଧ୍ୟ ଶ୍ରାନ୍ତ କ୍ଳାନ୍ତ ହୋଇ ପଡ଼ିଲା । ଗୋଟାଏ ସୁଦ୍ଧା ଶୀକାର ତା’ର ହସ୍ତଗତ ହେଲା ନାହିଁ । ସେ ବଡ଼ ବ୍ୟଥିତ ହୃଦୟରେ କବାଟଟି ଦରଆଉଜା କରିଦେଇ ଘର ଭିତରକୁ ଚାଲିଗଲା ।

 

ସେତେବେଳକୁ ମଦନମୋହନ ରଜାଙ୍କ ନଅର ପାଖରେ ହୋଇଗଲେଣି । ନରେନ୍ଦ୍ର ପାଖରୁ ଲୋକଙ୍କର ଭିଡ଼ କମିଗଲାଣି । ରାଜକିଶୋର ଆସି ହେମର କବାଟରେ ହାତ ମାରିଲେ । ଶବ୍ଦ ଶୁଣି ହେମ ଦ୍ଵାର ନିକଟକୁ ଦୌଡ଼ି ଆସିଲା । ସହସା ଜଣେ ଅପରିଚିତ ବାବୁଙ୍କୁ ଦେଖି ଆନନ୍ଦରେ ତା’ର ଅନ୍ତର ନାଚି ଉଠିଲା । ସେ ଗଣିକା ସ୍ଵଭାବ–ସୁଲଭ ଯୁବକ–ଭୁଲା ଭଙ୍ଗୀରେ ଥରେ ଚାହିଁ ଦେଇ ମୁହଁ ତଳକୁ କରିନେଲା । ତା ପରେ କହିଲା, “ଭିତରକୁ ଆସୁ ନାହାନ୍ତି !” ରାଜକିଶୋର ବିନା ଆପତ୍ତିରେ ଗୃହମଧ୍ୟରେ ପ୍ରବେଶ କଲେ । ହେମ କୌଣସି କଥା କହିବା ପୂର୍ବରୁ ସେ କହିଲେ, “ବାଇଜୀ ! ମୁଁ ଆସିଛି ଟିକିଏ ମଉଜ ମଜଲିସ ପାଇଁ–କ’ଣ ବୁଝିଲ ? ଗାନଟାନ ଦିଟା ନ ହେଲେ ହେବ ନାହିଁ ।” ହେମ ତା’ର କୌଳିକ ଅଭ୍ୟାସାନୁଯାୟୀ ନାନାଭଙ୍ଗୀରେ ନିଜର ରୂପ ଯୌବନ ଦେଖାଉ ଦେଖାଉ କହିଲା, “ହଁ ବୁଝିଲି ଯେ, ମୁଁ ଏଠାରେ ଏକୁଟିଆ…….” ରାଜକିଶୋର ବାଧା ଦେଇ କହିଲେ, “ମୁଁ ସେ ସବୁ ଶୁଣିବାକୁ ଚାହେଁ ନା ।

 

ନିଅ, ଏତିକିରେ ଆଗ ଆୟୋଜନ କର–ତାପରେ ଦେଖାଯିବ । ଏ କେବଳ ଦର୍ଶନୀ ସ୍ଵରୂପ ଦିଆଗଲା ।” ହେମ ଦେଖିଲା ଦଶଟଙ୍କିଆ ନୋଟ ଖଣ୍ଡେ । ତା’ର ଗୋଡ଼ ଯାଇ ଆକାଶରେ ଲାଗିଗଲା । ମନେ ମନେ କହିଲା, “ଆଜି କି ଯୋଗରେ ରାତି ପାହିଥିଲା କେଜାଣି !” ପୁରୀ ସହରରେ ସେ ନଅ ବର୍ଷ କାଳ ବ୍ୟବସାୟ କଲାଣି–ଏକ କାଳୀନ କାହାଠାରୁ ପାଞ୍ଚ ଟଙ୍କା ସୁଦ୍ଧା ପାଇ ନାହିଁ । ଆଜି ଦର୍ଶନୀ ବାବତକୁ ଦଶ ଟଙ୍କା ଦେଖି ସେ ବଡ଼ ବିସ୍ମିତ ହେଲା । ମଉଜ ମଜଲିସ ପରେ ପୁଣି କ’ଣ ନ ମିଳିବ ! ସେ ଟିକିଏ ଚିନ୍ତାକରି କହିଲା, “ଆପଣ ଏତେବେଳେ କହିଲେ । ଆଗରୁ ଖବର ଦେଇଥିଲେ.….”

 

ରାଜକିଶୋର କହିଲେ “କ’ଣ, ବିଳମ୍ବ ହେବ କହୁଛ ?”

 

“ହଁ, ଟିକିଏ ଡେରି ହେବ । ଆପଣ ଆଉ ଘଣ୍ଟାଏ ଦେଢ଼ ଘଣ୍ଟା ଅପେକ୍ଷା କଲେ…..”

 

“ଭଲକଥା, ଯୋଗାଡ଼ କର ନା–ମୁଁ ବସୁଛି ।”

 

“ତା ହେଲେ ଆପଣ ଥାନ୍ତୁ, ମୁଁ ଟିକିଏ ଆସେ ।”

 

“ଆସିବା ତମର ଡେରି ହେବ ବୋଧ ହୁଏ ?”

 

“ହଁ, ଘଣ୍ଟାଏ ଖଣ୍ଡେ ଡେରି ହେବ ।”

 

“ୟା ମଧ୍ୟରେ ମୁଁ ତାହେଲେ ଦେଉଳରୁ ବୁଲି ଆସେ ।”

 

“ହଉ ଆସନ୍ତୁ ।”

 

ରାଜକିଶୋର ଉଠିଗଲେ, ହେମ ମଧ୍ୟ ତାଙ୍କ ପଛେ ପଛେ ଦ୍ଵାରରେ ତାଲା ବନ୍ଦକରି ବଡ଼ ଦାଣ୍ଡକୁ ଓହ୍ଲାଇ ପଡ଼ିଲା ।

 

ପ୍ରାୟ ଦେଢ଼ ଘଣ୍ଟା ପରେ ଆଉ ତିନି ଜଣ ଗାୟିକା ଆସି ପହଞ୍ଚିଗଲେ । ଯଥାରୀତି ନାଚ ଗାନ ହେଲା । ରାଜକିଶୋର ପକେଟରୁ ପାଞ୍ଚ ଟଙ୍କାର ଆଉ ଚାରିଖଣ୍ଡି ନୋଟ ବାହାର କରି ଗାୟିକା ମାନଙ୍କୁ ବକସିସ୍ ଦେଲେ । ବାଈମାନେ ଟଙ୍କା ଗ୍ରହଣ କରି ବିଦାୟ ସୁଚକ ନମସ୍କାର କଲାବେଳେ ମାଳତୀକୁ ଚାହିଁ ଦେଇ ରାଜକିଶୋର ଚମକି ଉଠିଲେ । ତା ବେକରେ ଯାହା ଦେଖିଲେ, ସେଥିରେ ତାଙ୍କର ଛାତିଟା ଥରି ଉଠିଲା । ସେ କିନ୍ତୁ ବଡ଼ ସାବଧାନର ସହିତ ସେ ଭାବ ଗୋପନ ରଖି ହାସ୍ୟମୁଖରେ ସମସ୍ତଙ୍କୁ ବିଦାୟ ଦେଲେ । ତାଙ୍କର ମନ ଭିତରେ ସେତେବେଳେ ଯେ କିପରି ପ୍ରଳୟ ଝଞ୍ଜା ବହୁଥିଲା, ତା ସେହି ଏକା ଅନୁଭବ କରି ପାରୁଥିଲେ ।

 

ସେ ମାଳତୀ ବେକରେ ଯେଉଁ ସ୍ଵର୍ଣ୍ଣହାର ଦେଖିଲେ, ସେହିପରି ହାରଟି ଦିନେ କିଶୋରୀ ଗଳାରେ ଦେଖିଥିଲେ ଜଗନ୍ନାଥ ମଙ୍ଗରାଜଙ୍କ ଘରେ ।

Image

 

ସପ୍ତମ ପରିଚ୍ଛେଦ

 

ରାଜକିଶୋର ହେମଠାରୁ ବିଦାୟ ନେଇ ସେ ଦିନ କିପରି ଯେ ବସାରେ ପହଞ୍ଚିଲେ, ତା ସେ ଜାଣନ୍ତି ନାହି ।

 

ଶୂନ୍ୟ ପଥରେ ଉଡାଇ ନେଇ ତାଙ୍କୁ ଯେପରି କିଏ ବସାରେ ପକାଇଦେଲା । ରାତ୍ରି ଭୋଜନ ପୂର୍ବରୁ ଶେଷ ହୋଇଥିଲା । ସେ ବସାରେ ପହଞ୍ଚିବା ମାତ୍ରେ କବାଟରେ ଶିକୁଳୀ ଲଗାଇ ଦେଇ ଖଟିଆ ଉପରେ ପଡ଼ିଗଲେ । ଅବଶ ଶରୀରଟି ନିଶ୍ଚେଷ୍ଟ ଭାବରେ ବିଛଣାରେ ପଡ଼ି ରହିଲା ସତ; ମାତ୍ର ତାଙ୍କର ଆଦୌ ନିଦ୍ରାକର୍ଷଣ ହେଲା ନାହିଁ । ସେ ମନେ ମନେ କେତେ କ’ଣ ଭାବିବାକୁ ଲାଗିଲେ–

 

“କିଶୋରୀ କ’ଣ ମାଳତୀର ଅଶ୍ରିତା ? ଏଇ ଦୁର୍ଦ୍ଦଶା ହେଲା ତା’ର ! ତା’ର ଏତେ ଶୀଘ୍ର ଦୂର ଅଧଃପତନ ହେଲା । ଏତେ ବଡ଼ ଜଗତରେ ତାକୁ ସ୍ଥାନ ମିଳିଲା ନାହିଁ ଯେ, ସେ ଚୂଡ଼ଙ୍ଗ ସାହିରେ ବେଶ୍ୟାଘରେ ଆସି ରହିଲା ! ଜଗନ୍ନାଥ ମଙ୍ଗରାଜ ଖବରକାଗଜରେ ଯାହା ଲେଖିଥିଲେ ‘ଖୁବ୍ ସମ୍ଭବ କୌଣସି ଦସ୍ୟୁଦଳ ଦ୍ଵାରା ସେ ଅପହୃତା’ ସେ ସମସ୍ତ ତାହାହେଲେ ମିଥ୍ୟା ! କିଶୋରୀ ସ୍ଵେଚ୍ଛାକ୍ରମେ କୁଳତ୍ୟାଗିନୀ ହୋଇଛି ! କିଶୋରୀ–ସେ ଦିନର ସରଳପ୍ରାଣ କିଶୋରୀ–ତା ଅନ୍ତର ଏପରି କୁଟିଳତାରେ, କପଟତାରେ ଭରା ଥିଲା କିଏ ଜାଣେ ? ମୁଁ ତା’ର ଅନୁସନ୍ଧାନ କରିବା ଲାଗି ସ୍ଥିରସଙ୍କଳ୍ପ ହୋଇଛି–କିନ୍ତୁ ଲାଭ କ’ଣ ? ତାକୁ ମାଳତୀ ଘରେ ବାର ବିଳାସିନୀ ବେଶରେ ଦେଖିବା ବରଂ ନ ଦେଖିବା ଭଲ । ହାୟ କଳଙ୍କିନି କିଶୋରୀ, ତୁ ମାଳତୀ ଘରେ ରହିବା ପୂର୍ବରୁ ଜହର ଖାଇ ଦେଲୁ ନାହିଁ ! ଅମୂଲ୍ୟ ନାରୀତ୍ଵକୁ ପଣ୍ୟଦ୍ରବ୍ୟ ପରି ବଜାରରେ ଯାଚି ବସିଲୁ ! ବର୍ତ୍ତମାନ ମୁଁ ଯେତେଦୂର ଦୁଃଖିତ, ତୁ ମରି ଯାଇଥିଲେ କଦାପି ଏତେଦୂର ଦୁଃଖିତ ହୁଅନ୍ତି ନାହିଁ ।” ସହସା ରାଜକିଶୋରଙ୍କ ଛାତିଟା ଦାଉଁ ଦାଉଁ ହୋଇ ଉଠିଲା । କିଶୋରୀର ମୃତ୍ୟୁ ହୋଇ ନାହିଁ, ଏ କଥା କିଏ କହିବ ? ତା’ର ମୋତି–ମଣ୍ଡିତ ହାର ଯେତେବେଳେ ମାଳତୀ ପିନ୍ଧିଛି, ସେ ମୃତା କି ଜୀବିତା କିଏ କହିବ ସେ କଥା ? ଏପରି ହୋଇ ପାରିଥାଏ, କେହି ଦୁଷ୍ଟ ଲୋକ ତାକୁ କୁଶିକ୍ଷା ଦେଇ କୌଶଳ କ୍ରମେ ଘରୁ ବାହାର କରି ଆଣିଛି । ତା ଠାରେ ବହୁତ ଗୁଡିଏ ଅଳଙ୍କାର ଦେଖି ଧନଲୋଭରେ ତାକୁ ବିଜନରେ ମାରି ଦେଇଛି । ସେ ହାର ହାତକୁ ତିନି ହାତ ହୋଇ ଆଜି ମାଳତୀ ହାତରେ ବୋଧହୁଏ ପଡ଼ିଛି କିମ୍ବା କେହି ତାକୁ ଟଙ୍କା ଲୋଭରେ ବେଶ୍ୟା ଘରେ ବିକ୍ରୟ କରି ଦେଇଛି । ସେ ନିଜର ଦୁରବସ୍ଥା ବୁଝିପାରି ବୋଧହୁଏ ଆତ୍ମହତ୍ୟା କରିଛି । ମାଳତୀ ଆଜି ସେହି ସଯୋଗରେ ତା’ର ମୋତିମଣ୍ତିତ ହାରର ଉତ୍ତରାଧିକାରିଣୀ ।”

 

ରାଜକିଶୋର ପୁଣି ଭାବିଲେ–“ଯେଉଁ ହାରଟି ଦେଖି ମୁଁ ଏତେ ଗୁଡ଼ାଏ ଦୁଶ୍ଚିନ୍ତାକୁ ମନରେ ସ୍ଥାନ ଦେଇଛି, ସେ ହାର ଯେ କିଶୋରୀର ତା’ର ପ୍ରମାଣ କ’ଣ ? ସେପରି ହାର ଯେ ଆଉ କାହାରି ନାହିଁ ତା’ର ବା ପ୍ରମାଣ କ’ଣ ? ଗୋଟିଏ ବଣିଆ ହାତର ଦୁଇଟି କାମ ଏକାପରି ଦିଶିବା ତ ଅସମ୍ଭବ ନୁହେ ।’’

 

ରାଜକିଶୋର ଏହିପରି ବହୁତ ଚିନ୍ତା କଲେ; କିନ୍ତୁ କୌଣସି ପ୍ରକାର ସିଦ୍ଧାନ୍ତରେ ଉପନୀତ ହୋଇପାରିଲେ ନାହିଁ । ଉପଯୁକ୍ତ ପ୍ରମାଣ କିଛି ନ ମିଳୁଥିଲେ ସୁଦ୍ଧା ତାଙ୍କର ହୃଦୟଭିତରୁ କିଏ ଜଣେ କହି ଉଠୁଥିଲା–‘ସେ ହାର ନିଶ୍ଚୟ କିଶୋରୀର ।’

 

ପରଦିନ ସନ୍ଧ୍ୟାରେ ରାଜକିଶୋର ଯେତେବେଳେ ହେମର ଦ୍ଵାରରେ ପହଞ୍ଚିଲେ, ହେମ ସେତେବେଳେ ପାନ ଡାଲାଟି ଆଗରେ ଥୋଇ ପାନ ଭାଙ୍ଗୁଥିଲା–ରାଜକିଶୋରଙ୍କୁ ଦେଖି ଠିଆ ହୋଇଗଲା । ଦରହାସ–ବୋଳା ବଧୁଳୀ ଅଧର କମ୍ପାଇ ସେ କହିଲା “ବସନ୍ତୁ ।” ରାଜକିଶୋର ଆସନ ଗ୍ରହଣ କଲେ; କିନ୍ତୁ ପୂର୍ବଦିନ ପରି ହସ ହସ ମୁହଁରେ ସାଦରାଳାପ କଲେ ନାହିଁ । ପ୍ରଥମ ବନ୍ଧୁତା ସ୍ଥାପନ କରିବା ସମୟରେ ସାଧାରଣତଃ ଲୋକେ ଟିକିଏ ସଙ୍କୋଚ ବୋଧ କରିଥାନ୍ତି । ତାପରେ ଆସ୍ତେ ଆସ୍ତେ ସେ ସଙ୍କୋଚ ଅପସାରିତ ହୋଇଯାଏ ବେଶୀ ଘନିଷ୍ଠତା ଆସିଗଲେ । ହେମ ବେଶ୍ୟା–ଚତୁରା ସେ । ଗତକାଲି ରାଜକିଶୋରଙ୍କର ଯେପରି ଫୁର୍ତ୍ତ ଓ ରସିକପଣିଆ ଦେଖାଯାଉଥିଲା, ଆଜି ତାଠାରୁ ବେଶୀ ହେବାର କଥା; କିନ୍ତୁ ଫଳରେ ଓଲଟା ଦେଖି ହେମ ବୁଝି ପାରିଲା ନିଶ୍ଚୟ ଏହାର କିଛି ବିଶେଷ କାରଣ ଅଛି । ସେ ରାଜକିଶୋରଙ୍କ ହାତକୁ ପାନ ବଢ଼ାଇ ଦେଇ କହିଲା “ଆଜି କାହିଁକି ଆପଣ ଶୁଖିଲାଟା ଦିଶୁଛନ୍ତି ?” ରାଜକିଶୋର ଟିକିଏ ଇତସ୍ତତଃ କରି କହିଲେ, “ମୋର ଦେହଟା କାହିଁକି ଭଲ ଲାଗୁ ନାହିଁ । ବସାରେ ନିତାନ୍ତ ଖରାପ ବୋଧ ହେବାରୁ ତମ ପାଖକୁ ପଳାଇ ଆସିଲି ।” ହେମ ରାଜକିଶୋରଙ୍କର ମସ୍ତକ ଆଉସିଁ ପକାଇ କହିଲା “ତା ହେଲେ ଶୋଇପଡ଼ ଟିକିଏ ।” ରାଜକିଶୋର ବାଧ୍ୟ ଶିଶୁଟି ପରି ଶୋଇ ପଡ଼ିଲେ । ପ୍ରାୟ ଦଶ ମିନିଟ ନୀରବରେ କଟିଗଲା । ରାଜକିଶୋର ଉଠି ବସିଲେ । କହିଲେ, “ହେମ, ବହୁତ ଗୁଡ଼ାଏ କାମ ବାକୀ ଅଛି–ମୁଁ ଆସୁଛି ।” ହେମ କିଛି ଉତ୍ତର କଲା ନାହିଁ । ରାଜକିଶୋର ଘରୁ ବାହାରି ଯିବାବେଳେ ହେମର ହାତଟି ଧରି ତା ମୁଠା ଭିତରେ ଦୁଇଟି ଟଙ୍କା ଗୁଞ୍ଜି ଦେଇ ଚାଲିଗଲେ ।

 

ସେ ଦିନ ରାତିଟା ଯାକ ହେମ କେତେ କ’ଣ ଭାବିଲା । ଦୁଇ ଦିନ ହେଲା ଯେଉଁ ନୂଆ ବାବୁଟି ଆସୁଛନ୍ତି, ତାଙ୍କପରି ଲୋକ ତ ସେ କେବେ ଦେଖି ନାହିଁ । ରସିକ ଯେମିତି ଗ୍ରାହକ ବି ସେମିତି । ବନ୍ଦୋବସ୍ତ ଅଫିସରେ କାମ କରୁଚନ୍ତି ବୋଲି କହୁଥିଲେ । ବନ୍ଦୋବସ୍ତରେ ରହିଲେ ଖୁବ୍ ପଇସା ମିଳେ । ବାବୁଟିର ବୟସ ଅଳ୍ପ ହେଲେ କ’ଣ ହେଲା ରୋଜଗାରୀ ଏକା । ଆଜି ପାନ ଦିଖଣ୍ଡ ଖାଇଲେ ବୋଲି ଦୁଇଟା ଟଙ୍କା ଦେଇଗଲେ–କି ଅମୀର ମିଜାଜ୍ !

 

ବେଶ୍ୟାର ଅନ୍ୟ ନାମ ରୂପାଜୀବା । କିପରି କୌଶଳରେ ରୂପ ବିକ୍ରୟ କରିବାକୁ ହୁଏ ତା ସେମାନେ ବେଶ୍ ଜାଣନ୍ତି, ତାଙ୍କଠାରେ ସ୍ନେହ,ପ୍ରୀତି, ପ୍ରେମ, ଏ ସବୁର ଗନ୍ଧ ସୁଦ୍ଧା ନାହିଁ । ନାଗର ମନଭୁଲା ସ୍ନେହାଦରର ଯେଉଁ ଅଭିନୟ କରନ୍ତି, ସେ ସବୁ ମିଥ୍ୟା,ସବୁ ଭଣ୍ଡାମି । ସେ କପଟ ଅଭିନୟ କେବଳ ଅର୍ଥଲୋଭରେ । ଅର୍ଥ ସେମାନଙ୍କ ନିକଟରେ ସବୁଠାରୁ ବଡ଼–ସ୍ଵର୍ଗୀୟ ! ଅର୍ଥର ମୋହରେ ସେମାନେ ଯାବତୀୟ ଅସାଧ୍ୟ ସାଧନ କରିବାକୁ ସୁଦ୍ଧା କୁଣ୍ଠିତ ବା ପଶ୍ଚାତ୍ ପଦ ନୁହନ୍ତି । କିପରି କୌଶଳରେ ଲୋକମାନଙ୍କର ମନ ଭୁଲାଇ ଅର୍ଥ ଉପାର୍ଜନ କରିବେ, ଦିନରାତି ସେମାନଙ୍କ ସେହି ଚିନ୍ତା ।

 

ହେମ ଯେତେ ବେଳେ ବୁଝି ପାରିଲା ବାବୁଟି ପ୍ରଚୁର ଅର୍ଥର ମାଲିକ; ଆନନ୍ଦର ତା’ର ସୀମା ରହିଲା ନାହିଁ । କିପରି ତାଙ୍କୁ ମାୟାଜାଲରେ ପକାଇ ତାଙ୍କର ଅର୍ଥତକ ଆତ୍ମସାତ କରିବ, ସେହି ଚିନ୍ତା କରିବାକୁ ଲାଗିଲା । ସେ ସାରା ରାତ୍ରି ସେହି ଅର୍ଥର ସ୍ଵପ୍ନ ଦେଖିବାକୁ ଲାଗିଲା । ରାତି ପାହିଲା; କିନ୍ତୁ ହେମର ସେ ଚିନ୍ତା ଶେଷ ହେଲା ନାହିଁ । ସେ ଅନ୍ୟାନ୍ୟ ଗୃହକର୍ମ କରୁଥିଲେ ସୁଦ୍ଧା ମନମଧ୍ୟରେ ସେହି ଅର୍ଥର ଚିନ୍ତା କରିବାକୁ ଲାଗିଲା ।

 

ସନ୍ଧ୍ୟା ହେବାକୁ ଅଳ୍ପମାତ୍ର ବିଳମ୍ବ ଅଛି । ରାଜକିଶୋର ହେମ ଘରେ ଉପସ୍ଥିତ ହେଲେ;ଅସମୟରେ ରାଜକିଶୋରଙ୍କୁ ନିକଟରେ ଦେଖି ହେମ ମନେ ମନେ ଆନନ୍ଦିତ ହୋଇ ଉଠିଲା । ଭାବିଲା–ଯାହାହେଉ ଆଉ ବେଶୀ ପରିଶ୍ରମ କରିବାକୁ ହେବ ନାହିଁ–ଶିକାର ବଳେ ବଳେ ଧରା ପଡ଼ିଲାଣି । ଟିକିଏ ଗର୍ବ ମଧ୍ୟ ଅନୁଭବ କଲା । ତା’ର ଗର୍ବ ଅନୁଭବ କରିବାର କଥା ଏକା । ରାଜକିଶୋରଙ୍କ ପରି ସୁଖଦର୍ଶନ ଯୁବକ ତା’ର ରୂପରେ ମୋହିତ, ଏହିଠାରୁ ବଳି ଗର୍ବର ଓ ଗୌରବର ବିଷୟ ତା ପକ୍ଷରେ ଆଉ କ’ଣ ଅଛି ? ଭଗବାନ ଏତେ ଦିନ ପରେ ହେମପ୍ରତି ସଦୟ ହୋଇଛନ୍ତି । ରାଜକିଶୋରଙ୍କ ସାହାଯ୍ୟରେ ଅଚିରେ ତା ଭାଗ୍ୟର ପରିବର୍ତ୍ତନ ଘଟିବ ।

 

ହେମ ମାଦକଭରା ହସଟାଏ ହସି କହିଲା “ଏ ଅବେଳାରେ କିପରି ଅନୁଗ୍ରହ ହୋଇଗଲାମ ?” ରାଜକିଶୋର ତା’ର ହାତଟି ଧରି ପକାଇ ଆଦର କରି କହିଲେ “ହେମ ବାଈଙ୍କର ଅନୁଗ୍ରହ ପାଇବା ଲାଗି । ମୁଁ ବଡ଼ ଆଶ୍ଚର୍ଯ୍ୟ ହେଉଛି, ଦିନ ଦୁଇଟା ଭିତରେ ତମେ କ’ଣ ଜଉ କରିଦେଲେ ଯେ, ଘରେ କ’ଣ ଅଫିସରେ କ’ଣ, କେଉଁଠାରେ ଆଉ ମନ ଲାଗୁ ନାହିଁ ।” ହେମ ନାସିକା ପୁଡ଼ା ଫୁଲାଇ କପଟ ଅଭିମାନ କରି କହିଲା, “ହଁ, ସେ ମନଭୁଲାଣିଆ କଥାରେ ଭୁଲିଯିବି–ମୁଁ ପିଲା ହୋଇ ନାହିଁ ।” ରାଜକିଶୋର ଶଠ ପଣରେ ତା ଠାରୁ ଆଉ ପାହାଚେ ଉପରକୁ ଉଠିଗଲେ-। ହେମର ସେହି କଥା ଦୁଇ ପଦରେ ତାଙ୍କର ଦେହ ଯେପରି ପ୍ରାଣଶୂନ୍ୟ ହୋଇଗଲା–ମୁଁହର ରଙ୍ଗ ବଦଳିଗଲା । ହୃଦୟରେ ଅସହ୍ୟ ବେଦନା ଅନୁଭବ କରୁଥିବାର ଅଭିନୟ କରି ଅତି କ୍ଷୀଣ ଏବଂ କମ୍ପିତ କଣ୍ଠରେ କହିଲେ, “ହେମ, ତମଠାରୁ ଏପରି କଥା ଶୁଣିବି ବୋଲି ମୁଁ ସ୍ଵପ୍ନରେ ସୁଦ୍ଧା ଭାବି ନ ଥିଲି । ମୋର ଭାଗ୍ୟ ଏଡ଼େ ଖରାପ ଯେ ଯାହାକୁ ନିଜର ବୋଲି ଭାବୁଛି ସେ ମୋତେ ସାତ ପର କରୁଛି । କି ଦୁର୍ଯୋଗ… !” ହେମ ବାଧା ଦେଇ କହିଲା “ହଁ, କାଲି କ’ଣ ମୁଁ ଜାଣି ନାହିଁ ? ପଅର ଦିନ କଥାକୁ କାଲି କଥା ତମେ ନିଜେ ଭାବିଲ ଦେଖି । ମୋ ହାତରେ ଟଙ୍କା ଦିଟା ଗୁଞ୍ଜି ଦେଇ ଯେତେବେଳେ ଚାଲିଗଲ, ଭାବିଲି,ସେ ଟଙ୍କାକୁ ତମରି ଆଗରେ ଫିଙ୍ଗି ଦେବି କାଳେ ତମ ମନରେ କଷ୍ଟ ହେବ… । ତମେ ଭାବୁଥିବ ବେଶ୍ୟା ଜାତି ଅର୍ଥପ୍ରିୟ–ତାଙ୍କର ଅର୍ଥ ପାଇଲେ ହେଲା; କିନ୍ତୁ ପରମେଶ୍ଵର ଜାଣନ୍ତି କାଲି ମୋ ମନ ଯାହା ହୋଇଚି । ରାତିରେ ଚୁଲିକି ଲୁଣ୍ଡା ଯାଇଚି ମୋର ? ସ୍ନେହ, ଆଦର ଠାରୁ ଟଙ୍କା କ’ଣ ବଡ଼ ? ଟଙ୍କା ପଇସାରେ ପ୍ରେମ କ’ଣ କିଣା ହୁଏ ? ହେଲେ ବି ସେ କ’ଣ ବେଶୀ ଦିନ ରହେ ?”

 

“ମୋତେ ଆଉ ସେ ସବୁ ବୁଝାଇବାକୁ ହେବ ନାହିଁ । ବିଶେଷତଃ ତମକୁ ମୁଁ ଭଲକରି ଚିହ୍ନିଛି । ଲୋକର ମୁହଁକୁ ଚାହିଁ ଦେଲେ ମୁଁ ତା’ର ପେଟ ଭିତରେ ଦେଖିପାରେ । ତା ନ ହେଲେ ସହରରେ କେତେ ଲୋକ ନାହାନ୍ତି–ତମ ପାଖକୁ ଆସିଲି କାହିଁକି ? ମୁଁ ରୂପ ଚାହେଁ ନା–ଚାହେଁ ଗୁଣ-। ତମକୁ ଯେ ଏତେ ଦିନପରେ ପାଇଛି, ସେ ମୋର ଭାଗ୍ୟ ବୋଲି କହିବାକୁ ହେବ ।”

 

“ଆଉ ତେବେ ? କହନ୍ତି ପରା ପୁରୁଷ ଭଅଁର ଜାତି । ବିଶ୍ଵାସ ନାହିଁ ତମକୁ ।”

 

“କାହିଁକି ? ମୋ କଥାରେ ତମର ବଶ୍ଵାସ ହେଉ ନାହିଁ ?”

 

“କେମିତି ବିଶ୍ଵାସ ହେବ ? ତମେ ସତ କହିଲ–କାଲି ଆସିଲ କି ନାହିଁ, କଥା ନାହିଁ ବାର୍ତ୍ତା ନାହିଁ ସଙ୍ଗେ ସଙ୍ଗେ ଚାଲିଗଲ । କାହିଁକି ? ମନଟା ବଡ଼ ଉଣା ଦିଶୁଥିଲା । ଆଜି ବି ଦିଶୁଛ ସେଇ ରକମ–କାରଣ କ’ଣ ?” ରାଜକିଶୋର ଗୋଟିଏ ଦୀର୍ଘ ନିଶ୍ଵାସ ତ୍ୟାଗ କଲେ–କିଛି କହିଲେ ନାହିଁ । ହେମ ରାଜକିଶୋରଙ୍କ କୋଳରେ ବସି ପଡ଼ିଲା । ଡାହାଣ ହାତରେ ତାଙ୍କର ଚିବୁକ ଧରି ସୋହାଗଭରେ କହିଲା, “ତମକୁ ମୋ ରାଣ, ସତ କୁହ । ତମର ଏ ବିରସ ମୁଁହ ଦେଖି ମୋତେ ବଡ଼ କଷ୍ଟ ଲାଗୁଛି ।” ରାଜକିଶୋର ଆଉ ଗୋଟିଏ ବେଦନାଭରା ଦୀର୍ଘ ନିଶ୍ଵାସ ତ୍ୟାଗ କରି କହିଲେ “ହେମ, ତମ ପାଖରେ ମିଛ କହିବାକୁ ମୋର ଜିଭ ଲେଉଟୁ ନାହିଁ । କାହିଁକି–ସବୁ ସତ କଥା କହିବି । କିନ୍ତୁ ସେ ବହୁତ କଥା ।” କହୁ କହୁ ପକେଟରୁ ଗୋଟିଏ ସୁନାର ସୁନ୍ଦର ହାର ବାହାର କରି ହେମ ହାତକୁ ବଢ଼ାଇଦେଲେ । କହିଲେ–‘ଦେଖିଲ ଏ ହାରଟି ।’

 

“ବାଃ, ବଡ଼ ସୁନ୍ଦର ହାର । କାହାର ଏ ?”

 

“ତମେ ଦେଖନା ପସନ୍ଦ ହେଉଛି କି ନାହିଁ ।”

 

“ପସନ୍ଦ ହେବ ନାହିଁ କାହିଁକି ? ବଡ଼ ଚମତ୍କାର ହୋଇଛି । ଦାମ କେତେ ୟାର ?”

 

ରାଜକିଶୋର ସେ ହାରଟି ନେଇ ହେମର ଗଳାରେ ଲମ୍ବାଇ ଦେଲେ । ହେମ ନିର୍ବାକ୍ ବିସ୍ମୟରେ ତାଙ୍କର ମୁହଁକୁ ଦଣ୍ଡେ କାଳ ଚାହିଁ ରହିଲା । ତାପରେ କହିଲା “ଏ କଅଣ ମ ? ମୁଁ କିଛି ବୁଝିପାରୁ ନାହିଁ ।”

 

“କହିଛି ପରା ବହୁତ କଥା । ଏଡ଼େ ଚଞ୍ଚଳ କିପରି ବୁଝି ପାରିବ ?”

 

ହେମକୁ ଆହୁରି ଆଶ୍ଚର୍ଯ୍ୟ ବୋଧ ହେଲା । ସେ ବିସ୍ମୟାନ୍ଵିତ ଭାବରେ କହିଲା “ଆଛା, କ’ଣ କହିଲ ସବୁ କଥା । ତମର ମନ ଦୁଃଖର କାରଣ କ’ଣ ?”

 

“ଏ ହାରଟି ହେଉଛି ମୂଳ କାରଣ ।”

 

“କାହିଁକି ?”

 

“ଆଜିକି ପନ୍ଦର ଦିନ ତଳେ ମୋର ସ୍ତ୍ରୀ ତାଙ୍କ ପାଇଁ ଗୋଟିଏ ଭଲ ହାର କିଣିବାକୁ କହିଲେ । ଦକ୍ଷିଣରେ ଭଲ ସୁନା ମିଳେ ବୋଲି ମୁଁ ବିଜୟନଗର ଯାଇ ପାଞ୍ଚଶ ଟଙ୍କାରେ ଏ ହାରଟି ଆଣିଲି । ହାର ଆଣିବାର ଆଜିକି ଚାରିଦିନ ହେଲା । ସ୍ତ୍ରୀଙ୍କର କିନ୍ତୁ ଏ ହାର ଆଦୌ ପସନ୍ଦ ହେଉ ନାହିଁ ।”

 

“ଏ ହାର ପସନ୍ଦ ହେଉ ନାହିଁ ? ବଡ଼ ଆଶ୍ଚର୍ଯ୍ୟ କଥା ତ । ଆଛା, ଏ ହାର ପସନ୍ଦ ନ ହେବାର କାରଣ କ’ଣ ? କ’ଣ କହୁଛନ୍ତି ସେ ?”

 

“ସେ କହନ୍ତି ଯେ, ଚୂଡ଼ଙ୍ଗ ସାହିରେ ଗୋଟିଏ ସ୍ତ୍ରୀ ବେକରେ ସେ ଗୋଟିଏ ହାର ଦେଖିଛନ୍ତି । ସେ ହାରଟି କେଉଁଠି ଭାରି ସୁନ୍ଦର । ସେହିପରି ହାରଟି ଦେଲେ ତାଙ୍କର ଯାଇ ପସନ୍ଦ ହେବ । ସେଥିଲାଗି ଦୁଇଦିନ ହେବ ଘରେ କଳିଗୋଳର ଧୂମ ଉଠୁଛି । ଆଜି ଦିନଯାକ ମୁଁ କିଛି ଖାଇ ନାହିଁ ପରା ।”

 

“ଆହା, ସେଥିପାଇଁ ତ ମୁହଁ କାନ ଶୁଖି ଯାଇଛି । ସ୍ଵାମୀ ଦିନମାନ ଖାଇ ନାହାନ୍ତି–ଏ କଥା ତାଙ୍କ ଦେହ ସହିଛି କିମିତି ମ ?”

 

“ହେମ, କହନା ସେ କଥା । ସେ ସ୍ତ୍ରୀ ଲାଗି ମାସରେ ପନ୍ଦର ଦିନ ମୋତେ ଏକାଦଶୀ କରିବାକୁ ପଡୁଛି ।”

 

“କଥାରେ କହନ୍ତି ‘ସ୍ତ୍ରୀ ନାଶ ହୁଏ ହାଟକୁ ଯାଇ, ପୁରୁଷ ନାଶ ହୁଏ ଓପାସ ଶୋଇ ।’ ତମେ ପୁରୁଷ ପୁଅ । ମାଇପଙ୍କ କଥାରେ ଏତେ ଛଳ କରୁଛ କାହିଁକି ? ଓପାସ ଶୋଇବା ଆପଣାକୁ ହାନି ସିନା ।”

 

“କ’ଣ କରିବି ? ଇଚ୍ଛା କରି କ’ଣ ମୁଁ ଉପବାସ ରହୁଛି ?”

 

“ସେଭଳି କଥା ମାଇଚିଆଙ୍କ ମୁହଁକୁ ମାନେ । ସ୍ତ୍ରୀ ଗୋଟାକୁ ଯେ ଜବଦ କରି ନ ପାରେ, ସେ କି ମଣିଷ ?”

 

“ତମେ ବୁଝି ପାରୁନା । ଇଚ୍ଛା କଲେ ମାଡ଼ରେ ହାଡ଼ଗୋଡ଼ ଭାଙ୍ଗି ଦିଅନ୍ତି–ସେ କ’ଣ ଭଲ ହେବ ? ଆମେ ଜଣେ କର୍ମଚାରୀ । ଭଦ୍ର ସମାଜରେ ନାମ ଲେଖାଇଛୁ । ଦାଣ୍ଡ ଶୁଣି କ’ଣ କହିବେ-?”

 

“ହଁ, ସତ କଥା, ଆଚ୍ଛା ତମେ ଏ ହାରଟି ମୋ ବେକରେ କାହିଁକି ଦେଲ ଭଲା ? ବେଶୀ ଅଶାନ୍ତି କଳିଗୋଳ ହେବ ସିନା ।”

 

“ନା, ସେ ପରା ଏ ହାର ପିନ୍ଧିବେ ନାହିଁ ବୋଲି ପ୍ରତିଜ୍ଞା କରିଛନ୍ତି ।”

 

“ତେବେ ତାଙ୍କର ଇଚ୍ଛା ଯେମିତି, ସେମିତି ହାରଟିଏ ଗଢ଼ାଇ ଦେଲେ ତ ସବୁ ଅଡ଼ୁଆ ତୁଟିଯାନ୍ତା । ସେ ହାର ଏମିତି କେତେ ଦାମ୍ ହେବ କି ?”

 

“ଦାମ୍ ସାଙ୍ଗରେ କିଛି ଯାଏ ଆସେ ନାହିଁ । ଦଶ ହଜାର ପଡ଼ିଲେ ବି ମୋତେ ଭଗବାନ ସେ ବିଷୟରେ ଊଣା କରି ନାହାନ୍ତି ।”

 

“ତେବେ ଦେଉନା କାହିଁକି ? ଏତେ ଭୋକ ଓପାସରେ ନିଜ ଦେହକୁ କଷ୍ଟ ଦେଉଚ ?”

 

“କ’ଣ କରିବି ? ଚୂଡ଼ଙ୍ଗ ସାହିରେ ସେ ସ୍ତ୍ରୀ ଲୋକ କେଉଁଠି ମୁଁ କେଉଁଠି ? ତା ବେକରେ ଅଛି ହାର–ସେହିପରି ହାରଟି ଭଲା ମୁଁ ଗଢ଼ାଇବି କିପରି ?”

 

“ଆଛା, ସେ ସ୍ତ୍ରୀଲୋକର ପରିଚୟ ଜାଣ ?”

 

“ବିଶେଷ ପରିଚୟ ଜାଣେ ନା । ତେବେ ତାଙ୍କଠାରୁ ଏତିକି ଶୁଣିଛି–ବଡ଼ ଦାଣ୍ଡରୁ ଚୂଡ଼ଙ୍ଗ ସାହିକୁ ଗଲାବେଳେ ଠିକ୍ ମୋଡ଼ ଉପରେ ବାଁ ପାଖକୁ ତା’ର ଘର ।“

 

“ତା ହେଲେ ସେ ତ ମାଳତୀ । ମାଳତୀ ଘର ତ ସେହି ମୋଡ଼ ଉପରେ ବାଁ ପାଖକୁ । ସେଠି ତ ଆଉ କାହିରି ଘର ନାହିଁ ।”

 

“ତମେ ତାହହେଲେ ଚିହ୍ନ ତାକୁ ?”

 

“ମାଳତୀକୁ ଚିହ୍ନି ନାହିଁ ? ମୋ ସଙ୍ଗାତ ଯେ ! ସେ ପରା ପଅରି ଦିନ ଆସିଥିଲା ଇଠିକି-।”

 

“ଟିକିଏ କଷ୍ଟ କରନ୍ତୁ ମୋପାଇଁ ତାହାହେଲେ । ବଡ଼ ଉପକାର କରନ୍ତୁ ଏକା । ବଞ୍ଚିଯାନ୍ତି ପରା ମୁଁ ।”

 

“ଏଥିରେ ଗୋଟାଏ କଷ୍ଟ କଥା କ’ଣ ଅଛି ? ମୁଁ ଆଜି ବୁଝି ଦେଉଛି ।”

 

“ହେମ । ରାଣ ଅଛି ମୋତେ, ଯଦି ତମେ ଏତକ ଉପକାର କରିବ, କ’ଣ କହିବି………ଚିରଦିନ ମୁଁ ତମର କିଣା ହୋଇ ରହିବି । ଗୋଟାଏ କାହିଁକି ଯୋଡ଼ାଏ ସେହିପରି ହାର ଗଢ଼ାଇବି । ଗୋଟାଏ ତାଙ୍କର, ଆଉ ଗୋଟଏ ତମର ।”

 

“ନାହିଁ, ମୋର ଦରକାର ନାହିଁ । ମୁଁ ମଜୁରି ନେବି ନାହିଁ କି ବୁଝିପାରିବି ନାହିଁ ।”

 

“ଛି, ତମେ ବଡ଼ ଅଭିମାନିନୀ । ମୁଁ କ’ଣ କହିଲି ମଜୁରୀ ଦେବାକୁ ?”

 

“ମଜୁରି ନୁହେଁ ତ ମୋ ପାଇଁ ପୁଣି ଗୋଟାଏ ହାର ଗଢ଼ାଇବ କାହିଁକି ?”

 

“ସେ ପରା ବଡ଼ ସୁନ୍ଦର ହାର ।ତମପରି ସୁନ୍ଦରୀ…..”

 

“ଥାଉ ଥାଉ, ଏତେ ପ୍ରଶଂସା ଲୋଡ଼ା ନାହିଁ ମୋର । ତମେ ବସିଥାଅ–ମୁଁ ଯାଉଛି ଅବିକା ବୁଝି ଆସିବି ।”

 

“ଆଛା, ମାଳତୀ ପଅର ଦିନ ଆସିଥିଲା ବୋଲି କହୁଛ ପରା–କିଏ ସେ କହିଲ ?”

 

“ସେଇ ଯେ ତମରି ପାଖକୁ ଲାଗି ବସିଥିଲା ।”

 

“ଆଜି ବି ସେମାନଙ୍କୁ ଡକାଅ–ନାଚ ଗାନ ହେବ । ଏଇଠାରେ ବୁଝିନେବ ।”

 

“ହଉ, ତମର ଯେମିତି ଇଚ୍ଛା ।”

 

“ନିଅ ୟାକୁ ରଖ, ମୁଁ ଯାଉଛି ଷ୍ଟେସନ ଆଡେ ବୁଲିଆସେ; ଜଣେ ବନ୍ଧୁଙ୍କର ଆଜି ସଞ୍ଜ ପାସେଞ୍ଜରରେ ଆସିବାର ଅଛି ।”

 

ରାଜକିଶୋର ପକେଟରୁ ଦଶଟଙ୍କିଆ ନୋଟ ଖଣ୍ଡିଏ ବାହାର କରି ହେମ ଆଗରେ ଥୋଇଦେଲେ । ହେମ ସେ ନୋଟଖଣ୍ଡି ରାଜକିଶୋରଙ୍କ ଉପରକୁ ଫିଙ୍ଗି ଦେଇ କହିଲା “ଏ କ’ଣ ମ-? ସବୁ ଦିନେ ଗୋଟାଏ ଢଙ୍ଗ ବାହାରୁଛି ।”

 

ରାଜକିଶୋର ଜୋର କରି ହେମ ହାତରେ ସେ ଖଣ୍ଡିକ ଗୁଞ୍ଜି ଦେଇ କହିଲେ “ଛି, ହେମ-! ତୁମେ ବଡ଼ ଅବୁଝା, ଏ ପରା ମୋର ସ୍ନେହର ଦାମ୍–ରଖିବ ନାହିଁ ?” ହେମ ଆଉ ପ୍ରତିବାଦ କଲା ନାହିଁ । ରାଜକିଶୋର ଉଠି ଚାଲିଗଲେ ।

Image

 

ଅଷ୍ଟମ ପରିଚ୍ଛେଦ

 

ସଙ୍ଗାତର ଡାକରାରେ ମାଳତୀ ଅନ୍ୟାନ୍ୟ ସହଚରୀମାନଙ୍କ ସହ ଯଥାସମୟରେ ଆସି ଉପସ୍ଥିତ ହେଲା । ରାଜକିଶୋର ସେପର୍ଯ୍ୟନ୍ତ ଫେରି ନଥିଲେ । ଦୁଇ ସଙ୍ଗାତ ଏକାନ୍ତରେ ବସି ଦୁଃଖ ସୁଖ ହେଲେ । ହେମ ମନେ ମନେ ମାଳତୀର ଗଳାକୁ ଲକ୍ଷ୍ୟ କରୁଥାଏ । କିନ୍ତୁ ମାଳତୀର ଗଳଦେଶ ବସ୍ତ୍ରାବୃତ ଥିବାରୁ ବହୁ ଚେଷ୍ଟା କରି ସୁଦ୍ଧା ସେ କିଛି ଦେଖିପାରିଲା ନାହିଁ । ବସ୍ତ୍ରାବରଣ ଭେଦ କରି କେବଳ ଗୋଟାଏ ଜ୍ୟୋତି ବାହାରୁଥିବାର ଲକ୍ଷ୍ୟ କଲା । କହିଲା, “ସଙ୍ଗାତ, ତମ ଛାତି ଉପରେ ଚକ୍ ଚକ୍ ଦିଶୁଛି କ’ଣ ସେ ?” ମାଳତୀ ତା’ର ବକ୍ଷ ବସ୍ତ୍ର ଈଷତ୍ ଉନ୍ମୋଚନ କରି ମୁକ୍ତାରାଜି–ଖଚିତ ସୁରମ୍ୟ ସ୍ଵର୍ଣ୍ଣ ହାରଟି ଦେଖାଇ କହିଲା, “ଏ ହାରରେ ମୋତି ଅଛି ଯେ, ସେଇ ଚକ୍ ଚକ୍ ଦିଶୁଛି ।” ହେମ ସେ ହାରଟି ନିଜ ହାତରେ ପରୀକ୍ଷା କରି ଦେଖିଲା । କହିଲା, “ବଡ଼ ସୁନ୍ଦର ହାର ଏକା । କେଉଁଠି ଏ ହାର ତିଆରି କରାଇଥିଲ ? ଦାମ୍ କେତେ ?” ମାଳତୀ ଉଚ୍ଚ ହାସ୍ୟ କରି କହିଲା, “କୋଡ଼ିଏ ଟଙ୍କା !” ହେମ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ଵିତ ଭାବରେ ପ୍ରଶ୍ନ କଲା, “କୋଡ଼ିଏ ଟଙ୍କା ? ସୁନାଟି ଏ ?” “ପରଖୁନା–ଅସଲି ଏକ ନମ୍ବର ସୁନା କି !”

“ଏ ପାଞ୍ଚ ସାତ ଭରି ହେବ କି କ’ଣ–କୋଡ଼ିଏ ଟଙ୍କା ୟାର ଦାମ୍ କେମିତି ହେଲାମ ? କିଣିଥିଲ ନା ଗଢ଼ାଇଥିଲ ?”

“କିଣିଥିଲି ।”

 

“କେବେ ?”

 

“ମାସେ ହେବ ।’’

 

“କ’ଣ କହୁଛମ, ମୁଁ ତ କାବା ହେଲିଣି ତମ କଥା ଶୁଣି ! ଚାରିଶ କି ପାଞ୍ଚଶ ଟଙ୍କାର ହାର, ତମେ କୋଡ଼ିଏ ଟଙ୍କାରେ କେମିତି କିଣିଲ ?”

 

“ମୁଁ କ’ଣ ମିଛ କହୁଛି ? ମୋ ରାଣ ସଙ୍ଗାତ, କୋଡ଼ିଏ ଟଙ୍କାରେ କିଣିଚି ପରା ।”

 

“ଏମିତିକା ହାର ମୋତେ ଗୋଟାଏ ଦେଲ–ମୁଁ ଚାଳିଶ ଟଙ୍କା ଦେବି ।”

 

ମାଳତୀ ହସି ହସି ହେମକୁ କୁଣ୍ଢାଇ ପକାଇଲା । କହିଲା “ଏ ହାର ଚାରିଶ ପାଞ୍ଚଶ କ’ଣ କହୁଚମ–ଆହୁରି ବେଶୀ ହେବ । ସତରେ ମୁଁ ଏକା କୋଡ଼ିଏ ଟଙ୍କାରେ କିଣିଚି । କେମିତି କହିବି ? ମୋହନ ଦାସକୁ ଚିହ୍ନିଚ ? ମାର୍କଣ୍ଡେଶ୍ଵର ସାହିରେ ତା ଘର, ସେ ଗୁଲିଆଟା ମ, ଗୁଲିଖିଆରେ ସବୁ ସମ୍ପତ୍ତି ବାଡି ବିକି ସାରିଲାଣି ପରା । ଏବେ ଦାଣ୍ଡରେ ଭିଖ ମାଗି ବୁଲୁଚି ।”

 

“ହଁ, ମୁଁ ଜାଣେ ତାକୁ ।”

 

“ସେଇ ମୋତେ ଏ ହାରଟି କୋଡ଼ିଏ ଟଙ୍କାରେ ଦେଇଚି । ମୁଁ ତାକୁ ପଚାରିବାରୁ କହିଲା, କେଉଁ ରାଜାଙ୍କର ରାଣୀ ତାକୁ ଦେଇଥିଲେ ।”

 

“ସେ ଯଦି ଚୋରିମାଲ ହୋଇଥାଏ ?”

 

“ମୋର ତ ସେହିପରି ସନ୍ଦେହ ହେଉଛି ।”

 

“ଜାଣି ଶୁଣି ହାରଟି ରଖିଲ, ଯଦି ହାନି ଲାଭ କିଛି ହୁଏ ?”

 

“ମୁଁ କ’ଣ କାଇଦା ନ କରି ଛାଡ଼ିଛି ? ତା ଠାରୁ ଖଣ୍ଡେ କାଗଜରେ ଲେଖି ନେଇଛି–ସାକ୍ଷୀ ମଧ୍ୟ ଅଛନ୍ତି ।”

 

“ବେଶ୍ ବୁଦ୍ଧିମାନର କାମ କରିଛ । ନ ହେଲେ ଆଜିକାଲି ସମୟ ଯେମିତି …….”

 

ସେହି ସମୟରେ ରାଜକିଶୋର ଆସି ପହଞ୍ଚିଗଲେ । ହେମ ତାଙ୍କର ଅଭ୍ୟର୍ଥନା କରିବାରେ ଲାଗିଗଲା । ହାର ବିଷୟରେ ଆଉ କିଛି ଆଲୋଚନା ହୋଇପାରିଲା ନାହିଁ ।

 

ନାଚଗାନ ପରେ ରାଜକିଶୋର ହେମଠାରୁ ସେ ହାରର ଇତିହାସ ଶୁଣିଲେ । ମୋହନ ଦାସ କୋଡ଼ିଏ ଟଙ୍କା ମୂଲ୍ୟରେ ମାଳତୀକୁ ହାରଟି ବିକ୍ରୟ କରିଥିବାର ଶୁଣି ସେ ଚମକି ଉଠିଲେ । ସହସା ତାଙ୍କର ମୂଖମଣ୍ଡଳ ବିବର୍ଣ୍ଣ ହୋଇଗଲା । ମୋହନ ଦାସକୁ ସେ ପୂର୍ବରୁ ଚିହ୍ନନ୍ତି । ମଧୁ ପଢ଼ିଆରୀ ଘର ଡକାୟତି ସଂପର୍କରେ ତାକୁ ସନ୍ଦେହ କରୁଛନ୍ତି । ସେ ପୁଣି ଏ ହାରଟିକୁ ମାଳତୀକୁ ବିକ୍ରୟ କରିଛି । ଆଉ ଏକ ସନ୍ଦେହ ତାଙ୍କୁ ବିଚଳିତ କରି ପକାଇଲା ! ସେ ଭାବିଲେ–କିଶୋରୀ ତା ହେଲେ ଜୀବନରେ ନାହିଁ । ମୋହନ ଦାସ ଓ ତା’ର ସହଚରମାନେ ତା’ର ଅଳଙ୍କାର ସବୁ ଛଡ଼ାଇନେଇ ତାକୁ ବୋଧହୁଏ ମାରି ପକାଇଛନ୍ତି । ସେ ଆଉ ଭାବିପାରିଲେ ନାହିଁ–ଶୋକରେ ତାଙ୍କର ପ୍ରାଣ ନିତାନ୍ତ ଅଧୀର ହୋଇ ଉଠିଲା । କିନ୍ତୁ ସେ ଜୋର କରି ମନକୁ ସ୍ଵାଭାବିକ ଅବସ୍ଥାକୁ ଆଣି ହୃଦୟର ଗୁରୁ ବେଦନା ଗୋପନ ରଖିବାକୁ ଯଥାସାଧ୍ୟ ଚେଷ୍ଟାକଲେ । ହେମ କମ୍ ଧୂର୍ତ୍ତା ନୁହେଁ; ତା ଆଗରେ ରାଜକିଶୋରଙ୍କର ସମସ୍ତ ଚେଷ୍ଟା ବିଫଳ ହେଲା । ସେ ତାଙ୍କର ସହସା ପରିବର୍ତ୍ତନ ଲକ୍ଷ୍ୟ କରି ପଚାରିଲା, “ତମ ମୁହଁଟା ଏପରି ଶୁଖିଗଲା କାହିଁକି ?” ପ୍ରତ୍ୟୁତ୍ପନ୍ନମତି ରାଜକିଶୋର ‘ଶଠେ ଶାଠ୍ୟଂ ସମାଚରେତ୍’ ନୀତିରେ କହିଲେ, “ ମାଳତୀଠାରୁ ବୁଝି ହାରଟି ତିଆରି କରାଇବି ବୋଲି ଯେଉଁ ଆଶା କରି ବସିଥିଲି, ଦେଖୁଛି ସେ ଆଶା ଦୂରାଶା ମାତ୍ର ! କିନ୍ତୁ ହାର ନ ଦେବାଯାଏ ମୋର ଯେ ରକ୍ଷା ନାହିଁ–ଦିନକୁ ଦିନ ଅଶାନ୍ତି ବରଂ ବଢ଼ିବ । କ’ଣ କରିବି କିଛି ସ୍ଥିର କରିପାରୁ ନାହିଁ-।”

 

“କାହିଁକି ମ ଏତେ ଭାବନା ? ଆଜି ରାତି ବେଶୀ ହୋଇଗଲାଣି, ନଇଲେ ଅବିକା ବୁଝି ଦିଅନ୍ତି । ମୋହନ ଦାସ ତ ବିଲାତର ଲୋକ ନୁହେଁ । ମାର୍କଣ୍ଡେଶ୍ଵର ସାହିରେ ତା ଘର–କାଲି ତାକୁ ଡାକିଆଣି ସବୁ କଥା ବୁଝିଦେବି ।”

 

“ସେ ଯଦି ନ କହେ ?”

 

“ନ କହିବ ? କାହିଁକି ନ କହିବ ?”

 

“ତା ଉପରେ ତମର କି ଅଧିକାର ଅଛି ? ଭାବରେ ପଚରିବାର କଥା ସିନା ।, ସେ ନ କହିଲେ–”

 

“ହଁ, ହଁ, ତା ଠିକ; କିନ୍ତୁ ସେ ମୋ ପାଖରେ କହିବ ନିଶ୍ଚୟ । ତା ସଙ୍ଗରେ ମୋର ଆଗରୁ ପରିଚୟ ଅଛି । ସେ ଅନେକ ସମୟରେ ଏଠାକୁ ଆସେ ଯେ । କାଲି ତ ଆସିଥିଲା, ଯେମିତି ହେଉ ମୁଁ କାଲିକି ତାଠାରୁ ବୁଝି ତମକୁ କହିବି ।”

 

“ସତ କହୁଛ ?”

 

“ତମର ଯଦି ଏତେ ଅବିଶ୍ଵାସ, କାଲି ତମରି ଆଗରେ ତାଠାରୁ କଥା ଆଦାୟ କରିବି । ନିଜ କାନରେ ଶୁଣିଲେ ତ ଆଉ ଅବିଶ୍ଵାସ କରିବ ନାହିଁ ?”

 

“ତମ କଥାରେ ଅବିଶ୍ଵାସ କରି ନାହିଁ ମୁଁ ତ । ତମେ ଜାଣିପାରୁଛ ମୋର ଅବସ୍ଥା, ଯେତେ ଶୀଘ୍ର ହାରଟି ହୁଏ ମଙ୍ଗଳ ।”

 

“ମୁଁ ତ କାଲି ଆସ, ତମରି ଅଗରେ ତାକୁ ପଚାରି ବୁଝିଦେବି ।”

 

“କେତେବେଳେ ଆସିବି ତା ହେଲେ ?”

 

“ଏତିକି ବେଳକୁ ଆସ ।”

 

“ଆଛା, ମୋ ସାମନାରେ ସେ ଯଦି କହିବାକୁ କୁଣ୍ଠିତ ହୁଏ ନ କହେ ?”

 

“ନା, ସେ କହିବ, ନ ହେଲେ ଏବେ ତମେ ଟିକିଏ ଲୁଚି ଯିବ ।”

 

ରାଜକିଶୋର ଧନ୍ୟବାଦ ସହ ଗୋଟିଏ ପାଞ୍ଚଟଙ୍କିଆ ନୋଟ ହେମର ଅନିଚ୍ଛା ସତ୍ତ୍ଵେ ତା ହାତରେ ଗୁଞ୍ଜିଦେଇ ଚାଲିଗଲେ । ପରଦିନ ଯଥାସମୟରେ ରାଜକିଶୋର ଓ ମୋହନ ଦାସ ହେମ ଘରେ ଉପସ୍ଥିତ ହେଲେ । ପୂର୍ବ ପରାମର୍ଶାନୁସାରେ ରାଜକିଶୋର ଲୁଚି ରହିଲେ । ମୋହନ ଦାସ ସହିତ ହେମ ଅନ୍ୟାନ୍ୟ ଦୁଃଖ ସୁଖ ପରେ ଅସଲ କଥାଟି ପକାଇଲା । କହିଲା “ହଇହେ, ମାଳତୀକୁ ଯେମିତି ହାରଟି ଦେଇଚ, ମୋତେ ସେହିପରି ଗୋଟିଏ ହାର ଦିଅନ୍ତ ।”

 

ମୋହନ–ଆଉ ସେମିତି ହାର ମୁଁ କେଉଁଠୁ ପାଇବି ?

 

ହେମ–ନା, କାହିଁକି ପାଇବ ? ମାଳତୀ ବେଳକୁ ମିଳିଲା, ମୋ ବେଳକୁ…..

 

ମୋହନ–ଆହେ, ତୁମେ ବୁଝୁନା । ମୁଁ କ’ଣ କିଣିଥିଲି ନା ଗଢ଼ାଇଥିଲି ଯେ.….

 

ହେମ–ଆଉ କୋଉଠୁ ଆଣିଲ ? କ’ଣ ପଡ଼ିଥିଲା ସାଉଁଟି ଆଣିଲ ?

 

ମୋହନ–ହଁ, ସାଉଁଟି ଆଣିଲା ଭଳି ଯେ । ଦିନେ ତାଳଚେର ରାଜା ତାଙ୍କର ରାଣୀ ସଙ୍ଗରେ ଦର୍ଶନକୁ ଆସିଥିଲେ । ଗୋବିନ୍ଦାର ଯେଜମାନ ସେ । ଗୋବିନ୍ଦାର କ’ଣ କାମ ଥିଲା ଯେ କଚେରୀରେ ସେ ମୋତେ କହିଲା ଦର୍ଶନ କରାଇ ଦେବାକୁ । ମୁଁ ସେମାନଙ୍କୁ ଦର୍ଶନ କରାଇବାକୁ ନେଇଗଲି । ରାଜା ରାଣୀ ଦୁଇ ଜଣ ବଡ଼ ଭକ୍ତି ଅଂଶର ଲୋକ ଏକା । ହାତ ଯୋଡ଼ି ଘଣ୍ଟାଏ କାଳ କେତେ କ’ଣ ସ୍ତବ ପାଠ କଲେ । ତାଙ୍କ ସଙ୍ଗରେ ଗୋଟାଏ ପୋଇଲୀ ଥିଲା । ବୟସ ଚଉଦ ପନ୍ଦର ହେବ, ବେଶ ଗୋଲଗାଲ ଚେହେରା–ରୂପ ବେହିପୁଅ ଚନ୍ଦ୍ର ଉଦିଆ ପରି ଜଳୁଚି । ମୋତେ ଏକୁଟିଆରେ ଚୁପ କରି କହିଲା–ମଉସା, ଗୋଟାଏ କଥା କହନ୍ତି । ରଖିବ ? ମୁଁ କହିଲି–କ’ଣ କହ । ସେ କହିଲା–ମୋତେ ଯଦି ଆଜି ଦିନକ ତମ ଘରେ ଲୁଚାଇ ରଖନ୍ତ, ବଡ଼ ଉପକାର କରନ୍ତ ମଉସା ! ମୁଁ ବୁଝିଗଲି ଭିତର କଥା । କହିଲି–ଆଚ୍ଛା, ତୁ ବକ୍ସିସ୍ କ’ଣ ଦେବୁ ? ସେ କହିଲା–ତମେ ମୋର ବାପ ସମାନ, ଏ ଜଗନ୍ନାଥଙ୍କ ମନ୍ଦିର, ସତ କହୁଚି ତମକୁ ଖୁସି କରିଦେବି । ମୋ ଦେହରେ ଯେତେ ଅଳଙ୍କାର ଅଛି ସବୁଯାକ ଦେବି । ମୁଁ ତା ଦେହକୁ ଭଲ କରି ଚାହିଁଲି । ଦୁଇ ତିନି ହଜାର ଟଙ୍କାର ଅଳଙ୍କାର । ମନ ବଡ଼ ଲୋଭେଇଲା । କହିଲି–କାମ ବେଳେ ବେହି ପୁଅ ସମସ୍ତେ ସେମିତି କହନ୍ତି । କାମ ସରିଗଲେ ଆଉ କିଏ କାହାକୁ ପଚାରେ ? ସେ କହିଲା–ଚିନ୍ତା କରନା, ସେଥିଲାଗି ଆଗତୁରା ଦେଉଛି ନିଅ । ସାଙ୍ଗେ ସାଙ୍ଗେ ତା ବେକରୁ ହାରଟା ବାହାର କରି ମୋ ହାତକୁ ବଢ଼ାଇଦେଲା ।

 

ହେମ–ଆଛା, ସେ କାହିଁକି ତମ ଘରେ ସେ ଦିନ ଲୁଚି ରହିବାକୁ କହୁଥିଲା ?

 

ମୋହନ–ଆରେ, ଆଛା ପଚାରୁଚ । ରଜା ବୁଝା, ଭଲ ଟୋକାଟା ଦେଖି କେଉଁଠୁ ଧରି ଆଣିଥିଲା ବୋଧ ହୁଏ । ଧରି ଆଣିଲେ କ’ଣ ହେବ, ଟୋକୀଟାର ମନ ମାନିଲେ ତ ହୁଏ । ସେ କେମିତି ଖସିଯିବ, ସେଥିପାଇଁ……

 

ହେମ–ହଉ, ତା ପରେ କ’ଣ ହେଲା ?

 

ମୋହନ–ମୁଁ ସେ ହାରଟି ଭଲ କରି ଲୁଗାରେ ଗୁଡ଼ାଇ କମରରେ ଖୋସିଦେଲି । କହିଲି–ଇଲାଗେ ସୁବିଧା ହେବ ନାହିଁ । ଯହି କେହି ଜାଣି ପାରିବ ? ସେ କହିଲା–ତାଳଚେର କୋଠି ଦେଖିଚ ? ମୁଁ ମୁଣ୍ଡ ହଲାଇଲି । ସେ କହିଲା–ତମେ ସଞ୍ଜବେଳେ ସେଠାକୁ ଗଲେ ମୁଁ ଲୁଚିକରି ତମ ସଙ୍ଗରେ ଚାଲିଆସିବି । ମୁଁ ‘ହଁ’ କଲି । ସେ ବହୁତ ନେହୁରା ନିମନ୍ତ କରି କହିଲା–ମଉସା, ଏତକ ଉପକାର ବହୁତ ଟଙ୍କା ତୁମକୁ ଦେବି ।

 

ହେମ–ତା ପରେ କ’ଣ ହେଲା ?

 

ମୋହନ–ତା ପରେ ଆଉ ହବ କ’ଣ ? ସେ ଦିନ କ’ଣ କାମ ପଡ଼ିଗଲା, ମୋର ବି ମନେ ପଡ଼ିଲା ନାହିଁ । ତହିଁ ଆର ଦିନ ମୁଁ ଗଲା ବେଳକୁ ସେମାନେ କଟକ ବାହାରିଗଲେଣି ।

 

ହେମ–ଆହା ! ସେ ବିଚାରୀଟି କେତେ କାନ୍ଦି ନ ଥିବ ! ତୁମକୁ ଗାଳି ଦେଉଥିବ ଏକା ସବୁବେଳେ ।

 

ମୋହନ–ଆରେ, ଯାମ, ଗାଳି ଦେଉଥିବ । ଗାଳିରେ କ’ଣ ମନୁଷ୍ୟ ମରିଯାନ୍ତି ? ମୋ କପାଳ ତ ଖରାପ; ଆଉ କେତେଗୁଡ଼ାଏ ମାଲ ପାଇଥାନ୍ତି–ହରାଇ ବସିଲି ।

 

ହେମ–ସେ ହାରଟି ବଡ଼ ସୁନ୍ଦର ହାର ଏକା ।

 

ମୋହନ–ସୁନ୍ଦର ହେଉ ଅସୁନ୍ଦର ହେଉ, ଆଉ ସେମିତି ହାର ମୁଁ କେଉଁଠୁ ପାଇବି ।

 

ରାଜକିଶୋର ଉଭୟଙ୍କର କଥାବାର୍ତ୍ତା ସବୁ ଶୁଣୁଥିଲେ । ତାଙ୍କ ହୃଦୟ ମଧ୍ୟରେ ଯେତେବେଳେ ପ୍ରଚଣ୍ଡ ଝଟିକା ପ୍ରବାହିତ ହେଉଥିଲା । ମୋହନ ଦାସ ଚାଲିଯିବା ପରେ ଦୀର୍ଘ ନିଶ୍ଵାସଟିଏ ପକାଇ ପଦାକୁ ବାହାରିଲେ; କିନ୍ତୁ ହୃଦୟର ଦୁଃଖ ଗୋପନ ରଖି ହେମକୁ ଧନ୍ୟବାଦ ଦେଇ କହିଲେ “ମୋଲାଗି ତୁମେ ବହୁତ କଷ୍ଟ ସହିଲଣି । ଆଉ ଟିକିଏ କଷ୍ଟ କରି ମାଳତୀଠାରୁ ସେ ହାରଟି ଦୁଇ ଦିନ ପାଇଁ ଯଦି ଆଣି ଦିଅନ୍ତି, ମୁଁ କଟକରେ ଗୋଟାଏ ଭଲ ବଣିଆକୁ ଦେଖାଇ ସେହିପରି ହାର ଦୁଇଟା ଗଢ଼ାନ୍ତି ।”

 

“ଦୁଇ ଦିନ କାହିଁକି, ଚାରି ଦିନ ରଖ, ମୁଁ କାଲି ସେ ହାର ଆଣି ଦେଉଚି ।”

 

ରାଜକିଶୋର ଟିକିଏ ଭାବିଲେ, କହିଲେ, “ନା, କାଲି ଆଣିବା ଦରକାର ନାହିଁ । ମୁଁ ଦୁଇ ଦିନ ଛୁଟିପାଇଁ ଦରଖାସ୍ତ ଦେବି । ଛୁଟି ମଞ୍ଜୁର ହେଲେ ତମକୁ କହିବି । ସେହି ସମୟରେ ହାର ଆଣିଦେବ ଯେ ସଙ୍ଗେ ସଙ୍ଗେ କଟକ ନେଇଯିବି ।”

Image

 

ନବମ ପରିଚ୍ଛେଦ

 

ଦିନ ଦୁଇଟା ସମୟ ହେବ । ଜଗନ୍ନାଥ ମଙ୍ଗରାଜଙ୍କର ସେପର୍ଯ୍ୟନ୍ତ ସ୍ନାନ ହୋଇ ନାହିଁ । ସେ ଗାଲରେ ହାତ ଦେଇ ପିଣ୍ଡା ଉପରେ ବସିଛନ୍ତି । ଡମା ତାଙ୍କୁ ଲକ୍ଷ୍ୟ କରି କହୁଛି–“ସବୁ ବେଳେ ବସି ଭାବିଲେ କ’ଣ ହେବ ? ଯାହା ବରାଦ ଥିଲା ହୋଇଗଲା । ତମେ ଜନ୍ମ ଦେଇଚ ବୋଲି କ’ଣ କର୍ମ ଦେଇଚ ?” ରାଜକିଶୋର ଦୂରରେ ଠିଆ ହୋଇ ଦେଖିଲେ, ମଙ୍ଗରାଜଙ୍କର ପୂର୍ବ ଚେହେରା ନାହିଁ–ନିତାନ୍ତ ବୃଦ୍ଧ ହୋଇଗଲେଣି । କୋଟରଗତ ଚକ୍ଷୁ, ଲୋଳିତ ଗଣ୍ଡଯୁଗ ଏବଂ ତଦୁପରି ଶୁଭ୍ର ଶୁଶ୍ରୁ ରାଜି ଦେଖିଲେ ଗୋଟାଏ ପ୍ରେତ ବୋଲି ଲୋକର ଭୟ ହେବ । ତାଙ୍କର ଏପରି ଦୂରବସ୍ଥା ଦେଖି ରାଜକିଶୋର ପ୍ରାଣରେ ବଡ଼ ବ୍ୟଥା ଅନୁଭବ କଲେ । ସେହି ଜଗନ୍ନାଥ ମଙ୍ଗରାଜ ରାଜକିଶୋରଙ୍କ ପ୍ରତି କି ଅମାନୁଷିକ ବ୍ୟବହାର କରି ନାହିଁ ? ଜ୍ଵରରେ ଥରି ଥରି ଅନ୍ଧକାର ରାତିରେ ଯେତେବେଳେ ସେ ଘରୁ ବାହାରିଗଲେ, ହାୟ ! ଆଜି ସେ କଥା ମନରେ ପଡ଼ିଲେ ଘୃଣାରେ ମଙ୍ଗରାଜଙ୍କର ନାମ ସୁଦ୍ଧା ଉଚ୍ଚାରଣ କରିବାକୁ ଇଚ୍ଛା ହେଉ ନାହିଁ । ଏଡ଼େ ନିଷ୍ଠୁରହୃଦୟ ସେ ! ଆଡ ଆଖିରେ ଚାହିଁଲେ ନାହିଁ ସୁଦ୍ଧା । ତାଙ୍କର ସେ ଦିନର ବ୍ୟବହାରରେ ରାଜକିଶୋର କ’ଣ, ରିପୁଜୟୀ ଋଷି ହେଲେ ସୁଦ୍ଧା ଅସହିଷ୍ଣୁ ହୋଇ ଉଠିବେ । କିନ୍ତୁ ମଙ୍ଗରାଜଙ୍କର ବର୍ତ୍ତମାନ ଅବସ୍ଥା ଦେଖି ରାଜକିଶୋରଙ୍କର ଅନ୍ତରରୁ ବୈରଭାବ ଅନ୍ତର୍ହିତ ହୋଇଗଲା । ଚକ୍ଷୁ ତାଙ୍କର ଛଳ ଛଳ ହୋଇ ଆସିଲା । ସେ ଆଉ ଅନ୍ତରାଳରେ ଠିଆ ହୋଇ ସେ କରୁଣ ଦୃଶ୍ୟ ଦେଖିପାରିଲେ ନାହି । ବୃଦ୍ଧଙ୍କର ଚରଣତଳେ ଭୂମିଷ୍ଠ ପ୍ରଣାମ କରି କହିଲେ “ମତେ ଚିହ୍ନିପାରୁଛନ୍ତି ?” ମଙ୍ଗରାଜ କିଛି କ୍ଷଣ ରାଜକିଶୋରଙ୍କ ମୁହଁକୁ ଚାହିଁଲେ, ତା ପରେ ପିଣ୍ଡାରୁ ଡେଇଁ ପଡ଼ି ତାଙ୍କୁ କୁଣ୍ଢାଇ ପକାଇ ଅଶ୍ରୁ ଗଦ୍ ଗଦ୍ କଣ୍ଠରେ କହିଲେ “ବାପ, ରାଜୁ ! ତୁ ଆସିଛୁ ? ଏ ବୁଢ଼ାକୁ ଦେଖିବାକୁ ଆସିଛୁ ? କିନ୍ତୁ ଜନନ୍ନାଥ ମଙ୍ଗରାଜ ହୋଇ ନାହିଁ । ଏ ଯେଉଁ ଦେହଟି ଦେଖୁଛୁ ତାହା ପ୍ରାଣହୀନ–ଜଗନ୍ନାଥ ମଙ୍ଗରାଜର ପ୍ରେତାତ୍ମା । ଜଗନ୍ନାଥ ମଙ୍ଗରାଜ ଆଉ ବଞ୍ଚି ନାହିଁ । କିଶୋରୀ ଯେଉଁ ଦିନ ନିରୁଦ୍ଦେଶ ହୋଇଛି, ଜଗନ୍ନାଥ ମଙ୍ଗରାଜ ସେହି ଦିନଠାରୁ ମରିଛି । ଆଉ କିଶୋରୀ.… ।” ବାସ୍ପାବେଗରେ ବୃଦ୍ଧଙ୍କର କଣ୍ଠ ରୁଦ୍ଧ ହୋଇ ଆସିଲା । ସେ ଆଉ କହିପାରିଲେ ନାହିଁ । ନ କହିଲେ ମଧ୍ୟ ରାଜକିଶୋର ତାଙ୍କର ମନୋଗତ ଭାବ ବୁଝିପାରିଲେ । କହିଲେ, “କିଶୋରୀର ନିରୁଦ୍ଦେଶ ଖବର ମୁଁ ଖବରକାଗଜରୁ ଶୁଣିଛି । ଆପଣ ଆଉ ଦୁଃଖିତ ହୁଅନ୍ତୁ ନାହିଁ । ମୋର ବିଶ୍ଵାସ, ଅଳ୍ପ ଦିନ ମଧ୍ୟରେ ତା’ର ସନ୍ଧାନ ମିଳିବ ।” ରାଜକିଶୋରଙ୍କର ଶେଷ ପଦଟି ବୃଦ୍ଧାଙ୍କର ଚିନ୍ତାନଳତପ୍ତ ପ୍ରାଣରେ ଚନ୍ଦନ ପ୍ରଲେପ ଦେଲା ପରି ଲାଗିଲା । ସେ ଆନନ୍ଦୋତ୍କଣ୍ଠିତ ଭାବରେ ରାଜକିଶୋରଙ୍କ ମୁହଁକୁ ଚାହିଁ କହିଲେ, “ସତ କହୁଛୁ ବାପ ! କିଶୋରୀକୁ ମୁଁ ପାଇବି ? ମା ମୋର ସତେ ଫେରି ଆସିବ ?” “ଆପଣ ଅଧୀର ହୁଅନ୍ତୁ ନାହିଁ । ଭଗବାନଙ୍କ ଉପରେ ବିଶ୍ଵାସ ରଖନ୍ତୁ । ନିଶ୍ଚୟ ଆପଣଙ୍କ ଇଚ୍ଛା ପୂର୍ଣ୍ଣ ହେବ । କିଶୋରୀ ନିର୍ବିଘ୍ନରେ ଫେରି ଆସିବ ।”

 

ରାଜକିଶୋର ସେହି ମୁହୂର୍ତ୍ତରେ ମୁକ୍ତାରାଜି–ଖଚିତ ମାଳତୀ ପ୍ରଦତ୍ତ ସ୍ଵର୍ଣ୍ଣହାରଟି ପକେଟରୁ ବାହାର କରି ମଙ୍ଗରାଜଙ୍କର ହାତକୁ ବଢ଼ାଇଦେଲେ । କହିଲେ, “ଦେଖିଲେ ଏ ହାର କାହାର ?” ମଙ୍ଗରାଜ ସେ ହାରକୁ ଦେଖି ଚମକି ଉଠିଲେ । “ମୋ ମା ତ ଏ ହାର ପିନ୍ଧିଥିଲା । ତୁମେ କେଉଁଠାରୁ ୟାକୁ ପାଇଲ ? ମା ମୋର କେଉଁଠି ଅଛି ? ସତ କହ ବାପ, ସେ ଜୀବନରେ ଅଛି ତ ?”

 

ରାଜ–ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଁ ଯାହା ପଚାରୁଛି ଆଗ କହନ୍ତୁ । ଏ ହାର ଆପଣଙ୍କର କି ନା ଭଲ କରି ଚିହ୍ନନ୍ତୁ ।

 

ଜଗନ୍ନାଥ–ବେଶ୍ ଚିହ୍ନିଛି, ମୋର ଏ ହାର । ଆଜିକୁ ତିନି ବର୍ଷ ତଳେ ପୂର୍ଣ୍ଣବାବୁ ଡେପୁଟି ଏ ହାର ମୋତେ ବିକ୍ରି କରିଅଛନ୍ତି । ମଝିରେ ଗୋଟିଏ ଚେନ୍ ଛାଡ଼ି ଯାଇଥିଲା–ନିଧିସାହୁ ବଣିଆ ଲଗାଇ ଦେଇଛି । ଦେଖିଲ ଏ ସୁନା ସେ ସୁନା ମିଶୁଛି ? ମୁଁ ବା ମିଛ କହିବି, ପୂର୍ଣ୍ଣବାବୁ ଡେପୁଟି ମରିଯାଇ ନାହାନ୍ତି, ନିଧିସାହୁ ମରିଯାଇ ନାହିଁ । ପଚାରିଲେ ସେମାନେ ଅବଶ୍ୟ କହିବେ ।

 

ରାଜ–ମୁଁ ବର୍ତ୍ତମାନ ପୁରୀରେ ପୋଲିସ୍ ଚାକିରି କରୁଛି । ସେଠାରେ ଜଣେ ଏ ହାର ପିନ୍ଧିଥିଲା । ମୋର ସନ୍ଦେହ ହେବାରୁ ତା ଠାରୁ ଜବତ୍ କରି ଆପଣଙ୍କୁ ଦେଖାଇବାକୁ ଆଣିଛି । ଏ ହାର ଆପଣଙ୍କର ବୋଲି ଯେତେବେଳେ ନିଃସନ୍ଦେହରେ କହୁଛନ୍ତି, ନିଶ୍ଚୟ କିଶୋରୀର ସନ୍ଧାନ ମିଳିବ । ମୁଁ ଏଠାରୁ ଯାଇ ତଦନ୍ତରେ ଲାଗି ପଡ଼ିବି । କିଶୋରୀ ଜୀବନରେ ଅଛି, ଏ କଥା ଧ୍ରୁବ ଜାଣିବେ ।

 

ଜଗନ୍ନାଥ ମଙ୍ଗରାଜ ଅକୁଳ ପାରାବାର ମଧ୍ୟରେ କୂଳ ପାଇଲେ । ସେ ଯେତେବେଳେ ଶୁଣିଲେ ରାଜକିଶୋର ପୋଲିସ୍ ବିଭାଗରେ କାର୍ଯ୍ୟ କରନ୍ତି, ତାଙ୍କର ବୁକୁଭରା ବେଦନାରାଶି ଭେଦକରି ପ୍ରଫୁଲ୍ଲତାର କ୍ଷୀଣ ରେଖାଟି କଳା ବଉଦ ବକ୍ଷରେ ବିଦ୍ୟୁତ୍ ଗାରପରି କ୍ଷଣକ ପାଇଁ ତାଙ୍କର ଶୀର୍ଣ୍ଣ ମୁଖମଣ୍ଡଳରେ ଫୁଟି ଉଠିଲା । ସେ ରାଜକିଶୋରଙ୍କୁ କୋଳକୁ ଟାଣିନେଇ ବାତ୍ସଲ୍ୟ ବୋଳା କଣ୍ଠରେ କହିଲେ, “ବାପ, ମୁଁ ଆଶୀର୍ବାଦ କରୁଛି, ପରମେଶ୍ଵର ତୋତେ ଦୀର୍ଘାୟୁ କରନ୍ତୁ ।”

 

ଆଉ କହି ପାରିଲେ ନାହିଁ । ତପ୍ତ ଅଶ୍ରୁଧାରାରେ ରାଜକିଶୋରଙ୍କର ମସ୍ତକ ସିକ୍ତ କରିବାକୁ ଲାଗିଲେ । ରାଜକିଶୋର ଶିଶୁଟିପରି କାନ୍ଦି କାନ୍ଦି ବୃଦ୍ଧଙ୍କର ହାତଟି ଧରି ପକାଇ କହିଲେ, “ମୁଁ ପିତୃହୀନ । କିନ୍ତୁ ଆଜି ଆପଣଙ୍କୁ ପାଇ ପିତୃହୀନ ବୋଲି ମନେ କରୁ ନାହିଁ । ଆପଣ ଚିନ୍ତା କରନ୍ତୁ ନାହିଁ । ଯତ୍‍ପରୋନାସ୍ତି ଚେଷ୍ଟାରେ କିଶୋରୀକୁ ଖୋଜି ବାହାର କରିବି ।”

 

ରାଜକିଶୋର ଯେତେବେଳେ ମଙ୍ଗରାଜଙ୍କଠାରୁ ବିଦାୟ ଗ୍ରହଣ କଲେ, ମଙ୍ଗରାଜେ ଏକ ହଜାର ଟଙ୍କାର ନୋଟ ତାଡାଟି ତାଙ୍କ ହାତକୁ ବଢ଼ାଇ ଦେଇ କହିଲେ, “ବାପ, ଏତକ ନେଇ ଯା, ଦରକାର ହେଲେ ଖର୍ଚ୍ଚ କରିବୁ । ଆଉ ଯଦି ଆବଶ୍ୟକ ହୁଏ ମୋତେ ଚିଠି ଲେଖିବୁ, ନ ହେଲେ ତା’ର କରିବୁ ।”

 

ରାଜକିଶୋର ପୁରୀ ଅଭିମୁଖରେ ଯାତ୍ରା କଲେ । ପଥରେ ନାନା ପ୍ରକାର ଚିନ୍ତା ତାଙ୍କର ହୃଦୟ ଆଲୋଡ଼ିତ କରିବାକୁ ଲାଗିଲା । ସେ ଭାବିଲେ–ବର୍ତ୍ତମାନ ମୋର କର୍ତ୍ତବ୍ୟ କ’ଣ ? ଏ ହାର କିଶୋରୀର ବୋଲି ଯେତେବେଳେ ଉପଯୁକ୍ତ ପ୍ରମାଣ ମିଳୁଛି, ଆଇନାନୁଯାୟୀ ମାଳତୀଠାରୁ ମାଲ ଜବତ୍ କରିବା ଉଚିତ । କିନ୍ତୁ ତଦ୍ଦ୍ଵାରା ଲାଭ କ’ଣ ? ମାଳତୀ ମୋହନ ଦାସର ନାମ କହିବ । ମୋହନ ଦାସକୁ ମଧ୍ୟ ଗିରଫ କରାଯିବ । ମାତ୍ର ସେ ହେମ ପାଖରେ ଯାହା କହିଛି କୋର୍ଟରେ କହିବ ସିନା ! ତଦ୍ଦ୍ଵାରା କିଶୋରୀକୁ ଅନୁସନ୍ଧାନ କରିବାର ପଥ ଯେ ସୁଗମ ହେବ, ମୋର ତ ସେପରି ବିଶ୍ଵାସ ହେଉ ନାହିଁ । କିଶୋରୀକୁ ତାଳଚେର ରାଜା ବଳପୂର୍ବକ ତାଙ୍କର ପ୍ରସାଦକୁ ନେଇ ଯାଇଛନ୍ତି ଏବଂ ତାଳଚେର ରାଣୀଙ୍କ ଗହଣରେ ସେ ପୁରୀ ଆସିଥିଲା, ଏ ହାର କିମ୍ବା ମୋହନ ଦାସର ଜମାନବନ୍ଦି କ’ଣ ତାହାର ଉପଯୁକ୍ତ ସାକ୍ଷ୍ୟ ? ରାଜାଙ୍କ ବିରୁଦ୍ଧରେ କେସ୍ କରିବାକୁ ହେଲେ ଉପଯୁକ୍ତ ପ୍ରମାଣ ଆବଶ୍ୟକ । ପ୍ରକୃତରେ କିଶୋରୀ ତାଙ୍କ ରାଜପ୍ରାସାଦରେ ଥିଲେ ସୁଦ୍ଧା ସେ ଫାଙ୍କି ଦେଇପାରନ୍ତି । ତାଙ୍କର ଫାଙ୍କି ଦେବାର ଯଥେଷ୍ଟ ଉପାୟ ମଧ୍ୟ ଅଛି । ଫଳରେ ଏହିମାତ୍ର ହେବ–ଯଦି କିଶୋରୀ ସେଠାରେ ଥାଏ, ଆଉ ତାକୁ କୌଣସିମତେ ଉଦ୍ଧାର କରି ହେବ ନାହିଁ ।

 

ରାଜକିଶୋର ବହୁତ ଭାବିଲେ । ଶେଷରେ ସ୍ଥିର କଲେ–ବର୍ତ୍ତମାନ ହାର ଜବତ୍ କରି ମାଳତୀକୁ ଗିରଫ କରିବା କୌଣସି ମତେ ଉଚିତ ନୁହେଁ । ଅନ୍ୟ କୌଣସି ଉପାୟରେ କିଶୋରୀର ସନ୍ଧାନ କରିବା କର୍ତ୍ତବ୍ୟ । କିଶୋରୀର ସନ୍ଧାନ ମିଳିଲେ ହାରଟା ପାଇବାକୁ କେତେ ଡେରି ? ସେ ଏହି ସିଦ୍ଧାନ୍ତ କରି ପୁରୀ ନ ଯାଇ ତାଳଚେର ଯାତ୍ରା କଲେ । ବୋଲିବା ବାହୁଲ୍ୟ ମାତ୍ର, ଜରୁରୀ କାରଣ ଦେଖାଇ ଏକମାସ ଛୁଟିପାଇଁ ପୋଲିସ ସାହେବଙ୍କ ନିକଟକୁ ସେହି ଦିନ ଗୋଟାଏ ତା’ର ପଠାଇଦେଲେ ।

Image

 

Unknown

ଦଶମ ପରିଚ୍ଛେଦ

 

ସଦାନନ୍ଦ ସାମନ୍ତରାୟ ଜଗନ୍ନାଥ ମଙ୍ଗରାଜଙ୍କ ପରି ମହାଜନୀ କାରବାର କରୁ ନ ଥିଲେହେଁ ନିର୍ଦ୍ଧନ ନ ଥିଲେ । ଦରକାର ପଡ଼ିଲେ ମୁହୂର୍ତ୍ତକେ ପାଞ୍ଚ ହଜାର ଗଣି ଦେଇ ପାରନ୍ତି । ଜମିବାଡି ମଧ୍ୟ ଜଗନ୍ନାଥ ମଙ୍ଗରାଜଙ୍କଠାରୁ କୌଣସି ଅଂଶରେ କମ୍ ନୁହେଁ ।

 

ସଦାନନ୍ଦ ସାମନ୍ତରାୟଙ୍କର ସମସ୍ତ ସମ୍ପତ୍ତି ତାଙ୍କର ସ୍ଵୋପାର୍ଜିତ । ତାଙ୍କର ପିତା ରାଧାଶ୍ୟାମ କାନୁନ୍‍ଗୋ ଯେତେବେଳେ ଆଖି ବୁଜିଲେ, ତାଙ୍କୁ ସେତେବେଳେ ଦ୍ଵାଦଶ ବର୍ଷ ମାତ୍ର । କେବଳ ଘରତଳି ପାଞ୍ଚ ଗୁଣ୍ଠ ଛଡ଼ା କଡ଼ଏ କଉଡ଼ି ସୁଦ୍ଧା ପିତା ତାଙ୍କର ରଖି ଯାଇ ନ ଥିଲେ । ରାଧାଶ୍ୟାମଙ୍କ ମୃତ୍ୟୁର ଠିକ୍ ଛ ମାସ ପରେ ଚବିଶପ୍ରଗନାରେ ବନ୍ଦୋବସ୍ତ କ୍ୟାମ୍ପ ପଡ଼ିଲା । ଡିପୋଟି ବାବୁ ହରିହର ଦାସ ସଦାନନ୍ଦଙ୍କର ଦୂରବସ୍ଥା ଦେଖି ତାଙ୍କୁ ବନ୍ଦୋବସ୍ତ ଅଫିସରେ ଦଶଟଙ୍କା ବେତନରେ ମୋହରିର କାମ ଖଣ୍ଡିଏ ଦେଲେ । ସେହି ଦିନଠାରୁ ସଦାନନ୍ଦଙ୍କର ଭାଗ୍ୟ ପରିବର୍ତ୍ତିତ ହେଲା । ସେ କ୍ରମେ ମୋହରିରୁ ଅମିନରେ ପରିଣତ ହେଲେ । ବନ୍ଦୋବସ୍ତରେ ଅମିନମାନଙ୍କର ରୋଜଗାର ବୋଧ ହୁଏ କାହାରିକୁ ଅବିଦିତ ନାହିଁ । ଭାଗ୍ୟଦେବୀ ପ୍ରସନ୍ନ ହେଲେ ସୁଯୋଗ ନିଜେ ନିଜେ ଆସି ଦ୍ଵାରସ୍ଥ ହୁଏ । ବର୍ଷ ଦଶ ବାରଟା ମଧ୍ୟରେ ସଦାନନ୍ଦ ଅତୁଳ ଐଶ୍ଵର୍ଯ୍ୟର ଅଧୀଶ୍ଵର ହୋଇ ଉଠିଲେ । ରଘୁନାଥପୁରର ନବଘନ ପଟ୍ଟନାୟକଙ୍କ ମଧ୍ୟମା କନ୍ୟା ଶ୍ରୀମତୀ ସୁରୁଚି ଦେବୀଙ୍କ ସହିତ ତାଙ୍କର ଶୁଭ ବିବାହ ସମ୍ପନ୍ନ ହୋଇଗଲା । ବିବାହ ପରେ ସଦାନନ୍ଦ ଆଉ ଚାକିରି କରିବାକୁ ମନ ବଳାଇଲେ ନାହିଁ । କିନ୍ତୁ ଧଳା ଚକିଆର ଲୋଭ ସମ୍ବରଣ କରିବା ତାଙ୍କ ପକ୍ଷରେ ନିତାନ୍ତ କଷ୍ଟକର ହୋଇ ଉଠିଲା । କ’ଣ କରିବେ ? କିପରି ବାହାରୁ ଦୁଇ ପଇସା ଆସି ଜମା ବୃଦ୍ଧି କରିବ, ସେହି ଉପାୟ ଚିନ୍ତା କରିବାକୁ ଲାଗିଲେ । ସୁରୁଚି ଦେଈ ତାଙ୍କର ଉପଯୁକ୍ତ ସହଧର୍ମିଣୀ । ସ୍ଵାମୀଙ୍କର ଅଧୀରତା ଦେଖି ସେ ଉପଯୁକ୍ତ ପରାମର୍ଶ ଦେଲେ । ସଦାନନ୍ଦଙ୍କର ମନକୁ ମଧ୍ୟ ପାଇଲା ସେ କଥା । ସେ ସେହି ଦିନଠାରୁ ଘରେ ବସି ମହାଜନୀ କାରବାର କରିବାକୁ ଆରମ୍ଭ କଲେ ।

 

ସଦାନନ୍ଦ ଜଗନ୍ନାଥ ମଙ୍ଗରାଜଙ୍କଠାରୁ କୌଣସି ଗୁଣରେ ନ୍ୟୂନ ନୁହନ୍ତି । ଯଦି ପରସ୍ଵାପହାରୀ, ଅନ୍ୟାୟୀ, ଜାଲିଆମାନଙ୍କର ତାଲିକା କରାଯାଏ, ସାମନ୍ତରାୟ ଓ ମଙ୍ଗରାଜ ଉଭୟେ ଶୀର୍ଷ ସ୍ଥାନ ଅଧିକାର କରିବେ । ହେଲେ ସଦାନନ୍ଦଙ୍କ ପ୍ରତି ସରକାରଙ୍କର ଅନୁଗ୍ରହ ଯଥେଷ୍ଟ ଥିଲା । ସରକାରଙ୍କ ଅନୁଗ୍ରହରେ ସେ ପ୍ରେସିଡେଣ୍ଟ ହେଲେ । କ୍ରମେ ସାମନ୍ତରାୟ ଉପାଧି ମଧ୍ୟ ପାଇଲେ । ଏବେ ବର୍ଷ ଚାରିଟା ହେବ ସେ ମହାଜନୀ ବ୍ୟବସାୟ ବନ୍ଦ କରିଅଛନ୍ତି କେବଳ ପୁତ୍ରର ବାରମ୍ବାର ଅନୁରୋଧରେ । ସଦାନନ୍ଦଙ୍କର ବ୍ୟବସାୟ ବନ୍ଦ ହେବାରୁ ଜଗନ୍ନାଥଙ୍କର ବ୍ୟବସାୟ ବେଶ୍ ପ୍ରଖର ଗତିରେ ଚାଲିଲା । ସେଟା କିନ୍ତୁ ସଦାନନ୍ଦଙ୍କ ପକ୍ଷରେ ବଡ଼ ଅସହ୍ୟ ହୋଇ ଉଠିଲା । ସଦାନନ୍ଦ ଜଗନ୍ନାଥଙ୍କୁ ଦେଖିଲେ ହାଡ଼େ ହାଡ଼େ ଜଳିଯିବାକୁ ଲାଗିଲେ । ଜଗନ୍ନାଥଙ୍କୁ ସଦାନନ୍ଦଙ୍କର ମନୋଗତ ଭାବ ବୁଝିବାକୁ ବିଳମ୍ବ ହେଲା ନାହିଁ । ସେ ମଧ୍ୟ ତାଙ୍କୁ ସେହିପରି କୋପ ଦୃଷ୍ଟିରେ ଦେଖିବାକୁ ଲାଗିଲେ । ଉଭୟଙ୍କ ମଧ୍ୟରେ ପୂର୍ବରୁ ଯେଉଁ ବୈରଭାବ ପ୍ରଚ୍ଛନ୍ନ ଭାବରେ ଥିଲା, ତାହା ବର୍ତ୍ତମାନ ଶତଗୁଣ ହୋଇ ଉଠିଲା । ସଦାନନ୍ଦ ଅହରହ ଚିନ୍ତା କରିବାକୁ ଲାଗିଲେ, କିପରି ଜଗନ୍ନାଥ ମଙ୍ଗରାଜଙ୍କର ସମସ୍ତ ସମ୍ପତ୍ତି ହସ୍ତଗତ କରି ତାଙ୍କୁ ପଥର ଭିକାରୀ କରାଇବେ । ଭାଗ୍ୟକୁ ଏକମାତ୍ର କନ୍ୟା ଭିନ୍ନ ଜଗନ୍ନାଥଙ୍କର ଉତ୍ତରାଧିକାରୀ କେହି ରହିଲେ ନାହିଁ । ସଦାନନ୍ଦ ଭାବି ଦେଖିଲେ, ଯଦି କୌଶଳକ୍ରମେ ତାଙ୍କର ପୁତ୍ର ଗୋକୁଳ ସହିତ କିଶୋରୀର ହାତ ଗଣ୍ଠି ପଡ଼ିଯାଏ, ତେବେ ଅକ୍ଳେଶରେ ମଙ୍ଗରାଜଙ୍କ ସମସ୍ତ ସମ୍ପତ୍ତି ତାଙ୍କର କରଗତ ହେବ । ସେଥିପାଇଁ ସେ ନାନା ଚେଷ୍ଟା କରିବାକୁ ଲାଗିଲେ । ମଙ୍ଗରାଜେ କମ୍ ଚତୁର ନୁହନ୍ତି । ସେ ସଦାନନ୍ଦଙ୍କର ମନକଥା ଜାଣି ପାରି ପ୍ରତିଜ୍ଞା କରି ବସିଲେ–ଏକମାତ୍ର ଆଦରିଣୀ କନ୍ୟାକୁ ବରଂ ବାହା ନ ଦେବେ, ଚିରଶତ୍ରୁ ସଦାନନ୍ଦଙ୍କ ପୁଅ ସହିତ କେବେହେଁ ବିବାହ ଦେବେ ନାହିଁ ।

 

ସଦାନନ୍ଦ ବହୁ ଦିନ ଧରି ବହୁ ଚେଷ୍ଟା କରି ସୁଦ୍ଧା ମଙ୍ଗରାଜଙ୍କୁ କୌଣସିମତେ କୌଶଳ–ଜାଲରେ ପକାଇପାରିଲେ ନାହିଁ । ଏଣେ ସମ୍ପତ୍ତିର ଲୋଭ ସମ୍ବରଣ କରି ହେଉ ନାହିଁ । କେଉଁ ଦୂରଦେଶରୁ ଆଉ ଜଣେ ଆସି ତାଙ୍କର ଆଖି ଆଗରେ ଅଗାଧ ସମ୍ପତ୍ତିର ମାଲିକ ହୋଇ ବସିବ, ଆଉ ସେ ଏଡ଼େ ଅଯୋଗ୍ୟ ଯେ, ଦୁଆରମୁହଁରେ ଥାଇ ସୁଦ୍ଧା ନୀରବରେ ସେ ଦୃଶ୍ୟ ଦେଖୁଥିବେ ? ନା, ତାହା କଦାପି ହୋଇ ନ ପାରେ । ଯେ କୌଣସି ଉପାୟରେ ହେଉ ମଙ୍ଗରାଜଙ୍କର ସମ୍ପତ୍ତି ସେ ହସ୍ତଗତ କରିବେ । ସେଥିପାଇଁ ଯାହା କରିବାକୁ ପଡ଼ିବ, ତାହା କରିବାକୁ ସେ ପ୍ରସ୍ତୁତ । ନିଜର ପ୍ରାଣ ପର୍ଯ୍ୟନ୍ତ ଦେବାକୁ ସେ ଦ୍ଵିଧା କରିବେ ନାହିଁ ।

 

ସଦାନନ୍ଦଙ୍କର ମୁଣ୍ଡରେ ଏକ ସଇତାନୀ ବୁଦ୍ଧି ଖେଳିଲା । ସେ ଭାବିଲେ–ଜଗନ୍ନାଥ ମଙ୍ଗରାଜ ତା’ର ଝିଅକୁ ଗୋକୁଳ ସଙ୍ଗରେ ବାହା ଦେବାକୁ ଅନିଚ୍ଛୁକ । ତା’ର ଅଜ୍ଞାତରେ କୌଣସିମତେ ବାହାଘରଟା ହୋଇଗଲେ ପରେ ଆଉ କ’ଣ କରିବ ? ବିବାହ ତ ଫେରାଇ ଦେବାର ଜିନିଷ ନୁହେଁ । ସେ ବାଧ୍ୟ ହୋଇ ଚୁପ ରହିବ । ନ ହେଲେ ବା ନାଲିଶ କରିବ–କରୁ । କନ୍ୟା ସ୍ଵୀକୃତା ଥିଲେ ହାକିମ ତ ବିବାହକୁ ନାମଞ୍ଜୁର କରିପାରିବେ ନାହିଁ ? ଯଦି ନାମଞ୍ଜୁର କରନ୍ତି, ବିବାହିତା କନ୍ୟାକୁ ଆଉ ବା କିଏ ବିଭା ହେବ ? ଏହି ଉପାୟରେ ମଙ୍ଗରାଜ ନିଶ୍ଚୟ ଜବତ ହେବ । ସଦାନନ୍ଦ ତାଙ୍କର ସମସ୍ତ ବୁଦ୍ଧି କୌଶଳ ବ୍ୟୟ କରି ନୂତନ ଯୋଗାଡ଼ରେ ଲାଗିପଡ଼ିଲେ ।

 

ପାଣୁ ମହାରଣାଙ୍କର ବିଧବା ସ୍ତ୍ରୀ ସାବୀ ଗାଁର ସମସ୍ତ ସ୍ତ୍ରୀଲୋକଙ୍କର ‘ସାବୀଅପା’ । ସେହି ସୂତ୍ରେ ସମସ୍ତଙ୍କ ଘରେ ତା’ର ଅବାଧ ପ୍ରବେଶ । କେବଳ ଘର ତଳିଖଣ୍ଡି ଭିନ୍ନ ତା’ର ଆଉ କିଛି ଜମିଜମା ନାହିଁ । କାହାର ଧାନ କୁଟି, କାହାର ଘର ଲିପି, କାହାର ବା ଏଣୁ ତେଣୁ ବୋଲହାକଟାଏ କରି ଚାଉଳ ମାଣେ, ପରିବା ଦିଟା ନେଇ ତା’ର ସୁଖେ ଦୁଃଖେ ଚଳିଯାଏ ।

 

ସେ ଦିନ ଫଗୁ ଦଶମୀ । ଦୋଳ ପୂର୍ଣ୍ଣିମାକୁ ମଙ୍ଗରାଜଙ୍କର ‘ନୂଆ ଖାତା’ ହେବ ବୋଲି ସେ ମନ ପ୍ରାଣ ନିୟୋଗ କରି ବାକୀ ଆଦାୟରେ ଲାଗି ପଡ଼ିଛନ୍ତି । ଡମାକୁ ଛାଡ଼ି ଆଉ ତିନିଟା ପିଆଦା ଠିକାରେ ରହିଛନ୍ତି । ତଥାପି ଅନ୍ୟାନ୍ୟ ବର୍ଷ ତୁଳନାରେ ସେ ବର୍ଷ ଆଦାୟ ବଡ଼ କମ୍ । ଏଣେ ପୂର୍ଣ୍ଣିମା ନିକଟ ହୋଇ ଆସିଲାଣି । ପାଖଆଖର କେତେ ଜଣ ଖାତକଙ୍କ ପାଖକୁ ସନ୍ଧ୍ୟାବେଳେ ମଙ୍ଗରାଜେ ନିଜେ ନିଜେ ବାହାରି ପଡ଼ିଲେ । ପିଆଦା ଯିବା ଅପେକ୍ଷା ଖାଉଁଦ ନିଜେ ଯାଇ ଦୁଆରେ ପହଞ୍ଚିଲେ ନିଶ୍ଚୟ କିଛି ଫଳ ହେବ ତ !

 

ରାତି ଘଡ଼ିକରୁ ବଳିଲାଣି । ଡମା ସେପର୍ଯ୍ୟନ୍ତ ମଫସଲରୁ ଫେରି ନାହିଁ । କିଶୋରୀ ଦ୍ଵାର ବନ୍ଦ କରି ପିଣ୍ଡାରେ ବସି ପରିବା କାଟୁଛି । ସାବୀ କବାଟରେ ହାତ ମାରି ଡାକିଲା, “କିଲୋ ଶୋରି, ଶୋଇଲୁଣି କି ? ସଞ୍ଜ ଘଣ୍ଟା ନ ବାଜୁଣୁ ଦୁଆର କିଳିଚୁ କାହିଁକି ମ ?” କିଶୋରୀ ଭିତରୁ ଥାଇ କହିଲା, “ସାବୀଅପା ନା କିଏ ?”

 

ସାବୀ–ହଁ ଲୋ, ମୁଁ । କବାଟ ଫିଟା । ବାପା କୁଆଡ଼େ ଯାଇଛନ୍ତି କି ?

କିଶୋରୀ କବାଟ ଖୋଲି ଦେଇ କହିଲା–“ସେ ତଳପାଟଣାକୁ ଯାଇଛନ୍ତି–ଇଲାଗେ ଆସିବେ ।”

ସାବୀ–ଡମା ?

କିଶୋରୀ–ଡମା ତ ଦୁଇ ପହରୁ କୁଆଡ଼େ ଯାଇଚି ଯେ ଏପର୍ଯ୍ୟନ୍ତ ତା’ର ଦେଖା ନାହିଁ ।

ସାବୀ–ହଉ, ଭଲ ହୋଇଚି କେହି ନାହାନ୍ତି । ଗୋପୀନାଥ ପୂର ଗୋପୀନାଥ ବିଜେ ହୋଇଚନ୍ତି, ତୁ ଆ ଦେଖି ଆସିବୁ ।

 

କିଶୋରୀ–କେଉଁଠି ଅଛନ୍ତି ?

 

ସାବୀ–କାଶିଆ ଦୁଆରେ ଭୋଗ ଖାଉଚନ୍ତି ।

 

କିଶୋରୀ–କାଶିଆ….. ଗୁଡ଼ିଆ କାଶିଆ ?

 

ସାବୀ–ହଁ ।

 

କିଶୋରୀ–ଘରେ କେହି ନାହାନ୍ତି । ରାତିଟାରେ ଏତେ ବାଟ ମୁଁ ଯିବି ନାହିଁ ।

 

ସାବୀ–କି ଲୋ, ଘରକୁ କିଏ ନେଇଯାଉଚି କି ? ଯିବୁ ଠିଆ ଗୋଡ଼େ ଟିକିଏ ଦେଖି ଆସିବୁ । ଅଣ୍ଡିରା ଚଣ୍ଡିରା ଘର, ମା ଅଛି ନା ମାଉସୀ ଅଛି ଯେ ଝିଅର ମନ ଜାଣି ପୁନେଇଁ ପରବରେ ଦିଅଁ ଦେବତା ଦେଖେଇବାକୁ ନେଇଯିବ ? ଏତେବେଳେ ଦିଅଁ ଦେବତା ଦେଖିବୁ ନାଇଁ ତ ଶାଶୁ ଘରେ କ’ଣ ଦେଖିବୁ ? ମୁଁ ସାଙ୍ଗରେ ଅଛି, ତୋର ଡର କ’ଣ ? ଚଞ୍ଚଳ ଆ । ତେଣେ ଦିଅଁ ଯଦି ବାହାରିଯିବେ, ଆଉ……

 

କିଶୋରୀ–ନାଇଁ ସାବୀ ଅପା, ଦାଣ୍ଡ ମଝିଟାରେ ଏତେ ବାଟ ମୁଁ ଯିବି ନାହିଁ ।

 

ସାବୀ–କିଲୋ, ଦାଣ୍ଡରେ କାହିଁକି ଯିବୁ ? ପଧାନ ଘର ବାରରେ ତ ବାଟ ଅଛି । ତାଙ୍କ ବୋହୂ ଭୂଆଷୁଣୀମାନେ ସେହି ବାଟରେ ଯାଇ ଦେଖୁଚନ୍ତି କେମିତି ? ତୁ ଅଭିହାଡ଼ୀ ଝିଅଟା, ତତେ ଏତେ ନାଜ ମାଡ଼ି ଯାଉଚି ? ଆ, ଚଞ୍ଚଳ ଆ ।

 

କିଶୋରୀକୁ କୌଣସି କଥା କହିବାର ଅବସର ନ ଦେଇ ସାବୀ ତା’ର ହାତ ଧରି ଟାଣି ନେଇଗଲା । ସେ ଦୁଇ ଜଣ ପ୍ରଧାନ ବାରିରୁ ସାହୁ ବାରିକୁ ଗଡ଼ିଲାବେଳେ ଚାରି ପାଞ୍ଚଜଣ ଲୋକ ସେମାନଙ୍କୁ ଆଡ଼କୁ ଆସୁଥିବାର କିଶୋରୀ ଦେଖି ପାରିଲା । ସେ ସାବୀର ପଣନ୍ତ ଟାଣି ଧରି କହିଲା, “ସାବୀ ଅପା, ଦେଖିଲ,ଏଣେ କିଏ ପଞ୍ଝାଏ ଲୋକ ଆସୁଚନ୍ତି । ମୁଁ ଆଉ ଯିବି ନାହିଁ ।” ସାବୀ କହିଲା “ଆ, ଆମେ ଏଇଠାରେ; ଟିକିଏ ଲୁଚି ଯିବା । ସେମାନେ ଚାଲିଯାନ୍ତୁ, ଯିବା ।” ସାବୀ ଆଉ କିଶୋରୀ ଲୁଚିବାକୁ ଗଲେ । କିନ୍ତୁ ନିକଟରେ ଲୁଚିବା ଭଳି ସ୍ଥାନ ନାହିଁ । ସବାରୀଟାଏ ଥୁଆ ହୋଇଥିଲା । ସାବୀ କିଶୋରୀର ହାତ ଧରି ସେହି ସବାରୀ ଭିତରକୁ ଟାଣି ନେଇଗଲା ।

 

ସେ ସବାରୀ ସଦାନନ୍ଦଙ୍କର ପରାମର୍ଶାନୁସାରେ ପୂର୍ବରୁ ସେଠାରେ ଅନ୍ୟର ଅଜ୍ଞାତରେ ରଖା ଯାଇଥିଲା । ସାବୀ ମଧ୍ୟ ତାଙ୍କରି ଶିକ୍ଷାରେ ଯାଇ ଦିଅଁ ଦେଖିବାର ଛଳନା କରି କିଶୋରୀକୁ ଘେନି ଆସି ସବାରୀରେ ବସାଇଦେଲା । ବେହେରାମାନେ ସଙ୍ଗେ ସଙ୍ଗେ ସବାରୀ ଉଠାଇ ବିଲ ବାଟରେ ଚାଲିବାକୁ ଲାଗିଲେ ।

Image

 

ଏକାଦଶ ପରିଚ୍ଛେଦ

 

ଚବିଶପ୍ରଗନାର ଅଧିକାଂଶ ଲୋକ ପ୍ରାୟ ସଦାନନ୍ଦଙ୍କର ଅନୁଗତ । ତାହାର ପ୍ରଧାନ କାରଣ, ସଦାନନ୍ଦଙ୍କର ପୁତ୍ର ଗୋକୁଳ କଟକ ରେଭେନ୍ସା କଲେଜରୁ ଏମ୍. ଏ. ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଆଇ.ସି.ଏସ. ପଢ଼ିବା ପାଇଁ ବିଲାତ ଯାଇଛନ୍ତି । ସେ ଫେରି ଆସିଲେ ନିଶ୍ଚୟ ଦେଶରେ ଗୋଟାଏ ବଡ଼ ପାହିଆର ହାକିମ ହେବ । ସଦାନନ୍ଦଙ୍କର ପ୍ରୀତିଭାଜନ ହୋଇଥିଲେ ତାଙ୍କ ପୁତ୍ରଙ୍କ ସହାୟତାରେ ଭାଗ୍ୟର ପରିବର୍ତ୍ତନ ହୋଇପାରେ । ସେହି ସୁଯୋଗରେ ସଦାନନ୍ଦଙ୍କର ସ୍ପର୍ଦ୍ଧା ଆହୁରି ବଢ଼ିଗଲା । ଜଗନ୍ନାଥ ମଙ୍ଗରାଜଙ୍କୁ ଜବତ୍ କରିବାର ଇଚ୍ଛାମତ ସହଚର ମଧ୍ୟ ପାଇପାରିଲେ ।

 

କିଶୋରୀ ସବାରୀରେ ବସିବାର କେତକ ସମୟପରେ ଅଚେତନ ହୋଇ ପଡ଼ିଲା । ତା’ର ଯେତେବେଳେ ଚୈତନ୍ୟୋଦୟ ହେଲା, ସେ ଦେଖିଲା ସାବୀ ତା’ର ହାତ ଧରି ଗୋଟାଏ ଅପରିଚିତ ଗୃହ ମଧ୍ୟକୁ ନେଇ ଯାଉଛି । ସେ ଆକାଶକୁ ଚାହିଁଲା–ଘନଘୋର ଅନ୍ଧକାର । ଚନ୍ଦ୍ରଙ୍କର ଶେଷ ନିଷ୍ପ୍ରଭ ରଶ୍ମି ଟିକକ ସୁଦ୍ଧା ଧରାପୃଷ୍ଠରୁ ଲିଭିଗଲାଣି । ସେ ବୁଝିପାରିଲା ରାତି ତୃତୀୟ ପ୍ରହରରୁ ଅଧିକ ହୋଇଯାଇଛି । ସାବୀର ହାତ ଧରି ବଡ଼ କରୁଣ, ବଡ଼ କାକୁତି ମିନତି ଭରା କମ୍ପିତ କଣ୍ଠରେ କହିଲା, “ ସାବୀ ଅପା, ମୁଁ ତୋର କି ଦୋଷ କରିଥିଲି, ତୁ ମୋତେ ଏମିତି ଠକି ଦେଲୁ ? କେଉଁ ରାଜ୍ୟକୁ ନେଇ ଆସିଲୁ ମୋତେ ? ବାପା ତଳପାଟଣାରୁ ଆସି ଖୋଜୁଥିବେ ! ମୋତେ ଦଣ୍ଡେ ନ ଦେଖିଲେ ସେ ଅନ୍ଧ ହୋଇଯାନ୍ତି–ତୁ କ’ଣ କଲୁ ସାବୀ ଅପା ! ତୋ ମନରେ ଯଦି ଏତେ କଥା ଥିଲା………” କହୁ କହୁ ଧରାପୃଷ୍ଠରେ ଲୋଟି ପଡ଼ିଲା । ସଙ୍ଗେ ସଙ୍ଗେ ତା’ର ସଂଜ୍ଞା ଲୋପ ହେଲା ।

 

ପର ମୁହୂର୍ତ୍ତରେ କିଶୋରୀର ମୂର୍ଚ୍ଛାଭଙ୍ଗ ହେଲାକ୍ଷଣି ସାବୀ ପାଣି ଗ୍ଳାସଟି ନେଇ ତା ଆଗରେ ଧରିଲା । କହିଲା, “ନେ ଶୋରୀ, ତୋଟି ଶୁଖିଯିବଣି । ପାଣି ଟୋପାଏ ପିଇ ଦେ ।” ପ୍ରକୃତରେ କିଶୋରୀର ତୋଟି ଶୁଖି ଯାଇଥିଲା । ସେ ଏକ ନିଃଶ୍ଵାସରେ ପାଣି ଗ୍ଳାସଟି ନିଃଶେଷ କରିଦେଲା । ସାବୀ କହିଲା, “ବିଛଣା ପାରିଛି, ଟିକିଏ ଶୋଇପଡ଼ ।” କିଶୋରୀ ନିତାନ୍ତ ବ୍ୟାକୁଳ ଭାବରେ କଇଁ କଇଁ ହୋଇ କାନ୍ଦିବାକୁ ଲାଗିଲା । କେତେ କ୍ଷଣ ପରେ ଶୋକର ବେଗ ଟିକିଏ କମିଯିବାରୁ ସାବୀର ପାଦ ଦୁଇଟି ଦୁଇ ହାତରେ ମୁଠାଇ ଧରି କାତର କଣ୍ଠରେ କହିଲା, “ସାବୀ ଅପା ! ସତ କହ ଏ ଘର କାହାର ? ଆମ ଘର ଏଠାକୁ କେତେ ଦୂର ?” ସାବୀ ତାକୁ ତଳୁ ଉଠାଇ ଧରି କହିଲା “ଶୋରି, ସୁନା ଭଉଣୀଟି ମୋର, ତୁ ଟିକିଏ ଚୁପ୍ ହୋଇ ଶୋଇପଡ଼ । ରାତି ପାହିଲେ ସବୁ କଥା କହିବି ।” କିଶୋରୀର ଧୈର୍ଯ୍ୟ ଅଣ୍ଟିଲା ନାହିଁ । ସେ ନିତାନ୍ତ ଛୋଟ ପିଲାଟା ପରି ସାବୀର କୋଳରେ ଲୋଟି ପଡ଼ି କାନ୍ଦିବାକୁ ଲାଗିଲା । କେତେକ ଅର୍ଥଲୋଭରେ, କେତେକ ଦଣ୍ଡଭୟରେ ସାବୀ ସିନା ଏତେ ବଡ଼ ଅନ୍ୟାୟ କାର୍ଯ୍ୟ କରି ପାରିଲା, ହେଲେ ସେ ନାରୀ–ନାରୀହୃଦୟ ତ ତା’ର ଅଛି । କିଶୋରୀର ଦୁଃଖ ସେ ନିଜ ପ୍ରାଣରେ ଅନୁଭବ କଲା । ତା’ର ବିବେକ ତାକୁ ଶତ ଧିକ୍କାର ଦେଇ କହିଲା, “ତୁ ଚାଣ୍ଡାଳୁଣୀ କି କୁକର୍ମ କଲୁ ? ନାରୀ ହୋଇ ଗୋଟଏ ନାରୀର ସର୍ବନାଶ କଲୁ ସିନା ! ତୋର ଏ ପାପର ପ୍ରାୟଶ୍ଚିତ୍ତ କେଉଁଠି ?” ତା ଆଖି ମଧ୍ୟ ଓଦା ହୋଇ ଆସିଲା । କିଶୋରୀ କାନ୍ଦି କାନ୍ଦି କହିଲା, “ସାବୀ ଅପା, ତୁ ବିଧବା । ପୁଣି ତିନି କାଳ ଆସି ଗଲାଣି । ଆଉ କେତେ ଦିନ ବା ବଞ୍ଚିବୁ ? ମୁଁ ତୋର କି ଅପରାଧ କରିଥିଲି, ମୋଠାରେ ଏପରି ବିଶ୍ଵାସଘାତକତା କାହିଁକି କଲୁ ? ଯାହା ତ କଲୁଣି, ବର୍ତ୍ତମାନ ମୋତେ ଟିକିଏ ବିଷ ଆଣି ଦେ, ତୋର ସବୁ ପାପ କଟିଯିବ–ବହୁତ ଧର୍ମ ହେବ ।” ସାବୀ ପଣନ୍ତରେ ଆଖି ପୋଛି କହିଲା, “ଶୋରୀ, କ’ଣ କରିବି, ବୁଦ୍ଧିତ ହୁଡ଼ିଛି । ଆର ଜନ୍ମରେ କି ପାପ କରିଥିଲି ଯେ, ଯୁବା ବୟସରେ ଗେରସ୍ତ ପୁଅଙ୍କୁ ଖାଇ ଆଣ୍ଠୁକୁଡୀ ହୋଇ ବସିଲି-।” ଶୋକରେ ତା’ର କଣ୍ଠ ରୁଦ୍ଧ ହେଲା । କିଶୋରୀ କହିଲା, “ସାବୀ ଅପା, ତୋ ଗୋଡ଼ ଧରୁଛି; ମୁଁ ତୋର ଝିଅ ପରି, ସତ କହ ମୋତେ କେଉଁଠାକୁ ଘେନି ଆସିଚୁ–ଏ କାହା ଘର ? “

 

“ଏ ଗାଁ ନାଁ ରଘୁନାଥପୁର, ସଦେଇ ସାନ୍ତରାଙ୍କ ଶ୍ଵଶୁର ଘର । ଆମ ଗାଁରୁ ଦଶ ବାର କୋଶ ହେବ ।”

 

“ଆମ ଘରଠାରୁ ବାର କୋଶ ଦୂର ? କାହିଁକି ଘେନି ଆସିଲୁ ଏଠାକୁ ?”

 

ସାବୀ ଗୋଟି ଗୋଟି କରି ସମସ୍ତ କଥା କହିଗଲା । ଶେଷରେ କହିଲା “ସାନ୍ତରାଙ୍କ ପୁଅ ଗୋକୁଳକୁ ତ ଦେଖିଚୁ । ରୂପ ଯେମିତି, ଗୁଣ ସେମିତି । ବିଲେଇତି ଦେଶକୁ ପଢ଼ିବାକୁ ଯାଇଥିଲା–ଏବେ ଆସିଚି । ଜଜସାହେବ କାମ ପାଇବ ସେ, ତୋ ଲାଖି ବର ଏକା, ମଙ୍ଗରାଜ ସାଆନ୍ତେ ନାହିଁ କରୁଚନ୍ତି ଖାଲି ସାନ୍ତରାଙ୍କ ସାଙ୍ଗରେ ତାଙ୍କର ପଡ଼େ ନାହିଁ ବୋଲି ସିନା । ଆଜି ଯଦି ମା ସାଆନ୍ତାଣୀ ଥାନ୍ତେ, ସେ କ’ଣ ଅମଙ୍ଗ ହୁଅନ୍ତେ ? ଏମିତି ବର ଭାଗ୍ୟକୁ ମିଳେ । ସେ ନାହିଁ କଲେ କରନ୍ତୁ, ତୁ ଆମର ରାଜି ହେଲେ ହେଲା । ବାହାଘର ଜୀବନର ସଉଦା । ସେଥିରେ ବାପ ମା କଅଣ କରିବେ ? କହନ୍ତି ପରା, ‘ପରା, ‘ମମ ମନକା ରାଜି, କ୍ୟା କରେଗା କାଜି ?’ ବାହାଘରଟା ସରିଗଲେ ମଙ୍ଗରାଜ ସାଆନ୍ତେ କ’ଣ ଆଉ ଫେରାଇ ନେବେ ? ସେ ମନକୁ ଚୁପ୍ ହୋଇ ରହିବେ ନାହିଁ ଯେ । ତୁ ଆମର ରାଜି ହୋଇ ଯା–ସବୁ ଅଡ଼ୁଆ ଛିଣ୍ଡିଯିବ ।” କଥାଗୁଡ଼ାକ ଛୁଞ୍ଚିପରି କିଶୋରୀ ଦେହରେ ଭେଦିଗଲା । ବାପାଙ୍କର ଯେଉଁଠି ଅନିଚ୍ଛା, ପୁଣି ସଦାନନ୍ଦ ତାଙ୍କର ପରମ ଶତ୍ରୁ–ସେ ଜଣି ଶୁଣି ଶତ୍ରୁ ଗୋଡ଼ତଳେ ତାଙ୍କର ମୁଣ୍ଡ ନୁଆଁଇ ଦେବ ? ବାପା–ସେ ତ କେବଳ ବାପା ନୁହନ୍ତି । କିଶୋରୀ ଶୈଶବରୁ ମାତୃହୀନା । ବାପା ତା ପାଇଁ କ’ଣ ନ କରିଛନ୍ତି ? କେତେ ଅଝଟ ଅର୍ଦ୍ଦଳି ନ ସହିଛନ୍ତି ତା’ର ? ବାପାଙ୍କ ଯୋଗୁଁ ମାତୃବିୟୋଗ ଦୁଃଖ ତାକୁ ବାଧି ନାହିଁ ସିନା ! ସେହି ବାପା, ସେହି ମା, ସେହି ସବୁ ତା’ର । ବାପା ତାକୁ କେତେ ସ୍ନେହ, କେତେ ଆଦର ନ କରନ୍ତି ? କେତେ ଭଲ ନ ପାନ୍ତି ? ସମ୍ପତ୍ତି ତାଙ୍କର ପ୍ରାଣଠାରୁ ବଡ଼ । କିନ୍ତୁ ସେ ତା ପାଇଁ ସମୁଦାୟ ସମ୍ପତ୍ତି ଉତ୍ସର୍ଗ କରିବାକୁ ସୁଦ୍ଧା କୁଣ୍ଠିତ ନୁହନ୍ତି–ତା’ର ପ୍ରମାଣ କ’ଣ କିଶୋରୀ ପାଇ ନାହିଁ ? ସେ ଦିନ ତିନି ହଜାର ଟଙ୍କାର ଦଲିଲଟା ସେ ନଷ୍ଟ କରିଦେଲା; ସେଥିପାଇଁ ବାପା ତାକୁ ପଦେ ହେଲେ କଡ଼ା କରି କହିଛନ୍ତି ? କାହାର ବାପା ଭଲା ଝିଅର ଏପରି ଅନ୍ୟାୟ ସହିବ ? ସଦାନନ୍ଦ ସାମନ୍ତରାୟଙ୍କ ସ୍ତ୍ରୀ ସ୍ଵାମୀଙ୍କୁ ଲୁଚାଇ ଚମ୍ପା ବୋଉକୁ ଦୁଇଟା ଟଙ୍କା ଧାର ଦେଇଥିଲା ବୋଲି ସଦାନନ୍ଦ କେତେ କଳିଗୋଳ ନ କରିଛନ୍ତି ଭଲା । ଗାଁ ଯାକ ହୁରି ପଡ଼ିଗଲା ସେଥିପାଇଁ ।

 

ସେପରି ବାପାଙ୍କ ମନରେ କିଶୋରୀ ଆଜି କଷ୍ଟ ଦେବ ? ବାପାଙ୍କର ଅନିଚ୍ଛାରେ ସେ ସଦାନନ୍ଦଙ୍କର ପୁଅକୁ ବିବାହ କରିବ ? ଛି, ଛି, କି ଲଜ୍ଜାର କଥା ! ହେଉ ସେ ବିଲାତ ଫେରନ୍ତା, ହେଉ ସେ ଜଜ ସାହେବ ! ସେମିତି ବର ଆଉ ମିଳିବେ ନାହିଁ–ନ ମିଳନ୍ତୁ; ତା କପାଳରେ ଯାହା ଥିବ-। ଭାଗ୍ୟରେ ଯଦି ଲେଖା ଥିବ ଘାସ କାଟିବାକୁ, ଇଚ୍ଛା କଲେ କ’ଣ ଘୋଡ଼ା ଚଢ଼ିପାରିବ ? ସେ କ’ଣ ପଢ଼ି ନାହିଁ ? ଗୁରୁଜନଙ୍କ ଆଶୀର୍ବାଦ ଦେବତାଙ୍କ ବର ସଙ୍ଗେ ସମାନ । ‘ରାଜୁନନା’ ସେହି କଥା ତାକୁ ବାରେ ନୁହେ ଶତ ବାର ଶିଖାଇଛନ୍ତି । ପିତା ଅସନ୍ତୁଷ୍ଟ ହେଲେ ତା’ର ଜୀବନ କେବେ ଶାନ୍ତିମୟ ହୋଇ ପାରିବ କି ? ନା, ସେ କେବେହେଁ ଏପରି ବିବାହ କରିପାରିବ ନାହିଁ ।

 

କିଶୋରୀ କିଛି କ୍ଷଣ ନୀରବ ରହି କହିଲା “ସାବୀ ଅପା, ତୋ ଗୋଡ଼ ଧରୁଚି, ମୋତେ ମୋ ବାପାଙ୍କ ପାଖରେ ଛାଡ଼ି ଦେଇ ଆ । ମୁଁ ବିଭା ହେବି ନାହିଁ । ଯଦି ଜୋର କରି ବାହାଘର କରିବ, ତେବେ ଜାଣିଥା ମୁଁ ନିଶ୍ଚୟ ବିଷ ଖାଇ ମରିବି ।”

 

ସାବୀ ବହୁତ ବୁଝାଇଲା । ସଦାନନ୍ଦ ସେଠାକାର ଆଉ କେତେ ପ୍ରବୀଣା ସ୍ତ୍ରୀମାନଙ୍କୁ ପଠାଇ କେତେ ପ୍ରକାର କୌଶଳ କଲେ; ମାତ୍ର ସବୁ ନିଷ୍ଫଳ–ସବୁ ବ୍ୟର୍ଥ । କିଶୋରୀ ସେହି ଏକ ଜିଦ୍ ଧରିଲା, ସେ ବିବାହ କରିବ ନାହିଁ । ଜୋର୍ କରି ବିବାହ କଲେ ବିଷ ଖାଇବ ।

 

ସଦାନନ୍ଦଙ୍କର ଭବିଷ୍ୟତର ସମସ୍ତ ସୁଖସ୍ଵପ୍ନ ଭାଙ୍ଗିଗଲା । ସେ ବୁଝି ପାରିଲେ କୌଣସି ଉପାୟରେ ଜଗନ୍ନାଥ ମଙ୍ଗରାଜଙ୍କର ଧନରତ୍ନ ଲାଭ ହେବ ନାହିଁ କି କନ୍ୟାରତ୍ନ ଲାଭ ହେବ ନାହିଁ । ତେବେ ବର୍ତ୍ତମାନ ଉପାୟ କଅଣ ? କିଶୋରୀକୁ କଅଣ କରିବେ ? ଯଦି ତା’ର ବାପ ପାଖକୁ ଛାଡ଼ି ଦେଉଛନ୍ତି, କଥା ନିଶ୍ଚୟ ପ୍ରଘଟ ହୋଇଯିବ । ଫଳରେ ତାଙ୍କୁ ଜେଲ ଗୃହ ଅଳଙ୍କୃତ କରିବାକୁ ହେବ । ପୁତ୍ର ଯାହାର ବିଲାତି ଫେରନ୍ତା–ଆଇ.ସି.ଏସ, ଅଫିସର, ସେ ଜେଲ ଦଣ୍ଡ ଭୋଗ କରିବା ଅପେକ୍ଷା ମୃତ୍ୟୁ ବରଂ ଶ୍ରେୟସ୍କର । କିଶୋରୀକୁ ନ ଛାଡ଼ି ଲୁଚାଇ ରଖିବେ ଚିରଦିନ–ସେଥିରେ ବା ଲାଭ କ’ଣ-? ପାପ କେତେ ଦିନ ଲୁଚି ରହିପାରେ ? ଆଉ ଏକ ଉପାୟ–ତାକୁ ଜୀବନରେ ମାରିଦେବା । ତା ହେଲେ କଥାଟା ପ୍ରକାଶ ପାଆନ୍ତା ନାହିଁ; କିନ୍ତୁ ନାରୀ ହତ୍ୟା ? କମ୍ ପାପ ନୁହେ !

 

ସଦାନନ୍ଦ ଅତ୍ୟାଚାରୀ, ଅବିଚାରୀ, ପାପାତ୍ମା–କିନ୍ତୁ ନାରୀହତ୍ୟା ରୂପ ମହାପାତକ ଅର୍ଜିବାକୁ ତାଙ୍କର ସାହସ ହେଲା ନାହିଁ । ସେ ବହୁତ ଭାବି ଚିନ୍ତି ସ୍ଥିର କଲେ, କୌଣସି ବିଶ୍ଵସ୍ତ ଲୋକ ଦ୍ଵାରା କିଶୋରୀକୁ କଲିକତା ପଠାଇଦେବେ । ସେଠାରେ ସେ ତାକୁ କୌଣସି ବେଶ୍ୟା ଘରେ ଛାଡ଼ିଦେଇ ଆସିବ । ଜଗନ୍ନାଥ ମଙ୍ଗରାଜ ପରି ଶତ୍ରୁର ଏହି ଉପଯୁକ୍ତ ଶାସ୍ତି ! ସେ କନ୍ୟାକୁ ଝୁରି ଝୁରି ଶେଷରେ ମରିବ । ଆଉ ଅନ୍ୟାୟରେ ଯେଉଁ ସବୁ ଧନ ସଞ୍ଚୟ କରିଛି, ତାକୁ ଭୂତ ଖାଇବେ ।

 

ସଦାନନ୍ଦ ଏହି ପ୍ରସ୍ତାବ କଲେ–କିଶୋରୀକୁ ତା’ର ବାପ ପାଖରେ ଛାଡ଼ି ଆସିବେ ବୋଲି ରଚନା କରି ତାକୁ ସବାରୀରେ ଧାନମଣ୍ଡଳ ଷ୍ଟେସନ ପର୍ଯ୍ୟନ୍ତ ନେଇ ଯିବାକୁ ହେବ । ରାତି ଗାଡ଼ିରେ ତାଙ୍କର ଶାଳକ ଧନେଶ୍ଵର ପଟ୍ଟନାୟକ ସେଠାରୁ କଲିକତା ନେଇଯିବେ ।

 

ଦୋଳପୂର୍ଣ୍ଣିମା–ବର୍ଷ ମଧ୍ୟରେ ଗୋଟାଏ ଶୁଭଦିନ । ପାପାତ୍ମା ସଦାନନ୍ଦ ସେହି ପବିତ୍ର ଦିବସରେ ସରଳା ବାଳିକାର ଅମଙ୍ଗଳ କାମନା କରି ଧନେଶ୍ଵର ସହିତ କଲିକତା ବିଦାୟ କରିଦେଲେ ।

 

ଧନେଶ୍ଵର ଯେତେବେଳେ ଧର୍ମଶାଳାରେ ପହଞ୍ଚିଲେ, ସେତେବେଳକୁ ରାତି ଦଶଟା । ଠିକ୍ ସନ୍ଧ୍ୟା ପୂର୍ବରୁ ଘର ଛାଡ଼ିଛନ୍ତି । ଚଉଦ ମାଇଲ ରାସ୍ତା ଅତିକ୍ରମ କରି ବେହେରାମାନେ ବଡ଼ କ୍ଳାନ୍ତ ହୋଇପଡ଼ିଥିଲେ । ଆଉ କିଛି ଦୂର ଯାଇଥିଲେ ଧାନମଣ୍ଡଳ ଷ୍ଟେସନରେ ଜଳଯୋଗ କରିଥାନ୍ତେ; କିନ୍ତୁ ସେମାନେ ଅନାହାରରେ ଆଉ ପାଦେ ମାତ୍ର ଅଗ୍ରସର ହେବାକୁ ରାଜି ହେଲେ ନାହିଁ । ବାଧ୍ୟ ହୋଇ ଧନେଶ୍ଵର ଧର୍ମଶାଳା ଗ୍ରାମରେ ଜଳଯୋଗ କରିବାର ବ୍ୟବସ୍ଥା କଲେ ।

 

ଧର୍ମଶାଳାରେ ଯେତେବେଳେ ସବାରୀ ରହିଲା, କିଶୋରୀ ଭାବିଲା ତାଙ୍କରି ଦୁଆରେ ଆସି ପହଞ୍ଚିଗଲା ପରା ! ସେ ଧୀରେ ସବାରୀର, ଦରଜାଟି ଫାଙ୍କ କରି ଦେଖିଲା, ସବାରୀ କାହାରି ଦୁଆରେ ଲାଗି ନାହିଁ–ମଝି ଦାଣ୍ଡରେ ଥୁଆ ହୋଇଛି । ସେ ଭଲ କରି ଚାହିଁଲା–ଚବିଶପ୍ରଗନା ଗାଁ ନୁହେ ସେ । ତା’ର ଚିରପରିଚିତ ଗାଁ ଦାଣ୍ଡ ସେ କ’ଣ ଚିହ୍ନି ନାହିଁ ? ତା ମନରେ କେତେ ପ୍ରକାର ସନ୍ଦେହ ଜାତ ହେଲା । ସେ ଅଶ୍ରୁମୋଚନ କରୁ କରୁ ବିକଳରେ କହିଲା, “ପ୍ରଭୁ,ଦୀନବନ୍ଧୁ ! ରକ୍ଷା କର । “ପର ମୁହୂର୍ତ୍ତରେ ସେ ଶୁଣିବାକୁ ପାଇଲା “ଷ୍ଟେସନ ଆଉ ମାଇଲିଏ ବାଟ । ସେହିଠାରେ ଜଳଖିଆ କରିଥିଲେ ଭଲ ହୋଇଥାନ୍ତା ।’’ ଧନେଶ୍ଵର ବୋଧ ହୁଏ ବେହେରାମାନଙ୍କୁ ଉଦ୍ଦେଶ୍ୟ କରି କହୁଥିଲେ । କଥା ଶୁଣି କିଶୋରୀର ସର୍ବାଙ୍ଗ ଥରି ଉଠିଲା । ଷ୍ଟେସନ୍ ଆଉ ମାଇଲିଏ ବାଟ ? କେଉଁ ଷ୍ଟେସନ ଏ ? ଚବିଶପ୍ରଗନାର ଏତେ ନିକଟରେ ତ କୌଣସି ଷ୍ଟେସନ ନାହିଁ । ତେବେ ଏ ଗାଁର ନା କ’ଣ ? କିଶୋରୀକୁ ସାରା ଜଗତଟା ପ୍ରହେଳିକା ପରି ବୋଧ ହେଲା । ସେ ପଣତ କାନିରେ ମୁହଁ ଢାଙ୍କି ପକାଇ ମନେ ମନେ କହିଲା, “ପ୍ରଭୁ, ଏ ଦସ୍ୟୁମାନଙ୍କ କବଳରୁ ରକ୍ଷା କର ।’’

 

ବେହେରାମାନେ ଖାଇ ବସିଲେ, ଧନେଶ୍ଵର ଆସି ସବାରୀ ଦରଜା ଖୋଲି ଭିତରକୁ ଚାହିଁଲେ । କିଶୋରୀ ଶୋଇଥିଲା । ସେ ପୂର୍ବବତ୍ ଦରଜା ବନ୍ଦ କରି ଦେଇ ଚାଲିଗଲେ । କିଶୋରୀ ହୃଦୟରେ ସେତେବେଳେ ଯେଉଁ ପ୍ରଳୟ ପବନ ବହୁଥିଲା, ସେଥିରେ କି ତା’ର ନିଦ୍ରା ହୁଏ ? ଧନେଶ୍ଵର ଚାଲିଯିବା ପରେ ସେ ଧୀରେ ସବାରୀ କବାଟ ଖୋଲି ବାହାରକୁ ଚାହିଁଲା । ପୂର୍ବରେ ଯେଉଁ ସ୍ଥାନରେ ସବାରୀ ଥିଲା, ଠିକ୍ ସେହି ସ୍ଥାନ ଅଛି । ସବାରୀର ଅପର ପାର୍ଶ୍ଵ କବାଟ ଫାଙ୍କ କରି ଦେଖିଲା, ବେହେରାମାନେ ଏକତ୍ର ବସି ଜଳଯୋଗ କରୁଛନ୍ତି । ସେମାନଙ୍କର ଅଳ୍ପ ଦୂରରେ ଆଉ ଜଣେ ଭଦ୍ର ପରିଚ୍ଛଦଧାରୀ ଖଣ୍ଡିଏ ବାସନରେ କ’ଣ ଚକଟୁଛନ୍ତି । ବୋଧହୁଏ ସେ ଜଳଯୋଗ କରିବାକୁ ଆରମ୍ଭ କରୁଛନ୍ତି । କିଶୋରୀ ଭାବିଲା–ଏପରି ସୁଯୋଗ ଆଉ ମିଳିବ ନାହିଁ । ସେ ଅତ୍ୟନ୍ତ ଭକ୍ତିର ସହିତ ଦୁଇ ହାତ ଯୋଡ଼ି ପ୍ରଭୁଙ୍କ ଉଦ୍ଦେଶ୍ୟରେ ପ୍ରଣାମ କଲା । ତାପରେ ସବାରୀରୁ ଆସ୍ତେ ଓହ୍ଲାଇ ଆସିଲା । ସବାରୀ ଗୋଟାଏ ଜୀର୍ଣ୍ଣ ଚଉରାକୁ ଲାଗି ରଖାଯାଇଥିଲା । କିଶୋରୀ ସେହି ଭଗ୍ନ ଚଉରାରୁ କେତେ ଖଣ୍ଡ ପଥର ନେଇ ଖୁବ୍ ସାବଧାନତାର ସହିତ ସବାରୀ ଭିତରେ ରଖି ପୂର୍ବବତ୍ କବାଟ ବନ୍ଦ କରିଦେଲା । ତାପରେ ବେହେରାମାନଙ୍କ ଆଡକୁ ଚାହିଁଲା–ସେ ପର୍ଯ୍ୟନ୍ତ ସେମାନଙ୍କର ଆହର ଶେଷ ହୋଇ ନାହିଁ । ସେ ଆଣ୍ଠୋଇ ଆଣ୍ଠୋଇ ଚଉରାର ଅପର ପାର୍ଶ୍ଵକୁ ଚାଲିଗଲା । ଦେଖିଲା, ସେଠାରେ ଗୃହସ୍ଵାମୀର ବାରିଭିତରକୁ ଗୋଟାଏ ଗଳି ବାଟ ଅଛି । ମନେ ମନେ ପ୍ରଭୁଙ୍କୁ ଧନ୍ୟବାଦ ଦେଇ ସେହି ପଥରେ ବାରି ପାଖକୁ ଚାଲିଯାଇ ଆତ୍ମଗୋପନ କଲା । ସର୍ବଶକ୍ତିମାନ୍ ପରମେଶ୍ଵରଙ୍କର କୌଣସି କାର୍ଯ୍ୟ କଳନା ବା କଳ୍ପନା କରିବା ଭଳି ଶକ୍ତି ମାନବ ଦେହରେ ଅଛି କି ? ତାଙ୍କର ଅନୁକମ୍ପା ହେଲେ ପଙ୍ଗୁ ଅତି ଅକ୍ଳେଶରେ ଦୁରାରୋହ ଗିରିମାଳା ଲଙ୍ଘନ କରିପାରେ । କିଶୋରୀ ସହସା ଏପରି ଭାବରେ ସେମାନଙ୍କ କବଳରୁ ଖସିଯିବ ବୋଲି କ’ଣ ପୂର୍ବରୁ ଭାବି ରଖିଥିଲା ? ଯାହାକୁ ରଖିବେ ଅନନ୍ତ–କି କରିପାରେ ବଳବନ୍ତ ?

 

ଜଳଯୋଗ ଶେଷ କରି ବେହେରାମାନେ ସବାରୀ ଉଠାଇ ଷ୍ଟେସନକୁ ଚାଲିଗଲେ । କିଶୋରୀ ସେହି ଗଳି ପଥରେ ଉଙ୍କିମାରି ଦେଖିଲା, ଦାଣ୍ଡରେ କେହି ନାହାନ୍ତି । ଗୃହସ୍ଵାମୀର ବାରି କବାଟରେ ଯାଇ ମୃଦୁ କରାଘାତ କଲା । ଗୃହସ୍ଵାମୀ ଦୟାନିଧି ପଟ୍ଟନାୟକ ଶୋଇବାକୁ ଯାଉଥିଲେ–ଶବ୍ଦ ଶୁଣି ଦ୍ଵାର ଫିଟାଇ ଦେଲେ । କିଶୋରୀ ତାଙ୍କର ପଦ ଦୁଇଟି ଦୁଇ ହାତରେ ଧରି ଲମ୍ବ ହୋଇ ତଳେ ପଡ଼ିଗଲା । କହିଲା, “ଆପଣ ମୋର ବାପ–ମୁଁ ଆପଣଙ୍କର ଝିଅ । ବଡ଼ ବିପଦରେ ପଡ଼ିଛି । ମୋତେ ରକ୍ଷା କରନ୍ତୁ । “ଦୟାନିଧି ପଟ୍ଟନାୟକ ଦେଖିଲେ ଅନିନ୍ଦ୍ୟ ସୁନ୍ଦରୀ ତରୁଣୀଟିଏ । ପୋଷାକ ପରିଚ୍ଛେଦରୁ ସଦ୍ ବଂଶ–ସଂଭୂତ ପରି ଜଣାଯାଉଛି । ସେ କୋମଳ କଣ୍ଠରେ କହିଲେ, “ଭୟ କର ନାହିଁ ମା ! ତୋର ବିପଦ କ’ଣ କହ । “ବର୍ଷାରେ ଦୁଇ କୂଳଭରା ତଟିନୀ ପରି କିଶୋରୀର ନୟନଯୁଗଳରୁ ଅଜସ୍ର ଧାର ବହିବାକୁ ଲାଗିଲା । ସେ କିଛି କହି ପାରିଲା ନାହିଁ । ଦୟାନିଧି ପଟ୍ଟନାୟକ ତାକୁ ତଳୁ ଉଠାଇ ନାନା ପ୍ରକାର ସାନ୍ତ୍ଵନାବାଣୀ ଶୁଣାଉ ଶୁଣାଉ ଗୃହମଧ୍ୟକୁ ଘେନିଗଲେ-

Image

 

ଦ୍ଵାଦଶ ପରିଚ୍ଛେଦ

 

ରାଜକିଶୋର ତାଳଚେରରେ ବାର ଦିନ କାଳ ରହିଲେ । ବହୁ ଅର୍ଥ ବ୍ୟୟ କରି ବହୁ ଅନୁସନ୍ଧାନ କଲେ; ମାତ୍ର କିଶୋରୀର କୌଣସି ସନ୍ଧାନ ପାଇଲେ ନାହିଁ । ଗତ ଚାରି ମାସ ମଧ୍ୟରେ ତାଳଚେର ରାଜା ସାହେବ ରାଣୀଙ୍କ ସହିତ ପୁରୀ ଯାଇଥିବାର ପ୍ରମାଣ ମଧ୍ୟ ପାଇଲେ ନାହିଁ । ତେବେ ମୋହନ ଦାସ କ’ଣ ମିଛ କହିଲା ? ଗୁଲିଖୋର ସେ–ଗୁଲିଆଙ୍କ ପକ୍ଷରେ ମିଥ୍ୟା କହିବା ଅସମ୍ଭବ କ’ଣ ? କିନ୍ତୁ ହାରଟି ନିଶ୍ଚୟ କିଶୋରୀର, ସେଥିରେ ତ ସନ୍ଦେହ ନାହିଁ । ତାହାହେଲେ ମୋହନ ଦାସ ଓ ତାହାର ସହଚରମାନେ କିଶୋରୀକୁ ମାରି ଦେଇଥିବା ମଧ୍ୟ ଅସମ୍ଭବ ନୁହେ ।

 

ରାଜକିଶୋର ଭାବିଲେ, ବର୍ତ୍ତମାନ କର୍ତ୍ତବ୍ୟ କ’ଣ ? ମୋହନ ଦାସକୁ ଗିରଫ କଲେ ସେ ଯେ ସତକଥା କହିବ, ସେପରି ତ ବିଶ୍ଵାସ ହେଉ ନାହିଁ । ହେମ ପାଖରେ ଯାହା କହିଛି କୋର୍ଟରେ ସେହି କଥା କହିଲେ ମଧ୍ୟ ତାକୁ ସଜା ହୋଇପାରେ । କିନ୍ତୁ କିଶୋରୀର ତ ଆଉ ଠିକ୍ ସମ୍ବାଦ ମିଳିବ ନାହିଁ । ନୈରାଶ୍ୟରେ ରାଜକିଶୋରଙ୍କର ହୃଦୟ ଭାଙ୍ଗି ପଡ଼ିଲା । କିନ୍ତୁ ତାଙ୍କ ହୃଦୟର ଅନ୍ତରତମ ପ୍ରଦେଶରୁ ତା’ର ସ୍ଵରରେ ବାଜି ଉଠିଲା–କିଶୋରୀ ମରି ନାହିଁ–ମରି ନାହିଁ-ଅନୁସନ୍ଧାନ କଲେ ନିଶ୍ଚୟ ପାଇବ ।

 

ରାଜକିଶୋର ପୁରୀକୁ ଫେରିଯାଇ ହେମର ହାରଟି ଫେରାଇ ଦେଲେ ଏବଂ ତାଙ୍କର ଶରୀର ଅସୁସ୍ଥ ଥିବା ହେତୁ ହାର ଫେରାଇବାରେ ବିଳମ୍ବ ହେଲା ବୋଲି କ୍ଷମା ମାଗିଲେ । ପାଠକମାନଙ୍କର ମନେ ଥିବ, ସେ ଏକ ମାସ ଛୁଟି ଚାହିଁଥିଲେ । ଛୁଟି ତାଙ୍କର ମଞ୍ଜୁର ହୋଇଥିଲା । ପନ୍ଦର ଦିନ ମାତ୍ର ଭୋଗ କରିଛନ୍ତି । ବାକି ପନ୍ଦର ଦିନ ବିଶ୍ରାମ କରିବାକୁ ମନେ ମନେ ସ୍ଥିର କଲେ । କିନ୍ତୁ ପୁରୀରେ ଦିନେ ମାତ୍ର ରହିଛନ୍ତି, ସେଠାରେ ଆଉ ମନ ଲାଗିଲା ନାହିଁ । ତାଙ୍କର ବାଲ୍ୟବନ୍ଧୁ ଦୀନବନ୍ଧୁ ମିଶ୍ର ଚାନ୍ଦିନୀଚୌକ ପୋଷ୍ଟ ଅଫିସରେ ପାର୍ଶଲ କିରାଣୀ । ସେ କଟକ ଆସି ତାଙ୍କରି ବସାରେ ପହଞ୍ଚିଲେ । ଦୀନବନ୍ଧୁ ମିଶ୍ର ଗଣେଶଘାଟ ନିକଟରେ ଗୋଟିଏ ଏକମହଲା ପକ୍କାଘର ଭଡ଼ା ନେଇ ଥାନ୍ତି । ଜ୍ୟୈଷ୍ଠ ମାସ । କଟକରେ ବଡ଼ ଗରମ ପଡ଼ିଥାଏ । କିନ୍ତୁ ପକ୍କା ଉପରକୁ ଗଲେ କାଠଯୋଡ଼ୀର ଶୀକର–ସିକ୍ତ ସମୀରଣରେ ଦେହ ଶୀତେଇ ଉଠେ । ବଡ଼ ଆରାମ ବୋଧ ହୁଏ । ଦୀନବନ୍ଧୁ ମିଶ୍ରଙ୍କର ପକ୍କା ଉପରେ ଖଣ୍ଡିଏ ଚାଳଘର । ଦିବାଭାଗରେ ସେଠାକୁ ସୂର୍ଯ୍ୟଙ୍କର ତାପ ମଧ୍ୟ ବାଧେ ନାହିଁ । ସ୍ଥାନଟି ରାଜକିଶୋରଙ୍କୁ ବଡ଼ ଭଲ ବୋଧ ହେଲା । ସେ ଅବସର ଅବଶିଷ୍ଟ ଦିନଗୁଡ଼ିକ ସେହିଠାରେ କଟାଇଦେବାକୁ ମନଃସ୍ଥ କଲେ ।

 

ରାଜକିଶୋରଙ୍କର କଟକରେ ରହିବାର ତିନି ଦିନ ହୋଇଗଲାଣି । ସେ ଦିନ ମଧ୍ୟାହ୍ନ ଭୋଜନ ପରେ ଶୋଇଛନ୍ତି, ସ୍ଵପ୍ନ ଦେଖିଲେ–ଏକ ନିବିଡ଼ ଜଙ୍ଗଲରେ ମଧ୍ୟ ଭାଗରେ ଜୀର୍ଣ୍ଣ କୂପଟାଏ-। ଜଣେ ଦୀର୍ଘାକୃତି ପୁରୁଷ କିଶୋରୀର ହାତ ଧରି ସେହି କୂପ ନିକଟକୁ ଘେନିଯାଇ କହିଲା “କହ ମୋ କଥାରେ ସ୍ଵୀକୃତ ହେବୁ କି ନାହିଁ ?’’ କିଶୋରୀ ଦୃଢ଼ ସ୍ଵରରେ କହିଲା “ନା–ତୋପରି ମୂର୍ଖ ପାଷଣ୍ଡ କଥାରେ ମୁଁ କୌଣସିମତେ ସ୍ଵୀକୃତ ହୋଇପାରିବି ନାହିଁ ।’’ ଦୀର୍ଘକାୟ ପୁରୁଷ ଉଷ୍ଣ ହୋଇ କହିଲା “ତେବେ ତୋର ମୃତ୍ୟୁ ଅନିବାର୍ଯ୍ୟ ।’’ କିଶୋରୀ ଆହୁରି ଦୃଢ଼ କଣ୍ଠରେ କହିଲା “ସେ ବରଂ ଭଲ; କିନ୍ତୁ ନାରୀ ହୋଇ ନାରୀଧର୍ମ୍ମରେ ଜଳାଞ୍ଜଳି ଦେବା ପାପରୁ ବଳି ଜଗତରେ ଆଉ କି ପାପ ଅଛି ?’’ ସେ ନୃଶଂସ ପୁରୁଷଟା ସଙ୍ଗେ ସଙ୍ଗେ କିଶୋରୀକୁ କୂପ ଭିତରକୁ ଠେଲିଦେଲା । କହିଲା “ପୁଣ୍ୟମୟି, ପୁଣ୍ୟକର୍ମର ଫଳ ଭୋଗକର !’’ ରାଜକିଶୋର ଚୀତ୍କାର କରି ଉଠିଲେ, ନିଦ୍ରା ଭାଙ୍ଗିଗଲା । ସେ ଆଖି ମଳି ଥରେ ଚତୁର୍ଦ୍ଦିଗକୁ ଚାହିଁଲେ, କେହି ନାହିଁ–ପକ୍କାଘର ଉପରେ ଚାଳ ଘରଟି ପୂର୍ବପରି ରହିଛି । ସେ ଉଠି ବସିଲେ; ନାନା ପ୍ରକାର ଦୁଶ୍ଚିନ୍ତା ଆସି ତାଙ୍କୁ ଗ୍ରାସ କରି ବସିଲା । କିଶୋରୀ ବିଷୟରେ ସେ ଯେତେ ଭାବିବାକୁ ଲାଗିଲେ, ତାଙ୍କର ହୃଦୟଭିତରେ ସେତେ ଦୁଃଖାଗ୍ନି ପ୍ରଜ୍ଵଳିତ ହେବାକୁ ଲାଗିଲା । କୌଣସି ଉପାୟରେ ନିଜକୁ ସାନ୍ତ୍ଵନା ଦେଇ ନ ପାରି ସେ ବାହାରକୁ ବାହାରିଗଲେ । ବାହାରର ନାନା ପ୍ରକାର ଦୃଶ୍ୟମଧ୍ୟରେ ମନର ପରବର୍ତ୍ତନ ଆସିପାରିବ ଅବା !

 

ଚାରିଟା ବାଜିଗଲାଣି । କଚେରି ଫାଟକରେ ଭାରି ଭିଡ । ସେ ଭିଡଭିତରେ ଫେରିବାଲାମାନେ ନିଜ ନିଜ ଜିନିଷର ଗୁଣ ବର୍ଣ୍ଣନା କରି ଗ୍ରାହକମାନଙ୍କର ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛନ୍ତି । ରାଜକିଶୋର ବୁଲୁ ବୁଲୁ ଦେଖିଲେ, ଜଣେ ଲୋକ ଗୋଟିଏ ପକେଟ ଉଆଚ ଧରି ଦେଖୁଛି । ଲୋକଟି ନିତାନ୍ତ ମଫସଲିଆ । ସେ ଉଆଚଟି ଧରି ଯେପରି କୌତୁହଳପୂର୍ଣ୍ଣ ଦୃଷ୍ଟିରେ ନିରୀକ୍ଷଣ କରୁଥିଲା, ସେଥିରୁ ସହଜରେ ଜଣା ଯାଉଥିଲା ତା’ର ଜୀବନରେ ଉଆଚ ଦେଖିବା ଏହି ପ୍ରଥମ । ସେ ଅପୂର୍ବଦର୍ଶନ ଲୋକଟିକୁ ଦେଖି ରାଜକିଶୋରଙ୍କର କୌତୁହଳ ବଢ଼ିଲା । ସେ ଟିକିଏ ଠିଆ ହୋଇଗଲେ । ଚାରି ପାଞ୍ଚ ମିନିଟ ଧରି ଉତ୍ତମରୂପେ ପରୀକ୍ଷା କରି ଦେଖିଲା ପରେ ସେ ଲୋକଟି ଦୃଷ୍ଟି ଫେରାଇଲା । ରାଜକିଶୋରଙ୍କୁ ନିକଟରେ ଦେଖି କହିଲା, “ଦେଖିଲ ବାବୁ, ଏ ଘଡ଼ି ଭଲ ଅଛି ? “ରାଜକିଶୋର ଉଆଚଟି ହାତକୁ ନେଇ ଦେଖିଲେ ଓଏଷ୍ଟ ଏଣ୍ଡ କମ୍ପାନିର ଉଆଚ–ଦାମ ନଅ ଦଶ ଟଙ୍କା ହେବ । ଅତି ଅଳ୍ପ ଦିନ ମାତ୍ର ବ୍ୟବହାର ହୋଇଛି । କହିଲେ “ହଁ, ଘଡ଼ି ଖୁବ୍ ଭଲ ଅଛି ।’’ ସେ ଲୋକଟି ଉଆଚ ହାତକୁ ନେଇ କହିଲା “ୟାର ଦାମ କେତେ ହେବ ?”

 

ରାଜକିଶୋର–କାହିଁକି ?

 

ସେ–ମୁଁ ୟାକୁ କିଣିବି ଯେ !

 

ରାଜ–କିଏ ବିକୁଛି ?

 

ନିକଟରେ ଗୋଟିଏ ଲୋକ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ସେ କହିଲା, “ଏଇ ଲୋକ ବିକୁଛି ।’’

 

ରାଜ-କେତେ ଦାମ କହୁଛି ସେ ?

 

ସେ–କହୁଛି ପାଞ୍ଚ ଟଙ୍କା ।

 

ରାଜ–ହଁ, ସେଇଆ ହେବ ।

 

ସେ–ସତ କହ ବାବୁ । ମୁଁ ଘଡ଼ି ଫଡ଼ି ଚିହ୍ନି ଜାଣେ ନା ।ବାପା ଦେଖି ଗାଳି ନ ଦିଅନ୍ତୁ ।

 

ରାଜ–ତମ ବାପା କିଏସେ ?

 

ସେ–ଆପଣ ଚକ୍ରଧର ଖୁଣ୍ଟିଆଙ୍କ ନାଁ ଶୁଣିଥିବେ । ସେ ପରା ମୋ ବାପା । ଗୋପାଳ ପ୍ରହରାଜ ଓକିଲଙ୍କ ମୋହରିର ସେ । ଦୁଇମାସ ହେବ ତାଙ୍କୁ ଗୋଟିଏ ମେଣ୍ଢାମୁଣ୍ଡିଆ ବାତ ପଗଡ଼ି ଦେଇଛି ଯେ-

 

ଅଯଥା କଥାଗୁଡ଼ାଏ ଶୁଣିବାକୁ ରାଜକିଶୋରଙ୍କୁ ଭଲ ଲାଗିଲା ନାହିଁ । ତା ଠାରୁ ଅବ୍ୟାହତ ପାଇବା ନିମିତ୍ତ “ହଁ, ମୁଁ ସବୁ ଜାଣେ । ବାପା ତମର ବିରକ୍ତ ହେବେ ନାହିଁ । ଅସଲି ଘଡ଼ି ଏ ।’’ କହି ସେ ଅନ୍ୟତ୍ର ଚାଲିଗଲେ ।

 

ପୁରନ୍ ଲାଲଙ୍କର ଅଳଙ୍କାର ଦୋକାନଟି ଠିକ୍ ବାଲୁବଜାର ଛକ ଉପରେ । ଦୋକାନଟି ନାନା ପ୍ରକାର ସୁଦୃଶ୍ୟ ଅଳଙ୍କାରରାଜିରେ ସୁସଜ୍ଜିତ । ଦେଖିଲେ ମନେ ହୁଏ, ପୁରାଣବର୍ଣିତ କୁବେରଭଣ୍ଡାର ମର୍ତ୍ତ୍ୟରେ ଖସି ପଡ଼ିଛି ପରା । ସନ୍ଧ୍ୟା ସାତଟା ହେବ । ଦୋକାନଟି ପେଟ୍ରୋମାକ୍ ଲାଇଟ୍‍ର ରଜତାଲୋକରେ ରଞ୍ଜିତ ହୋଇ ଆହୁରି ସୁନ୍ଦର,ଆହୁରି ମନୋହର ଛବି ଧାରଣ କରିଛି । ରାଜକିଶୋରଙ୍କର ଦୃଷ୍ଟି ସେହି ଦିଗକୁ ଆକୃଷ୍ଟ ହେଲା ।ସେ ରାସ୍ତାଉପରେ ଠିଆ ହୋଇ ଦୋକାନର ମନୋହାରିଣୀ ଛବି ଦେଖିବାକୁ ଲାଗିଲେ ।

 

ପୁରନ ଲାଲ ଗୋଟିଏ ବଡ଼ ତକିଆକୁ ଆଉଜି ଛ ଇଞ୍ଚ ବହଳର ଗଦି ଉପରେ ବସି ଆରାମ କରୁଅଛନ୍ତି । ଅପର ପାର୍ଶ୍ଵରେ କର୍ମଚାରୀ ଦୁଇ ଜଣ ଗ୍ରାହକମାନଙ୍କୁ ଅଳଙ୍କାର ଦେଖାଇବାରେ ବ୍ୟସ୍ତ । ଜଣେ ଲୋକ ଗୋଟିଏ କ’ଣ ପୁଡ଼ିଆ ଆଣି ପୁରନ୍ ଲାଲଙ୍କ ନିକଟରେ ଥୋଇଦେଲା । ତା ପରେ କ’ଣ କହିଲା, ରାଜକିଶୋର ଦୂରରେ ଥିବାରୁ ଶୁଣିପାରିଲେ ନାହିଁ । ପୁରନ ଲାଲ ସଙ୍ଗେ ସଙ୍ଗେ ଦଶ ଟଙ୍କାର ଦଶଟି ନୋଟ ଗଣି ତା’ର ହାତକୁ ବଢ଼ାଇଦେଲେ । ଲୋକଟି ନୋଟତକ ଲୁଗାରେ ବାନ୍ଧି ରାସ୍ତା ଉପରକୁ ଓହ୍ଲାଇ ପଡ଼ିଲା । ରାଜକିଶୋର ଦେଖିଲେ ସେହି ଲୋକ ସେ, ପାଞ୍ଚଟା ବେଳେ ଫାଟକ ପାଖରେ ଯେ ଉଆଚ ବିକ୍ରି କରୁଥିଲା । ହଠାତ୍ ତାଙ୍କ ମନରେ କାହିଁକି ସନ୍ଦେହ ଜନ୍ମିଲା । ସେ ସେହି ଲୋକଟିର ଅନୁସରଣ କଲେ । ଦୁଇ ତିନିଟା ଦୋକାନ ପାର ହୋଇ ଯିବାପରେ ରାଜକିଶୋର ତା’ର ନିକଟବର୍ତ୍ତୀ ହୋଇ କହିଲେ “କିହେ, କିଛି ଆମକୁ ଦେଲ ନାହିଁ ?’’ ସେ ଲୋକଟି ଆଶ୍ଚର୍ଯ୍ୟାନ୍ଵିତ ଭାବରେ ତାଙ୍କୁ ଚାହିଁବାକୁ ଲାଗିଲା । ରାଜକିଶୋର ତା’ର ଆଶ୍ଚର୍ଯ୍ୟ ହେବାର କାରଣ ବୁଝିପାରି କହିଲେ, “ବୁଝିପାରିଲୁ ନାହିଁ ? ତୁ ପରା ଘଡ଼ି ବିକ୍ରି କରୁଛୁ ? ଆଜି ପାଞ୍ଚଟା ବେଳେ କଚେରୀ ପାଖରେ ଘଣ୍ଟା ବିକ୍ରି କରୁଥିଲୁ ନା ତୁ ?’’

 

“ହଁ ।’’

 

“ମୋତେ ଗୋଟାଏ ଘଡ଼ି ଦେ–ଟଙ୍କା ଦେବି ।’’

 

ଲୋକଟି ହସି ଉଠିଲା, କହିଲା, “ମୁଁ କହିଲି ସିନା ଆଉ କ’ଣ । ଆପଣ ସେତେବେଳେ ଦେଖିଲେ, ନେଲେ ନାହିଁ ? ସେ ତ ବିକ୍ରି ହୋଇଗଲା, ଆଉ ମୁଁ କେଉଁଠୁ ଆଣିବି ?’’

 

“ସେ ବିକ୍ରି ହୋଇଗଲା–ଗଲା । ମୋତେ ଆଉ ଗୋଟାଏ ଦେ ।’’

 

“ନାଇଁ ବାବୁ, ମା ତ ସେଇ ଗୋଟିକ ଦେଇଥିଲେ ।’’

 

“ମିଛ କହୁଛୁ କାହିଁକି ? ମୁଁ କ’ଣ ଦାମ ଦେବି ନାହିଁ ?”

 

“ନାଇଁ ବାବୁ ,ରାଣ ଅଛି, ମୁଁ ମିଛ କାହିଁକି କହିବି ?”

 

“ତୁ ଏହିକ୍ଷଣି ସେ ଅଳଙ୍କାର ଦୋକାନରେ ଦେଇ ଆସିଲୁ କ’ଣ ?’’

 

“ମିଛ କହିଲି ବୋଲି ସେଥିପାଇଁ କହୁଛନ୍ତି ? ତାକୁ ବାବୁ ଦେଇଥିଲେ ନା ?”

 

“କେତେଟା ଘଡ଼ି ଦେଇଥିଲେ ?”

 

“ସେ ଘଡ଼ି ନୁହେ ।’’

 

“ଆଉ ?”

 

“କ’ଣ ମୁଁ ଜାଣି ନାହିଁ । ମୋତେ ଖାଲି ପୁଟୁଜାଟା ଦେଇ କହିଲେ ‘ୟାକୁ ନେଇଯା ପୁରନ ଲାଲଙ୍କୁ ଦେବୁ । ଆଉ କହିବୁ ସେ ଶଏଟା ଟଙ୍କା ଦେବେ’ ।’’

 

ବାବୁ କିଏ ଜାଣିବା ପାଇଁ ରାଜକିଶୋରଙ୍କର ଆକାଙ୍ କ୍ଷାବୃଦ୍ଧି ହେଲା ସେ ପଚାରିଲେ “ ବାବୁ ? କେଉଁ ବାବୁ ?”

 

“ଆପଣ ଦୀନବନ୍ଧୁ ବାବୁଙ୍କ ବସାରେ ଅଛନ୍ତି, ଆମ ବାବୁଙ୍କୁ ଚିହ୍ନି ନାହାନ୍ତି ? ଦୀନବନ୍ଧୁ ବାବୁଙ୍କ ବସାକୁ ଲାଗି ସେ ଦୋତାଲା କୋଠାଟା ପରା ଆମର ।’’

 

“ବାବୁଙ୍କ ନା କ’ଣ ?”

 

“ଦୟାନିଧି ବାବୁ ପରା କିଲଟରିରେ କାମ କରନ୍ତି ।”

 

“ତୋ ନାଁ କ’ଣ ?”

 

“ମୋ ନାଁ ପାଣୁଆ । ତାଙ୍କ ଚାକର ମୁଁ ।’’

 

“ବାଃ, ଏତେ ପାଖରେ ଅଛୁ, ମୁଁ ଚିହ୍ନି ନାହିଁ ତୋତେ ? ତୁ ମତେ କିପରି ଚିହ୍ନିଲୁ ମ ?”

 

“ଆଜିକି ତିନି ଦିନ ହେବ ଆପଣ ତାଙ୍କ ଘରେ ଆସି ଅଛନ୍ତି, ମୁଁ ଦେଖିଛି । ତାଙ୍କ ଘରେ କହୁଥିଲେ, ଆପଣ କଉଁଠି ଦୀନବନ୍ଧୁ ବାବୁଙ୍କ ସଙ୍ଗାତ ।’’

 

“ହଁ, ସେ ମୋର ସଙ୍ଗାତ । ତୁ ତ ମୋର ସବୁ ପରିଚୟ ପାଇ ସାରିଛୁ । ଆଛା, ସେ କଥା ଯାହା ହେଉ, ତୁ ସେ ଘଡ଼ିଟା କେଉଁଠୁ ଆଣିଥିଲ କହିଲୁ ?”

 

“ମା ଦେଇଥିଲା ପରା ।’’

 

“କାର ସେ ଘଡ଼ି ? ବାବୁଙ୍କର ?”

 

“ନା, ବାବୁଙ୍କର ତ ସୁନାର ଘଡ଼ି । ସେ ସବୁବେଳେ ହାତରେ ବାନ୍ଧିଥାନ୍ତି । ତା’ର ଦାମ୍ କାଳେ ବହୁତ ଟଙ୍କା ।’’

 

“ମା ସେ ଘଡ଼ିଟା କେଉଁଠୁ ଆଣିଥିଲେ ମ ?”

 

“କେଜାଣି ।’’

 

“ମୋତେ ଗୋଟିଏ ଘଡ଼ି ଦିଅନ୍ତୁ ପାଣୁ ।’’

 

“ମୁଁ ପଚାରେ, ଯଦି ଆଉ ଘଡ଼ିଥିବ ତା ହେଲେ–’’

 

“ଟିକିଏ ମନେ କରି ବୁଝିବୁ । ଘଡ଼ିର ଉଚିତ ଦାମ ଯାହା ହେବ ଦେବି । ତା ଛଡ଼ା ତୋତେ ମଧ୍ୟ ବକ୍ ସିସ ମିଳିବ ।’’

 

“ହଉ ଆଜ୍ଞ !’’ କହି ପାଣୁଆ ଚାଲିଗଲା । ରାଜକିଶୋର କ’ଣ ଭାବି ପୁଣି ତାକୁ ଡାକିଲେ । ସେ ଫେରି ଆସିଲା । ରାଜକିଶୋର କହିଲେ “ପାଣ, ତମ ବାବୁଙ୍କର ପୁରନ ଲାଲ ସଙ୍ଗରେ ବେଶ୍ ଭାବଲାଭ ଅଛି ବୋଧ ହୁଏ ?’’

 

“ଓଃ, ଭାରି ସାଙ୍ଗ ନା । ବାବୁ ଯେମିତି କଚେରିରୁ ଆସିବେ, ଜଳଖିଆ ଗଣ୍ଡାଏ କରିଦେଇ ଅଳଙ୍କାର ଦୋକାନରେ ହାଜର ।’’

 

“ଆଗରୁ ତା ହେଲେ ତାଙ୍କର ଟଙ୍କା ପଇସା ଧାର ଉଧାର ଦିଆ ନିଆ ଚାଲିଚି ?”

 

“ସେ କଥା ମୁଁ କହିପାରିବି ନାହିଁ ।’’

 

“ଆଜି ତ ଶଏ ଟଙ୍କା ନେଇ ଯାଇଛୁ–ଏମିତି ଆଉ କେତେ ଥର ନେଇ ନ ଥିବୁ ?”

 

“ନା–ବାବୁ ତ ସବୁ ଦିନ ନିଜେ ଆସନ୍ତି । ଆଜି ତାଙ୍କର କାମ ଅଛି କି କ’ଣ, ମୋତେ ପଠାଇଲେ ନା ।’’

 

“ହଉ ଯା, ମୋ କଥା ଭୁଲିବୁ ନାହିଁ ଟି । ଯେମିତି ହେଲେ କାଲି ଏତିକି ବେଳକୁ ଆଣିଦେବୁ । ନେ ଏ ଟଙ୍କା ଦିଟା ନେ, ତୋତେ ବକସିସ ଦିଆଗଲା । “ରାଜକିଶୋର ଟଙ୍କା ଦି ଟା ବଢ଼ାଇଦେଲେ; ଗ୍ରହଣ କରିବାକୁ ପାଣୁଆର କିନ୍ତୁ ଇଚ୍ଛା ହେଲା ନାହିଁ । ଯଦି ମାଙ୍କ ପାଖରେ ଆଉ ଘଡ଼ି ନ ଥାଏ । ସେ ସଙ୍କୁଚିତ ଭାବରେ କହିଲା “ନାଇଁ ବାବୁ, ରଖନ୍ତୁ । ମାଲ ନେଲେ ଦେବେ ।’’

 

“ଆରେ, ସେତେବେଳେ ତ ବକସିସ ପାଇବୁ ନିଶ୍ଚୟ; ଅବିକା ଏ ଟଙ୍କା ଦିଟା ନେଇ ଯା-। ଚାକର ଲୋକ–ତୁ ଦୟାନିଧି ବାବୁଙ୍କ ଚାକର, କ’ଣ ଆମର ନୋହୁ ?”

 

ପାଣୁଆ ଟଙ୍କା ଦୁଇଟି ନେଇ ଚାଲିଗଲା । ବାଟଯାକ କେତେ କ’ଣ ଭାବିବାକୁ ଲାଗିଲା । ସତେ ଏପରି ବାବୁ ସେ କେବେ ହେଲେ ଦେଖି ନାହିଁ । ଦୁଇ ପଦ କଥାବାର୍ତ୍ତା କରୁ କରୁ ଦୁଇ ଟଙ୍କା ବକସିସ୍ । ଭାବିଲା, ଚାକିରି କରିବ ତ ଏମିତି ବାବୁଙ୍କ ପାଖରେ ଚାକିରି କରିବ । ଆଉ ଏ ଅରକ୍ଷିତଙ୍କ ପାଖେ ରହି ଯାଉଣୁ ଆସୁଣୁ “ବଦମାସ” “ପାଜି” “ଚୋର” ଶୁଣି ଶୁଣି ଦେହ ପଥର ହୋଇଗଲାଣି । ରାଜକିଶୋରଙ୍କର ଏ ଅଯାଚିତ ଅନୁଗ୍ରହରେ ପାଣୁଆ ମନେ ମନେ ତାଙ୍କ ପ୍ରତି ଅତ୍ୟନ୍ତ ଆକୃଷ୍ଟ ହୋଇପଡ଼ିଲା । ପ୍ରତିଜ୍ଞା କଲା–କାଲି ନିଶ୍ଚୟ ଘଡ଼ିଟି ଦେଇ ବାବୁଙ୍କୁ ସନ୍ତୁଷ୍ଟ କରିବ ।

 

ପରଦିନ ଦିନ ତିନିଟା ସମୟରେ ରାଜକିଶୋର ତାଙ୍କର କୋଠରୀରେ ବସି କାଠଯୋଡ଼ିର ଶୀକର–ସିକ୍ତ ଶୀତଳ ବାୟୁ ସେବନ କରୁଛନ୍ତି, ପାଣୁଆ ଆସି ତାଙ୍କ ନିକଟରେ ଉପସ୍ଥିତ ହେଲା । ରାଜକିଶୋର ପଚାରିଲେ “କିରେ ପାଣୁ, ଆଣିଛୁ ?” ପାଣୁଆ ନିତାନ୍ତ ସଙ୍କୁଚିତ ଭାବରେ କହିଲା “ନାଇଁ ଆଜ୍ଞା ଆଉ ନାହିଁ ।’’ ରାଜକିଶୋର ଦେଖିଲେ ତା’ର ମୁହଁରେ ବଡ଼ ବିମର୍ଷ ଭାବ । କହିଲେ “କିରେ, ତୁ ଆଜି ଖାଇ ନାହୁଁ କି ? ତୋର ମୁହଁ କାହିଁକି ଶୁଖିଲା ଦିଶୁଛି ?”

 

ପାଣୁଆ ଇତସ୍ତତଃ କରିବାକୁ ଲାଗିଲା ।

 

“ଆଉ କ’ଣ ମୋ ଜିନିଷଟା ଆଣିପାରିଲୁ ନାହିଁ ବୋଲି ତୋ ମନରେ କଷ୍ଟ ହେଉଛି ?” ରାଜକିଶୋର ଉଚ୍ଚ ହାସ୍ୟ କରି ଉଠିଲେ, କହିଲେ “ନାହିଁ ତ ନାହିଁ, ସେଥିପାଇଁ ଏତେ ଦୁଃଖିତ କାହିଁକି ?”

 

ଘଡ଼ି ନ ପାଇଲେ ବାବୁ ବିରକ୍ତ ହେବେ, ଏହି ଆଶଙ୍କାରେ ପାଣୁଆର ମୁଁହଟା ଶୁଖି ଯାଇଥିଲା; କିନ୍ତୁ ବାବୁଙ୍କର ବିପରୀତ ଭାବ ଦେଖି ତା’ର ଆଶଙ୍କା ଦୂର ହୋଇଗଲା । ସେ ବାବୁଙ୍କୁ ସ୍ନେହ–ସ୍ନିଗ ଦୃଷ୍ଟିରେ ଚାହିଁ କହିଲା “ସେଇ କଥା କହିବାକୁ ଆସିଥିଲି, ଯାଉଛି ବଜାରକୁ ଯିବି ପୁଣି-।’’

 

“ହଉ ଯା, ମଝିରେ ମଝିରେ ଟିକିଏ ଆସୁଥିବୁ । ତୋ ହାତରେ ସେ କ’ଣ କିରେ ?”

 

ପାଣୁଆ ଗୋଟିଏ କ୍ଷୁଦ୍ର କାଗଜଖୋଳ ରାଜକିଶୋରଙ୍କ ଆଗରେ ଥୋଇ କହିଲା “ମା ଏ ମୁଦିଟି ବିକିବାକୁ ଦେଇଛନ୍ତି ।’’ ରାଜକିଶୋର ଖୋଲି ଦେଖିଲେ, ଅଧଭରି ସୁନାର ମୁଦିଟିଏ । ପଚାରିଲେ “ଏହାର ଦାମ କେତେ ?”

 

“କହିଛନ୍ତି ଦଶ ଟଙ୍କା ।’’

 

ରାଜକିଶୋରଙ୍କର ମନରେ ବଡ଼ ସନ୍ଦେହ ହେଲା । ସେ ଗତ ରାତ୍ରିରେ ତାଙ୍କର ବନ୍ଧୁ ଦୀନବନ୍ଧୁଙ୍କ ଠାରୁ ଦୟାନିଧି ବାବୁଙ୍କ ଇତିବୃତ୍ତ ଅବଗତ ହୋଇଛନ୍ତି ।

 

ଦୟାନିଧି ବାବୁ କଲେକଟରୀରେ ସିରସ୍ତାଦାର କାମ କରନ୍ତି, ଦରମା ଟ ୨୦୦୧; ତାଙ୍କର ସ୍ତ୍ରୀ ଗୋଟାଏ ସୁନା ମୁଦି ଚାକର ହାତରେ ବିକିବାକୁ ଦେଇଛନ୍ତି–ସେ ପୁଣି ପନ୍ଦର ଟଙ୍କା ସ୍ଥଳେ ଦଶ ଟଙ୍କାରେ ବିକ୍ରି ହେବ । କାଲି ଗୋଟାଏ ଦଶ ଟଙ୍କାର ଘଡ଼ି ପାଞ୍ଚ ଟଙ୍କାରେ ବିକ୍ରୀ ହୋଇଅଛି । ଏହାର କାରଣ କ’ଣ ?

 

ପାଣୁଆ କହିଲା “ବାବୁ, ମୁଁ ଆସୁଛି । ଆହୁରି କେତେ କାମ ଅଛି । ବାବୁ ଏହିକ୍ଷଣି କଚେରୀରୁ ଆସିଯିବେ ।

 

“ମା କ’ଣ ଏ ମୁଦିକି ଲୁଚାଇ କରି ବିକ୍ରୀ କରିବାକୁ ଦେଇଛନ୍ତି ?’’

 

ପାଣୁଆ ଇତସ୍ତତଃ କରିବାକୁ ଲାଗିଲା । ରାଜକିଶୋର କହିଲେ “କିରେ, ମୋତେ କ’ଣ ଅବିଶ୍ଵାସ କରୁଛୁ ? ମୁଁ କହିବି ନାହିଁ । “ଲଜ୍ଜାରେ ପାଣୁଆ ମୁହଁ ଲାଲ ହୋଇଗଲା ।

 

ଯେଉଁ ବାବୁ ଦୁଇ ପଦ କଥା କହି ଦୁଇ ଟଙ୍କା ବକସିସ୍ ଦିଅନ୍ତି, ତାଙ୍କ ପାଖରେ ଗୋଟାଏ ସାମାନ୍ୟ କଥା ଗୋପନ ରଖିବା ନିତାନ୍ତ ଅବିବେକର କାର୍ଯ୍ୟ । ସେ ଅପ୍ରତିଭ ହୋଇ କହିଲା, “ହଁ ବାବୁ, ମା ନାହିଁ କରିଛନ୍ତି ବାବୁଙ୍କୁ କହିବାକୁ ।’’

 

ରାଜକିଶୋର ହସି ହସିକହିଲେ, “ହେଲେ ବା ମୋ ପାଖରେ ଲୁଚାଉଛୁ–ମୁଁ କ’ଣ ତମ ବାବୁଙ୍କ ପାଖରେ କହି ଦେଉଛି ? “ତା ପରେ ମନିବ୍ୟାଗ ଫିଟାଇ ବାରଟା ଟଙ୍କା ପାଣୁଆ ହାତକୁ ବଢ଼ାଇ ଦେଲେ ।କହିଲେ “ମୁଁ ଏ ମୁଦି ରଖୁଚି । ନେ, ମୁଦିର ଦାମ୍ ଦଶ ଟଙ୍କା ଆଉ ତୋର ବକସିସ୍ ଦୁଇ ଟଙ୍କା ।’’

 

ପାଣୁଆ ଆଶ୍ଚର୍ଯ୍ୟାନ୍ଵିତ ଭାବରେ କହିଲା “ଏ କ’ଣ ଆଜ୍ଞା, କାଲି ପରା ବକସିସ୍ ଦେଇଥିଲେ ।’’

 

“ଆରେ, କାଲି କଥା ଆଜିକି ପୁରୁଣା ହୋଇଗଲାଣି ପରା । ଯା, ସଞ୍ଜବେଳେ ଫୁରୁସତ ପାଇଲେ ଏଣେ ଟିକିଏ ଆସିବୁ ।’’

 

ପାଣୁଆ ମନେ ମନେ ରାଜକିଶୋରଙ୍କର ଦୀର୍ଘାୟୁ କାମନା କରୁ କରୁ ଅନ୍ତର୍ହିତ ହେଲା ।

Image

 

ତ୍ରୟୋଦଶ ପରିଚ୍ଛେଦ

 

ରାତ୍ରିଭୋଜନ କରୁ କରୁ ରାଜକିଶୋର ତାଙ୍କର ବନ୍ଧୁ ଦୀନବନ୍ଧୁଙ୍କୁ କହିଲେ “ତମେ ପରା କହୁଥିଲ ଦୟାନିଧି ବାବୁଙ୍କର ଚାରି ବର୍ଷର ଗୋଟିଏ ମାତ୍ର ପୁତ୍ର ଭିନ୍ନ ଆଉ ସନ୍ତାନ ସନ୍ତତି କିଛି ନାହିଁ-? ଆଜି ତ ମୁଁ ଶୁଣିଲି ପନ୍ଦର ଷୋଳ ବର୍ଷର ଗୋଟାଏ ଯୁବତୀ ଝିଅ ଅଛି । “ଦୀନବନ୍ଧୁ ବିସ୍ମିତ ହୋଇ କହିଲେ “କିଏ କହିଲା ?’’
 

“ଭୂତ କହିଲା–ତମେ ସେଥିରୁ କ’ଣ ପାଇବ ? ତାଙ୍କର ପନ୍ଦର ଷୋଳ ବର୍ଷର ଗୋଟିଏ ଝିଅ ଥିବା କଥା ତମେ ଜାଣ କି ନାହିଁ ?’’

 

“ଦୀନବନ୍ଧୁଟିକିଏ ଚିନ୍ତା କରି କହିଲେ, ହଁ, ହଁ, ସେ ତ ତାଙ୍କର ଝିଅ ନୁହେ । ବର୍ଷେ ହେବ ସେ କେଉଁଠୁ ଘେନି ଆସିଛନ୍ତି ।’’

 

“ଦେଖିଛ ତମେ ସେ ଝିଅକୁ ?’’

 

“ନା, ମୋର ସ୍ତ୍ରୀ ସୁଦ୍ଧା ଦେଖି ନାହାନ୍ତି, ମୁଁ ଦେଖିବି କ’ଣ ? କହୁଛନ୍ତି ସେ ପାଗଳୀ । ସେଥିପାଇଁ ତାକୁ ସବୁବେଳେ ଗୋଟାଏ ଅଲଗା ଘରେ ବନ୍ଦ କରି ରଖିଛନ୍ତି–ବାହାର ଲୋକ କେହି ତାକୁ ଦେଖନ୍ତି ନାହିଁ ।’’

 

“କାରଣ କ’ଣ ?”

 

“କହନ୍ତି–ବାହାର ଲୋକ ଦେଖିଲେ ସେ କାନ୍ଦେ । ସମୟ ସମୟରେ କାମୁଡି ଗୋଡ଼ାଏ । ଏକୁଟିଆରେ ଅଲଗା ଘରେ ରହିବାରୁ ତା’ର ଅନେକ ପରିବର୍ତ୍ତନ ଦେଖାଯାଉଛି । ସେଥିପାଇଁ ତାକୁ କାହାରି ସହିତ ମିଳାମିଶା କରିବାକୁ ଦିଅନ୍ତି ନାହିଁ ।’’

 

“ଆଛା, ସେ ବାବୁ ବାବୁଆଣୀଙ୍କ ଭିନ୍ନ ଆଉ କେବେ କେହି ତାକୁ ଦେଖି ନାହିନ୍ତି ?”

 

“କେଜାଣେ ବାବୁ, ଏତେ ଖବର ମୁଁ କହିପାରିବି ନାହିଁ ! କାହିଁକି ? ତା ପାଇଁ ମୋର ଏତେ ମୁଣ୍ଡବ୍ୟଥା କାହିଁକି ?”

 

ରାଜକିଶୋର କିଛି କହିଲେ ନାହିଁ ।

 

“ସତେ ଭାଇ, ଗୋଟାଏ ଭଲ କଥା ମନେ ପଡ଼ିଲା “କହି ଦୀନବନ୍ଧୁ ହାଃ ହାଃ ହସି ଉଠିଲେ । ରାଜକିଶୋର ହସିବାର କାରଣ ବୁଝି ନ ପାରି ଜିଜ୍ଞାସୁ ଦୃଷ୍ଟିରେ ତାଙ୍କ ମୁହଁକୁ ଚାହିଁଲେ । ଦୀନବନ୍ଧୁ ରହସ୍ୟ କରି କହିଲେ “ତାଙ୍କର ଚାକର ପାଣୁଆ କହୁଥିଲା ସେ ଭାରି ସୁନ୍ଦରୀ–ସତେ ଯେପରି ସ୍ଵର୍ଗର ଅପସରା ! ବୟସ ପନ୍ଦର ଷୋଳ ବୋଲି ତ ତମେ ଜାଣିଛ । ଆଉ ଖୋଜିବାର ବିଷୟ କ’ଣ ଅଛି ? ଗୁଣ ? ଗୁଣ ନ ଥିଲେ ବି ତମପରି ଗୁଣୀ ଲୋକ ପାଖରେ ସେ ଅଭାବ ରହିବ ନାହିଁ । “ପୁଣି ଉଚ୍ଚହାସ୍ୟ କରିବାକୁ ଲାଗିଲେ । ରାଜକିଶୋର କହିଲେ “ପାଗଳଙ୍କ ପରି କ’ଣ ନିଜେ ହସି ଯାଉଛ ? ମୁଁ ଯେ କିଛି ବୁଝି ପାରୁ ନାହିଁ ।”

 

“ପ୍ରକୃତରେ ଆନନ୍ଦରେ ମୁଁ ପାଗଳ ହୋଇଗଲିଣି । ଏତେଗୁଡ଼ାଏ ଆନନ୍ଦ ଉପଭୋଗ କଲେ କିଏ ବା ପାଗଳ ନ ହେବ ? ବୁଝି ପାରୁନା ? ମୋ କହିବାର ଉଦ୍ଦେଶ୍ୟ କ’ଣ କି–ତମେ ଯୁବକ, ସେ ମଧ୍ୟ ଯୁବତୀ, ତମେ ଏକାକୁ ସେ ବି ଏକା, ତମେ ଯେଉଁ କାରଣରୁ ଚାକିରି ଛାଡ଼ି ପାଗଳ ହୋଇ ବୁଲୁଛ, ସେ ବୋଧହୁଏ ସେହି କାରଣରୁ ପାଗଳିନୀ ହୋଇଛି । ଦୁଇ ଜଣଙ୍କର ମିଳନ ହୋଇଗଲେ ଠିକ୍ ମଣି କାଞ୍ଚନର ସଂଯୋଗ କାହିଁକି, ଉଷୁମ ମୁଢିରେ କଟା ପିଆଜର ଯୋଗ ହୁଅନ୍ତା ପରା ! ତାପରେ ସେ ବର୍ତ୍ତମାନ ସିରସ୍ତାଦାରଙ୍କ ପାଳିତା କନ୍ୟା । ସିରସ୍ତାଦରଙ୍କ ପରି ବଡ଼ ଲୋକ ସହିତ ବନ୍ଧୁ ବାନ୍ଧିବା କ’ଣ କମ୍ ସୌଭାଗ୍ୟର କଥା । “ରାଜକିଶୋର ମଧ୍ୟ ସେହିପରି ରହସ୍ୟ କରି କହିଲେ “ଭାଇ ! ଅନୁଗ୍ରହ କରି ଯଦି ସେତକ କରାଇପାରନ୍ତ, ତେବେ ଚିରଜୀବନ ମୁଁ ତମ ପାଖରେ କୃତଜ୍ଞତା–ପାଶରେ ବନ୍ଧା ରହନ୍ତି ପରାଁ ! ତମେ ମୋର ଦୁଃଖକୁ ନିଜ ହୃଦୟରେ ଅନୁଭବ କରି ପାରିଛ । ସେଥିପାଇଁ ମୁଁ ଅନ୍ତରର ସହିତ ଧନ୍ୟବାଦ ନ ଦେଇ ରହିପାରୁ ନାହିଁ । ବନ୍ଧୁ ନ ହେଲେ କି ବନ୍ଧୁର ଦୁଃଖ ବୁଝେ ?’’

 

“ତମ ଧନ୍ୟବାଦକୁ ମୁଁ ଅନ୍ତରର ସହିତ ଗ୍ରହଣ କଲି; କିନ୍ତୁ କୃତଜ୍ଞତା–ପାଶରେ ବାନ୍ଧି ରଖିବାର କ୍ଷମତା ବନ୍ଧୁର ନାହିଁ । ବନ୍ଧୁଙ୍କ ବାନ୍ଧବୀ ଅନୁଗ୍ରହ କଲେ ଅଚିରେ ତମର ଅଭୀଷ୍ଟ ସିଦ୍ଧି ହେବାର ସମ୍ଭାବନା । ତେଣୁ ତମେ କାଲିଠାରୁ ସେହି କାମନାପୂର୍ଣ୍ଣକାରିଣୀ ଦେବୀଙ୍କର ଆରାଧନା କର ।’’

 

“ଆଛା, କାଲିଠାରୁ ତାହାହିଁ କରିବାକୁ ହେବ ।’’

 

ସିରସ୍ତାଦାରଙ୍କ ବିଷୟରେ ରାଜକିଶୋର ଯେମିତି ଭାବିବାକୁ ଲାଗିଲେ, ତାଙ୍କର ସନ୍ଦେହ ସେହି ପରିମାଣରେ ବୃଦ୍ଧି ପାଇବାକୁ ଲାଗିଲା । ସିରସ୍ତାଦାରଙ୍କ ପତ୍ନୀ ସ୍ଵାମୀକୁ ଲୁଚାଇ ଚାକରଦ୍ଵାରା ଘଡ଼ି ଏବଂ ମୁଦି ବିକ୍ରୟ କରିବା, ଅଳଙ୍କାର ଦୋକାନୀ ପୁରନଲାଳ ସହିତ ସିରସ୍ତାଦାରଙ୍କର ଘନିଷ୍ଠତା ଓ ଷୋଡ଼ଶବର୍ଷୀୟା ପାଗଳିନୀଟି ତାଙ୍କ ଅନଃପୁରରେ ବନ୍ଦିନୀ–ଏ ସମସ୍ତ ତାଙ୍କୁ ଗୋଟାଏ ଭୋଜବିଦ୍ୟା କୌଶଳପରି ବଡ଼ ରହସ୍ୟମୟ ବୋଧ ହେଲା ।

 

ସିରସ୍ତାଦାର–ଦୁଇଶଟଙ୍କା ବେତନ ପାନ୍ତି, ସରକାରଙ୍କର ଜଣେ ବିଶିଷ୍ଟ କର୍ମଚାରୀ–ମୁର୍ଖ ଅଳଙ୍କାର ଦୋକାନୀଟା ସହିତ ତାଙ୍କର ଏଡ଼େ ସଦ୍ଭାବ ଏତେ ଘନିଷ୍ଠତା କାହିଁକି ? ସ୍ତ୍ରୀ ଲୋକମାନେ ସାଧାରଣତଃ ଅଳଙ୍କାରପ୍ରିୟ–ନାନା କୌଶଳରେ ସ୍ଵାମୀମାନଙ୍କ ମନ ଭୁଲାଇ କିପରି ପାଞ୍ଚ ପ୍ରକାର ଅଳଙ୍କାର ପିନ୍ଧିବେ, ସେଥିପାଇଁ ସର୍ବଦା ଚେଷ୍ଟା କରନ୍ତି–କିନ୍ତୁ ସିରସ୍ତାଦାରଙ୍କର ପତ୍ନୀ ଅଳଙ୍କାର ବିକ୍ରୀ କରୁଛନ୍ତି ! ଉଦ୍ଦେଶ୍ୟ କ’ଣ ? ଘଡ଼ି ସେ ପାଇଲେ କେଉଁଠୁ ?

 

ପୁଣି ଗୋଟାଏ ପାଗଳିନୀ–ସେ ଆଜକୁ ବର୍ଷେ ହେଲା ତାଙ୍କ ଘରେ ସ୍ଥାନ ପାଇଛି । ତାହା ଦ୍ଵାରା ତାଙ୍କର କି ଉପକାର ସାଧିତ ହେଉଛି ? ତା’ର ଜାତି ଗୋତ୍ର ଜଣା ନାହିଁ । ରାସ୍ତାରେ ବୁଲୁଥିଲା ଏ ଦେଖି ନେଇ ଆସିଲେ । ସେ କ’ଣ ସମ୍ଭବ ? ଅଜ୍ଞାତକୁଳଶୀଳ ସ୍ତ୍ରୀଟାକୁ ସିରସ୍ତାଦାରଙ୍କ ପରି ବିଚକ୍ଷଣ ଲୋକ ନିଜର ଅନ୍ତଃପୁରରେ ସ୍ଥାନ ଦିଅନ୍ତେ ? ହଁ, ତା’ର ଦୂରବସ୍ଥା ଦେଖି ଦୟା ହୋଇଥିବ, ନେଇ ଆସି ପାରିଥାନ୍ତି; କିନ୍ତୁ ତା’ର ଅବସ୍ଥା ପରିବର୍ତ୍ତନ ଦିଗରେ ତ କୌଣସି ଚେଷ୍ଟା ନାହିଁ । ପାଗଳିନୀକୁ ଭଲ କରିବା ପାଇଁ ବୈଦ୍ୟ, ଡାକ୍ତର ବା ଗୁଣିଆ ଲଗାଇବା ଦୂରେ ଥାଉ, ବାହାର ଲୋକେ ତା’ର ଛାୟା ସୁଦ୍ଧା ଦେଖିବାକୁ ପାଉ ନାହାନ୍ତି । ନିଶ୍ଚୟ ଏଥିରେ କିଛି ଗୂଢ଼ ରହସ୍ୟ ଅଛି । ତେବେ କି ଉପାୟରେ ସେ ରହସ୍ୟ ଭେଦ କରାଯାଇପାରେ ?

 

ମୁହଁ ହୃଦୟର ସୂଚୀପତ୍ର । ରାଜକିଶୋର ଏକ ବର୍ଷକାଳ ପୋଲିଶ ବିଭାଗରେ କାର୍ଯ୍ୟ କରି ସେହି ସୂଚୀପତ୍ର ପାଠ କୌଶଳ ଶିକ୍ଷା କରିବାକୁ କେତେକ ସୁଯୋଗ ପାଇ ପାରିଥିଲେ । ସେ ସିରସ୍ତାଦାରଙ୍କୁ ଉତ୍ତମରୁପେ ଲକ୍ଷ୍ୟ କରି ବୁଝିପାରିଲେ, ସିରସ୍ତାଦାର ବୃଦ୍ଧ ଓ ଶିକ୍ଷିତ ହେଲେହେଁ କ୍ରୃରତା, କପଟତା, ପାଶବିକତା ପ୍ରଭୃତି ଅମାନୁଷିକ ଉପାଦାନରେ ଯେପରି ତାଙ୍କର ଶରୀରଟା ଗଢ଼ା-! କ୍ରମେ ତାଙ୍କର କୌତୁହଳ ଉଦ୍ଦୀପ୍ତ ହେବାକୁ ଲାଗିଲା । ସମସ୍ତ କର୍ମ୍ମ ପରିତ୍ୟାଗ କରି ସେ ସିରସ୍ତାଦାରଙ୍କର ଗତିବିଧି ପର୍ଯ୍ୟବେକ୍ଷଣ କରିବାରେ ବ୍ରତୀ ହେଲେ ।

 

ରାଜକିଶୋରଙ୍କଠାରେ ଗୋଇନ୍ଦା ପୋଲିଶର ବିଶିଷ୍ଟ ଗୁଣ କେତୋଟି ଥିଲା । ସେ ବିଭିନ୍ନ ପ୍ରକାର ବେଶରେ ନିଜକୁ ସଜ୍ଜିତ କରି ପାରୁଥିଲେ ଏବଂ ଏକାଧିକ ପ୍ରକାରରେ ନିଜର କଣ୍ଠସ୍ଵର ପରିବର୍ତ୍ତନ କରିବାରେ ଅଭ୍ୟସ୍ତ ଥିଲେ ।

 

ସେ ଦିନ ସନ୍ଧ୍ୟାରେ ସିରସ୍ତାଦାର ବାବୁ ବସାରୁ ବାହାରିଯିବାର ପର ମୂହୂର୍ତ୍ତରେ ରାଜକିଶୋର ନିଜର ପୋଷାକ ପରିବର୍ତ୍ତନ କରି ମୁସଲମାନ ବେଶରେ ବାଲୁବଜାର ଆଡକୁ ଚାଲିଲେ ।

 

ପୁରନଲାଲ ତକିଆକୁ ଠେସ ଦେଇ ବସିଛି । ସିରସ୍ତାଦାର ବାବୁ ତା ପାଖରେ ବସି ଧୀରେ ଧୀରେ କ’ଣ କଥାବାର୍ତ୍ତା କରୁଛନ୍ତି । ମୁସଲମାନ ବେଶଧାରୀ ରାଜକିଶୋର ଅଳଙ୍କାର କିଣିବା ବାହାନାରେ ସେଠାରେ ପହଞ୍ଚିଗଲେ । ପୂର୍ବର ଅଭ୍ୟାସାନୁଯାୟୀ ପୁରନଲାଲ ତାହାର କର୍ମଚାରୀଙ୍କୁ ଲକ୍ଷ୍ୟ କରି କହିଲା, “ବାବୁ କ୍ୟା ମାଙ୍ଗତେହେଁ ଦେ ଦୋ । “ସଙ୍ଗେ ସଙ୍ଗେ ଜଣେ କର୍ମଚାରୀ ରାଜକିଶୋରଙ୍କର ନିକଟବର୍ତ୍ତୀ ହୋଇ ପଚାରିଲା, “ଆପ୍ କ୍ୟା ମାଙ୍ଗତେହେଁ ? ”ତାପରେ ରାଜକିଶୋର ଗୋଟିଏ ଭଲ ହାର ନେବାର ଇଚ୍ଛା ପ୍ରକାଶ କରିବାରୁ ସେ କର୍ମଚାରୀ କେତେଗୁଡ଼ିଏ ହାର ଆଣି ତାଙ୍କ ନିକଟରେ ଥୋଇଦେଲା । ରାଜକିଶୋର ହାର ଦେଖିବାକୁ ଲାଗିଲେ । ଇତିମଧ୍ୟରେ ସିରସ୍ତାଦାର ପୁରନଲାଲ ସହିତ କଥୋପକଥନ ଶେଷ କରି ଉଠି ପଡ଼ିଲେ । ଦୋକାନରୁ ଓହ୍ଲାଉଛନ୍ତି, ପୁରନଲାଲ କହିଲା, “କାମ କେବେ ହେଉଛି ?” ସିରସ୍ତାଦାର ଟିକିଏ ଭାବି ନେଇ କହିଲେ “ଆଉ ଚାରି ପାଞ୍ଚ ଦିନ ବିଳମ୍ବ ହେବ ।’’

 

“କାହିଁକି ? ଆଉ ବିଳମ୍ବର କାରଣ କ’ଣ ?”

 

“ବର ହାତରେ ତ କଥା । କାଲି ସନ୍ଧ୍ୟାକୁ ସଠିକ୍ ଖବର ମିଳିବ ।”

 

ଛଦ୍ମବେଶୀ ମୁସଲମାନଙ୍କର କୌଣସି ହାର ପସନ୍ଦ ହେଲା ନାହିଁ । ସିରସ୍ତାଦାର ଯିବା ପରେ ସେ ଉଠିଗଲେ । କିନ୍ତୁ ସିରସ୍ତାଦାରଙ୍କର ସେହି କଥାଟି “ବର ହାତରେ ତ କଥା “ତାଙ୍କ କାନରେ ବାରମ୍ବାର ଧ୍ଵନିତ ହେବାକୁ ଲାଗିଲା । ସେ ଭାବିଲେ–“ବର କିଏ ? କାହାର ବାହାଘର ? ସିରସ୍ତାଦାରଙ୍କର ତ କନ୍ୟା ନାହିଁ । କିଏ ବାହା ହେବ ତା ହେଲେ ? ପାଗଳିନୀ ବିଭା ହେବ ନାହିଁ ତ-?”

 

ସେ ଦିନ ରାତିରେ ରାଜକିଶୋରଙ୍କର ସୁଖ ନିଦ୍ରା ହେଲା ନାହିଁ । ରାତ୍ରି ତିନିଟା ହେବ । ସେ ତାଙ୍କର କୋଠରୀ ବାରଣ୍ଡାରେ ପଦଚାରଣା କରୁ କରୁ ସିରସ୍ତାଦାରଙ୍କ ବିଷୟରେ ନାନା କଥା ଭାବୁଛନ୍ତି, ସହସା ଗୋଟାଏ ଶବ୍ଦ ଶୁଣିବାକୁ ପାଇଲେ ।ସେ ଉତକର୍ଣ୍ଣ ହୋଇ ଠିଆ ହେଲେ । ସିରସ୍ତାଦାରଙ୍କର କୋଠାଉପରୁ ଶବ୍ଦ ଆସୁଥିବାର ବୁଝି ପାରିଲେ । ସେ ବାରଣ୍ଡାର ଶେଷଭାଗକୁ ଯାଇ କାନ ପାତିଲେ । କ୍ଷୀଣ କ୍ରନ୍ଦନସ୍ଵର ପରି ଜଣାଗଲା । ପ୍ରାୟ ଅଧଘଣ୍ଟା ଧରି ଠିଆହୋଇ ରହିଲେ । ସେ ଶବ୍ଦ କ୍ରମେ ଅସ୍ପଷ୍ଟତର ହୋଇ ଆସିଲା । ଏତେ ରାତିରେ ସିରସ୍ତାଦାରଙ୍କର ଘରେ କାନ୍ଦୁଛି କିଏ ? ପାଣୁଆର ଶୋଇବା ସ୍ଥାନ ତଳ ମହଲା । ଉପର ମହଲାରେ ସିରସ୍ତାଦାର, ତାଙ୍କର ପତ୍ନୀ ଓ ଚାରିବର୍ଷର ଶିଶୁପୁତ୍ର ଏ ତିନି ଜଣ ଶୁଅନ୍ତି । ପିଲାସ୍ଵର ପରି ତ ଜଣା ଯାଉ ନାହିଁ । ପାଗଳିନୀ ସର୍ବଦା ଉପରେ ଥାଏ ପରା–ସେହି ପାଗଳିନୀ କାନ୍ଦୁଥିବ । ପାଗଳିନୀ ଅନେକ ସମୟରେ କାନ୍ଦେ ବୋଲି ରାଜକିଶୋର ପୂର୍ବରୁ ଅବଗତ ଅଛନ୍ତି । ତାଙ୍କର ଦୃଢ଼ ଧାରଣା ହେଲା ପାଗଳିନୀ କାନ୍ଦୁଛି । କିନ୍ତୁ କାହିଁକି କାନ୍ଦୁଛି ସେ ? ସେ କିଏ, ଏପର୍ଯ୍ୟନ୍ତ ତା’ର ପରିଚୟ ତ ମିଳିଲା ନାହିଁ ।

 

ରାଜକିଶୋରଙ୍କର ଭାବନାର ଗତି ପରିବର୍ତ୍ତତ ହୋଇଗଲା । କି ଉପାୟରେ ସେ ପାଗଳିନୀର ପରିଚୟ ପାଇବେ, ସେଥିପାଇଁ ଉଦବିଗ୍ନ ହୋଇ ଉଠିଲେ ।

Image

 

ଚତୁର୍ଦ୍ଦଶ ପରିଚ୍ଛେଦ

 

ପ୍ରଭାତ ହେଲାକ୍ଷଣି ରାଜକିଶୋର ତାଙ୍କର ବନ୍ଧୁଙ୍କୁ ଏକାନ୍ତ କକ୍ଷକୁ ଡାକିନେଲେ । ସିରସ୍ତାଦାରଙ୍କୁ ସେ ଯେଉଁ କାରଣରୁ ସନ୍ଦେହ କରୁଅଛନ୍ତି, ସେ ସମସ୍ତ ବିଷୟ ଗୋଟି ଗୋଟି କରି କହିଲେ–“କୌଣସି ଉପାୟରେ ପାଗଳିନୀ ସହିତ ଦେଖା ହୋଇପାରିଲେ ଅନେକ କଥା ଜଣାଯାନ୍ତା-।” ଦୀନବନ୍ଧୁ କହିଲେ, “ତମ କଥା ଶୁଣି ମୁଁ ମଧ୍ୟ ସେଇଆ ଭାବୁଛି । କିନ୍ତୁ ସେ ଯେ ଅସୂର୍ଯଂପଶ୍ୟା । ତା ସଙ୍ଗରେ ଦେଖା କରି କଥାବାର୍ତ୍ତା କରିବା ତ ସହଜ କଥା ନୁହେଁ ।” ରାଜକିଶୋର କେତେକ ସମୟ ଚିନ୍ତା କଲାପରେ କହିଲେ, “ମୁଁ ଗୋଟିଏ ଉପାୟରେ ସ୍ଥିର କରିଛି-।”

ଦୀନବନ୍ଧୁ–କ’ଣ ?

ରାଜ–ତମ ସ୍ତ୍ରୀ ତାଙ୍କ ଘରକୁ ଯାନ୍ତି ତ ?

ଦୀନ–ହଁ, ଯାନ୍ତି; କିନ୍ତୁ ପାଗଳିନୀକୁ ସେ ଏପର୍ଯ୍ୟନ୍ତ ଦେଖି ନାହାନ୍ତି ।

ରାଜ–ଆଜି ସନ୍ଧ୍ୟାରେ ସେ ତାଙ୍କ ଘରକୁ ବୁଲିଯାନ୍ତୁ । କଥା ପ୍ରସଙ୍ଗରେ ଏହିପରି କହିବେ–ଗୋଟିଏ ସ୍ତ୍ରୀ ବଜାରରେ ବୁଲୁଥିଲା । ବାବୁ ତାକୁ ନେଇ ଆସିଛନ୍ତି ।

ଦୀନ–ବାବୁ ?କେଉଁ ବାବୁ ନେଇ ଆସିଛନ୍ତି ବୋଲି କହିବେ ?

ରାଜ–ବାବୁ ତ ତମେ । ତମକୁ ଲକ୍ଷ୍ୟ କରି କହିବେ ।

ଦୀନ-ଓଃ, ବୁଝିଲି । ଆଚ୍ଛା, ତାହାପରେ ?

ରାଜ-ତା’ର ଘର ରଣପୁର ଗଡଜାତରେ । ଜାତିରେ ଭଣ୍ଡାରୁଣୀ । ତା’ର ଆଉ କେହି ନାହାନ୍ତି । ତା ଘର ପାଖରେ ଜଣେ ବାବାଜି ମଠ କରି ରହିଥିଲେ । ସେ ତାଙ୍କର ବାସନ ଧୂଆ ଧୋଇ କରି ମୁଠାଏ ଖାଉଥିଲା । ଆଜିକି ମାସେ ହେବ ବାବାଜି ମରିଯିବାରୁ ସେଠାରୁ ପଳେଇ ଆସିଛି । ବାବାଜିଙ୍କ ଠାରୁ ସେ ଗୋଟେ କ’ଣ ମନ୍ତ୍ର ଶିଖିଛି ଯେ, ସେଥିରେ କେତେଟା ପାଗଳା ଭଲ କଲାଣି । କହୁଛି, “ଏକୁଟିଆ ମାଇପି ଲୋକ, ବାରଆଡେ ବୁଲିଚାଲି ପାରିବି ନାହିଁ ବୋଲି ତମ ଘରକୁ ଆସିଲି, ନଇଲେ ମୋର ପେଟ କ’ଣ ଅପୋଷା ରହନ୍ତା ?” ତମର ସେ ବାୟାଣୀ ଝିଅଟିକୁ ଦେଖାଅ । ଯଦି ଭଲ ହୋଇଯାଏ ।

ଏ ଉପାୟରେ ସିରସ୍ତାଦାରଙ୍କ ସ୍ତ୍ରୀ ପାଗଳିନୀକୁ ଦେଖାଇବାକୁ ରାଜି ହେବ ତ ?

ଦୀନ–ରାଜି ହୋଇପାରନ୍ତି; କିନ୍ତୁ ସେପରି ସ୍ତ୍ରୀଲୋକଟିଏ ତ ପୁଣି ଖୋଜିବାକୁ ହବ । ତାଙ୍କ……..

ରାଜ–ତୁମର ତ ଆଜିଯାଏ ନାବାଳକ ଦୋଷ ଯାଇ ନାହିଁ । ଡାକଘରେ ଚାକିରି ପାଇଲ କେମିତି ମ ?

ଦୀନ–କାହିଁକି ?

ରାଜ–ସେହିପରି କଥା କହୁଛ ଯେ ! ସ୍ତ୍ରୀ ଲୋକଟିଏ ଖୋଜିବ କାହିଁକି, ଆମ୍ଭଙ୍କୁ କ’ଣ ସ୍ତ୍ରୀବେଶଟାଏ ପିନ୍ଧି ଆସିବ ନାହିଁ ?

ଦୀନ–ତମେ ଏମିତି ପୋଲିଶ ବୁଦ୍ଧି ଖର୍ଚ୍ଚ କରୁଛ, ମୁଁ କିପରି ଜାଣିଲି ? କିନ୍ତୁ ଆଉ ଗୋଟିଏ କଥା । ପାଗଳିନୀ ତାଙ୍କ ଘରେ ରହିବାର ବର୍ଷଟାଏ ହେଲାଣି । ପାଣୁଆ ଘରର ଚାକର, ଚବିଶ ଘଣ୍ଟା ଘର ଭିତରେ ରହିଛି । ସେ ଯେଉଁଠି ଥରେ ମାତ୍ର ଦେଖିବାକୁ ସୁଯୋଗ ପାଇଛି……..

 

ରାଜ–ସେ ବାହାର ଲୋକଙ୍କୁ ଦେଖାଇବେ ନାହିଁ, ଏହି କଥା କହୁଛ ତ ? ଆଛା, ବାହାର ଲୋକଙ୍କୁ ନ ଦେଖାଇବାର କାରଣ କିଛି ଅନୁମାନ କରି ପାରୁଛ ? କିନ୍ତୁ ମନେ ରଖ, ପାଗଳିନୀ ପ୍ରକୃତରେ ପାଗଳିନୀ ନୁହେଁ । ତା ହୋଇଥିଲେ ସେ ନିଶ୍ଚୟ ଡାକ୍ତର, କବିରାଜଙ୍କୁ ଦେଖାଇଥାନ୍ତେ । ପାଗଳିନୀର ଇତିହାସ ରହସ୍ୟମୟ, ସନ୍ଦେହ ନାହିଁ ।

 

ଦୀନ–ତା ନିଶ୍ଚୟ । ତାକୁ ବାହାର ଲୋକଙ୍କ ସହିତ ଦେଖା କରିବାକୁ କି ମିଳାମିଶା କରିବାକୁ ଦେଉ ନ ଥିବାର କାରଣ ମୁଁ ଅନୁମାନ କରେ–ପାଗଳିନୀ ଦ୍ଵାରା ତାଙ୍କର କିଛି ଦୁରଭିସନ୍ଧି ପ୍ରକାଶିତ ହୋଇଯିବା ଭୟରେ ସେ ଏପରି କୌଶଳ ରଚନା କରିଛନ୍ତି ।

 

ରାଜ–ଠିକ୍ ଅନୁମାନ କରିଛି । ତାଙ୍କର ପ୍ରଧାନ ଉଦ୍ଦେଶ୍ୟ ପାଗଳିନୀ କିପରି ଅପର ଲୋକ ସହିତ କଥାବାର୍ତ୍ତା କରିବାର ସୁଯୋଗ ନ ପାଉ ।

 

ଦୀନ–ବେଶ୍, ଏ ଅନୁମାନ ଯଦି ସତ୍ୟ ହୁଏ, ତେବେ ଆମର ଏତେ କୌଶଳ ବୃଥା ହେବ ସିନା ! ସେ ହୁଏ ତ କୌଣସି ମିଥ୍ୟା କାରଣ ଦେଖାଇ ପାଗଳିନୀ ସହିତ ଦେଖା କରିବାକୁ ସୁଯୋଗ ନ ଦେଇପାରନ୍ତି ।

 

ରାଜ–ଆଉ ଗୋଟିଏ କଥା ଭାବିବାକୁ ହେବ । ସେ ପାଗଳିନୀର ପାଗଳାମୀ ଛଡ଼ାଇବା ପାଇଁ କୌଣସି ପ୍ରକାର ଚେଷ୍ଟା କରୁ ନାହାନ୍ତି–କରିବେ ନାହିଁ ମଧ୍ୟ; କିନ୍ତୁ ଅପର ଲୋକ ଜଣେ ଯେତେବେଳେ ସ୍ଵଇଛାରେ ଯାଇ କହିବ, ପୁଣି ‘ଗୁଣୀ’ ଏତେ ନିକଟରେ, ସେ ନ ଦେଖାଇବେ ବା କିପରି ? ନିତାନ୍ତ ଗଜମୂର୍ଖ ନୁହନ୍ତି ତ ସେ । ସେ କ’ଣ ବୁଝିପାରିବେ ନାହିଁ, ପାଗଳିନୀକୁ ଭଣ୍ଡାରୁଣୀକୁ ଦେଖାଇବାକୁ ଆପତ୍ତି କଲେ ନିଶ୍ଚୟ ଅନ୍ୟ ଲୋକ ମନରେ ସନ୍ଦେହ ହେବ ? ବିଶେଷତଃ ତମର ସ୍ତ୍ରୀ ଯେତେବେଳେ ଏ ପ୍ରସ୍ତାବ ଉତାପନ କରିବେ, ମୋର ବିଶ୍ଵାସ ସେ ନିଶ୍ଚୟ ସ୍ଵୀକୃତ ହେବେ । ତା ପରେ ଯଦି ସେ ଦେଖାଇବା ପୂର୍ବରୁ ଏପରି ପ୍ରଚାର କରାଯାଏ–ଭଣ୍ଡାରୁଣୀ କହୁଛି, ସେ ପାଗଳିନୀ ପାଖରେ ବସି ମନ୍ତ୍ରପାଠ କରିବା ସମୟରେ ପାଗଳିନୀ ଯେପରି କଥା ନ କହେ, ସେ ବିଷୟରେ ସାବଧାନ ହେବାକୁ ହେବ; ଯଦି ସେ ସର୍ବଦା ଏଣୁ ତେଣୁ ବକୁଥାଏ, ତା ହେଲେ ତା ପାଟି ବାନ୍ଧି ଦେବାକୁ ହେବ; ମନ୍ତ୍ରପାଠ କରିବା ସମୟରେ ସେ କୌଣସି ପ୍ରକାର ଶବ୍ଦ କଲେ ମନ୍ତ୍ର କାର୍ଯ୍ୟକାରୀ ହେବ ନାହିଁ–ତାହେଲେ ସେ …….

 

ଦୀନ–ଲାଭ ?

 

ରାଜ–ଲାଭ ଏହି ହେବ ଯେ ପାଗଳିନୀ ଦ୍ଵାରା କୌଣସି କଥା ପ୍ରକାଶିତ ହୋଇଯିବାର ସନ୍ଦେହ ସେ କରିପାରିବେ ନାହିଁ । ଫଳରେ ପାଗଳିନୀକୁ ଦେଖିବାର ସୁଯୋଗ ମିଳିବ ।

 

ଦୀନ–କେବଳ ଦେଖିବା ଦ୍ଵାରା ଲାଭ କ’ଣ ? ତା ସହିତ କଥୋପକଥନ ନ କଲେ ଗୁପ୍ତ କଥା ତ କିଛି ପ୍ରକାଶ ପାଇବ ନାହିଁ ।

 

ରାଜ–ଆଗ ଦେଖାଟା ହେଉନା, ପରେ ସେ କଥା–ଅଙ୍ଗୁଳି ପ୍ରବେଶ ପରେ ବାହୁ ପ୍ରବେଶ କରିବା ପାଇଁ ବିଶେଷ ପରିଶ୍ରମ ପଡ଼ିବ ନାହିଁ । ଲୋକଟାକୁ ଦେଖିଲେ ତା’ର ଚେହେରାରୁ ଅବଶ୍ୟ ଅନେକ କଥା ବୁଝାଯାଇପାରେ ।

 

ଦୀନ–କେଜାଣି ଭାଇ, ତମେ ପୋଲିଶ ଲୋକ–ସେ କ୍ଷମତା ତମର ଥାଇପାରେ; କିନ୍ତୁ ସାବଧାନ ! ଧରା ପଡ଼ି ଶେଷରେ ଅପମାନିତ ଯେପରି ନ ହୁଅ ।

 

ରାଜ–ସେଥିପାଇଁ ଭାବନା କରନା,ଯାଅ–ଆଗ ଅନୁମତି ମଗାଅ, ତାପରେ ଯାହା କହିବାର ମୁଁ କହୁଛି ।

 

ସେ ଦିନ ଦିନ ଚାରିଟା ବେଳେ ଦୀନବନ୍ଧୁଙ୍କର ସ୍ତ୍ରୀ ସିରସ୍ତାଦାରଙ୍କ ଘରକୁ ବୁଲି ଗଲେ । ପ୍ରସଙ୍ଗକ୍ରମେ ପ୍ରକୃତ କଥାଟି ପକାଇଲେ । ସିରସ୍ତାଦାରଙ୍କର ପତ୍ନୀ ଟିକିଏ ଇତସ୍ତତଃ କରି କହିଲେ, “ହଉ ସେ ଆସନ୍ତୁ, ପଚାରିବି ।” ଦୀନବନ୍ଧୁଙ୍କର ସ୍ତ୍ରୀ କହିଲେ “ଏଥିରେ ପଚାରିବାର କ’ଣ ଅଛି ? ସେ ତ ତମ ଘର ଛାଡ଼ି ଆଉ କୁଆଡ଼େ ଯାଉ ନାହିଁ । ମରଦ ନୁହେଁ, ପୁଣି ମାଇପି ଲୋକ ଚିକିତ୍ସା କରିବ । ଏଥିରେ ହାନି କ’ଣ ଅଛି ଯେ ? ହଁ, ଆଉ ଗୋଟିଏ କଥା । ଯେତେହେଲେ ସେ ଘରର ମୁରବି । ତାଙ୍କୁ ନ ପଚାରିବ କେମିତି ? ମୁଁ ଯାହା କହୁଛି, ଦେଖିବ ସେ କେବେ ନାହିଁ କରିବେ ନାହିଁ । ବାବୁ ଆମର କହୁଥିଲେ, ଅବିକା ମୋ ସଙ୍ଗରେ ସେ ଭଣ୍ଡାରୁଣୀକି ପଠେଇ ଦେବାକୁ । ମୁଁ ନାହିଁ କରି ଆଗ ତମକୁ କହିବାକୁ ଆସିଲି । ସେ ପୁଣି ପ୍ରଥମ ଦିନ ଔଷଧ ଦିଏ ନାହିଁ । ଖାଲି ଆସି ଦେଖିଯାଏ । ଆସି ଦେଖିଲେ କୋଉଠି ଜାଣିପାରେ ରୋଗୀ ଭଲ ହେବ କି ନାହିଁ । ଭଲ ହେବାର ଜାଣିଲେ କାଲି ଯାଇ କ’ଣ ମନ୍ତ୍ର କରିବ ।”

 

ସିରସ୍ତାଦାର ଯଥାସମୟରେ କଚେରୀରୁ ଫେରିଲେ, ସ୍ଵାମୀ ସ୍ତ୍ରୀ ଦୁଇଜଣ କ’ଣ ପରାମର୍ଶ କଲେ । ତା ପରେ ସିରସ୍ତାଦାରଙ୍କ ପତ୍ନୀ ଦୀନବନ୍ଧୁଙ୍କ ସ୍ତ୍ରୀଙ୍କୁ ଆସି କହିଲେ–“ବାବୁ କହିଲେ ତମେ ଯା ଭଣ୍ଡାରୁଣୀକୁ ପଠେଇ ଦେବ । ଦେଖୁ ସେ, ଯଦି କପାଳରେ ଥାଏ ଭଲ ହେବ ।” ରାଜକିଶୋର ସେ ଶୁଭ ସମ୍ବାଦ ଶୁଣି ଆନନ୍ଦିତ ହୋଇ ଉଠିଲେ ଏବଂ ସଙ୍ଗେ ସଙ୍ଗେ ପୋଷାକ ପରିବର୍ତ୍ତନ କରି ସ୍ତ୍ରୀ ବେଶରେ ସଜ୍ଜିତ ହେବାକୁ ଲାଗିଲେ ।

 

ସନ୍ଧ୍ୟା ସାତଟା । ରାଜକିଶୋର ଗୋଟିଏ ଗଡଜାତିଆ ଭଣ୍ଡାରୁଣୀ ବେଶରେ ସଜ୍ଜିତ ହୋଇ ଦୀନବନ୍ଧୁଙ୍କ ନିକଟରେ ଉପସ୍ଥିତ ହେଲେ । ଦୀନବନ୍ଧୁ ପରିହାସ କରି କହିଲେ, “ବାଃ, ବେଶଟି ବେଶ୍ ମାନୁଛି । ନଟବରଙ୍କର ଏ ବେଶ ଦେଖି ଶ୍ରୀମତୀ କ’ଣ ଆଉ ମୌନ ହୋଇ ରହିପାରିବେ ? ବନ୍ଧୁ, ତମର ରାଜକିଶୋର ନାମ ରଖି ବଡ଼ ଭୁଲ୍ କରିଛନ୍ତି । ବ୍ରଜକିଶୋର ନାମ ଦେବା ଉଚିତ ଥିଲା-। “ରାଜକିଶୋର ସେହିପରି ହସି ହସି କହିଲେ–“ଠିକ୍ କଥା ! ତମେ କିନ୍ତୁ ଏଣିକି ସଙ୍ଗାତୁଣୀଙ୍କୁ ଚଞ୍ଚଳା ବୋଲି ଡାକିବ ନାହିଁ । ଆଜିଠାରୁ ତାଙ୍କର ନାମ ଦୂତିକା ହେଲା” ଦୁଇ ବନ୍ଧୁଙ୍କ ମଧ୍ୟରେ ଗୋଟିଏ ଉଚ୍ଚହାସ୍ୟର ତରଙ୍ଗ ଖେଳିଗଲା । ତାପରେ ଦୀନବନ୍ଧୁ ଦ୍ରୁତ ପଦକ୍ଷେପରେ ଚଞ୍ଚଳାଙ୍କ ନିକଟକୁ ଦୌଡ଼ିଗଲେ । ଚଞ୍ଚଳା ସେତେବେଳେ ଅଗଣା ମଝିରେ ଠିଆ ହୋଇ ଦୁଇ ବନ୍ଧୁଙ୍କର କଥୋପକଥନ ଶୁଣୁଥିଲେ । ଦୀନବନ୍ଧୁ କହିଲେ–“ଦୂତିକେ, ଆଉ ବିଳମ୍ବ କାହିଁକି ? ନଟରାଜ ଯେ ବଡ଼ ବିଚଳିତ ହୋଇ ପଡ଼ିଲେଣି । ଶୀଘ୍ର ଶ୍ରୀମତୀଙ୍କ ସଙ୍ଗରେ ତାଙ୍କର ଏକାନ୍ତ ମିଳନ ଘଟାଅ ।”

 

ରାଜକିଶୋର ଭଣ୍ଡାରୁଣୀ ବେଶ ଧରି ସିରସ୍ତାଦାରଙ୍କ ଅନ୍ତଃପୁରକୁ ଯିବେ, ଚଞ୍ଚଳା ସେ କଥା ପୂର୍ବରୁ ଜାଣନ୍ତି; କିନ୍ତୁ ସ୍ଵୟଂ ଦୂତୀକାର୍ଯ୍ୟ କରିବେ ଏ କଥାଟା ଭାବି ନଥିଲେ । ବର୍ତ୍ତମାନ ବଡ଼ମୁଷ୍କିଲରେ ପଡ଼ିଲେ । ଯାହାଙ୍କ ସମ୍ମୁଖରେ ମୁହୂର୍ତ୍ତକପାଇଁ ସୁନ୍ଧା ଠିଆ ହୋଇ ନାହାନ୍ତି, ଆଜି ତାଙ୍କର ପଥ–ପ୍ରଦର୍ଶକ ହେବେ ?

 

ତାଙ୍କର ଲାବଣ୍ୟ–ବିମଣ୍ଡିତ ମୁଖମଣ୍ଡଳ ଲଜ୍ଜାରେ ଆରକ୍ତିମ ହୋଇ ଉଠିଲା । ଦୀନବନ୍ଧୁ କହିଲେ “ବନ୍ଧୁ ପରା ତେଣେ ଠିଆ ହୋଇ ରହିଲେ । ଚଞ୍ଚଳ ବାହାରି ପଡ଼ ।” ଚଞ୍ଚଳା କୃତ୍ରିମ କୋପ ପ୍ରକାଶ କରି କହିଲେ “ତମ ବନ୍ଧୁ ତମକୁ ବଡ଼ । ଯାଅ, ମୋତେ ଆଉ କିଛି କୁହ ନାହିଁ ।” ଦୀନବନ୍ଧୁ ରହସ୍ୟବ୍ୟଞ୍ଜକ ସ୍ଵରରେ ଅନୁନୟ କରି କହିଲେ “ପ୍ରିୟେ । ଚାରୁଶୀଳେ । ମୁଞ୍ଚମୟି ମାନ ମନିଦାନଂ-।” ଚଞ୍ଚଳାଙ୍କର ବଧୁଲି ଅଧର ପ୍ରଫୁଲ୍ଲିତ ହୋଇ ଉଠିଲା । ସେ ଫିସ କରି ହସି ପକାଇ କହିଲେ “ତମେ ବୈଷ୍ଣବପାଣି ଯାତ୍ରାଦଳରେ ଦୁଆରୀ ହୋଇ ବାହାରିଲେ ବେଶ୍ ସାଜିବ ଏକା ।” “କିନ୍ତୁ ଏ କଥା ଜାଣିଥା, ତା ପୂର୍ବରୁ ତୁମକୁ ଦୂତିକା ବେଶରେ ନ ସଜାଇ ଛାଡ଼ିବି ନାହିଁ ।” “ସଜାଇବା ପାଇଁ ତମକୁ ଶ୍ରମ ସ୍ଵୀକାର କରିବାକୁ ହେବ ନାହିଁ । ମୁଁ ନିଜେ ସାଜି ଆସୁଛି ।” କହି ଚଞ୍ଚଳା ଦ୍ରୁତ ପଦରେ ଗୃହ ମଧ୍ୟକୁ ଚାଲି ଯାଇ ଭିତରୁ କବାଟ ବନ୍ଦ କରିଦେଲେ ।

 

ଦୀନବନ୍ଧୁ ନାନା ପ୍ରକାର ବୁଝା ଶୁଝା କରି ବହୁକଷ୍ଟରେ ତାଙ୍କୁ ରାଜି କରାଇଲେ । ରାତି ଆଠଟା ହେବ । ଚଞ୍ଚଳା ଭଣ୍ଡାରୁଣୀ ବେଶଧାରୀ ରାଜକିଶୋରଙ୍କୁ ଘେନି ସିରସ୍ତାଦାରଙ୍କ ଘରେ ପହଞ୍ଚିଲେ । ସିରସ୍ତାଦାରଙ୍କ ପତ୍ନୀ କ୍ଷେତ୍ରମଣି ବୋଧହୁଏ ତାଙ୍କର ଅପେକ୍ଷା କରୁଥିଲେ । ସେ ଦେଖିବାମାତ୍ରେ କହିଲେ “ଆସ ମୋ ସାଙ୍ଗରେ ।” ତା ପରେ ଦ୍ଵିତଳକୁ ଉଠିଲେ । ତାଙ୍କ ପଛରେ ଭଣ୍ଡାରୁଣୀ ଓ ଚଞ୍ଚଳା ମଧ୍ୟ ଦ୍ଵିତଳକୁ ଚାଲିଲେ । ରାଜକିଶୋର କିନ୍ତୁ ଉଚିତ ମନେ କଲେ ନାହିଁ ଚଞ୍ଚଳାଙ୍କୁ ସଙ୍ଗରେ ନେବା । ଚଞ୍ଚଳାଙ୍କୁଲକ୍ଷ୍ୟ କରି କହିଲେ, “ତମେ ଏହିଠାରେ ଥାଅ । ବେଶୀ ଲୋକ ଯିବା ଉଚିତ ନୁହେଁ । ପାଗଳିନୀକୁ ଦେଖିବାର ଇଚ୍ଛା ଥିଲେହେଁ ଚଞ୍ଚଳା ଅଗତ୍ୟା ସେହିଠାରେ ଅପେକ୍ଷା କରିବାକୁ ବାଧ୍ୟ ହେଲେ । କ୍ଷେତ୍ରମଣି ମଧ୍ୟ ମନେ ମନେ ଖୁସି ହେଲେ । ପାଗଳିନୀ ପାଖକୁ ଯିବାଲାଗି ଚଞ୍ଚଳାଙ୍କୁ ଯଦିଚ ସେ ମୁହଁ ଉପରେ କହିପାରୁ ନ ଥିଲେ, ତଥାପି ମନ ଭିତରେ ତାଙ୍କର ହେଉଥିଲା ‘ଭଣ୍ଡାରୁଣୀ ସଙ୍ଗରେ ଏ ପୁଣି କାହିଁକି ଆସିଲେ ? ଦିଅଁ ଗଢ଼ୁ ଗଢ଼ୁ ଶେଷକୁ ବାନର ନ ହେଉ ।”

 

ଦ୍ଵିତଳର ପଶ୍ଚିମ ପାଖକୁ ଗୋଟିଏ ନାତିକ୍ଷୁଦ୍ର ପ୍ରକୋଷ୍ଠ । ପ୍ରକୋଷ୍ଠର ଦ୍ଵାର ବାହାର ପାଖରୁ ବନ୍ଦ । କ୍ଷେତ୍ରମଣି ଦ୍ଵାର ଫିଟାଇଦେଲେ । ଭଣ୍ଡାରୁଣୀ–ବେଶଧାରୀ ରାଜକିଶୋର ଦେଖିଲେ, କୋଠରୀର ମଧ୍ୟ ଭାଗରେ ଗୋଟିଏ ଖଟିଆଉପରେ ପାଗଳିନୀ ଶୋଇଛି । ନିକଟରେ ଲଣ୍ଠନଟିଏ ଜଳୁଛି । ସେ ଭିତରକୁ ଯାଇ ପାଗଳିନୀର ଖଟିଆ ପାଖରେ ଠିଆ ହେଲେ । ପାଗଳିନୀ ଉଠି ବସିଲା-। ରାଜକିଶୋର ତା’ର ମୁହଁକୁ ଚାହିଁ ଦେଇ ଚମକି ଉଠିଲେ–ଏ ମୁହଁ ଯେ ତାଙ୍କର ପରିଚିତ । ତିନି ବର୍ଷତଳେ ସେ ଏହି ମୁହଁ ତ ଦେଖିଥିଲେ । ତିନି ବର୍ଷ ମଧ୍ୟରେ ଅବଶ୍ୟ ଅନେକ ପରିବର୍ତ୍ତନ ଘଟିଛି; ତଥାପି ପରିଷ୍କାର ଚିହ୍ନି ହେଉଛି ତ ।

 

ରାଜକିଶୋରଙ୍କର ହୃତ୍‍ପିଣ୍ଡ ଘନ ଘନ ସ୍ପନ୍ଦିତ ହେବାକୁ ଲାଗିଲା । ତାଙ୍କର ସମସ୍ତ ଶରୀର ଅବଶ ହୋଇ ଆସିଲା । ସ୍ଖଳିତ ପଦଦ୍ଵୟ ଅବଶ ଶରୀରର ଭାର ବହନ କରିପାରିଲା ନାହିଁ । ରାଜକିଶୋର ପଡ଼ି ଯାଉ ଯାଉ ଖଟିଆକୁ ଧରି ସମ୍ଭାଳି ହୋଇଗଲେ । ପର ମୁହୂର୍ତ୍ତରେ ତାଙ୍କର ନିଜର ଅବସ୍ଥା ମନେ ପଡ଼ିଗଲା । କାଳେ ତାଙ୍କର ଛଦ୍ମବେଶ ସହଜ ଭାବରେ ଠିଆ ହୋଇ ରହିଲେ । କନ୍ତୁ ତାଙ୍କର ହୃଦୟ ବଡ଼ ଅସ୍ଥିର, ବଡ଼ ବିଚଳିତ ହୋଇ ଉଠିଲା । ପୂର୍ବମୁହୂର୍ତ୍ତର ଘଟନା ସମସ୍ତ ତାଙ୍କୁ ସ୍ଵପ୍ନପରି ବୋଧହେଲା । ସେ ଭାବିଲେ–ବୋଧହୁଏ ଦେଖିବାରେ ଭ୍ରମ ହୋଇଅଛି । ଆଉ ଥରେ ଭଲ କରି ପାଗଳିନୀକୁ ଚାହିଁଲେ । ଅଣୁମାତ୍ର ଭ୍ରମ ନାହିଁ–ଠିକ୍ ସେହି ପରିଚିତ ମୁହଁ । ଯେଉଁ ମୁହଁକୁ ସେ କେତେ ମାସ ଲାଗି ଅହୋରାତ୍ର ଦେଖିବାର ସୁଯୋଗ ପାଇ ପାରିଥିଲେ–ସେ କ’ଣ କେବେ ଭୁଲିହୁଏ ?

 

ପାଗଳିନୀ ନିକଟରେ ଅଧିକ କ୍ଷଣ ରହିବା ନିରାପଦ ନୁହେଁ ଭାବି ରାଜକିଶୋର ଯଥାଶୀଘ୍ର କମ୍ପିତ କରରେ ପାଗଳିନୀର ଆଖିପତା ଟିକିଏ ଟେକିଦେଇ ଦେଖିଲେ । ସିରସ୍ତାଦାରଙ୍କ ପତ୍ନୀ ବୁଝିଲେ, ଭଣ୍ଡାରୁଣୀ ଲକ୍ଷଣ ଦେଖୁଛି । କିନ୍ତୁ ପ୍ରକୃତରେ ଭଣ୍ଡାରୁଣୀର ସେତେବେଳେ ଦେଖିବା ଭଳି ଶକ୍ତି ଆଦୌ ନ ଥିଲା । ପର ମୁହୂର୍ତ୍ତରେ ଭଣ୍ଡାରୁଣୀ କହିଲା, “ହଉ, ଆସ ମୁଁ ଦେଖି ସାରିଲିଣି-।” ଉଭୟେ ନିଷ୍କ୍ରାନ୍ତ ହୋଇଗଲେ । ପାଗଳିନୀ ପୂର୍ବବତ୍ ବିଜନ କାରାରେ ପଡ଼ି ରହିଲା ।

Image

 

ପଞ୍ଚଦଶ ପରିଚ୍ଛେଦ

 

କିଶୋରୀ-ଯେଉଁ କିଶୋରୀ ଲାଗି ରାଜକିଶୋରଙ୍କର ପ୍ରାଣ ହାହାକାର କରି ଉଠୁଛି, ଯାହାକୁ ଅନ୍ଵେଷଣ କରିବା ଲାଗି ସେ ତାଳଚେର ପର୍ଯ୍ୟନ୍ତ ବୁଲି ଆସିଲେଣି, ସେହି କିଶୋରୀକୁ ଏଡ଼େ ସହଜରେ ଏପରି ଅନାୟାସରେ ସିରସ୍ତାଦାରଙ୍କ ଘରେ ଦେଖି ପାରିବେ, ସେ କଥା କିଏ ସ୍ଵପ୍ନରେ ସୁଦ୍ଧା ଭାବିଥିଲା କି ? ରାଜକିଶୋର ଆନନ୍ଦରେ ଆତ୍ମହରା ହୋଇ ପଡ଼ିଲେ । କିନ୍ତୁ କିଶୋରୀ ଯେ ବନ୍ଦିନୀ, ବର୍ଷେ କାଳ ବିଜନ କାରାରେ ପଡ଼ି ପଡ଼ି ସଢ଼ିଗଲାଣି । କେହି ଜଣେ ତା’ର ଅନୁସନ୍ଧାନ କରୁଛି, ଦିନେ ତାକୁ କାରାରୁ ଉଦ୍ଧାର କରିବ–ଏ କଥା ଯଦି ସେ ଜାଣିପାରନ୍ତା ନିଶ୍ଚୟ ତା’ର ସନ୍ତପ୍ତ ପ୍ରାଣ ଅନେକ ପରିମାଣରେ ଶୀତଳ ହୁଅନ୍ତା । ଏ ଖବର ବା ସେ ପାଇବ କିପରି ? ସିରସ୍ତାଦାର ଯେପରି ଭାବରେ ରଖିଛନ୍ତି, ମୁହୂର୍ତ୍ତକ ପାଇଁ ସୁଦ୍ଧା ତାକୁ ଏକୁଟିଆରେ ପାଇବା ଅସମ୍ଭବ-। କ’ଣ କରିବେ ? କି ଉପାୟରେ ତାକୁ ଆଶ୍ଵାସନା ଦେବେ ?

 

ରାଜକିଶୋର ସେ ବିଷୟରେ ବହୁତ ଭାବିଚିନ୍ତି ମନେ ମନେ ଏକ ଉପାୟରେ ସ୍ଥିର କଲେ । ରାତ୍ର ପ୍ରଭାତ ହେଲା । ସେ ପ୍ରାତଃକୃତ୍ୟ ସମାପନ କରି ତାଙ୍କର ନିଭୃତ କକ୍ଷରେ ବସି ଲେଖିଲେ–

 

ସ୍ନେହର କିଶୋରୀ !

 

ତମେ ବୋଧହୁଏ ମୋତେ ଚିହ୍ନିପାରିବ ନାହିଁ–ଚିହ୍ନିବାର ଆବଶ୍ୟକତା ମଧ୍ୟ ନାହିଁ । ମୋତେ ବର୍ତ୍ତମାନ ଚିହ୍ନିପାରୁ ନାହିଁ ବୋଲି ଯେ ମୁଁ ତମର ଅପରିଚିତ, ସେପରି ଭାବିବ ନାହିଁ । ତମ ସହିତ ମୋର ପରିଚୟ ବହୁତ ଦିନର–ଆଜି ନୁହେଁ, ପ୍ରାୟ ତିନି ବର୍ଷ ପୂର୍ବ କଥା । ରାଜକିଶୋର ଯେତେବେଳେ ତମ ଘରେ ରହି ତମକୁ ପଢ଼ାଉ ଥିଲେ, ମନେ ଥିବ । ସେହି ସମୟରେ ତମ ସହିତ ପରିଚିତ ହେବାର ସୁଯୋଗ ପାଇଥିଲି । ଛାଡ, ସେ ସବୁ ବିଷୟ ଉଲ୍ଲେଖ କରି କିଛି ଲାଭ ନାହିଁ । ଏତକ ଯେ ଲେଖିଲି, କେବଳ ତମର ସନ୍ଦେହମୋଚନ ପାଇଁ । ଏବେ ମୋତେ ସିରସ୍ତାଦାରଙ୍କ ଗୁପ୍ତଚର ବୋଲି ସନ୍ଦେହ କରିବ ନାହିଁ ତ ? ବିଶ୍ଵାସ କର, ମୁଁ ତମର ଆପଣାର–ତମର ମଙ୍ଗଳ କରିବା ମୋର ଉଦ୍ଦେଶ୍ୟ ।

 

ତମେ ବର୍ତ୍ତମାନ ସିରସ୍ତାଦାରଙ୍କ ଗୃହରେ ବନ୍ଦିନୀ । ତମର ଦୁର୍ଦ୍ଦଶା ମୁଁ ଉତ୍ତମରୂପେ ବୁଝିପାରୁଛି ।ତେବେ ‘ଈଶ୍ଵର ଯାହା କରନ୍ତି ମଙ୍ଗଳ ନିମିତ୍ତ’ । ସେଥିପାଇଁ ଦୁଃଖିତ ହେବା ନିଷ୍ପ୍ରୟୋଜନ । ଏଥିରେ ନିଶ୍ଚୟ ଈଶ୍ଵରଙ୍କର ସଦିଚ୍ଛା କରି ନିହତ ଅଛି । ବର୍ଷେ କାଳ ବିଜନ କରାରେ ପଡ଼ି ପଡ଼ି ବହୁତ କଷ୍ଟ ସହିଲଣି; କିନ୍ତୁ ପତମ ପିତାଙ୍କ କରୁଣାରେ ତମର ସେ କଷ୍ଟ ଅଚିରେ ଦୂରୀଭୂତ ହେବ, ସନ୍ଦେହ ନାହିଁ । ଜଗନ୍ନାଥ ବାବୁଙ୍କର ତମେ ଏକମାତ୍ର କନ୍ୟା, ପୁଣି ବଡ଼ ଆଦରରେ ଲାଳିତା । ତାଙ୍କରି ଚିନ୍ତାରେ ବିଶେଷ କଷ୍ଟ ପାଇଥିବ; କିନ୍ତୁ ସେ ଭାବନା ହୃଦୟରୁ ଦୂର କର–ସେ ଖୁବ୍ ଭଲ ଅଛନ୍ତି ।

 

ବର୍ତ୍ତମାନ ତମର ଭାବିବାର ବିଷୟ ହେଉଛି, କିପରି ଏ ବନ୍ଦିଶାଳାରୁ ମୁକ୍ତ ହେବ । ସେଥିପାଇଁ ମୋର ଉପଦେଶ ମାନି କାର୍ଯ୍ୟକଲେ ତମର ମୁକ୍ତିପଥ ନିଶ୍ଚୟ ସୁଗମ ହେବ । ତମେ ଅନ୍ୟାନ୍ୟ ପଲ୍ଲୀ ମହିଳାଙ୍କଠାରୁ ଯଥେଷ୍ଟ ଶିକ୍ଷିତା । ବୁଝିବାର କ୍ଷମତା ତମର ଅଛି । ଆଶା କରେ ମୋ ମତର ଅବାଧ୍ୟ ହେବ ନାହିଁ । ମୁକ୍ତି ଲାଭ କରିବାକୁ ହେଲେ ଯେଉଁମାନେ ତମକୁ ବନ୍ଦୀ କରି ରଖିଛନ୍ତି, ପ୍ରଥମେ ସେମାନଙ୍କ ମନରେ ବିଶ୍ଵାସ ଜନ୍ମାଇବା ଦରକାର–ଯେପରି ସେମାନେ ତମକୁ ସ୍ଵାଧୀନତା ଦିଅନ୍ତି । ସେଥିପାଇଁ କାରାଗୃହରେ ପଡ଼ି ଅରଣ୍ୟରୋଦନ କଲେ କିଛି ଲାଭ ନାହିଁ । ଚିରଦିନ ସେହିପରି କାନ୍ଦୁଥିଲେ ସୁଦ୍ଧା କେହି ଶୁଣିବେ ନାହିଁ । ଆଜି ଆମ ଦେଶର ଏ ଦୁର୍ଦ୍ଦଶା କାହିଁକି-? ଅରଣ୍ୟରୋଦନକୁଶଳା ନାରୀମାନଙ୍କ ଯୋଗୁ ସିନା ! ନାରୀ ସମାଜର ପ୍ରାଣ–ଜାତୀୟ ଜୀବନର ମୂଳ ପିଣ୍ଡ । ଯେଉଁ ଦେଶର ନାରୀ ଯେତେ ଶିକ୍ଷିତା ଓ ସାହସିନୀ, ସେ ଦେଶ ସେହି ପରିମାଣରେ ଉନ୍ନତ ଓ ସୁସଭ୍ୟ । ରାଣୀ ଦୁର୍ଗାବତୀ, ଅହଲ୍ୟା ବାଈ ପ୍ରଭୃତିଙ୍କ ଜୀବନଇତିହାସ ଜାଣିଛ । ସେମାନେ ଏହି ଦେଶର ନାରୀ ତ ? ସେତେବଳେ ଦେଶର ଅବସ୍ଥା ଆଉ ବର୍ତ୍ତମାନ ଅବସ୍ଥା ତୁଳନା କରି ଦେଖିଲେ ଆକାଶ ପାତାଳର ପ୍ରଭେଦ ଦେଖାଯାଏ । କାହିଁକି ? ସେହି ବୀରାଙ୍ଗନାମାନଙ୍କ ବଂଶରେ ଜନ୍ମ ହୋଇ ତମେ ଆଜି ଅନ୍ତଃପୁରରେ ବସି କାନ୍ଦୁଛି–ଲଜ୍ଜା ବୋଧ କରୁ ନାହିଁ ? ନାରୀର ପ୍ରାଣ କୋମଳତାରେ ଗଢ଼ା ସତ; ବର୍ତ୍ତମାନ କ୍ଷେତ୍ରରେ ପ୍ରାଣକୁ ପଥରରୁ ବଳି କଠିଣ ନ କଲେ ଉଦ୍ଧାରର ଅନ୍ୟ ଉପାୟ ନାହିଁ । ହୃଦୟରେ ସାହସ ବାନ୍ଧ, ପ୍ରାଣକୁ କଠିନ କର । ଦେଖିବ ତମର ଭାଗ୍ୟ ନିଶ୍ଚୟ ପରିବର୍ତ୍ତିତ ହୋଇଯିବ । ଯଦି ତମେ ମୁକ୍ତି ଲାଭ କରିବାକୁ ଇଚ୍ଛାକର, ବର୍ତ୍ତମାନ ମୋର ଉପଦେଶ–ଶଠ ପାଖରେ ଶଠନୀତି ଆଚରଣ କର । ଅନ୍ତରରୁ ସମସ୍ତ ଦୁଃଖ ଯନ୍ତ୍ରଣା ପୋଛିପକାଇ ମନକୁ ପ୍ରଫୁଲ୍ଲିତ କର । ସେମାନଙ୍କ କୌଣସି କଥାର ପ୍ରତିବାଦ ବା ଅମତ କର ନାହିଁ-। ତା ହେଲେ ତମେ ତାଙ୍କର ବଶରେ ଆସିଛ ବୋଲି ସେମାନେ ଦୃଢ଼ ବିଶ୍ଵାସ କରିବେ । ମୁକ୍ତିପଥ ଅନାୟାସରେ ସୁଗମ ହୋଇ ଉଠିବ । ମୋର କଥାସବୁ ଆଜି ରାତି ମଧ୍ୟରେ ମନେ ମନେ ଭଲରୂପେ ଚିନ୍ତାକରି କାଲିଠାରୁ ଛଦ୍ମବେଶ ଧାରଣ କର । ଏହାଦ୍ଵାରା ଆଉ ଏକ ସୁବିଧା ହେବ, ତମେ ସେମାନଙ୍କର କ୍ଷଡ଼ଯନ୍ତ୍ରର ଅନେକ ବିଷୟ ଜାଣିପାରିବ । ଯାହା କିଛି ଜାଣିପାରିବ, ମୋତେ ଯେପରି ଜାଣିବାକୁ ଦେବାପାଇଁ ଭୁଲି ନ ଯାଅ । ସମସ୍ତ ବିଷୟ ଖଣ୍ଡେ କାଗଜରେ ଲେଖି ଏହି ଦୋତାଲାକୁ ଲାଗିଥିବା ଚାଳ ଘରର ବରଣ୍ଡାକୁ ସେ କାଗଜ ଖଣ୍ଡ ପକାଇଦେଲେ ମୁଁ ପାଇପାରିବ । ତମେ ବୁଦ୍ଧିମତୀ, ଭାବି ଚିନ୍ତି କାର୍ଯ୍ୟ କରିବ । ବେଶୀ କିଛି କହିବାର ମୋର ଅବସର ନାହିଁ । ମୁଁ ଛଦ୍ମବେଶରେ ଆସିଛି କେବଳ ତୁମକୁ ଏହି ସମ୍ବାଦ ଦେବାପାଇଁ । ସେମାନେ ମତେ ପାଗଳିନୀ ଛଡ଼ାରାଣୀ ବୋଲି ଜାଣନ୍ତି । ଏହି ମନ୍ତ୍ରରେ ତୁମର ପାଗଳାମୀ ଛାଡ଼ିଯିବ ବୋଲି ମୁଁ ଧ୍ରୁବ ବିଶ୍ଵାସ କରୁଛି । କାଲିଠାରୁ ସୁନା ଝିଅ ପରି ସେମାନଙ୍କର ବାଧ୍ୟ ହୋଇ ମୁକ୍ତିଲାଭ କରିବାର ଚେଷ୍ଟା କର । ଇତି ।

 

ପ୍ରତୀଚୀ ମହୁଡ଼ରୁ ସୂର୍ଯ୍ୟଙ୍କର ଶେଷ ଲୋହିତ ରଶ୍ମିଟିକ ଯେତେବେଳେ ଲିଭିଗଲା, ବିହଙ୍ଗମକୁଳ ସନ୍ଧ୍ୟା ବନ୍ଦନା ପାଠ କରି କରି ସ୍ଵ ସ୍ଵ ନୀଡ଼ ଅଭିମୁଖରେ ଧାବିତ ହେଲେ–ସ୍ଫୁଟନୋନ୍ମୁଖ କୋରକରାଜିର ମୃଦୁ ହାସ୍ୟଚ୍ଛଟାରେ ବନ ଉପବନ ଶୋଭାମୟ ହୋଇଉଠିଲା । ନାନାପ୍ରକାର ଆଲୋକମାଳାରେ ବିଭୁଷିତ ହୋଇ ଶୁଭ୍ର ସୌଧ–କିରୀଟିନୀ କଟକ ନଗରୀ ହସି ଉଠିଲା । ରାଜକିଶୋର ସେହି ଶୁଭ ମୁହୂର୍ତ୍ତରେ ଭଣ୍ଡାରୁଣୀ ବେଶ ଧରି ବନ୍ଧୁପତ୍ନୀଙ୍କ ସହିତ ସିରସ୍ତାଦାରଙ୍କ ଗୃହକୁ ଯାତ୍ରା କଲେ ।

 

ଛଦ୍ମବେଶଧାରୀ ରାଜକିଶୋର ସିରସ୍ତାଦାରଙ୍କ ପତ୍ନୀଙ୍କୁ କହିଲେ, “ବାୟାଣୀକୁ କିଛି ଔଷଧ ଦେବି ନାହିଁ–ମନ୍ତ୍ର ପଢ଼ି ଫୁଙ୍କିଦେବି । ସେଥିପାଇଁ ଟିକଏ ଏକୁଟିଆ ଘର ଦରକାର । ସେ ଘରେ ଯେପରି ବାୟାଣୀ ଛଡ଼ା ଆଉ କେହି ନ ରହନ୍ତି । ଆଉ ଗୋଟିଏ କଥା, ମନ୍ତ୍ର ପଢ଼ିବା ବେଳେ ସେ ଯେପରି ପାଟି ନ କରେ । ପାଟି କଲେ ମନ୍ତ୍ର କାଟିବ ନାହିଁ । ଆଗରୁ ଲୁଗାରେ ତା’ର ପାଟି ବାନ୍ଧିଦେବାକୁ ହେବ ।” ସେ କଥା ସିରସ୍ତାଦାରଙ୍କ କର୍ଣ୍ଣଗୋଚର ହେଲା । ପାଗେଳିନୀର ପାଟି ଯଦି ବନ୍ଧାଯିବ, ଭଣ୍ଡାରୁଣୀ ସହିତ ନିର୍ଜନରେ ରହିଲେ କୌଣସି ପ୍ରକାର ସନ୍ଦେହର କାରଣ ନାହିଁ । ସେ ବିନା ଆପତ୍ତିରେ ଅନୁମତି ଦେଲେ ।

 

ଭଣ୍ଡାରୁଣୀର ପ୍ରସ୍ତାବମତେ ପାଗଳିନୀର ପାଟି ବନ୍ଧା ଗଲା । ସେ ଘରେ ମଧ୍ୟ ଅପର ଲୋକେ କେହି ରହିଲେ ନାହିଁ । ଭଣ୍ଡାରୁଣୀ ଭିତରୁ କବାଟ ବନ୍ଦ କରିଦେଇ ପୂର୍ବ ପ୍ରକାଶିତ ଲେଖା ଖଣ୍ଡି ପାଗଳିନୀର ସମ୍ମୁଖରେ ଧରିଲା ପାଗଳିନୀ ସମସ୍ତ ପାଠ କଲା ସେତେବେଳେ ତା’ର ହୃଦୟ କିପରି ହର୍ଷ ବିଷାଦରେ ଆଲୋଡ଼ିତ ହେବାକୁ ଲାଗିଲା, ତାହା ସେହି ଜାଣେ । ମୁହଁ ବନ୍ଧା ହେବାରୁ କିଛି ପ୍ରକାଶ କରିପାରିଲା ନାହିଁ । ଭଣ୍ଡାରୁଣୀକୁ କୃତଜ୍ଞତାପୂର୍ଣ୍ଣ ନୟନରେ ବାରମ୍ବାର ନିରୀକ୍ଷଣ କରିବାକୁ ଲାଗିଲା କେବଳ ।

 

ଭଣ୍ଡାରୁଣୀ ସେ ଲେଖାଖଣ୍ଡ ପୂର୍ବବତ ଭଙ୍ଗ କରି ଅଣ୍ଟାରେ ଖୋସି ବାହାରି ଆସିଲା । ଆସିଲାବେଳେ ସିରସ୍ତାଦାରଙ୍କ ପତ୍ନୀଙ୍କୁ କହିଲା, “ମା, ମୁଁ ଯାଉଚି । ଯାଜପୁରରେ ଗୋଟାଏ କିଏ ପାଗଳ ହୋଇଛି, ମୋତେ କହୁଥିଲା ଜଣେ ସେଠାକୁ ଯିବାକୁ । ବାଟଖର୍ଚ୍ଚ ବି ଦଶଟଙ୍କା ଦେଇଚି, ମୁଁ ଆଜି ରାତିରେ ଯିବି । ଫେରୁ ଫେରୁ ଆଉ ମାସେ ଖଣ୍ଡେ ଚାଲିଯିବ, କ’ଣ କରିବି । କାଲି ସକାଳକୁ ବାୟାଣୀ ଭଲ ହୋଇ ଯାଇଥିବ । ଯାହା କହିବ ସେ ତାହା କରିବ । ନିଆଁକୁ ଡେଇଁବାକୁ କହିଲେ ମଧ୍ୟ ସେ ନାହିଁ କରିବ ନାହିଁ । କାଲିକି ଜାଣିପାରିବ ଯେ ମୋ କଥା ସତ କି ମିଛ । ମୁଁ ଅବିକା କିଛି କହୁନାହିଁ । ସେ ଆଗ ଭଲ ହୋଇଯାଉ । ଫେରିଲେ ମନ ଖୁସି କରି ନେବି ଯେ । ତମେ କ’ଣ ନ ଦେବା ଲୋକ ?” କ୍ଷେତ୍ରମଣିଙ୍କର ଉତ୍ତରକୁ ଅପେକ୍ଷା ନ କରି ସେ ସଙ୍ଗେ ବସଙ୍ଗେ କେଉଁଆଡେ ଅଦୃଶ୍ୟ ହୋଇଗଲା ।

 

ଭଣ୍ଡାରୁଣୀ ଚାଲିଗଲା; କିନ୍ତୁ ସେ ବାୟାଣୀ କାନରେ କେଉଁ ମନ୍ତ୍ର ଶୁଣାଇ ଦେଇଗଲା, ବାୟାଣୀ ରାତି ସାରା ସେ ମନ୍ତ୍ରକୁ ଜପ କରିବାକୁ ଲାଗିଲା । ରାଜକିଶୋରଙ୍କର ସେହି ଲେଖା ବିଷୟରେ କିଶୋରୀ ଭାବିଲା–ବହୁତ ଭାବିଲା । ବାପା ତା’ର ଭଲ ଅଛନ୍ତି–ଘରପୋଡ଼ି କଥା ତା ହେଲେ ମିଛ ? ସେ ବି ତ ସେହି ଅନୁମାନ କରିଥିଲା । ଏପରି ମିଥ୍ୟା କହି ତାକୁ ବର୍ଷେ କାଳ ବନ୍ଦୀ କରି ରଖିବାର ଉଦ୍ଦେଶ୍ୟ କ’ଣ ? ନିଶ୍ଚୟ ଏଥିରେ ତାଙ୍କର କିଛି ଦୁରଭିସନ୍ଧି ଅଛି । ତେବେ ଉପାୟ କ’ଣ ?

 

“ଉପାୟ କ’ଣ ?” ଏହି ପ୍ରଶ୍ନଟିର ଉତ୍ତର ସେ ବହୁତ ଖୋଜିଲା କିନ୍ତୁ ତା’ର ସମସ୍ତ ବିଦ୍ୟା ବୁଦ୍ଧି ଖର୍ଚ୍ଚ କରି ସୁଦ୍ଧା ପାଇଲା ନାହିଁ । ଶେଷରେ ସେହି ଛଦ୍ମବେଶୀଙ୍କର ପ୍ରସ୍ତାବ ଅନୁଯାୟୀ କାର୍ଯ୍ୟ କରିବାକୁ ସ୍ଥିର କରି ପ୍ରତିଜ୍ଞା କଲା, କାଲିଠାରୁ ନିଶ୍ଚୟ ସେ କପଟ ବେଶ ଧାରଣ କରିବ । “ଶଠେ ଶାଠ୍ୟଂ ସମାଚରେତ୍” ମହାବାକ୍ୟ ଶିରୋଧାର୍ଯ୍ୟ ।

Image

 

Unknown

ଷୋଡଶ ପରିଚ୍ଛେଦ

 

ପରଦିନ ସକାଳ ସାତଟା ବେଳେ କ୍ଷେତ୍ରମଣି ଯେତେବେଳେ ପାଗଳିନୀ ଗୃହର ଦ୍ଵାର ଖୋଲିଲେ, ସେହି ଶବ୍ଦରେ ତା’ର ଚିନ୍ତା ଭଗ୍ନ ହେଲା । କ୍ଷେତ୍ରମଣି ଗୃହରେ ପ୍ରବେଶ କଲାମାତ୍ରେ ପାଗଳିନୀ ଉଠି ବସିଲା । କହିଲା, “ବୋଉ, ମୁଁ ଏତେବେଳେଯାଏ ଶୋଇ ପଡ଼ିଲି, ଆଗରୁ ଉଠାଇ ଦେଲ ନାହିଁ ? କେତେଟା ସମୟ ହେବ ? ବାପା କଚେରୀକୁ ଗଲେଣି ?” କ୍ଷେତ୍ରମଣି ଆଶ୍ଚର୍ଯ୍ୟାନ୍ଵିତ ଭାବରେ ତା’ର ମୁହଁକୁ ଚାହିଁ ରହିଲେ । ପାଗଳିନୀ କହିଲା “ଏ କ’ଣ ?” ଏମିତି ଚୁପଟି ହୋଇ ଠିଆ ହୋଇ ରହିଲେ ଯେ ।” ସହସା କ୍ଷେତ୍ରମଣିଙ୍କ ତୁଣ୍ଡରେ କଥା ଯୋଗାଇଲା ନାହିଁ । ଭଣ୍ଡାରୁଣୀ ମନ୍ତ୍ରର କି ଅଦ୍ଭୁତ ଶକ୍ତି । ସେ ଯାହା କହି ଯାଇଥିଲା, ସବୁ ଅକ୍ଷରେ ଅକ୍ଷରେ ସତ । ଗୋଟାଏ ରାତି ଭିତରେ ଆଶ୍ଚର୍ଯ୍ୟ ପରିବର୍ତ୍ତନ । ଶତ ଚେଷ୍ଟା କରି ସୁଦ୍ଧା ଯାହାଠାରୁ ପଦେ କଥା ଆଦାୟ କରିବା କଷ୍ଟକର ହେଉଥିଲା, ସେ ବଳେ ବଳେ ଏତେ କଥା କହି ଯାଉଛି ? ଭଣ୍ଡାରୁଣୀ କି କୁହୁକ କରି ନ ଦେଲା ? “ବାପା, ବୋଉ” ସମ୍ବୋଧନ–ସତେ ଯେମିତି ନିଜର ଝିଅ ।

 

କ୍ଷେତ୍ରମଣି ପାଗଳିନୀକୁ ସେହିପରି ବିସ୍ମିତ ଚାହାଣୀରେ ଚାହି କହିଲେ “ନା, ବେଳ ବେଶୀ ହୋଇ ନାହିଁ । ବାପା କଚେରୀକୁ ଯାଇ ନାହାନ୍ତି । ତୁ ଆ, ଦାନ୍ତପତ୍ର ଘଷି ଗାଧୋଇ ପଡ଼ । କାଲିଠାରୁ କିଛି ଖାଇ ନାହୁଁ–ଭୋକ ହେଉଥିବ ।” ପାଗଳିନୀ ସୁନା ଝିଅଟି ପରି ଧୀରେ ଧୀରେ ବାହାରକୁ ଆସିଲା ।

 

ସିରସ୍ତାଦାର ବୈଠକଖାନାରେ ବସି ଚା ପିଆଲାରେ ମୃଦୁ ଚୁମ୍ବନଟାଏ କଲା ବେଳକୁ ଉପରୁ ପାଗଳିନୀର କଣ୍ଠସ୍ଵର ଶୁଣିବାକୁ ପାଇଲେ । ଆଶ୍ଚର୍ଯ୍ୟ ଏବଂ କୌତୂହଳ ଯୁଗପତ୍ ତାଙ୍କୁ ଚଞ୍ଚଳ କରି ପକାଇଲା । ସେ ଆରାମ ଚୌକିର ହାତ ଉପରେ ଚା ପିଆଲା ଥୋଇଦେଇ ଉପରକୁ ଉଠିଗଲେ । ପାଗଳିନୀ ଘରୁ ବାହାରି ଆସିଲା କ୍ଷଣି ଦେଖିଲା, ବୃଦ୍ଧ ସିରସ୍ତାଦାର ତାରି ଆଡ଼କୁ ଅଗ୍ରସର ହେଉଛନ୍ତି । ସେ ଶିଶୁଟି ପରି ନିଃସଙ୍କୋଚ ଭାବରେ କହିଲା, “ବାପା, ବୋଉ ମୋତେ ଉଠାଇଦେଲେ ନାହିଁ, ବହୁତ ବେଳଯାଏ ଶୋଇ ପଡ଼ିଲି ଆଜି ।” ମୁକ ପାଗଳିନୀର ସହସା ଏପରି ପ୍ରଗଳ୍‍ଭତା ଦେଖି ସିରସ୍ତାଦାର ବଡ଼ ଆଶ୍ଚର୍ଯ୍ୟ ବୋଧକଲେ । ତା’ର ମୁହଁକୁ ଥରେ ଭଲଭାବରେ ଚାହିଁଲେ । ଦେଖିଲେ, ଗୋଲାପ ଫୁଲଟି ପରି କମନୀୟ ମୁଖମଣ୍ଡଳରେ କଳା ଭ୍ରମରନିନ୍ଦୀ ବିଶାଳ ଆଖି ଦୁଇଟି, ଜବାଧରପୁଟରେ ଚନ୍ଦ୍ରିକାଶୁଭ୍ର ହସ ଯେପରି ଲାଖି ରହିଛି । କି ସୁନ୍ଦର ଛବି । ସତେ ଯେପରି ବେଶ ପ୍ରତିମାଟିଏ । ବୃଦ୍ଧଙ୍କର ହୃଦୟ ବାତ୍ସଲ୍ୟରସରେ ପୂରି ଉଠିଲା । ସେ ସ୍ନେହସିକ୍ତ କଣ୍ଠରେ କହିଲେ “ହଉ ମା, ବହୁତ ବେଳ ଯାଏ ଶୋଇ ପଡ଼ିଲୁ ତ ପଡ଼ିଲୁ, କ୍ଷତି କ’ଣ ?” ବୃଦ୍ଧ ଆଉ କ’ଣ କହିବାକୁ ହେଉଥିଲେ; କିନ୍ତୁ ପତ୍ନୀ ତାଙ୍କର ବାଧା ଦେଇ କହିଲେ “ତମେ ଯାଅ, ସେ ଦାନ୍ତ ଘଷି ଆଗ ଗାଧୋଇ ପଡୁ, କାଲି ରାତିରେ କିଛି ଖାଇ ନାହିଁ ।” ସିରସ୍ତାଦାର ତଳ ମହଲାକୁ ଚାଲିଗଲେ ।

 

ପାଗଳିନୀ ଆଉ ପୂର୍ବର ପାଗଳିନୀ ହୋଇ ନାହିଁ । ପୂର୍ବପରି ଏକୁଟିଆ ବସି କ୍ରନ୍ଦନ କରୁ ନାହିଁ । ତା’ର ଯଥେଷ୍ଟ ପରିବର୍ତ୍ତନ ଘଟିଛି । ରୋଷେଇ ଆଦି ଗୃହର ଯାବତୀୟ କାର୍ଯ୍ୟରେ ସେ କ୍ଷେତ୍ରମଣିକୁ ସାହାଯ୍ୟ କରୁଛି । ସିରସ୍ତାଦାରଙ୍କର ଏକମାତ୍ର ପୁତ୍ର ବିଶୁ ତା’ର ଅତି ଆଦରର ଧନ । ତାକୁ ସେ ଆଦୌ କୋଳଛଡ଼ା କରୁ ନାହିଁ ।
 

ସିରସ୍ତାଦାର ଓ ତାଙ୍କର ପତ୍ନୀ ଉଭୟେ ପାଗଳିନୀର ସହସା ପରିବର୍ତ୍ତନ ଦେଖି ବଡ଼ ଆନନ୍ଦିତ । ଉଭୟେ ତାକୁ ନିଜର କନ୍ୟାପରି ସ୍ନେହ, ଶ୍ରଦ୍ଧା କରିବାକୁ କୁଣ୍ଠିତ ନୁହନ୍ତି । ହେଲେ ସେ ପୂର୍ଣ୍ଣ ସ୍ଵାଧୀନତା ପାଇପାରେ ନାହିଁ । ଗୋଟିଏ ଘରେ ବନ୍ଦନୀ ନ ଥିଲେହେଁ ମୁକ୍ତ ନୁହେଁ–ମନ ଖୋଲି କାହା ସହିତ ଦୁଇପଦ ସୁଖ ଦୁଃଖ ହୋଇପାରିବ । ତା ଉପରେ କ୍ଷେତ୍ରମଣିଙ୍କର ସର୍ବଦା ତିକ୍ଷ୍ନ ନଜର ।

 

ପାଗଳିନୀ ଭଲ ହେବାର ଦୁଇ ଦିନ ହୋଇଗଲାଣି । କିନ୍ତୁ ସିରସ୍ତାଦାର ଓ କ୍ଷେତ୍ରମଣି ତାକୁ ‘ମା’ ବୋଲି ଡାକୁଛନ୍ତି । ଆମେ ତା’ର ପ୍ରକୃତ ନାମରେ ଡାକିବା–କିଶୋରୀ ।

 

ସେ ଦିନ ଦିନ ତିନିଟାବେଳେ କ୍ଷେତ୍ରମଣି “ଷ୍ଟୋଭ” ଲଗାଇ ବିଶୁପାଇଁ ଲୁଚି ଭାଜୁଛନ୍ତି । କିଶୋରୀ ସେଠାରେ ବସି ଭଜାଲାଗି ଆଳୁ କାଟୁଛି । କ୍ଷେତ୍ରମଣି ତାକୁ ଉଦ୍ଦେଶ୍ୟ କରି କହିଲେ, “ମା, ତୋତେ ଗୋଟିଏ କଥା କହିବି କହିବି ବୋଲି ବହୁତ ଦିନ ହେଲା ହେଉଛି; କିନ୍ତୁ କହିପାରୁ ନାହିଁ ।” ତାଙ୍କର ସେ ଅସମ୍ପୂର୍ଣ୍ଣ କଥା ଶୁଣି କିଶୋରୀ ଆଗ୍ରହାନ୍ଵିତ ହୋଇ କହିଲା “ରହିଗଲ କାହିଁକି ବୋଉ । କ’ଣ କହୁନା” କ୍ଷେତ୍ରମଣି କିଛି ନ କହି ଲୁଚି ଭାଜିବାରେ ଲାଗିଲେ । କିଶୋରୀ ତାଙ୍କ ପାଖକୁ ଘୁଞ୍ଚିଯାଇ ଅନୁଯୋଗ ସ୍ଵରରେ କହିଲା, “କ’ଣ କହୁଥିଲ କହୁ ନାହଁ କାହିଁକି ?” କ୍ଷେତ୍ରମଣି ଗୋଟାଏ ବେଦନାଭରା ନିଶ୍ଵାସ ତ୍ୟାଗ କରି କହିଲେ, “କ’ଣ କହିବି ? ଝିଅ ଜନମ ତ ପର ଘରକୁ । ଯେତେ ଆପଣାର କଲେ ସୁଦ୍ଧା କିଏ ବାନ୍ଧି ରଖିପାରିବ ?” କିଶୋରୀ ସେ କଥାର ଉଦ୍ଦେଶ୍ୟ ବୁଝିଲା । ଚମକି ଉଠିଲା, ହଠାତ୍ ତା’ର ଛାତି ଦାଉଁ ଦାଉଁ ପଡ଼ିବାକୁ ଲାଗିଲା । ନ ଜାଣି ପୁଣି କି ବିପଦ ଉପସ୍ଥିତ ହୁଏ-। କିନ୍ତୁ ପରମୂହୁର୍ତ୍ତରେ ମନର ସେ ଭାବ ଗୋପନ ରଖି ନିତାନ୍ତ ସରଳ ଜିଜ୍ଞାସୁ ଚାହାଣୀରେ କ୍ଷେତ୍ରମଣିଙ୍କୁ ଚାହିଁ ରହିଲା । କ୍ଷେତ୍ରମଣି ସେ ଚାହାଣୀର ଅର୍ଥ ବୁଝିପାରିଲେ । କହିଲେ “ବାପା ତୋର ଗୋଟିଏ ବରପାତ୍ର ଠିକଣା କରିଛନ୍ତି । ବୟସ ପଚିଶ ଛବିଶ ହେବ । ବଡ଼ ରୂପବନ୍ତ । ଗୁଣ ବି ସେମିତି । ଏ ଓଡିଶା ମଧ୍ୟରେ ସେପରି ଜଣେ କେହି ନାହିଁ । ସମ୍ପତ୍ତି ବୋଲି କହିଲେ ନସରେ । ତୁଣ୍ଡ ଫିଟାଇଲେ ପଚାଶ ହଜାର ହୋଇଯିବେ । ତାଙ୍କର କୋଉଠି ଭାରି ପସନ୍ଦ ହୋଇଛି । କହୁଥିଲେ, ଝିଅ, ଜ୍ଵାଇଁ…..” କିଶୋରୀ ବାଧା ଦେଇ କହିଲା, “ବୋଉ, ତମେ ସେମିତି କହିଲେ ଲୁଚିଫୁଚି ଫିଙ୍ଗିଦେବି ଜାଣିଥା ।” କ୍ଷେତ୍ରମଣି ହସି ହସି ତାକୁ କୋଳକୁ ଆଉଜାଇ ପକାଇଲେ ।

 

ଅତି ପ୍ରତ୍ୟୁଷରୁ ଶଯ୍ୟା ତ୍ୟାଗ କରିବା ରାଜକିଶୋରଙ୍କ ଅଭ୍ୟାସ । ରାତି ସାଢ଼େ ଚାରିଟା ହେବ । ରାଜକିଶୋର ଶଯ୍ୟା ତ୍ୟାଗ କରି ବାହାରକୁ ଆସିଲେ । ଜ୍ୟୋତିହୀନ ଚନ୍ଦ୍ର ସେତେବେଳେକୁ ପଶ୍ଚିମ ଆକାଶ କୋଣକୁ ଢଳି ପଡ଼ିଲେଣି । ନିଷ୍ପ୍ରଭ ଜ୍ୟୋତ୍ସ୍ନାଲୋକରେ କାଠଯୋଡ଼ୀର ବାଲୁକାଶଯ୍ୟା କ୍ଷୀରସାଗରରେ ଅପୂର୍ବ ଶ୍ରୀ ଧାରଣ କରିଛି । ଶୀକରସିକ୍ତ ସମୀରଣ ଦୂର ବିଟପି-ଶାଖାରୁ ବାମା-ବିରହ–ବିଧୁର ଚକ୍ରବାକର କରୁଣ ସଙ୍ଗୀତଲହରୀ ବହି କେଉଁ ଅଜଣା ଦେଶକୁ ଚାଲି ଯାଉଛି । ରାଜକିଶୋରଙ୍କ ହୃଦୟରେ ଗୋଟାଏ ଅବ୍ୟକ୍ତ ବ୍ୟଥାର ରାଗିଣୀ ବାଜି ଉଠିଲା । ସେ ମଧ୍ୟ ମୃଦୁ ପବନରେ ସେହିପରି କେଉଁ ଆଡ଼େ ଭାସିଗଲା । ସେ ବେଦନାଭରା ଗୋଟାଏ ଦୀର୍ଘ ଉଷ୍ଣ ନିଶ୍ଵାସ ତ୍ୟାଗକରି କାଠଯୋଡ଼ୀ ବନ୍ଧୁକୁ ଚାହିଁ ବାରଣ୍ଡାରେ ବସିଗଲେ । ଅର୍ଦ୍ଧଘଣ୍ଟା ପରେ ପଶ୍ଚାଦ୍‍ଦିଗରେ କ’ଣ ଗୋଟାଏ ଶବ୍ଦ ଶୁଣି ଦୃଷ୍ଟି ଫେରାଇଲେ । ଦେଖିଲେ ଭାଙ୍ଗ ହୋଇ ଖଣ୍ଡେ କାଗଜ ପଡ଼ିଛି । ମନରେ ତାଙ୍କର ଆଶା ନୈରାଶ୍ୟର କେତେ ଛବି ନାଚିଗଲା । ସେ କ୍ଷିପ୍ରହସ୍ତରେ କାଗଜଖଣ୍ଡି ଉଠାଇ ନେଇ ଖୋଲିଲେ । କ୍ଷୀଣା ଲୋକରେ ଅକ୍ଷରଗୁଡ଼ିକ ସ୍ପଷ୍ଟ ଦେଖାଗଲା ନାହିଁ । ଗୃହ ମଧ୍ୟକୁ ଯାଇ ଲଣ୍ଠନଟି ତେଜିଦେଲେ । କିଶୋରୀର ହସ୍ତାକ୍ଷର । ଆଗ୍ରହାନ୍ଵିତ ଭାବରେ ପଢ଼ି ବସିଲେ ।

 

“ସେହି ଦିନଠାରୁ ମୁଁ ତାଙ୍କୁ ‘ବାପା’ ‘ବୋଉ’ ଡାକୁଛି । ସେମାନେ ଝିଅପରି ମୋତେ ମଧ୍ୟ ସ୍ନେହ ଆଦର କରୁଛନ୍ତି । ବୋଉ କାଲିମୋତେ ମୋର ବିବାହ କଥା କହୁଥିଲେ । ବାପା କୋଉଠି ଭଲ ବରଟିଏ ଠିକଣା କରିଛନ୍ତି । ସେ ଭାରି ବଡ଼ଲୋକ, ତୁଣ୍ଡ ଖୋଲିଲେ ପଚାଶ ଜଣ ଆସି ଜମା ହୋଇପାରନ୍ତି । ତାଙ୍କ ଘର କେଉଁଠି ଜାଣି ନାହିଁ । ଦୋତାଲାରେ ଯେଉଁ ଘରେ ମୁଁ ଶୁଏ, ତା ପାଖ ଘରେ ସେମାନେ ଶୁଅନ୍ତି । ରାତିରେ ସେ ଦୁଇଜଣ କଥାବାର୍ତ୍ତା ହେଉଥିଲେ । ମୁଁ ଏତିକି ଶୁଣିଛି, ବାପା କ’ଣ ପଚାରିବାରୁ ବୋଉ କହିଲେ–ମୁଁ କହିଥିଲି ସେ କଥା । ତା’ର ବାହଘରରେ ଅମତ ନାହିଁ-। ବାପା କହିଲେ–ଆଉ କିଛି ଚିନ୍ତା ନାହିଁ । ବାହାଘରଟା ଭଲରେ ଭଲରେ ହୋଇଯିବ । ପଅରଦିନ ବିହାରୀ ଆସି ପହଞ୍ଚିବ, ମୁଁ ଖବର ପାଇଛି । ସେ ଆସିଲା ସାଙ୍ଗେ ସାଙ୍ଗେ ହାତଗଣ୍ଠି ପକାଇଦେବା । ଆପଣଙ୍କ କଥା ମାନି ମୁଁ ଚୁପ୍ ଅଛି । କ’ଣ କରିବି ବୁଦ୍ଧି କହିଦେବେ । ଇତି ।

 

କିଶୋରୀ

 

ରାଜକିଶୋର ପତ୍ରଖଣ୍ଡି ଆଉ ଥରେ ପାଠକରି ଯତ୍ନର ସହିତ ନିଜର ଟ୍ରଙ୍କମଧ୍ୟରେ ରଖିଲେ । ତା ପରେ ବାରଣ୍ଡାରେ ବସି କ’ଣ ଭାବିବାକୁ ଲାଗିଲେ ।

 

ଦାନ୍ତ ଘଷୁ ଘଷୁ ଦୀନବନ୍ଧୁ ଆସି କହିଲେ “କିହେ, ଆଜି କାଠି ଲାଗି ହେବ ନାହିଁ କି ?” ରାଜକିଶୋର ଉଠିପଡ଼ି କହିଲେ, “ତମେ ଆଜି ଏତେ ଚଞ୍ଚଳ କିପରି ଉଠିପଡ଼ିଲ ମ ?” ଦୀନବନ୍ଧୁ ଉଚ୍ଚ ହାସ୍ୟ କରି କହିଲେ, “ଚଞ୍ଚଳ କ’ଣ ଉଠିଲି ? ସାତଟା ବାଜିଗଲାଣି ଯେ ।” ରାଜକିଶୋର ଅପ୍ରତିଭ ହୋଇ ଉଠିଲେ । କହିଲେ, “ସତେ ? ରାତିରେ ଭଲ ନିଦ ହେଲା ନାହିଁ । ଏଠାରେ ବସୁ ବସୁ ନିଦ ହୋଇଗଲା ।”

 

ଦିନ ଦୁଇଟା ସମୟ ହେବ, ସିରସ୍ତାଦାରଙ୍କ ଚାକର ପାଣୁଆ ଆସି ରାଜକିଶୋରଙ୍କ ନିକଟରେ ଉପସ୍ଥିତ ହେଲା । ରାଜକିଶୋର ସେତେବେଳେ କ’ଣ ଗୋଟାଏ ବହି ଦେଖୁଥିଲେ । ସେ ପାଣୁଆକୁ ନିକଟରେ ଦେଖି କହିଲେ, “ପାଣୁ, ଖବର କ’ଣ ?”

 

“ନାଇଁ ବାବୁ, ଆଉ ଖବର କ’ଣ ।”

 

“ତମର ସେ ବାୟାଣୀ ଭଲ ହୋଇଗଲାଣି ଶୁଣୁଛି–ସତ ?”

 

“ହଁ, ଆଜ୍ଞା, ସତ । ସେ ଭଣ୍ଡାରୁଣୀ ରାତିରେ କ’ଣ ମନ୍ତ୍ର କରିଦେଲା ଯେ ସକେଳୁ ତ ସୁନାଝିଅ !”

 

“ଅବିକା ସେ ଖୁବ୍ ଭଲ ଅଛି ?”

 

“ଅଜ୍ଞା, ସେ ପରା ପରିବା କାଟିବାଠୁ ବିଶୁକୁ ପାଠ ପଢ଼ାଇବା ପର୍ଯ୍ୟନ୍ତ ସବୁ କାମ କରୁଛି ଏବେ ।”

 

“ସେ ତ ଭଲ ହୋଇଗଲାଣି, ବାବୁ ତାକୁ ବାହା କରିଦିଅନ୍ତୁ ଭଲ ବରଟି ଦେଖି ।”

 

“ହଁ, ଅମେ ତ ସେ କଥା ଖୋଜୁଛୁ……… କ୍ଷୀରିପିଠା ଖାଆନ୍ତୁ ।”

 

“ଖାଲି ଖୋଜିଲେ ହେବ ? ବାବୁ ବାବୁଆଣୀଙ୍କୁ କହିଲେ ହେବ କି ?”

 

“ଆମ କଥାରେ କ’ଣ ସେ କରିବେ ? ତାଙ୍କ ଇଚ୍ଛା………..”

 

“ଆଛା ପାଣୁ ତୁ ଗୋଟାଏ କାମ କରିପାରିବୁ ?”

 

“କ’ଣ କହନ୍ତୁ ।”

 

“ବଡ଼ ଗୁପ୍ତ କାମ ଏକା । କେହି ଯେପରି ନ ଜାଣନ୍ତି । ତୋତେ ମୋର ବିଶ୍ଵାସ ହେଲା ବୋଲି—”

 

“କହି ଜାଣିବେ ନାହିଁ ଆଜ୍ଞା ! ଆପଣ ଯେମିତି କହିବେ ସେମିତି ଗୁପ୍ତରେ କରି ଆସିବି । ମୁଁ ପଲା ହୋଇଚି, ଗୁପ୍ତକଥା କାହା ଆଗେ କହିଦେବି ? ସେମିତି ହେଲେ ଆପଣ ଦେଖୁ ନାହାନ୍ତି, ବାବା ଧବଳେଶ୍ଵର ଜାଣନ୍ତି–ମା କଟକ ଚଣ୍ଡୀ ଜାଣନ୍ତି ।”

 

ରାଜକିଶୋର ଟ୍ରଙ୍କରୁ ଦଶଟଙ୍କିଆ ନୋଟ ଖଣ୍ଡେ ବାହର କରି ପାଣୁଆ ହାତକୁ ବଢ଼ାଇ ଦେଇ କହିଲେ, “ନେ, କାମ କରି ଆସିଲେ ଆଉ ଦଶ ଟଙ୍କା ପାଇବୁ ।” ପାଣୁଆ ଘୁଞ୍ଚିଯାଇ କହିଲା, “ନାଇଁ ଆଜ୍ଞା, ଆପଣ ରଖନ୍ତୁ । ମୁଁ କ’ଣ ଟଙ୍କା ମାଗୁଚି ? ଆପଣଙ୍କର ଗୋଟାଏ ବୋଲ କରିବି, ସେଥିପାଇଁ…. ଆମେ ତ ଚାକର ଲୋକ, ବାବୁମାନଙ୍କର ବୋଲ ହାକ କରିବା……. ।”

 

“ଆଛା ପାଣୁ, ତୁ ମୋ ପାଖରେ ରହିବୁ ?”

 

“ଆପଣ ଯଦି ରଖିବେ ମୁଁ କ’ଣ ନାହିଁ କରୁଚି ?”

 

“ହଉ, ତୁ ଆଗ ଏ କାମଟି କରିଆ କି, ତା ପରେ ସେ କଥା ।”

 

ରାଜକିଶୋର ନୋଟ ଖଣ୍ଡି ପୁଣି ତା ହାତକୁ ବଢ଼ାଇଦେଲେ । ପାଣୁଆ କହିଲା, “ନାଇଁ ବାବୁ, ଟଙ୍କା ରଖନ୍ତୁ । କି କାମ କରିବି ଆଗେ କହନ୍ତୁ ।” ରାଜକିଶୋର ଜୋର୍ କରି ତା ହାତରେ ଗୁଞ୍ଜିଦେଇ କହିଲେ, “ବିଶେଷ କଷ୍ଟ କାର୍ଯ୍ୟ କିଛି ନୁହେ । ତୁ ଚିଠିଖଣ୍ଡେ ନେଇଯା, ସେ ବାୟାଣୀକୁ ଲୁଚାଇ ଦେଇ ଦେବୁ-ପାରିବୁ ତ ?” ପାଣୁଆ ଟିକିଏ ଚିନ୍ତା କରି ହସି ଉଠିଲା । କହିଲା–“ଏଇ ଗୋଟାଏ କଥା ପାରିବି ନାହିଁ ? ଆଜ୍ଞା, ସେ ଏକା ଆପଣଙ୍କ ଲେଖା–ପାଠ ପଢ଼ିଛି । ରୂପ ଯେମିତି ସରଗ ଅପସରା ।” ପାଣୁଆର ଭୂମିକାରୁ ରାଜକିଶୋର ତା’ର ମନୋଗତ ଭାବ ବୁଝିଗଲେ । ପୂର୍ବ ମୁହୂର୍ତ୍ତରେ ବାୟାଣୀର ବିବାହ ବିଷୟ ନେଇ କଥା ପଡ଼ିଥିଲା । ବର୍ତ୍ତମାନ ଗୁପ୍ତରେ ଚିଠି ଦେବା କଥା ଶୁଣି ପାଣୁଆ ଭାବିଲା–ରାଜକିଶୋର ତାକୁ ବିବାହ କରିବାକୁ ଇଚ୍ଛୁକ ବୋଧହୁଏ । ପାଣୁଆର ସେପରି ଭାବିବା ମଧ୍ୟ ସ୍ଵାଭାବିକ । ଯାହା ହେଉ ରାଜକିଶୋର ତା’ର ଦୃଢ଼ ବିଶ୍ଵାସ ଜନ୍ମାଇବା ପାଇଁ କହିଲେ, “ପାଣୁ, ମୁଁ ଦେଖୁଛି ତୁ ବଡ଼ ବୁଦ୍ଧିମାନ୍ । ସବୁ ତ ବୁଝିପାରୁଛୁ । ଏତକ ଯଦି କରାଇଦେଉ, ତା ହେଲେ ଆଉ ଦଶ ଟଙ୍କା କ’ଣ, ଦୁଇଶ ଟଙ୍କା ପାଇବୁ ।” ପାଣୁଆ କହିଲା–“ହଉ ବାବୁ, ଆଗ ଚିଠିଖଣ୍ଡି ଦିଅନ୍ତୁ । ଅବିକା ମା ଶୋଇଥିବେ, ମୁଁ ଚିଠିଖଣ୍ଡି ଚୁପକରି ଦେଇଦେବି ।” ରାଜକିଶୋର ପକେଟରୁ ଚିଠିଖଣ୍ଡ ବାହାର କରି ତା ହାତକୁ ବଢ଼ାଇଦେଲେ ।

 

କିଶୋରୀ ପାଣୁଆ ହାତରୁ ଚିଠିଖଣ୍ଡି ନେଇ ଖୋଲିଲା । ପ୍ରଥମେ ହସ୍ତାକ୍ଷର ଦେଖି ଚମକି ପଡ଼ିଲା–ଏ ଯେ ତା’ର ପରିଚିତ ହସ୍ତାକ୍ଷର ! ଚାରିଦିନ ତଳେ ଏହି ହସ୍ତାକ୍ଷରର ଆଉ ଖଣ୍ଡେ ଲେଖା ପାଠ କରିଥିଲା । ସେତେବେଳେ କିନ୍ତୁ ସେ ବିଷୟରେ ଭାବିବାକୁ ଅବସର ନଥିଲା ତା’ର । ହାୟ ! ରାଜୁନନା ଯଦି ତାଙ୍କ ଘରୁ ଚାଲିଯାଇ ନ ଥାନ୍ତେ, ଆଜି ତାଙ୍କୁ ଏ ଦୁର୍ଦ୍ଦଶା ଭୋଗ କରିବାକୁ ପଡୁଥାନ୍ତା କାହିଁକି ? ସେ କ’ଣ କରିବେ ? ବାପାଙ୍କର ଯେଉଁ ନିଷ୍ଠୁର ବ୍ୟବହାର । ରାଜୁନା ହେଲାକୁ ଚାରିମାସ କାଳ ରହିଲେ । ଆଉ କେହି ଚାରି ଦିନ ସୁଦ୍ଧା ରହି ନ ଥାନ୍ତା । ରାଜୁନନାଙ୍କ ପୂର୍ବରୁ ଆଉ ତିନି ଜଣ ଆସିଥିଲେ ପରା–କେହି ଜଣେ ହେଲେ ଦୁଇ ଦିନରୁ ତିନି ଦିନ ରହି ନାହାନ୍ତି । ରାଜୁନନା କି ଦେବ–ପ୍ରକୃତିର ଲୋକ । ସତେ କ’ଣ ତାଙ୍କ ଦେଖା ମିଳିବ କେବେହେଲେ ? କିଶୋରୀର ଦୁଇ ଚକ୍ଷୁରୁ ଧାରାଶ୍ରାବଣର ଧାର ବହିଲା । ପାଣୁଆ ବୋକାଙ୍କ ପରି ଠିଆ ହୋଇ ଦେଖୁଥାଏ । ଶୋକାବେଗ ଟିକିଏ କମି ଆସିବାରୁ କିଶୋରୀ ପତ୍ରପାଠ କଲା !

 

ସ୍ନେହର କିଶୋରି !

 

ତମର ଲେଖା ପାଇଛି । ବିବାହରେ ତମେ ଅମତ କର ନାହିଁ । ବିବାହ ହେବ ବୋଲି ଭୟ କରନା । ଜାଣିଥାଅ ସେ ତମର କିଛି କରିପାରିବେ ନାହିଁ । ବିବାହ ଦେବା ଏଡ଼େ ସହଜ କଥା ନୁହେଁ । ତମେ ପ୍ରତ୍ୟେକ ବିଷୟ ମୋତେ ଜଣାଉଥାଅ । ମୁଁ ତା’ର ସୁବନ୍ଦୋବସ୍ତ କରିଛି । ଭୟ କର ନାହିଁ । ତାଙ୍କ ସହିତ ଏକମତ ହୋଇ ସେମାନଙ୍କର ଗୁପ୍ତ ପରାମର୍ଶ ମୋତେ ଜଣାଅ । ଇତି ।

 

କିଶୋରୀ ପତ୍ରପାଠ କରି ପାଣୁଆକୁ ପଚାରିଲା, “ଏ ଚିଠି ତୋତେ କିଏ ଦେଲା ?” ପାଣୁଆ କହିଲା “ଦୀନବନ୍ଧୁ ବାବୁଙ୍କ ଘରେ ତାଙ୍କର ଜଣେ ବନ୍ଧୁ କିଏ ଅଛନ୍ତି, ସେ ଦେଲେ ।” କିଶୋରୀ ଅତ୍ୟନ୍ତ ବିସ୍ମୟର ସହିତ ପ୍ରଶ୍ନ କଲା, “ଦୀନବନ୍ଧୁ ବାବୁଙ୍କର ବନ୍ଧୁ ? ଦୀନବନ୍ଧୁ ବାବୁ କିଏ ?”

 

ପାଣୁଆ–ଦୀନବନ୍ଧୁ ବାବୁଙ୍କୁ ଜାଣ ନା ? ତାଙ୍କ ଘର ପରା ଆମ ଘରକୁ ଲାଗିଚି । ବାହାରକୁ ଆସ, ମୁଁ ଦେଖାଇଦେଉଚି ।

 

ପାଣୁଆ ବାହାରକୁ ଚାଲିଗଲା । କିଶୋରୀ ତା’ର ଅନୁସରଣ କଲା । ରାଜକିଶୋର ରହୁଥିବା ଚାଳ ଘରକୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲା, “ଏଇ ଘରେ ସେ ବାବୁ ଅଛନ୍ତି, ଏ ଘର ଯେଉଁ କୋଠା ଉପରେ ହୋଇଚି, ସେ କୋଠା ଦୀନବନ୍ଧୁ ବାବୁଙ୍କର ।” କିଶୋରୀ ଆହୁରି ଆଶ୍ଚର୍ଯ୍ୟ ହୋଇଗଲା । ଚାରିଦିନ ତଳେ ଭଣ୍ଡାରୁଣୀ ଯେଉଁ ଲେଖା ଦେଖାଇଥିଲା, ସେଥିରେ ଏଇ ଚାଳଘର ବିଷୟ ତ ଲେଖାଥିଲା । ସେ ସେହି ଚାଳଘର ପାଖରେ ଲେଖା ପକାଇଥିଲା । ତା’ର ଉତ୍ତର ମଧ୍ୟ ପାଇଛି । କିନ୍ତୁ ସେ ଘରେ ଅଛନ୍ତି ଦୀନବନ୍ଧୁ ବାବୁଙ୍କ ବନ୍ଧୁ । ସେ ଛଦ୍ମବେଶୀ ଭଣ୍ଡାରୁଣୀ କିଏ ? ହସ୍ତାକ୍ଷର ତ ଅବିକଳ ରାଜୁ ନନାଙ୍କର । ରାଜୁନନା କ’ଣ ଛଦ୍ମ ବେଶରେ ସେ ଦିନ ଆସିଥିଲେ ? ରାଜକିଶୋରଙ୍କ ପ୍ରତି କୃତଜ୍ଞତାରେ କିଶୋରୀର ଅନ୍ତର ଭରିଗଲା । ସେ ମନେ ମନେ ପ୍ରଭୁଙ୍କୁ ନମସ୍କାର କରି କହିଲା “ପ୍ରଭୁ ! ରାଜୁନନାଙ୍କ ଦୀର୍ଘାୟୁ କର ।” ତା ପରେ ପାଣୁଆକୁ ଲକ୍ଷ୍ୟ କରି କହିଲା “ସେ ବାବୁଙ୍କ ନାଁ କ’ଣ ପାଣୁ ?” ପାଣୁଆ ଟିକିଏ ଚିନ୍ତାକରି କହିଲା “ତାଙ୍କ ନା ଜାଣି ନାହିଁ । ବଡ଼ ଭଲଲୋକ ସେ । କି ସୁନ୍ଦର ଚେହେରା ! ସାକ୍ଷାତ ରାଜାପୁଅ ! ରୂପକୁ ଚାହିଁ ଗୁଣ । କଥା କି ମିଠା । ବଣର ପଶୁପକ୍ଷୀ ସୁଦ୍ଧା ସେ କଥାରେ ବଶ ହୋଇଯିବେ ପରା ।” ପାଣୁଆ ଆହୁରି କେତେ କ’ଣ କହିଥାନ୍ତା; କିନ୍ତୁ ସେ ସମସ୍ତ ଶୁଣିବାକୁ କିଶୋରୀର ଧୈର୍ଯ୍ୟ କୁଳାଇଲା ନାହିଁ । ସେ ଉଦ୍‍ବିଗ୍ନ ଭାବରେ ପ୍ରଶ୍ନ କଲା, “ଆଛା, ତାଙ୍କର ବୟସ କେତେ ହେବ କହିଲୁ ?”

 

“ବୟସ ବେଶୀ ନୁହେ–ଚବିଶ ପଚିଶ ହେବ ।”

 

କିଶୋରୀର ଆଗ୍ରହ ଦେଖି ପାଣୁଆ ମନେ ମନେ ବଡ଼ ଖୁସି ହୋଇ ଉଠିଲା । ଭାବିଲା, ଶୀକାର ନିଶ୍ଚୟ ହାତରେ ପଡ଼ିବ । ରାଜକିଶୋରଙ୍କ ଆଡ଼କୁ ତା’ର ମନ ଆକୃଷ୍ଟ କରିବାକୁ କହିଲା, “ତମେ ଏମିତି କାହିଁକି ହେଉଚ ? ମୁଁ କାଲି ଦେଖାଇଦେବି ତାଙ୍କୁ । ସେମିତି ଲୋକ ପରା ଏ ବ୍ରହ୍ମାଣ୍ଡରେ ନଥିବେ । ତମରି ବର୍ଣ୍ଣ ତ, ଦୁଇଜଣ ଠିକ୍ ଭାଇ ଭଉଣୀ ପରି…… ।” ତେଣିକି ଆଉ ତା’ର ପାଟି ଖୋଲିଲା ନାହିଁ । ଯାହା କହିବାକୁ ଯାଉଥିଲା, ସେ କଥା ଗୋପନ ରଖି କହିଲା, “ସତେ ବଡ଼ ସୁନ୍ଦର ରୂପ ।” କିଶୋରୀ କହିଲା, “ଆଛା, ଏ ଚିଠି ଆଉ କେହି ଦେଖି ନାହାନ୍ତି ତ ?” “ମୁଁ କ’ଣ ପିଲାଟି ହୋଇଚି ? ବାବୁ ମୋତେ କେତେ ତାକିତ କରି କହିଚନ୍ତି । ଗୁପତ କଥା ପଦାରେ ପକାଇଦେବି !” କିଶୋରୀ କହିଲା “ଆଛା ହଉ,ତୁ ଯା ।”

 

ପାଣୁଆ ମନେ ମନେ ଅସୀମ ଆନନ୍ଦ ଉପଭୋଗ କରୁ କରୁ ତଳ ମହଲାକୁ ଚାଲିଗଲା ।

Image

 

ସପ୍ତଦଶ ପରିଚ୍ଛେଦ

 

କିଶୋରୀ ସବାରିରୁ ପଳାଇଯାଇ ଦୟାନିଧି ପଟ୍ଟନାୟକଙ୍କ ଗୃହରେ ଆଶ୍ରୟ ନେଇଥିଲା, ପାଠକଗଣ ଅବଗତ ଅଛନ୍ତି । ଦୟାନିଧି ପଟ୍ଟନାୟକ ତାହାର ସମସ୍ତ ଇତିହାସ ଶୁଣିଲେ । ତାଙ୍କ ମନମଧ୍ୟରେ ଏକ ପୈଶାଚିକ ଭାବର ଉଦୟ ହେଲା । ସେ ତାଙ୍କର ସ୍ତ୍ରୀଙ୍କ ସହିତ ପରାମର୍ଶ କରି ସ୍ଥିର କଲେ, କିଶୋରୀକୁ ତା’ର ପିତା ନିକଟକୁ ଛାଡ଼ିବେ ନାହିଁ । କୌଣସି ଉପାୟରେ ତାକୁ ଭୁଲାଇ ପାଖରେ ରଖିନେବେ । ବାହାରେ କିନ୍ତୁ ତା’ର ଦୁଃଖରେ ସମବେଦନା ପ୍ରକାଶ କରି ଅତ୍ୟନ୍ତ ଦୁଃଖିତ ହେଲେ ଏବଂ ତାକୁ ତା’ର ପିତ୍ରାଳୟରେ ଛାଡ଼ି ଆସିବାକୁ ଦୃଢ଼ ପ୍ରତିଜ୍ଞା କଲେ । କିଶୋରୀ ମନେ ମନେ କୃତକୃତ୍ୟ ହୋଇ ତାଙ୍କର ପଦତଳେ ପ୍ରଣାମ କରି କହିଲା–“ଆପଣ ମୋର ଧର୍ମର ବାପ । କଷ୍ଟ ସ୍ଵୀକାର କରି ମୋତେ ଶୀଘ୍ର ମୋର ବାପାଙ୍କ ପାଖରେ ଛାଡ଼ି ଆସନ୍ତୁ ।” ଦୟାନିଧି ପଟ୍ଟନାୟକ କିଛି କହିବା ପୂର୍ବରୁ ତାଙ୍କର ସ୍ତ୍ରୀ କହିଲେ, “ହଁ ମା, ତାଙ୍କର ମୋର ଏହିକ୍ଷଣି ସେଇ କଥା ପଡ଼ିଥିଲା । କରଣ ଘର ଝିଅ–ବିଭା ହୋଇ ନାହୁଁ । ପୁଣି ରାତିରେ ଘରୁ ଗୋଡ଼ କାଢ଼ିଚୁ । ଏମିତି ଭାବରେ ନେଇ ଛାଡ଼ି ଆସିଲେ ସବୁ କଥା ପ୍ରଘଟ ହୋଇଯିବ । ଲୋକେ ବାର ନିନ୍ଦା ରଚନା କରିବେ । ବାପା ବି ଘରେ ସ୍ଥାନ ଦେବେ ନାହିଁ । ସେ ଅପମାନ ମରଣରୁ ବଳିଯିବ । ତୁ ଥୟ ଧର, ସେ………. ।” କିଶୋରୀ ବାଧା ଦେଇ କହିଲା, “ବାପା ସେପରି ଲୋକ ନୁହନ୍ତି । ମୋତେ ଦଣ୍ଡେ ନ ଦେଖିଲେ ତାଙ୍କୁ ପୃଥିବୀ ଅନ୍ଧାର ଦିଶେ । ସେ କ’ଣ……” “ଓଲି ଝିଅଟା ! ମୁଁ କ’ଣ କହିଲି ବାପା ତୋର ଭଲ ପାନ୍ତି ନାହିଁ ତତେ ? ପୁଅ ଝିଅ ଯେତେ ଖରାପ ହେଲେ ସୁଦ୍ଧା ବାପ ମାଙ୍କ ଆଖିରେ କ’ଣ ଅସୁନ୍ଦର ଦିଶନ୍ତି ? ବାପା ତୋତେ ଖୁବ୍ ଭଲ ପାନ୍ତି, ଖୁବ୍ ସ୍ନେହ କରନ୍ତି । କିନ୍ତୁ ପଚିଶ ଜଣଙ୍କ କଥାରୁ ସେ ତ ବାହିରିଯିବେ ନାହିଁ–ପଚିଶ ଜଣଙ୍କ ମନ ରଖିବା ଲାଗି ଶିବେଇସାନ୍ତରା ପରା କୋଣାର୍କ ଦେଉଳ ଉପରେ ନିଜ ପୁଅକୁ ମାରି ପକାଇ ଥିଲେ । କହନ୍ତି ଜାତି ପାଖରେ ହାତୀ ଯାଏ ନାହିଁ । ପଚିଶ ଜଣ ଯଦି କହିବେ, ‘ମଙ୍ଗରାଜେ, ଝିଅଟା ତମର କୁଳରୁ ଯାଇଛି, ତାକୁ ଘରେ ରଖିବ ନାହିଁ’–ମଙ୍ଗରାଜେ ସେତେବେଳେ କ’ଣ କରିବେ ? ଯେତେ ହେଲେ ସେ ଜଣେ ଲୋକ ନା, ପାଞ୍ଚ ଜଣଙ୍କ କଥାରୁ କ’ଣ ବାହାରି ଯିବେ ? ତୁ ପିଲା ଲୋକ, ଜାତି ନୀତି କଥା କିଛି ଜାଣି ନାହୁଁ । ମୁଁ ଯାହା କହୁଛି ଶୁଣ । ଉତଳା ହୁଅ ନା । ଆଜି ପାହାନ୍ତାରେ ଆମେ କଟକ ଯିବୁ । ତୋତେ ସଙ୍ଗରେ ନେଇଯିବୁ । ତୁ କଟକରେ ଆମ ପାଖରେ ରହିବୁ । ବାବୁ ଆଗ ଯାଇ ତୁମ ବାପାଙ୍କ ସଙ୍ଗରେ ଦେଖାକରି କଥାବାର୍ତ୍ତା କରିବେ । ଯେମିତି କେହି କିଛି ଅପବାଦ ଉଠାଇ ନ ପାରନ୍ତି, ସେ ବିଷୟରେ ବିଚାର କରି ତୋତେ ନେଇଯିବେ ସୁବିଧା ଦେଖି । ଆଉ ତୁ ଯେତେ ଦିନ ଆମ ଘରେ ରହିବୁ, ଲୁଚି କରି ରହିବୁ । ପଦା ଲୋକଙ୍କୁ ଦେଖା ଦେବୁ ନାହିଁ କି ତାଙ୍କ ପାଖରେ କିଛି କହିବୁ ନାହିଁ । ବୁଝିଲୁ ? ତାହେଲେ ସବୁ ଭଲ ହେବ–ମାନ ମର୍ଯ୍ୟାଦା ସବୁ ରହିବ, ତୁ ବି ତୋର ବାପା ପାଖକୁ ଯାଇପାରିବୁ ।”

 

କଥାଟା କିଶୋରୀ ମନକୁ ପାଇଲା । ସେ କହିଲା, “ହଉ, ଆପଣ ଯାହା ଭଲ ମନେ କରନ୍ତି କରିବେ ।” ସେହି ରାତି ଶେଷରେ ଦୟାନିଧି ପଟ୍ଟନାୟକ ତାଙ୍କର ସ୍ତ୍ରୀ ଓ କିଶୋରୀକୁ ଘେନି କଟକ ଯାତ୍ରା କଲେ ।

 

ଦୟାନିଧି ପଟ୍ଟନାୟକ ହେଉଛନ୍ତି ଆମ୍ଭମାନଙ୍କର ପରିଚିତ ସିରସ୍ତାଦାର ଦୟାନିଧି ବାବୁ । ଏ ସ୍ଥାନରେ ତାଙ୍କର ଆଉ ଟିକିଏ ବିଶେଷ ପରିଚୟ ଦେବା ଆବଶ୍ୟକ । ପାଠକମାନେ ଓଡିଶାରେ ସ୍ଵନାମଧନ୍ୟ ଚୋର ବିହାରୀ ନାୟକକୁ ଚିହ୍ନନ୍ତି ବୋଧହୁଏ । ସେ ସାଧାରଣ ଚୋର ନୁହେ–ଚୋରଙ୍କ ସରଦାର । ସେ ଗୋଟିଏ ସ୍ଵତନ୍ତ୍ର ଦସ୍ୟୁ ଦଳ ଗଢ଼ିଥିଲା । ସେ ଦଳରେ ପ୍ରାୟ କୋଡ଼ିଏ ପଚିଶ ଜଣ ଦସ୍ୟୁ ଥିଲେ । ଆମ୍ଭମାନଙ୍କର ସିରସ୍ତାଦାର ଦୟାନିଧି ବାବୁ ସେ ଦସ୍ୟୁ ଦଳର ପୃଷ୍ଠପୋଷକ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ବିହାରୀ ଚୋରି ମାଲସବୁ ଆଣି ତାଙ୍କ ଜିମା ଦେଇଯାଏ । ସେ ଅଳଂକାର ଦୋକାନୀ ପୁରନଲାଲ ସାହାଯ୍ୟରେ ସମସ୍ତ ବିକ୍ରୟ କରାଇ ଦିଅନ୍ତି । ସେଥିପାଇଁ ଉଭୟେ ବିହାରୀଠାରୁ କିଛି ଅଂଶ ମଧ୍ୟ ପାନ୍ତି । ସେହି ସୁତ୍ରରେ ବିହାରୀ ସହିତ ସିରସ୍ତାଦରଙ୍କର ଖୁବ୍ ସଦ୍ଭାବ ଓ ଘନିଷ୍ଠତା । ସେ ଦିନ ରାତିରେ କିଶୋରୀ ଯେତେବେଳେ ସିରସ୍ତାଦାରଙ୍କୁ ତା’ର ସମସ୍ତ ଇତିହାସ କହିଲା, ସିରସ୍ତାଦାରଙ୍କର ବିହାରୀନାୟକ କଥା ମନେ ପଡ଼ିଗଲା । ବିହାରୀ ଅବିବାହିତ । ବିବାହପାଇଁ ସେ ବହୁବାର ସିରସ୍ତାଦାରଙ୍କୁ କହିଛି । ସିରସ୍ତାଦାର ମଧ୍ୟ ଯଥାସାଧ୍ୟ ଚେଷ୍ଟା କରିବାରେ ଅବହେଳା କରି ନାହାନ୍ତି; ମାତ୍ର ବିହାରୀର ଇଚ୍ଛାମତ କନ୍ୟାଟିଏ କେଉଁଠାରେ ପାଇ ନାହାନ୍ତି ।

 

କିଶୋରୀର ରୂପ, ଗୁଣ, ବୟସ, ଜାତି କୌଣସି ବିଷୟରେ ବାଛିବାକୁ ନାହିଁ । ତାକୁ ବିହାରୀ ହସ୍ତରେ ଅର୍ପଣ କରିବାର ସ୍ଥିର କରି ତା’ର ଅଜ୍ଞାତରେ ସିରସ୍ତାଦାର ଏକ ଷଡ଼ଯନ୍ତ୍ର କରି ବସିଲେ ।

 

କିଶୋରୀ କଟକ ଆସିବାର ଦୁଇ ଦିନ ହୋଇଗଲାଣି । ସେ ଦିନ ସନ୍ଧ୍ୟା ସମୟରେ ସେ ବିଜନ ଗୃହଟିରେ ବସି ଭାବୁଛି–“ବାବୁ ଆଜି ଯାଇଛନ୍ତି ଆମ ଗାଁକୁ–ଅବିକା ଫେରିବେ । ବାପା ତାଙ୍କ ସଙ୍ଗରେ ଆସୁଥିବେ ନିଶ୍ଚୟ ।” ତା’ର ଆଶାଭରା ପ୍ରାଣରେ ଭବିଷ୍ୟତର କେତେ କଥାସେ ଭାବି ଯାଉଛି । ଦୟାନିଧି ବାବୁଙ୍କର ପାଟି ଶୁଭିଲା ଅଗଣାରେ । ସେ ଦୌଡ଼ି ଆସି କହିଲା “ବାପା କାହାନ୍ତି-?” ଦୟାନିଧି ବାବୁ ନିତାନ୍ତ ବିଷଣ୍ଣ ଭାବରେ କହିଲେ, “ମା, ତୋ କର୍ମ ବଡ଼ ଛୋଟ ।” କିଶୋରୀ ଉଭୟ ଚକିତ ଚଞ୍ଚଳ କଣ୍ଠରେ କହିଲା, “ବାପା କ’ଣ ନାହିଁ କଲେ ମତେ ନବାକୁ ?”

 

ଦୟାନିଧି–ସନ୍ତାନ ଯେତେ ଦୋଷ କଲେ ସୁଦ୍ଧା ପିତାମାତା କ’ଣ ଅନାଦର କରନ୍ତି ?

 

କିଶୋରୀ–ଆଉ କ’ଣ ଗାଁ ଲୋକ ମନା କଲେ ?

 

ଦୟାନିଧି ବାବୁ ଗୋଟାଏ ଦୀର୍ଘନିଶ୍ଵାସ ତ୍ୟାଗ କରି କହିଲେ, “ଗାଁ ଲୋକେ କ’ଣ ବାପାକୁ ତୋର ରଖିଛନ୍ତି ? ଜଗନ୍ନାଥ ବାବୁଙ୍କର ଘର ଚାଳ ସୁଦ୍ଧା ଅଛି ?” କିଶୋରୀ ବ୍ୟାକୁଳଭାବରେ କହିଲା “କ’ଣ ହେଲା ଘରଦ୍ଵାର ? ବାପା ମୋର କୁଆଡ଼େ ଗଲେ ?”

 

ଦୟାନିଧି–ମୁଁ ପ୍ରଥମେ ଯାଇ ଜଗନ୍ନାଥ ବାବୁଙ୍କ ଘର ପଚାରିବାରୁ ଗାଁ ଲୋକେ କହିଲେ, “ଆଜିକି ଚାରି ଦିନ ହେଲା ତାଙ୍କ ଘର ପୋଡ଼ି ଯାଇଛି । ଜଗନ୍ନାଥ ବାବୁ କେଉଁଆଡ଼େ ଯାଇଛନ୍ତି, କେହି ଜାଣନ୍ତି ନାହିଁ । ରାତିରେ ତ ନିଆଁ ଲାଗିଲା । ସେ ବୋଧହୁଏ ସେହି ନିଆଁରେ ପୋଡ଼ି ଯାଇଛନ୍ତି-। ତା ପରେ ମୁଁ ଘରପର୍ଯ୍ୟନ୍ତ ଗଲି । ଦେଖିଲି ସତକଥା । ଆଜିପର୍ଯ୍ୟନ୍ତ ନିଆଁ ଲିଭି ନାହିଁ ।”

 

ଦୟାନିଧି ବାବୁଙ୍କର ସମସ୍ତ କଥା କିଶୋରୀ ଶୁଣିପାରିଲା ନାହିଁ । ‘ସେ ବୋଧ ହୁଏ ସେହି ନିଆଁରେ ପୋଡ଼ି ଯାଇଛନ୍ତି’–ଏହିତକ ଶୁଣିଲାମାତ୍ରେ ତାକୁ ଦଶଦିଗ ଅନ୍ଧାର ଦିଶିଲା । ସେ ‘ବାପା’ ଏହି ପଦଟି ବଡ଼ କଷ୍ଟରେ ଉଚ୍ଚାରଣ କରି ସଂଜ୍ଞାହୀନ ହୋଇ ପଡ଼ିଲା । ଦୟାନିଧି ବାବୁ ଓ କ୍ଷେତ୍ରମଣିଙ୍କ ସେବା ଶୁଶ୍ରୂଷାରେ ସେ କେତେକ ମୂହୁର୍ତ୍ତ ପରେ ଚୈତନ୍ୟ ଲାଭ କରି କାନ୍ଦି କାନ୍ଦି କହିଲା, “ମୋତେ ଆମ ଗାଁରେ ଛାଡ଼ି ଆସନ୍ତୁ, ମୁଁ ଦେଖିବି ମୋ ବାପା କେଉଁଠି” ଶୋକାବେଗରେ ଆଉ କହିପାରିଲା ନାହିଁ ।

 

ଦୟାନିଧି ବାବୁ ଓ କ୍ଷେତ୍ରମଣି ବହୁତ ବୁଝାଇଲେ; କିନ୍ତୁ କିଶୋରୀର ଲୋତକଧାରା ବନ୍ଦ ହେଲା ନାହିଁ କି ତା’ର ଗାଁକୁ ଯିବାର ଇଚ୍ଛା ନିବୃତ୍ତ ହେଲା ନାହିଁ । ସେ ଦୟାନିଧି ବାବୁଙ୍କର ଗୋଡ଼ତଳେ ପଡ଼ି କହିଲା “ଆପଣ ମୋର ବାପ, ମୁଁ ଆପଣଙ୍କ ଧର୍ମର ଝିଅ । ଝିଅ ଲାଗି ଟିକିଏ କଷ୍ଟ ସ୍ଵୀକାର କରନ୍ତୁ ।” ତା ପରେ କ୍ଷେତ୍ରମଣିଙ୍କୁ ଚାହିଁ କହିଲା,” ମା, ଆପଣଙ୍କ ହୃଦୟରେ ଦୟା ଆସୁନାହିଁ ! ମୋ ଲାଗି ବାପାଙ୍କୁ ଟିକିଏ କହନ୍ତୁ ।” କ୍ରୂର ଦୟାନିଧି ବାବୁଙ୍କ ହୃଦୟରେ ଦୟା ଆସିଲା ନାହିଁ । ସେ କପଟ ଆଶ୍ଵାସନା ଦେଇ କହିଲେ “ମା ଆଜି ତ ଆଉ ସମୟ ନାହିଁ–କାଲି ନିଶ୍ଚୟ ତୋତେ ଛାଡ଼ି ଆସିବି ।”

 

କାଲି କାଲି ବୋଲି ତିନି ଦିନ ବିତିଗଲା । ଦୟାନିଧି ବାବୁ ନାନା କାରଣ ଦେଖାଇ କିଶୋରୀକୁ ଠକିବାକୁ ଲାଗିଲେ । କ୍ଷେତ୍ରମଣି ଏଣେ ବୁଝାଇବାକୁ ଲାଗିଲେ, “କରଣ କୁଳ, ବାପ ନାହିଁ, ଘର ନାହିଁ, କାହା ପାଖରେ ରହିବୁ ? ତୋର ପୁଣି ଭରା ଯୌବନ……” ଇତ୍ୟାଦି ବହୁ କଥା । କିଶୋରୀ ବାଳିକା ନୁହେ, ସେ ବୁଝିପାରିଲା–ଦୟାନିଧି ବାବୁ ଓ କ୍ଷେତ୍ରମଣି ତାକୁ ଛାଡ଼ିବାକୁ ଇଚ୍ଛୁକ ନୁହନ୍ତି । ତା’ର ସନ୍ଦେହହେଲା–ଆଉ କିଛି ଦୂରଭିସନ୍ଧି ଅଛି କି ତାଙ୍କର ? କିଶୋରୀ ସେ ବିଷୟରେ ଯେତିକି ଭାବିବାକୁ ଲାଗିଲା, ତା’ର ସନ୍ଦେହ ବଢ଼ିଲା । ତା’ର ଅନ୍ତର ମଧ୍ୟରୁ ଯେପରି କିଏ କହିଉଠିଲା–“ବାପା ତୋର ମରି ନାହାନ୍ତି–ଘର ପୋଡ଼ିଯାଇ ନାହିଁ ….ଏ ସବୁ ମିଥ୍ୟା ରଚନା ।” କିନ୍ତୁ ଉପାୟ କ’ଣ ? ଏମାନଙ୍କ କବଳରୁ ମୁକ୍ତ ହେବାର ଉପାୟ କାହିଁ ?

 

ଦୟାନିଧି ବାବୁ କମ୍ ଧୃର୍ତ୍ତ ନୁହନ୍ତି । କିଶୋରୀ ମତିଗତି ଦେଖି ସେ ମଧ୍ୟ ସନ୍ଦେହ କଲେ । ଅନ୍ୟ କେହି ଯଦି କିଶୋରୀର ପରିଚୟ ପାଏ, ସମସ୍ତ କୌଶଳ ତା ହେଲେ ବୃଥା ହେବ । ଅଧିକନ୍ତୁ ତାଙ୍କର ଅବସ୍ଥା ଯେ କିପରି ଶୋଚନୀୟ ହୋଇପଡ଼ିବ, ତା କଳ୍ପନାର ଅଗମ୍ୟ । ନିଜକୁ ନିରାପଦ କରିବା ପାଇଁ ସେ ସେହି ଦିନଠାରୁ କିଶୋରୀକୁ ପାଗଳିନୀ ନାମରେ ଅଭିହିତ କରି ନଜରବନ୍ଦିରେ ରଖିଲେ । ତାକୁ ବର୍ଷେ କାଳ ବନ୍ଦିଶାଳା କଷ୍ଟ ସହିବାକୁ ପଡ଼ି ନ ଥାନ୍ତା, ବିହାରୀ ଯଦି ମୁକ୍ତ ଥାନ୍ତା । ବିହାରୀ ସେତେବେଳକୁ ପୁରୀ ଜେଲରେ । ଛ ବର୍ଷ ନିମିତ୍ତ ଜେଲ ଦଣ୍ଡ ପାଇଥିଲା ସେ । ଦୟାନିଧି ବାବୁ କିନ୍ତୁ ଜାଣନ୍ତି ସେ ନିଶ୍ଚୟ କୌଶଳକ୍ରମେ ଅଳ୍ପ ଦିନ ମଧ୍ୟରେ ଜେଲରୁ ପଳାଇ ଆସିବ । ସେଥିପାଇଁ ତା’ର ପ୍ରତୀକ୍ଷାରେ କିଶୋରୀକୁ ଗୋପନ ରଖିଥିଲେ ।

 

ପାଠକମାନଙ୍କର ମନେ ଥିବ, ରାଜକିଶୋର ଯେତେବେଳେ ମାଳତୀଠାରେ ହାର ଦେଖି ସେ ହାର କିଶୋରୀର ବୋଲି ସନ୍ଦେହ କଲେ ଏବଂ ହେମ ସାହାଯ୍ୟରେ ଅନୁସନ୍ଧାନ କରୁଥିଲେ, ସେ ହାର ତାଳଚେର ରାଜାଙ୍କ ଦାସୀଠାରୁ ପାଇଥିଲା ବୋଲି ମୋହନ ଦାସ କହିଥିଲା । ରାଜକିଶୋର ସେଥିପାଇଁ ତାଳଚେର ପର୍ଯ୍ୟନ୍ତ ଯାଇଥିଲେ; କିନ୍ତୁ ସେ ସମସ୍ତ ମିଥ୍ୟା । ଦୟାନିଧି ବାବୁ ପୁରୀ ଯାଇଥିଲେ କେତେ ମାସ ତଳେ । କିଶୋରୀ ମଧ୍ୟ ତାଙ୍କ ସଙ୍ଗରେ ପୁରୀ ଯାଇଥିଲା । ମୋହନ ଦାସ ସହିତ ତା’ର ଜଗନ୍ନାଥ ମନ୍ଦିରେ ଦେଖାହେଲା । ସେ ମୋହନଦାସକୁ ହାର ଦେଲା ଏବଂ ସନ୍ଧ୍ୟା ସମୟରେ ତା ସଙ୍ଗରେ ପଳାଇ ଆସିବାର ସ୍ଥିରକରି ତା’ର ବସା ଠିକଣା କହିଲା, “ଆମେ ତାଳଚେର କୋଠି ପାଖରେ ଅଛୁଁ ।” ମୋହନଦାସ ଗୁଲିଖୋର; ସେ ବୁଝିଲା “ତାଳଚେର କୋଠିରେ ଅଛୁଁ ।” ସେଥିପାଇଁ ତାଳଚେର ରାଜାଙ୍କର ଦାସୀ ବୋଲି ଅନୁମାନ କରି ନେଇଛି ।

Image

 

ଅଷ୍ଟାଦଶ ପରିଚ୍ଛେଦ

 

ରାଜକିଶୋର ବାରନ୍ଦାରେ ବସି ଦାନ୍ତ ଘଷୁଛନ୍ତି, ଉପରୁ କାଗଜ ଖଣ୍ଡେ ଆସି ତାଙ୍କ ସମ୍ମୁଖରେ ପଡ଼ିଗଲା । ସେ ଉଠାଇ ନେଇ ଦେଖିଲେ, କିଶୋରୀର ଲେଖା । ଆଗ୍ରହାନ୍ଵିତ ଭାବରେ ପାଠ କଲେ–“ରାଜୁନାନା !”

 

ରାଜକିଶୋର ଚମକି ଉଠିଲେ । ଏଁ–ସେ ତାକୁ ଚିହ୍ନିଲା କିପରି ? ପତ୍ରଗତ ବିଷୟ ଜାଣି ବାବୁ ରାଜକିଶୋରଙ୍କର ମନ ବ୍ୟାକୁଳ । ସେ ବିଷୟରେ ସେ ବେଶି କିଛି ଭାବିବାକୁ ଅବସର ପାଇଲେ ନାହିଁ । ପତ୍ର ପାଠ କରିବାକୁ ଆରମ୍ଭ କଲେ–

 

ତମେ ଲୁଚାଇଲେ ସୁଦ୍ଧା ମୋର ଦେଖି ପାରିବାର କ୍ଷମତା ଅଛି । ଚିହ୍ନି ସାରିଲିଣି–ଆଉ ଲୁଚିବା ଦରକାର ନାହିଁ । କାଲି ଯେତେବେଳେ ଜାଣିପାରିଲି ତମେ ଅତି ନିକଟରେ ଅଛ, ମୋର ଛାତି ଫୁଲି ଉଠିଲା ଆନନ୍ଦରେ । ଆଉ କୌଣସି କଥାକୁ ଭୟ ନାହିଁ । ବନ୍ଦିଶାଳାରେ ଥାଇ ସୁଦ୍ଧା ଘରଠାରୁ ଆହୁରି ଆନନ୍ଦ ଅନୁଭବ କରୁଚି । ସତ କହୁଚି ଘରେ ଥିଲେ ଆଜି ଏତେ ଆନନ୍ଦ ମୁଁ ପାଇ ନ ଥାନ୍ତି । ତମେ ମୋର ଶିକ୍ଷାଦାତା ଗୁରୁ । ତମକୁ କ’ଣ ମୋ ହୃଦୟ ଅଜଣା ? ମୁଁ କାଲିଠାରୁ ନୂଆ ପ୍ରାଣ ପାଇଛି । ବହୁତ କଥା ଅଛି ତମ ସାଙ୍ଗରେ………ଭଗବାନ ଏ କାରାରୁ ମୁକ୍ତ କଲେ–ନା, ଯାଉ ସେ କଥା ।

 

କାଲି ରାତିରେ ବାପା ବୋଉ କଥା ହେଉଥିଲେ–କଟକ ଆର ପାଖରେ ଚୂଡ଼ଙ୍ଗ ହ୍ରଦ ବୋଲି ଗୋଟିଏ ହ୍ରଦ କି ଗାଁ କ’ଣ ଅଛି । ସେଠି ଭାରି ଜଙ୍ଗଲ, ଦିନବେଳେ ସୁଦ୍ଧା ଭୟରେ କେହି ସେ ଜଙ୍ଗଲରେ ପଶନ୍ତି ନାହିଁ । ସେହିଠାରେ ମୋର ବାହାଘର ହେବ । ଆଜିକି ଠିକ୍ ହୋଇଛି । କ’ଣ କରିବି ଲେଖିବ । ଉତ୍ତରକୁ ଅନାଇ ରହିଲି । ଇତି ।

 

ସ୍ନେହର

କିଶୋରୀ

 

 

ରାଜକିଶୋର ସଙ୍ଗେ ସଙ୍ଗେ ଉତ୍ତର ଲେଖି ବସିଲେ–

 

ସ୍ନେହର କିଶୋରି,

 

କୌଣସି ବିଷୟରେ ଚିନ୍ତା କର ନାହିଁ । ତମର କେହି କିଛି ଅନିଷ୍ଟ କରିପାରିବେ ନାହିଁ । ମୁଁ ବରାବର ସଙ୍ଗେ ସଙ୍ଗେ ଅଛି । ଘର ଛାଡ଼ି ତମକୁ ଅନ୍ୟତ୍ର ଯିବାକୁ କହିଲେ ଯିବ–ଆପତ୍ତି କରିବ ନାହିଁ । କେଉଁଠାକୁ ଯିବ ଓ କିପରି ଯିବ, ଯିବାପୂର୍ବରୁ ମୋତେ ଜଣାଇଦେବ କେବଳ । ଭୁଲିବ ନାହିଁ । ଇତି ।

 

ଶୁଭାକାଙ୍

ରାଜୁ

 

ଦିନମଧ୍ୟରେ ଦୁଇ ଚାରି ଥର ରାଜକିଶୋରଙ୍କ ଦେଖା କରିବା ପାଣୁଆର ଅଭ୍ୟାସ । ସେ ଦୈନିକ ଅଭ୍ୟାସବଶତଃ ସେ ଦିନ ସକାଳ ସାତଟାବେଳକୁ ରାଜକିଶୋରଙ୍କ ପାଖରେ ପହଞ୍ଚିଲା । ରାଜକିଶୋର ମଧ୍ୟ ଅଭ୍ୟାସାନୁଯାୟୀ କୁଶଳ ପ୍ରଶ୍ନ ପଚାରିଲେ । ତା ପରେ ଖଣ୍ଡେ ପାଞ୍ଚଟଙ୍କାର ନୋଟ ସହିତ ସଦ୍ୟଲିଖିତ ପତ୍ର ଖଣ୍ଡି ତା ହାତକୁ ବଢ଼ାଇଦେଲେ । କହିଲେ “ପାଣୁ, ଏ ଖଣ୍ଡିକୁ ବାୟାଣୀକୁ ଦେବୁ । ସାବଧାନ, ଯେପରି କେହି ନ ଜାଣନ୍ତି ।”

 

ପାଣୁଆ ଚାଲିଗଲା । ରାଜକିଶୋର ତରବରରେ ଗାଧୁଆଟା ଶେଷ କରିଦେଇ ଠିକ୍ ଆଠଟା ବେଳକୁ ସହର ଭିତରକୁ ବାହାରି ଗଲେ ।

 

ସନ୍ଧ୍ୟା ହୋଇ ଗଲାଣି । ରାଜକିଶୋର ତାଙ୍କର ବିଜନ କକ୍ଷଟିରେ ଆରାମଚୌକି ଉପରେ ପଡ଼ି ଊର୍ଦ୍ଦ୍ଵକୁ ଚାହିଁ କ’ଣ ଭାବୁଛନ୍ତି, ପାଣୁଆ ତାଙ୍କ ଉପରକୁ କାଗଜ ଖଣ୍ଡେ ପକାଇ ଦେଇ କହିଲା, “ବାବୁ, ମୋର ବହୁତ କାମ–ଯାଉଛି ।” ସଙ୍ଗେ ସଙ୍ଗେ ଦ୍ରୁତଗତିରେ ଗୃହମଧ୍ୟରୁ ବାହାରିଗଲା । ରାଜକିଶୋର ସେ ଲେଖାଖଣ୍ଡି ପାଠକଲେ ।

 

ରାଜନନା,

 

ଆଜି ରାତି ନଅଟାରେ ଆମେ ସମସ୍ତେ ପୁରୀ ଯିବୁଁ ବୋଲି ବୋଉ କହୁଛନ୍ତି । ପୁରୀ ଯିବା କଥା ମିଛ । ପୁରୀ ବାହାନାରେ ଚୂଡ଼ଙ୍ଗ ହ୍ରଦକୁ ନେଇଯିବେ ବୋଧହୁଏ । ପୁରୀ ହେଉ ବା ଚୁଡଙ୍ଗ ହ୍ରଦ ହେଉ, ତମ କଥା ମାନି ଯାଉଚି । ଇତି ।

 

ସ୍ନେହର

କିଶୋରୀ

 

ରାଜକିଶୋର ସେ ପତ୍ରଖଣ୍ଡି ପକେଟରେ ପକାଇ ବାହାରିଗଲେ ସିଧା ଚାନ୍ଦନିଚୌକ ଥାନାକୁ । ସେଠାରେ ଅଧଘଣ୍ଟା କାଳ ସବଇନ୍ସପେକ୍ଟରଙ୍କ ସଙ୍ଗରେ କ’ଣ ପରାମର୍ଶ କଲେ । ତା ପରେ ବିଦାୟ ସୂଚକ ନମସ୍କାର କରି ବାହାରି ଆସିଲେ । ରାଜକିଶୋର ବିଦାୟ ହୋଇ ଆସିବା ପରେ ସବ୍ଇନନ୍ସପେକ୍ଟର ଚାରି ଜଣ କନେଷ୍ଟବଳଙ୍କୁ ଡାକି କହିଲେ “ତୁମ୍ଭମାନଙ୍କୁ ବର୍ତ୍ତମାନ ଚୂଡ଼ଙ୍ଗ ହ୍ରଦ ଯିବାକୁ ହେବ । ଶୀଘ୍ର ପ୍ରସ୍ତୁତ ହୋଇ ଆସ ।”

 

ରାଜକିଶୋର ପୋଲିଶ ସାହେବଙ୍କ କୋଠିକୁ ଯାଇ ତାଙ୍କ ସହିତ ଦେଖାକଲେ । ଉଭୟଙ୍କ ମଧ୍ୟରେ ଏକାନ୍ତରେ କ’ଣ ପରାମର୍ଶ ହେଲା । ତାପରେ ପୋଲିଶ ସାହେବ ରାଜକିଶୋରଙ୍କୁ ସଙ୍ଗରେ ନେଇ ମାଜିଷ୍ଟ୍ରେଟ ସାହେବଙ୍କ କୋଠିକୁ ଗଲେ । ସେଠାରେ ତିନିଜଣଙ୍କ ମଧ୍ୟରେ ପରାମର୍ଶ ହୋଇ ସ୍ଥିର ହେଲା, ଷାଠିଏ ଜଣ ଆର୍ମ୍ ପୋଲିଶ ଓ ଦୁଇ ଜଣ ସବ୍ଇନନ୍ସପେକ୍ଟରଙ୍କୁ ଅତି ଶୀଘ୍ର ଚୂଡ଼ଙ୍ଗ ହ୍ରଦ ପାଖ ଜଙ୍ଗଲକୁ ପଠାଇବାକୁ ହେବ । ସେଥିପାଇଁ ଆବଶ୍ୟକମତେ ମୋଟରକାର ଓ ଲରିର ବନ୍ଦୋବସ୍ତ ମଧ୍ୟ ହୋଇଗଲା ।

 

ରାଜକିଶୋର ବସାରେ ପହଞ୍ଚିଲା ବେଳକୁ ରାଜ ସାଢେ ଆଠଟାରୁ ବଳିଗଲାଣି । ସେ ପାଣୁଆକୁ ବହୁତ ଅପେକ୍ଷା କଲେ । କେତେବେଳେ ସିରସ୍ତାଦାରଙ୍କ ଦ୍ଵାରକୁ ମୋଟର ଆସିବ, ସେହି ମୁହୂର୍ତ୍ତକୁ ଅପେକ୍ଷା କରି ସେ ବାରଣ୍ଡାରେ ବସି ରହିଲେ । ସେ ଦିନ ରାତିରେ ତାଙ୍କର ଖାଇବା ହେଲା ନାହିଁ ।

 

ନଅଟା ବାଜିଲା ଦଶଟା ବାଜିଲା; ତଥାପି ମୋଟରର ଦେଖା ନାହିଁ । ରାଜକିଶୋର କିଶୋରୀର ଚିଠି ଖଣ୍ଡି ଆଉ ଥରେ ପାଠକରି ଦେଖିଲେ, ପରିଷ୍କାର ଲେଖାଅଛି “ଆଜି ରାତି ନଅଟାରେ ଆମେ ସମସ୍ତେ” କିନ୍ତୁ ଦଶଟା ବାଜିଗଲା, ମୋଟରର ଦେଖା ନାହିଁ, କାରଣ କ’ଣ ? ସିରସ୍ତାଦାର କ’ଣ ଜାଣିପାରିଲେ ଏ ସବୁ ଷଡଯନ୍ତ୍ର ? ରାଜକିଶୋର କେତେ କ’ଣ ଭାବିବାକୁ ଲାଗିଲେ ।

 

ଠିକ୍ ସାଢ଼େ ଦଶଟା ସମୟରେ ମୋଟର ଆସି ସିରସ୍ତାଦାରଙ୍କ ଦ୍ଵାର ସମ୍ମୁଖରେ ଠିଆ ହୋଇଗଲା । ପ୍ରାୟ ପାଞ୍ଚ ମିନିଟ ମଧ୍ୟରେ ସିରସ୍ତାଦାର, ତାଙ୍କର ପତ୍ନୀ କ୍ଷେତ୍ରମଣି ଓ କିଶୋରୀ ତିନି ଜଣ ଯାଇ ମୋଟରରେ ବସିଲେ । ସଙ୍ଗେ ସଙ୍ଗେ ମୋଟର ଘର୍ ଘର୍ ଶବ୍ଦ କରି କେଉଁ ଆଡେ ଅଦୃଶ୍ୟ ହୋଇଗଲା ।

 

ରାଜକିଶୋର ସାଇକେଲରେ ଚଢ଼ି ପୋଲିଶ ସାହେବଙ୍କ କୋଠିକୁ ଦୌଡ଼ିଲେ । ସେପର୍ଯ୍ୟନ୍ତ ପୋଲିଶ ସାହେବ ଜାଗ୍ରତ ଥିଲେ । ରାଜକିଶୋର ପହଞ୍ଚିବା ମାତ୍ରକେ ସେ ମାଜିଷ୍ଟ୍ରେଟ ସାହେବଙ୍କ କୋଠିକୁ ଚାଲିଲେ । ମାଜିଷ୍ଟ୍ରେଟ ସାହେବ ମଧ୍ୟ ଜାଗ୍ରତ । ସେ ଏମାନଙ୍କର ଅପେକ୍ଷା କରୁଥିଲେ । ମୋଟର ପହଞ୍ଚିଲାକ୍ଷଣି ମାଜିଷ୍ଟ୍ରେଟ ସାହେବ ଦରଜା ଖୋଲି ଆଗ ସିଟରେ ବସିଗଲେ-। ପୋଲିଷ ସାହେବଙ୍କ ଡ୍ରାଇଭର କାଠଯୋଡ଼ୀ ଅଭିମୁଖରେ ତୀର ବେଗରେ ଗାଡ଼ି ଛୁଟାଇଦେଲା ।

 

କାଠଯୋଡ଼ୀ ପାର ହୋଇ ଅଳ୍ପ ଦୂର ଯାଇଛନ୍ତି, ସିରସ୍ତାଦାର ଫେରିବାର ରାଜକିଶୋର ଦେଖିପାରିଲେ । ମାଜିଷ୍ଟ୍ରେଟ ସାହେବଙ୍କ ଲକ୍ଷ୍ୟ କରି କହିଲେ “ଏହି ମୋଟରରେ ସିରସ୍ତାଦାର ଯାଇଥିଲେ ବର୍ତ୍ତମାନ ଫେରୁଛନ୍ତି ।” ମାଜିଷ୍ଟ୍ରେଟ ସାହେବ ସେହିଠାରେ ସେ ମୋଟର ଅଟକାଇ ଦେଲେ । ଦେଖିଲେ ସିରସ୍ତାଦାର, ତାଙ୍କର ପତ୍ନୀ ଓ ଡ୍ରାଇଭର ଭିନ୍ନ ଆଉ କେହି ସେ ମୋଟରରେ ନାହାନ୍ତି । ସିରସ୍ତାଦାରଙ୍କୁ ପଚାରିଲେ, “ଆପଣ କୁଆଡ଼େ ଯାଇଥିଲେ ?” ସିରସ୍ତାଦାର ମାଜିଷ୍ଟ୍ରେଟ ସାହେବଙ୍କୁ ଓ ପୋଲିଶ ସାହେବଙ୍କୁ ଯଥାବିଧି ସମ୍ମାନ ଦେଖାଇ କହିଲେ, “ଆଜ୍ଞା, ଏଣେ ଟିକିଏ ଆସିଥିଲି” ଆଉ ତେଣିକି କଥା ପଇଟିଲା ନାହିଁ । ସେ ଥତମତ ହୋଇଗଲେ । ମାଜିଷ୍ଟ୍ରେଟ ସାହେବ କହିଲେ–

 

“ଆଛା, ଆଉ ଟିକିଏ ବୁଲି ଆସିଲେ କ’ଣ ଆପତ୍ତି ଅଛି ? ଆପଣଙ୍କ ମୋଟର ଘରକୁ ଯାଉ, ଆପଣ ଆମ କାରରେ ଉଠି ଆସନ୍ତୁ । ସିରସ୍ତାଦାର ବିନା ବାକ୍ୟବ୍ୟୟରେ ମାଜିଷ୍ଟ୍ରେଟଙ୍କ କାରରେ ଉଠିଲେ ।”

 

ଚୂଡ଼ଙ୍ଗ ହ୍ରଦ ପ୍ରାୟ ଏକ ମାଇଲ ଅଛି, ମୋଟର ବନ୍ଦ କରି ମାଜିଷ୍ଟ୍ରେଟ ସାହେବ ଓହ୍ଲାଇ ପଡ଼ିଲେ । ସଙ୍ଗେ ସଙ୍ଗେ ରାଜକିଶୋର ଓ ସିରସ୍ତାଦାର ମଧ୍ୟ ଓହ୍ଲାଇ ପଡ଼ିଲେ । ମାଜିଷ୍ଟ୍ରେଟ ସାହେବ କହିଲେ, “ସିରସ୍ତାଦାର ବାବୁ, ଆପଣଙ୍କୁ ଗୋଟାଏ ସର୍ତ୍ତ ମାନିବାକୁ ହେବ । ପୁଣି ଆସି ମଟରରେ ବସିବାଯାଏ ଆପଣଙ୍କ ଉପରେ ୧୪୪ ଧାରା ଜାରି କରଗଲା । ୟା ମଧ୍ୟରେ ଆପଣ ଆଦୌ ପାଟି ଖୋଲିପାରିବେ ନାହିଁ ।” ତା ପରେ ସମସ୍ତେ ପଟିଆ ଅଭିମୁଖରେ ଚାଲିବାକୁ ଲାଗିଲେ ।

 

ଚୂଡ଼ଙ୍ଗ ହ୍ରଦ ପାର ହୋଇଗଲେ ଅଳ୍ପ ଦୂରରେ ନିବିଡ଼ ଜଙ୍ଗଲ । ଅନ୍ଧକାର ରାତ୍ରିରେ ସମସ୍ତେ ସେହି ନିବିଡ଼ ଜଙ୍ଗଲମଧ୍ୟରେ ପ୍ରବେଶ କଲେ । କାହାରି ତୁଣ୍ଡରେ ଉ ଶବ୍ଦଟିଏ ସୁଦ୍ଧା ନାହିଁ । ଏକ ଘଣ୍ଟା କାଳ ଜଙ୍ଗଲମଧ୍ୟରେ ବୁଲି ବୁଲି ଥକିଗଲେଣି ସମସ୍ତେ । ମାଜିଷ୍ଟ୍ରେଟ ସାହେବ ବଡ଼ ବିରକ୍ତ ହୋଇ ତିକ୍ତ ଅଥଚ ମୃଦୁ ସ୍ଵରରେ ପୋଲିଶ ସାହେବଙ୍କୁ ଲକ୍ଷ୍ୟ କରି କହିଲେ, “କି ବନ୍ଦୋବସ୍ତ କରିଛନ୍ତି ଆପଣ ? ସବଇନସପେକ୍ଟର ଦୁଇ ଜଣ ପଠାଇଛନ୍ତି ତ ?” ପୋଲିଶ ସାହେବ ସେତେବେଳେ କମ୍ ବିରକ୍ତି ବୋଧ କରୁ ନ ଥିଲେ । ସେ କ୍ରୋଧକମ୍ପିର କ୍ଷୀଣ ସ୍ଵରରେ କହିଲେ, “ବନ୍ଦୋବସ୍ତ କରିବାରେ ମୁଁ ତ୍ରୁଟି କରି ନାହିଁ । କିନ୍ତୁ ସେମାନେ ଯେ କ’ଣ କଲେ ।” ମାଜିଷ୍ଟ୍ରେଟ ସାହେବ ବାଧା ଦେଇ କହିଲେ “ଚୁପକର, କିଏ ଜଣେ ଏହି ଦିଗକୁ ଆସିଲାପରି ବୋଧ ହେଉଚି ।” ସମସ୍ତେ ନୀରବରେ ନିରୀକ୍ଷଣ କରିବାକୁ ଲାଗିଲେ । ପ୍ରାୟ ପାଞ୍ଚ ମିନିଟ ପରେ ସବଇନ୍ସପେକ୍ଟର ମାଧବ ବାବୁ ସେମାନଙ୍କର ନିକଟବର୍ତ୍ତୀ ହୋଇ କହିଲେ, “ହଜୁର, ଚୂଡ଼ଙ୍ଗ ହ୍ରଦ ପାଖରେ ଅପେକ୍ଷା ନ କରି ଏତେ ଦୂର କାହିଁକି ଆସିଲେ ? ଆମ୍ଭେମାନେ ଖୋଜି ଖୋଜି ଥକିଗଲୁଣି । ବିଳମ୍ବ ହେଲେ ବୋଧହୁଏ ସବୁ ବନ୍ଦୋବସ୍ତ ପଣ୍ଡ ହୋଇଯିବ ଶୀଘ୍ର ଆସନ୍ତୁ ।” ମାଜିଷ୍ଟ୍ରେଟ ସାହେବ କିମ୍ଵା ପୋଲିଶ ସାହେବଙ୍କ ଆଦେଶକୁ ଅପେକ୍ଷା ନ କରି ସେ ଚାଲିବାକୁ ଲାଗିଲେ । ଆଉ କୌଣସି ପ୍ରଶ୍ନ ଉତାପନ ନ କରି ମୃଦୁ ପଦକ୍ଷପରେ ସମସ୍ତେ ତାଙ୍କର ଅନୁସରଣ କଲେ ।

 

ଘନ ବନମଧ୍ୟରେ ବହୁ ପଥ ଅତିକ୍ରମ କରି ଅର୍ଦ୍ଧଘଣ୍ଟା ପରେ ଗୋଟାଏ ବଡ଼ ବୃକ୍ଷମୂଳରେ ସମସ୍ତଙ୍କୁ ଠିଆ ହେବାକୁ କହି ମାଧବ ବାବୁ କେଉଁଆଡେ ଅଦୃଶ୍ୟ ହୋଇଗଲେ ।

 

ଚତୁଃପାର୍ଶ୍ଵରେ ନୀରନ୍ଧ୍ର ଅରଣ୍ୟାନୀ, ମଧ୍ୟରେ ପ୍ରାୟ କୋଡ଼ିଏ ହାତ ଦୀର୍ଘ ଓ ପନ୍ଦରହାତ ପ୍ରସ୍ଥବିଶିଷ୍ଟ ଗୁଳଲତା ପରିଶୂନ୍ୟ ଟାଙ୍ଗର ଭୂମି ଖଣ୍ଡେ । ସେହି ଟାଙ୍ଗର ଭୂମିର ମଧ୍ୟ ଭାଗରେ କ୍ଷୁଦ୍ର ବେଦିକାଟିଏ ବେଶ୍ ପରିପାଟୀରେ ସୁସଜ୍ଜିତ । ଦସ୍ୟୁପତି ବିହାରୀ ସେହି ବେଦିକାରେ ବରବେଶରେ ଉପବିଷ୍ଟ, ତା’ର ଦକ୍ଷିଣ ପାର୍ଶ୍ଵରେ କିଶୋରୀ ଉପବିଷ୍ଟା । ବିବାହ ସାମଗ୍ରୀ ସମସ୍ତ ନିକଟରେ ରଖି ଜନାର୍ଦ୍ଦାନ ପଢ଼ିଆରୀ ପୁରୋଧା ହୋଇ ମନ୍ତ୍ରପାଠ କରୁଛି । ଆଉ ପ୍ରାୟ ପନ୍ଦର କୋଡ଼ିଏ ଜଣ ଲୋକ ବେଦିକାର ଚାରିପାଖରେ ବସିଛନ୍ତି । ଚାରି କୋଣରେ ଚାରିଟା ପେଟ୍ରୋମାକ୍ସ ଆଲୁଅ ଜଳୁଛି । ମାଜିଷ୍ଟ୍ରେଟ ସାହେବ ଓ ପୋଲିସ ସାହେବ ପ୍ରଭୃତି ଯେଉଁ ସ୍ଥାନରେ ଠିଆ ହୋଇଥିଲେ, ସେଠାକୁ ବେଦିକାର ଦୂରତ୍ଵ ପ୍ରାୟ ପଚାଶ ହାତ ହେବ । ବୃକ୍ଷାନ୍ତରାଳରୁ ସେମାନେ ପରିଷ୍କାର ବିବାହ ଦୃଶ୍ୟ ଦେଖିପାରିଲେ । ବିହାରୀକୁ ବରବେଶରେ ଦେଖି ମାଜିଷ୍ଟ୍ରେଟ ସାହେବଙ୍କ ଚକ୍ଷୁ ସ୍ଥିର ହୋଇଗଲା । ଚାରି ଦିନ ହେଲା ବିହାରୀ ପୁରୀ ଜେଲରୁ ପଳାୟନ କରିଥିବା କଥା ତାଙ୍କୁ ଆଗୋଚର ନ ଥିଲା । ସେ ବିହାରୀକୁ ଉତ୍ତମରୂପେ ଚିହ୍ନନ୍ତି । ଦୁଇ ତିନି ଥର ତା’ର ମକଦ୍ଦମା ନିଜେ ବିଚାର କରିଛନ୍ତି ମଧ୍ୟ । ସେହି ବିହାରୀ ଗୋଟାଏ ସାମାନ୍ୟ ଲୋକ । ତା’ର ପୁଣି କି ଅଦ୍ଭୁତ ସାହସ ! କି ବିଚକ୍ଷଣ ବୁଦ୍ଧି ! ସେ ମନେ ମନେ ବିହାରୀକୁ ପ୍ରଶଂସା ନ କରି ରହିପାରିଲେ ନାହିଁ । ରାଜକିଶୋର କିନ୍ତୁ ସେତେବେଳେ ଅନ୍ୟପ୍ରକାର ଭାବୁଥିଲେ । ତାଙ୍କର ଇଚ୍ଛା ହେଉଥିଲା, ସେ ସିରସ୍ତାଦାରଙ୍କୁ ସେଠାକୁ ଘେନିଯାଇ ବିହାରୀର ଉତ୍ତରୀୟ ବସ୍ତ୍ରରେ ଉଭୟଙ୍କୁ ବାନ୍ଧି ସେହି ହୋମ ଅଗ୍ନିରେ ଫିଙ୍ଗି ଦିଅନ୍ତେ । କିନ୍ତୁ ଉଦ୍ଦେଶ୍ୟ ବିଫଳ ହେବା ଶଙ୍କାରେ ଜୋର କରି ହୃଦୟର ସେ ଭାବକୁ ଦମନ କଲେ ।

 

ମାଜିଷ୍ଟ୍ରେଟ ସାହେବ ଏବଂ ପୁଲିସ ସାହେବ ଉଭୟେ ଭାବୁଛନ୍ତି କ’ଣ କରିବେ ? ତାଙ୍କର ଆଦେଶମତେ ସମସ୍ତେ ପ୍ରସ୍ତୁତ ଅଛନ୍ତି କି ନା । ଯଦି ନ ଥାନ୍ତି ବିହାରୀ ପରି ଦୁର୍ଦ୍ଦାନ୍ତ ଦସ୍ୟୁକୁ କରାୟତ୍ତ କରିବା ତା ସହଜସାଧ୍ୟ ନୁହେ । ସେହି ସମୟରେ ମାଧବ ବାବୁ ଆସି କହିଲେ “ସମସ୍ତେ ପ୍ରସ୍ତୁତ ଶୀଘ୍ର ଆଦେଶ କରନ୍ତୁ ।” ମାଜିଷ୍ଟ୍ରେଟ ପୁଲିସ ସାହେବଙ୍କୁ ଚାହିଁଲେ । ପୁଲିସ ସାହେବ ସଙ୍ଗେ ସଙ୍ଗେ ବଂଶୀବାଦନ କଲେ । ବେଦିକା ଚାରିପାଖରେ ବସିଥିବା ଦସ୍ୟୁମାନେ ଚମକି ଉଠିଲେ ସେ ଶବ୍ଦରେ । ସମସ୍ତେ ନିଜ ନିଜର ଅସ୍ତ୍ର ଦରାଣ୍ଡିବାକୁ ଲାଗିଲେ; କିନ୍ତୁ ଅବସର ପାଇଲେ ନାହିଁ । ପଲକ ମାତ୍ରେ ଆର୍ମ ପୁଲିସ ଫୌଜ ଚାରିପାଖରୁ ଆସି ଘେରିଗଲେ ଏବଂ ଜଣ ଜଣ କରି ବନ୍ଦୀ କରିପକାଇଲେ । ବିହାରୀ ବିବାହ ବେଦୀରେ ସୁଦ୍ଧା ଅସ୍ତ୍ର ଛାଡ଼ି ନ ଥିଲା । ସେ ସେହିପରି ବର ପୋଷାକରେ ତରବାରୀ ଧରି ଠିଆ ହୋଇଗଲା । ତାକୁ ବନ୍ଦୀ କରିବାକୁ ଯାଉଥିବା ଦୁଇ ଜଣ ସିପାହୀଙ୍କୁ ବିହାରୀ ଆକ୍ରମଣ କରିବାକୁ ଉଦ୍ୟତ ହେବା ସମୟରେ ପଛ ପାଖରୁ ଜଣେ କନେଷ୍ଟବଳ ଆସି ତାକୁ ଆୟତ୍ତ କରିନେଲା । ପ୍ରାୟ ପାଞ୍ଚ ମିନଟ ମଧ୍ୟରେ ସମସ୍ତେ ଶୃଙ୍ଖଳାବଦ୍ଧ ହୋଇଗଲେ ।

 

ମାଜିଷ୍ଟ୍ରେଟ ସାହେବଙ୍କ ହୁକୁମ ପାଇ ପୁଲିସ ଫୌଜ ଯଥା ନିୟମରେ ବନ୍ଦୀମାନଙ୍କୁ ଘେନି କଟକ ନଗରୀ ଅଭିମୁଖରେ ଚାଲିଲେ । କିଶୋରୀ ମଟରରେ ଯିବାର ସ୍ଥିର ହେଲା ।

 

ମଟରରେ ବସିବା ସମୟରେ ମାଜିଷ୍ଟ୍ରେଟ ସାହେବ ସିରସ୍ତାଦାରଙ୍କୁ ଲକ୍ଷ୍ୟ କରି କହିଲେ, “ଏ କନ୍ୟାଟି ଆପଣଙ୍କର ଘରେ ଥିଲା ବୋଧ ହୁଏ ।” ସିରସ୍ତାଦାରଙ୍କ ଶରୀର ସେତେବେଳକୁ ରକ୍ତଶୂନ୍ୟ ହୋଇଯାଇଥିଲା । କୌଣସି ପ୍ରଶ୍ନର ଉତ୍ତର ଦେବାଭଳି ଶକ୍ତି ତାଙ୍କର ନ ଥିଲା । ସେ ମାଜିଷ୍ଟ୍ରେଟଙ୍କ ପ୍ରଶ୍ନର ଉତ୍ତର ଦେଇପାରିଲେ ନାହିଁ । ତାଙ୍କୁ ନିରୁତ୍ତର ଦେଖି ମାଜିଷ୍ଟ୍ରେଟ ସାହେବ କହିଲେ, “ଚୁପ ରହିଲେ ଯେ ! ଦୁଇ ଘଣ୍ଟା ପୂର୍ବେ ଆପଣ ଯେତେବେଳେ ମୋଟରରେ ବୁଲି ଆସିଥିଲେ, ଏ ସ୍ତ୍ରୀଟିକୁ ସଙ୍ଗରେ ଆଣିଥିଲେ ନା ?” ସିରସ୍ତାଦାର ନିରୁତ୍ତର । ମାଜିଷ୍ଟ୍ରେଟ ସାହେବ ପୁଣି ପଚାରିଲେ, “ଉତ୍ତର ନ ଦେବାଟା ନିତାନ୍ତ ଅଭଦ୍ରୋଚିତ, ଆପଣ ଜାଣନ୍ତି ? କହନ୍ତୁ ଏ ସ୍ତ୍ରୀଲୋକଟିକୁ ଆପଣ ଚିହ୍ନନ୍ତି ?” ସିରସ୍ତାଦାର କମ୍ପିତ କଣ୍ଠରେ କହିଲେ, “ଆଜ୍ଞା, ହଁ ।”

 

“ବେଶ, ସେତିକି ଯଥେଷ୍ଟ ।” ତାପରେ ମାଜିଷ୍ଟ୍ରେଟ ସାହେବ ଜଣେ କନେଷ୍ଟବଳକୁ ଲକ୍ଷ୍ୟ କରି କହିଲେ, “ଲଗାଅ ହାତକଡ଼ି ।” ସିରସ୍ତାଦାର ସଙ୍ଗେ ସଙ୍ଗେ ଶୃଙ୍ଖଳାବଦ୍ଧ ହୋଇ ଦସ୍ୟୂ ଦଳର ସଂଖ୍ୟାବୃଦ୍ଧି କଲେ ।

Image

 

ଊନବିଂଶ ପରିଚ୍ଛେଦ

 

କିଶୋରୀ ମିଳିଥିବାର ସଂବାଦ ପାଇ ଜଗନ୍ନାଥ ମଙ୍ଗରାଜ କଟକ ଆସିଲେ । କିଶୋରୀ ସହିତ ଦେଖାହେବା ପୂର୍ବରୁ ରାଜକିଶୋରଙ୍କ ସହିତ ଦେଖା ହେଲା । ରାଜକିଶୋରଙ୍କୁ ଦେଖିଲାକ୍ଷଣି ତାଙ୍କ ଅନ୍ତରରେ ବହୁଦିନର ସଂଚିତ ଅବ୍ୟକ୍ତ ବେଦନାରାଶି ଉତ୍ତରଳ ହୋଇ ଲୋତକ ରୂପେ ପ୍ରବାହିତ ହେବାକୁ ଲାଗିଲା । ସେ ରାଜକିଶୋରଙ୍କୁ କୁଣ୍ଢାଇ ପକାଇ ତପ୍ତ ଅଶ୍ରୁ ପ୍ରବାହରେ ତାଙ୍କର ମସ୍ତକ ସିକ୍ତ କରୁ କରୁ କହିଲେ, “ବାପ, ମୁଁ ବୃଦ୍ଧ ହେଲେହେଁ ତୁ ମୋର ଗୁରୁ । ମୁଁ ନରାଧମ ତୋପ୍ରତି ବଡ଼ ଅନ୍ୟାୟ, ଅତି ଅମାନୁଷିକ ବ୍ୟବହାର କରିଛି । କିନ୍ତୁ ତୁ ସେ ସମସ୍ତ ଅତ୍ୟାଚାର ବିସ୍ମୃତ ହୋଇ ବୃଦ୍ଧର ଜୀବନରକ୍ଷା ଲାଗି ଯାହା କରିଛୁ ମୁଁ ଶତଜନ୍ମରେ ସୁଦ୍ଧା ତୋର ଋଣ ପରିଶୋଧ କରିପାରିବି ନାହିଁ ।” ଶୋକାବେଗ ହେତୁ ବୃଦ୍ଧ ଆଉ କହିପାରିଲେ ନାହିଁ । ରାଜକିଶୋର ମଧ୍ୟ ବାକଶକ୍ତିରହିତ ହୋଇଥିଲେ ସେତେବେଳେ । ଉଭୟେ ଉଭୟଙ୍କର ମନୋଗତ ଭାବ ସକଳ ନେତ୍ରର ତୁଷିତ ଚାହାଣୀରେ ବ୍ୟକ୍ତ କଲେ କେବଳ । ସେହି ସମୟରେ କିଶୋରୀ ଦୂରରୁ ପିତାଙ୍କୁ ଚିହ୍ନି ପାରି ‘ବାବା’ ବୋଲି କହି ଦୌଡ଼ି ଆସିଲା । ବହୁଦିନ ପରେ ‘ବାବା’ ଶବ୍ଦ ଶୁଣି ପୁଲକରେ ମଙ୍ଗରାଜଙ୍କର ଶରୀର ରୋମାଞ୍ଚିତ ହୋଇ ଉଠିଲା । ସେ “ମା ମୋର” କହି ରାଜକିଶୋରଙ୍କୁ ଛାଡ଼ି ଦୌଡିଗଲେ । ପିତା ପୁତ୍ରୀ ଉଭୟେ ଆଲିଙ୍ଗନ ପାଶରେ ଆବଦ୍ଧ ହୋଇ କେତେ କ୍ଷଣ ନିର୍ବାକ ନିଷ୍ପନ୍ଦ ଭାବରେ ରହିଗଲା ପରେ କିଶୋରୀ ଧୀରେ ତା’ର ନତ ମସ୍ତକ ଉତ୍ତୋଳନ କରି କହିଲା “ବାବା !” ମଙ୍ଗରାଜେ ଉତ୍ତର ଦେଇପାରିଲେ ନାହିଁ । ତାଙ୍କର ଆଖିକ’ଣରୁ ଦୁଇ ଧାର ଉଷ୍ଣ ଲୋତକ କିଶୋରୀର ଅର୍ଦ୍ଧାବୃତ ମସ୍ତକ ଉପରେ ଗଡିପଡ଼ିଲା । ରାଜକିଶୋର ମଙ୍ଗରାଜଙ୍କୁ ଲକ୍ଷ୍ୟ କରି କହିଲେ, “ବାବା, ଆସନ୍ତୁ ଏ ଘରକୁ-।” ମଙ୍ଗରାଜେ ମନ୍ତ୍ରଚାଳିତ ବତ କନ୍ୟା ସହିତ ରାଜକିଶୋରଙ୍କର ଅନୁସରଣ କଲେ ।

 

ମୋକଦ୍ଦମାର ବିଚାର ଆରମ୍ଭ ହେଲା । ବିହାରୀ, ସିରସ୍ତାଦାର ପ୍ରଭୃତି ବନ୍ଦୀମାନେ କୋର୍ଟକୁ ଆସିଲେ । କିଶୋରୀ ମଧ୍ୟ ଆସିଲା । ପ୍ରଥମେ କିଶୋରୀର ଜମାନବନ୍ଦୀ ନିଆଗଲା । କିଶୋରୀ ଯେପରି ଭାବରେ ସାବୀର ଛଳନାରେ ଯାଇଥିଲା, ସଦାନନ୍ଦ ତାଙ୍କର ପୁତ୍ର ସହିତ ତା’ର ଗୁପ୍ତ ବିବାହ ଘଟାଇବା ପାଇଁ ଛଅ ଦିନ କାଳ ତାକୁ ଅଟକାଇ ରଖି ଯେପରି ଭୁଲାଇବାର ଚେଷ୍ଟା କରିଥିଲେ, ତା ପରେ ସେ ରାଜି ନ ହେବାରୁ ତାକୁ ତା’ର ଘରେ ଛାଡ଼ିଦେବେ ବୋଲି କହ ଯେପରିଭାବରେ ଧର୍ମଶାଳା ପର୍ଯ୍ୟନ୍ତ ନେଇ ଯାଇଥିଲେ, ସେଠାରୁ ସେ କୌଶଳରେ ଖସିଯାଇ ଯେପରି ଦୟାନିଧି ବାବୁଙ୍କର ଆଶ୍ରୟ ଗ୍ରହଣ କଲା ଏବଂ ଦୟାନିଧି ବାବୁ ତା’ର ପିତା ମରିଯାଇଥିବାର ମିଥ୍ୟା ସମ୍ବାଦ ଦେଇ ବର୍ଷେକାଳ ନିଜର ଘରେ ବନ୍ଦୀ କରି ଶେଷରେ ଯେପରି ଭାବରେ ବିହାରୀ ସହିତ ବିବାହର ବନ୍ଦୋବସ୍ତ କଲେ, ସମସ୍ତ କଥା କିଶୋରୀ ଗୋଟି ଗୋଟି କରି କହିଗଲା । ସିରସ୍ତାଦାର ଗୁପ୍ତ ଭାବରେ ବିହାରୀ ସହିତ କିଶୋରୀର ବିବାହ ଦେଇଥିଲେ ସତ; ସେ କିନ୍ତୁ ତାକୁ ଗୃହତ୍ୟାଗ କରାଇ ନାହାନ୍ତି । ତାକୁ ଘରୁ ବାହାର କରି ଆଣିଅଛି ସାବୀ, ସଦାନନ୍ଦଙ୍କର ପରାମର୍ଶରେ । ସାବୀ ଓ ସଦାନନ୍ଦ ପ୍ରଥମ ଆସାମୀ । ମାଜିଷ୍ଟ୍ରେଟ ସେ ଦିନ ସିରସ୍ତାଦାର ଓ ବିହାରୀଠାରୁ କେତେକ ଜମାନବନ୍ଦ ନେଲେ; କିନ୍ତୁ ବିଚାର ଶେଷ ହେଲା ନାହିଁ । ଆଉ ଗୋଟିଏ ତାରିଖ ହେଲା । ସାବୀ ଓ ସଦାନନ୍ଦଙ୍କ ନାମରେ ଉଆରଣ୍ଟ ବାହାର କରି ସେହି ତାରିଖରେ ତାଙ୍କୁ କୋର୍ଟରେ ହାଜର କରିବା ପାଇଁ ମାଜିଷ୍ଟ୍ରେଟ ସାହେବ ଏସ.ଡି.ଓ.ଙ୍କୁ ଅର୍ଡର ଦେଲେ ।

 

ସେ ଦିନ ଧନେଶ୍ଵର ଧାନମଣ୍ଡଳ ଷ୍ଟେସନରେ ପହଞ୍ଚି କଲିକତାକୁ ଦୁଇଖଣ୍ଡି ଟିକେଟ କିଣିଲେ । କିନ୍ତୁ ସବାରୀ ଦ୍ଵାର ଖୋଲି ଦେଖିଲା ବେଳକୁ କିଶୋରୀ ନାହିଁ । ତା ପରିବର୍ତ୍ତରେ କେତେ ଖଣ୍ଡ ପ୍ରସ୍ତର ସବାରୀ ମଧ୍ୟରେ ହୋଇଅଛି । ଧନେଶ୍ଵରଙ୍କର ମୁଣ୍ଡ ଘୂରାଇଦେଲା । ସେ ଥକ୍କାମାରି ଦଣ୍ଡେ କାଳ ବସିଗଲେ । କ’ଣ କରିବେ ? କାହାକୁ ବା କହିବେ ? ଖୋଜ ଖବର କଲେ ତ ବେହେରାମାନେ ଜାଣି ପାରିବେ । କଥା କ୍ରମେ ଜଗନ୍ନାଥ ମଙ୍ଗରାଜ କିମ୍ବା ତାଙ୍କର କୌଣସି ସପକ୍ଷ ଲୋକ କାନକୁ ଯାଇପାରେ । ବିଷମ ସଙ୍କଟରେ ପଡ଼ିଲେ ଧନେଶ୍ଵର ।

 

ସମ୍ପଦବେଳେ ସମସ୍ତେ ସିନା ଆପଣାର, ବିପଦବେଳେ କିଏ କାହାର ? ଧନେଶ୍ଵର ଭାବିଲେ କିଶୋରୀ ଯେଉଁଠାରେ ବା ଯାହାର ଆଶ୍ରୟରେ ଥିବ, ତା ପାଖରେ ସେ ପ୍ରକୃତ ଘଟଣା ସବୁ କହିଥିବ ନିଶ୍ଚୟ । ଧନେଶ୍ଵର ଯଦି ଅନୁସନ୍ଧାନ କରୁଛନ୍ତି, ସଦାନନ୍ଦଙ୍କ ସହିତ ସେ ମଧ୍ୟ ବିପଦରେ ପଡ଼ିବେ । କିଶୋରୀ ତ ଧନେଶ୍ଵରଙ୍କୁ ଚିହ୍ନେ ନାହିଁ । ସେ ଜାଣେ ସଦାନନ୍ଦ ତାକୁ କୌଶଳରେ ନେଇ ଆସିଛନ୍ତି । କଥାଟା ପ୍ରକାଶ ପାଇଲେ ସଦାନନ୍ଦ ସିନା ବିପଦରେ ପଡ଼ିବେ । ଧନେଶ୍ଵରଙ୍କର କି ଦରକାର, କିଶୋରୀର ଅନ୍ଵେଷଣ କରିବାକୁ ଯାଇ ବିପଦକୁ ବରଣ କରିବେ ? ଉପସ୍ଥିର କ୍ଷେତ୍ରରେ ନୀରବ ରହିବାର ସ୍ଥିରକରି ଧନେଶ୍ଵର ଗୃହକୁ ଫେରିଗଲେ ।

 

ଉକ୍ତ ଘଟଣାର ପ୍ରାୟ ପନ୍ଦର ଦିନ ପରେ ସଦାନନ୍ଦ ଖବର ପାଇଲେ, କିଶୋରୀ କଲିକତା ଯାଇ ନାହିଁ ବାଟରୁ ପଳାୟନ କରିଛି । ଭୟରେ ତାଙ୍କର ଗୋଡ଼ଠାରୁ ମୁଣ୍ଡଯାଏ ଥରିବାକୁ ଲାଗିଲା । ଜଗନ୍ନାଥ ମଙ୍ଗରାଜ ଘଟଣାଟା ଜାଣିପାରିଲେ କି ଦୁର୍ଦ୍ଦଶା ନ ଘଟାଇବ ତାଙ୍କର ! କିନ୍ତୁ କ’ଣ କରିବେ ? ନେଡ଼ି ଗୁଡ଼ କହୁଣିକି ବହିଗଲେ ଆଉ କି ଚାଟିବାକୁ ଉପାୟ ଥାଏ ? ସଦାନନ୍ଦ ଗୁପ୍ତଚରଙ୍କ ଦ୍ଵାରା କିଶୋରୀର ଅନୁସନ୍ଧାନ କରିବାକୁ ଲାଗିଲେ । ମାସେ ଗଲା, ଦୁଇ ମାସ ଗଲା, କ୍ରମେ ଚାରି ଛ ମାସ ବିତିଲା । ତଥାପି କିଶୋରୀର ସନ୍ଧାନ ନାହିଁ । ଜଗନ୍ନାଥ ମଙ୍ଗରାଜ ପ୍ରକାଶ୍ୟରେ ବହୁ ଅନୁସନ୍ଧାନ କରି ସୁଦ୍ଧା ଯେତେବେଳେ ତା’ର କୌଣସି ଖବର ପାଇଲେ ନାହିଁ, ସଦାନନ୍ଦ ଟିକିଏ ଆଶ୍ଵସ୍ତ ବୋଧ କଲେ । ହେଲେ ସମ୍ପୂର୍ଣ୍ଣ ନିଶ୍ଚିନ୍ତ ହୋଇପାରିଲେ ନାହିଁ । ପାପ ଚାରିଦିନ ଲୁଚିବ ନାହିଁ-। ଯେଉଁ ଦିନ ହେଲେ କିଶୋରୀ ଫେରିଆସିଲେ ସଦାନନ୍ଦଙ୍କର ଅବସ୍ଥା କି ଶୋଚନୀୟ ନ ହେବ ?

 

“ଭଗବାନଙ୍କ କୃପାରୁ କିଶୋରୀ ମରିଯାଇଥିବ କି !”

 

କିଶୋରୀ ମିଳିଥିବାର ସମ୍ବାଦ ପାଇ ଜଗନ୍ନାଥ ମଙ୍ଗରାଜ ଯେତେବେଳେ କଟକ ଆସିଲେ, ସଦାନନ୍ଦଙ୍କର କଲିଜା କମ୍ପିତ ହେବାକୁ ଲାଗିଲା । କିପରି ବିପଦରୁ ଉଦ୍ଧାର ହେବେ, ସେହି ଉପାୟ ଚିନ୍ତା କରିବାକୁ ଲାଗିଲେ । ଏଣେ ସଙ୍ଗେ ସଙ୍ଗେ ମୋକଦ୍ଦମାର ବିଚାର ଆରମ୍ଭ ହୋଇଗଲା-। ସାବୀ ଓ ସଦାନନ୍ଦ ଉପସ୍ଥିତ ନ ଥିବାରୁ ମୋକଦ୍ଦମା ତାରିଖ ହେଲା ଏବଂ ସେମାନଙ୍କୁ ଗିରଫ କରିବାକୁ ମାଜିଷ୍ଟ୍ରେଟ ସାହେବ ହୁକୁମ ଦେଇଛନ୍ତି, ଏ କଥା ସଦାନନ୍ଦଙ୍କ କାନରେ ପଡ଼ିବାକୁ ବିଳମ୍ବ ହେଲା ନାହିଁ । ତାଙ୍କ ହୃଦୟରେ ନାନା ପ୍ରକାର ଚିନ୍ତାସ୍ରୋତ ବହିବାକୁ ଲାଗିଲା । ପୁଅ ତାଙ୍କର ଆଇ.ସି.ଏସ୍. ଅଫିସର ପୁନିଁଆ ଜିଲ୍ଲାରେ ଏସ୍.ଡି.ଓ. । ନିକଟରେ ମାଜିଷ୍ଟ୍ରେଟ ହୋଇ କଟକ ଆସିବାର ଶୁଣାଯାଉଛି । ପୁଅ ଯେଉଁ ମିସଲରେ ହାକିମ, ବାପ ସେହି ମିସଲରେ ଆସାମୀ । ପୁଅ ଯେଉଁଠାରେ ନ୍ୟାୟପତି, ବାପ ସେହିଠାରେ ଅନ୍ୟାୟୀ, ଅତ୍ୟାଚାରୀ, ଦସ୍ୟୁ । ସଦାନନ୍ଦଙ୍କୁ ବଡ଼ କଷ୍ଟ ବୋଧ ହେଲା । ଏ ଅପମାନ ସହିବାଠାରୁ ମୃତ୍ୟୁ ବରଂ ଭଲ । ସଦାନନ୍ଦ ନିଜର ଅପରାଧ ବୁଝିପାରିଲେ । କିନ୍ତୁ ସେ ଅପରାଧର ଦଣ୍ଡ ବିଧାନ କୋର୍ଟ ନ କରୁ । ସେ ଆସାମୀ ଭାବରେ କୋର୍ଟରେ ଦଣ୍ଡାୟମାନ ହୋଇପାରିବେ ନାହିଁ ଏହା ତାଙ୍କର ଦୃଢ଼ ପ୍ରତିଜ୍ଞା ।

 

ଏସ୍.ଡି.ଓ.ଙ୍କର ଅର୍ଡର ପାଇ ଦୁଇଜଣ ସବଇନିସପେକ୍ଟର ଓ ଚାରି ଜଣ କନେଷ୍ଟବଳ ଉଆରଣ୍ଟା ଘେନି ଚବିଶ ପ୍ରଗନାରେ ଉପସ୍ଥିର ହେଲେ ସାବୀ ଓ ସଦାନନ୍ଦଙ୍କୁ ଗିରଫ କରିବା ପାଇଁ । ସାବୀକୁ ଗିରଫ କଲେ, କିନ୍ତୁ ସଦାନନ୍ଦ ନିରୁଦ୍ଦେଶ । ଗତ ରାତ୍ରିରୁ ସେ କେଉଁଆଡ଼େ ଯାଇଛନ୍ତି, କେହି ଜାଣନ୍ତି ନାହିଁ । ପୋଲିଶ ତାଙ୍କର ଯଥାବିଧି ଅନ୍ଵେଷଣ କରିବାକୁ ଲାଗି ପଡ଼ିଲେ ।

 

ପର୍ବ ମାଜିଷ୍ଟ୍ରେଟ ସାହେବଙ୍କର ବଦଳି ହୋଇଗଲା । ସଦାନନ୍ଦଙ୍କର ପୁତ୍ର ଗୋକୁଳଚରଣ କାନୁନଗୋ କଟକ ଜିଲାର ମାଜିଷ୍ଟ୍ରେଟ ହୋଇ ଆସିଲେ । ସେ କଟକରେ ପହଞ୍ଚିଲାକ୍ଷଣି ପିତାଙ୍କ ନାମରେ ବାହାରିଥିବା ଉଆରଣ୍ଟ ପରୁଆନା ଦେଖିବା ସଙ୍ଗେ ସଙ୍ଗେ ପିତାଙ୍କର ନିରୁଦ୍ଦେଶ ଖବର ମଧ୍ୟ ଶୁଣି ପାରିଲେ । ପ୍ରକୃତ ଘଟଣା ବୁଝିବା ପାଇଁ ସେ ଘରୋଇ ଭାବରେ ରାଜକିଶୋରଙ୍କୁ ମୋକଦ୍ଦମା ବିଷୟ ପଚାରିଲେ । ରାଜକିଶୋର ନିଜେ କିଛି ନ କହି କିଶୋରୀ ଦ୍ଵାରା ସମସ୍ତ କଥା ତାଙ୍କୁ ଶୁଣାଇଲେ । କିଶୋରୀଠାରୁ ଅମୂଳ ଘଟନା ଶ୍ରବଣ କରି ପିତାଙ୍କ ପ୍ରତି ଗୋକୁଳ ବାବୁଙ୍କର ଅନ୍ତର ଘୃଣାରେ ଭରିଗଲା । ସେ ମନେ ମନେ କହିଲେ, “ବାପା ମରିଯାଇଥାନ୍ତି ତ ମଙ୍ଗଳ । ତା ନ ହୋଇ ଯଦି ପୁଣି ଧରା ପଡ଼ନ୍ତି ଆଉ ମୁଁ ତାଙ୍କର ମୋକଦ୍ଦମା ବିଚାର କରେ…., ନା, ତା ପୂର୍ବରୁ ମୋର ମୃତ୍ୟୁ ହେବା ବାଞ୍ଛନୀୟ ।”

 

ମୋକଦ୍ଦମା ବିଚାରର ତାରିଖ ଉପସ୍ଥିତ ହେଲା । ସାବୀ, ସିରସ୍ତାଦାର ପ୍ରଭୃତି ବନ୍ଦୀମାନେ କୋର୍ଟରେ ହାଜର ହେଲେ; କିନ୍ତୁ ସଦାନନ୍ଦଙ୍କର ସେପର୍ଯ୍ୟନ୍ତ କୌଣସି ଖବର ମିଳି ନାହିଁ-। ମାଜିଷ୍ଟ୍ରେଟ ସାହେବଙ୍କ ହୁକୁମ ଅନୁସାରେ ପ୍ରଥମେ ସାବୀର ଜମାନବନ୍ଦି ଆରମ୍ଭ ହେଲା । କିନ୍ତୁ ସାବୀ କୌଣସି କଥା କହିବା ପୂର୍ବରୁ ସଦାନନ୍ଦ ତୋଫାନ ପରି ଛୁଟି ଆସି ମିସଲରେ ଠିଆ ହୋଇଗଲେ । ମାଜିଷ୍ଟ୍ରେଟ ସାହେବ ଗୋକୁଳବାବୁ ପିତାଙ୍କୁ ନିତାନ୍ତ ଅସ୍ଵାଭାବିକ ଭାବରେ ଉପସ୍ଥିତ ହେବାର ଦେଖି ଲଜ୍ଜାରେ, ଅପମାନରେ, କ୍ରୋଧରେ ମୁଣ୍ଡ ତଳକୁ ନୁଆଁଇଦେଲେ । ସଦାନନ୍ଦ ସେଥିପ୍ରତି ଲକ୍ଷ୍ୟ ନ କରି ପୁତ୍ରଙ୍କୁ ଉଦ୍ଦେଶ୍ୟ କରି କହିଲେ, “ମୁଁ ସ୍ଥିର କରିଥିଲି ଏ ଜନ୍ମରେ କୋର୍ଟକୁ ଆସି ନ ଥାନ୍ତି; କିନ୍ତୁ ନ ଆସି ରହିପାରିଲି ନାହିଁ । ତୁ ଆଜି ଜିଲାର ମାଜିଷ୍ଟ୍ରେଟ ନ୍ୟାୟପତି ଧର୍ମବତାର, ତୋତେ ଧର୍ମାବତାର ଆସନରେ ସେଖି ପୁତ୍ର ଜନ୍ମର ସାର୍ଥକତା ଉପଲବ୍ଧ କରିବାକୁ ଆସିଲି । ତୋ ପରି ଯୋଗ୍ୟ ପୁତ୍ର ପାଇ ମୁଁ ଆଜି ବଡ଼ ଭାଗ୍ୟବାନ୍ । କିନ୍ତୁ ମୋ ପରି ପାଷାଣ୍ଡ ପିତା…….. ।” ତାଙ୍କର କଣ୍ଠ ରୁଦ୍ଧ ହୋଇ ଆସିଲା । ଟିକିଏ ରହି ପୁଣି କହିଲେ, “ମୁଁ ପାଷାଣ୍ଡ, ନରାଧମ ବଡ଼ ଅନ୍ୟାୟ କରିଛି । କିନ୍ତୁ ପିତାର ନ୍ୟାୟାନ୍ୟାୟ ବିଚାର କରିବାକୁ ପୁତ୍ର ନ୍ୟାୟପତି, ଏହିଠାରୁ ଗୁରୁ ଅପମାନ ଆଉ କ’ଣ ଅଛି ? ସେଥିପାଇଁ ସେ ଅନ୍ୟାୟର ବିଚାର ମୁ ନିଜେ କରିପାରିଛି । ଭଗବାନ ମୋତେ ସେ ବୁଦ୍ଧି ଦେଇ ବଡ଼ ଅନୁଗ୍ରହ ଦେଖାଇଛନ୍ତି । କିଶୋରୀକୁ ମୁଁ କୌଶଳରେ ନେଇ ଯାଇଥିଲି । କିନ୍ତୁ ସେ ଉଦ୍ଦେଶ୍ୟ ମୋର” କହୁ କହୁ ସଦାନନ୍ଦ ଭୂପୃଷ୍ଠରେ ଲୋଟିଗଲେ ।

 

“କ’ଣ ହେଲା ?” ବୋଲି ସମସ୍ତେ ଚମକି ଉଠିଲେ । ବହୁ ଚେଷ୍ଟା କରି ସୁଦ୍ଧା ସଦାନନ୍ଦ ପ୍ରକୃତିସ୍ଥ ହେଲେ ନାହିଁ–ଅସ୍ଵାଭାବିକ ସ୍ଵରରେ ଘନ ଘନ ଶବ୍ଦ କରିବାକୁ ଲାଗିଲେ କେବଳ । ଶେଷରେ ଡାକ୍ତରଖାନାକୁ ନେବାକୁ ସ୍ଥିର କରି କନେଷ୍ଟବଳ ଦୁଇ ଜଣ ତାଙ୍କୁ ମୋଟରରେ ଉଠାଇ ଦେବା ପାଇଁ ଉଦ୍ୟତ ହେଉଅଛନ୍ତି, ସେ ଝଳକା ବାନ୍ତି କରି ପକାଇଲେ । ତା ପରେ ଗୋଟିଏ ହିକ୍ସା ଉଠିଲା, ସଙ୍ଗେ ସଙ୍ଗେ ତାଙ୍କର ଦୁଇ ଚକ୍ଷୁ ବୁଜି ହୋଇଗଲା ଚିରଦିନ ପାଇଁ । ମୁଗ୍ଧ ଜନତା ସ୍ତବ୍ଧ ଭାବରେ ଅନାଇ ରହିଲେ । ପରେ ସଦାନନ୍ଦଙ୍କର ସେ ବାନ୍ତି ପରୀକ୍ଷା କରିବାରୁ ସେଥିରେ ଅଫିମ ମିଶି ଥିବାର ଜଣାଗଲା ।

 

ଯଥାସମୟରେ ମୋକଦ୍ଦମାର ବିଚାର ହୋଇ ରାୟ ବାହାରିଲା ସାବୀ, ସିରସ୍ତାଦାର, ପୁରନଲାଲ ତିନିଜଣ ପ୍ରତ୍ୟେକ ଛ ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ପାଇଲେ, ବିହାରୀ ଅଠରବର୍ଷ ସଶ୍ରମ କରାଦଣ୍ଡ ପାଇଲା । ଜନାର୍ଦ୍ଦନ ପଢ଼ିଆରୀ ଓ ତାହାର ସଙ୍ଗୀମାନେ ଚୁଡଙ୍ଗ ସାହିର ମଧୁପଢ଼ିଆରୀଙ୍କ ଘରେ ହୋଇଥିବା ଚୋରିର ଆସାମୀ ବୋଲି ପ୍ରମାଣିତ ହେବାରୁ ସେମାନଙ୍କ ଉପରେ ଥୋଡ଼ାଏ କେସ୍ ଚାର୍ଯ୍ୟ କରାଗଲା । ବିହାରୀକୁ ତା’ର ଗୁପ୍ତ ବିବାହରେ ସାହାଯ୍ୟ କରିଥିବା ଅପରାଧରେ କଟକର ମାଜିଷ୍ଟ୍ରେଟ ସାହେବ ପ୍ରତ୍ୟେକଙ୍କୁ ତିନି ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡର ଆଦେଶ ଦେଇ ସେମାନଙ୍କୁ ପୁରୀ କୋର୍ଟକୁ ପଠାଇଦେଲେ । ଅନ୍ୟାନ୍ୟ ଦସ୍ୟୁମାନେ ପ୍ରତ୍ୟେକ ତିନି ବର୍ଷ ଲେଖାଏଁ ସଶ୍ରମ କାରାଦଣ୍ଡ ଭୋଗ କରିବାର ଆଦେଶ ମଧ୍ୟ ପାଇଲେ ।

 

ଜନାର୍ଦ୍ଦନ ପଢ଼ିଆରୀ ଓ ତାହାର ଆଉ ଚାରି ଜଣ ସଙ୍ଗୀଙ୍କର ମୋକଦ୍ଦମା ପୁରୀ କୋର୍ଟରେ ପୁଣି ବିଚାର ହୋଇ ପ୍ରତ୍ୟେକ ଛଅ ବର୍ଷ ଜେଲଦଣ୍ଡ ପାଇଲେ । ମୋହନ ଦାଶ, ଧାରେନ୍ଦ୍ରନାଥ ସିଂହ ପ୍ରଭୃତି ଆଉ କେତେ ଜଣ ଗୁଲିଖୋର, ରାଜକିଶୋର ଯେଉଁମାନଙ୍କୁ ସନ୍ଦେହ କରୁଥିଲେ, ସେମାନେ ମଧ୍ୟ ଧରା ହୋଇଗଲେ । ଯଥାସମୟରେ ସେମାନଙ୍କର ବିଚାର ହେଲା, ସେମାନେ ପ୍ରତ୍ୟେକ ଏକ ବର୍ଷ ସଶ୍ରମ ଜେଲ ଖଟିଲେ ।

 

ମାଜିଷ୍ଟ୍ରେଟ ଗୋକୁଳଚରଣ କାନୁନଗୋ–ଗୁଣୀ, ଗୁଣଗ୍ରାହୀ ସେ । ରାଜକିଶୋର ଅର୍ଦ୍ଧଶିକ୍ଷିତ, କୌଣସି ଅଂଶରେ ତାଙ୍କର ସମକକ୍ଷ ନ ହେଲେହେଁ ସେ ରାଜକିଶୋରଙ୍କୁ ମନେ ମନେ ଉଚ୍ଚାସନ ନ ଦେଇ ରହିପାରିଲେ ନାହିଁ । ତାଙ୍କର ଇଚ୍ଛା ହେଲା କିପରି ସେ ରାଜକିଶୋରଙ୍କ ପୁରସ୍କୃତ କରାଇବେ । ସେଥିପାଇଁ ତାଙ୍କ ସପକ୍ଷରେ ଯଥେଷ୍ଟ ସୁପାରିସ କରି ସରକାରଙ୍କୁ ଲେଖିଲେ-

 

ଜଗନ୍ନାଥ ମଙ୍ଗରାଜ କିଶୋରୀ ମିଳିଥିବାର ଖବର ପାଇ ଘରୁ ଆସିଛନ୍ତି ଯେ ସେହି ଦିନରୁ ରାଜକିଶୋରଙ୍କ ବନ୍ଧୁ ଦିନବନ୍ଧୁଙ୍କ ବସାରେ ଅଛନ୍ତି । ଚାରିମାସ ହୋଇଗଲାଣି । ମୋକଦ୍ଦମା ବିଚାର ପରେ ଘରକୁ ଯିବେ ଯିବେ ବୋଲି ଏପର୍ଯ୍ୟନ୍ତ ଯାଇ ପାରି ନାହାନ୍ତି । ଦିନ ତିନିଟା ସମୟ ହେବ, କିଶୋରୀ ଦୀନବନ୍ଧୁ ବାବୁଙ୍କ ସ୍ତ୍ରୀ ରଞ୍ଚଳାଙ୍କ ସଙ୍ଗରେ କ’ଣ କଥାବାର୍ତ୍ତା କରୁଛି, ରାଜକିଶୋର ଶୋଇଛନ୍ତି, ଜଗନ୍ନାଥ ମଙ୍ଗରାଜ ଏକୁଟିଆ ବାରଣ୍ଡାରେ ବସିଛନ୍ତି, ପୁରୀରୁ ସେହି ଦିନ ବାରଟା ଟ୍ରେନରେ ଫେରି ଆସିଛନ୍ତି ସେ ସନ୍ଧ୍ୟାରେ ଗ୍ରାମକୁ ଯିବାର କଥା, ବସି ବସି ଭାବୁଛନ୍ତି କଟକରୁ ଆଉ କି କି ଜିନିଷ ନେବେ, ଗୋକୁଳ ବାବୁ ସେହି ସମୟରେ ଯାଇ ତାଙ୍କ ସାଖାରେ ଉପସ୍ଥିତ ହେଲେ । ବୟସରେ ଛୋଟ ହେଲେ ସୁଦ୍ଧା ସେ ହାକିମ ତ, ଗୋଟିଏ ଜିଲାର ମାଲିକ, କାମ କ୍ଷମତା ନୁହେ ତାଙ୍କର । ତାଙ୍କୁ ଦେଖି ମଙ୍ଗରାଜେ ଉଠିବାକୁ ଲାଗିଲେ ଉଦ୍ୟତ ହେଲାକ୍ଷଣି ସେ ମଙ୍ଗରାଜଙ୍କ ପାଦତଳେ ଭୂମିଷ୍ଠ ପ୍ରଣାମ କରି କହିଲେ, “ବସନ୍ତୁ ଆପଣ, ଉଠୁଛନ୍ତି କାହିଁକି ? ପିତାର ପୁତ୍ରକୁ ସମ୍ମାନ ଦେଖାଇବା ନୀତିବିରୁଦ୍ଧ ।” ମଙ୍ଗରାଜ ବସିଲେ, ଗୋକୁଳବାବୁ ତାଙ୍କ ପାଖରେ ବସିପଡ଼ ବୋଲି କହିଲେ, “ଆପଣ ମୋର ପିତାତୁଲ୍ୟ; ମୁଁ ପୁତ୍ରଭାବରେ ପ୍ରାର୍ଥନା କରୁଛି ଆପଣ ପୂର୍ବର ସବୁ କଥା ଭୁଲିଯାନ୍ତୁ । ବାପା ଆପଣଙ୍କର ଯଥେଷ୍ଟ କ୍ଷତି କରିଛନ୍ତି ସତ; କିନ୍ତୁ ତା’ର ଉପଯୁକ୍ତ ବିଚାର ହୋଇଯାଇଛି, ବର୍ତ୍ତମାନ ସେ ବୈରଭାବ ଭୁଲି ମୋତେ ପୁତ୍ର ଭାବରେ ଗ୍ରହଣ କରନ୍ତୁ ।” ମଙ୍ଗରାଜ ପୁତ୍ରହୀନ ଥରେ ରାଜକିଶୋରଙ୍କ ମୁହଁରୁ ଠିକ୍ ଏହି କଥା ଶୁଣିଥିଲେ । ଆଜି ଗୋକୁଳ ବାବୁଙ୍କ ମୁହଁରୁ ଶୁଣିଲେ । ଆନନ୍ଦାଶ୍ରୁରେ ତାଙ୍କର ନେତ୍ର ଲୋତକରେ ଛଳଛଳ ହୋଇଆସିଲା । ସେ ଗୋକୁଳ ବାବୁଙ୍କୁ ବାତ୍ସଲ୍ୟପୂର୍ଣ୍ଣ ହୃଦୟରେ କୋଳକୁ ଟାଣିନେଇ ଅଶ୍ରୁ ବିସର୍ଜନ କରିବାକୁ ଲାଗିଲେ । ଗୋକୁଳ ବାବୁଙ୍କ ଆଖିରେ ମଧ୍ୟ ପାଣି ଆସିଲା । କେତେକ ମୁହୂର୍ତ୍ତ ପରେ ସେ ଅଶ୍ରୁ ସମ୍ବରଣ କରି କହିଲେ “ମୋର ଗୋଟିଏ ବିନୀତ ଅନୁରୋଧ ରକ୍ଷା କରିବେ କି । ରାଜକିଶୋରଙ୍କ ପରି ସୁପୁରୁଷ ଓ ଗୁଣବାନ ଯୁବକ ମୁଁ ଖୁବ କମ ଦେଖିଛି । ତାଙ୍କ ସହିତ କିଶୋରୀର ବିବାହ ହେଲେ କିଶୋରୀ ଚିରସୁଖୀ ହେବ ବୋଲି ମୋର ବିଶ୍ଵାସ । ଆପଣଙ୍କର ସେଥିରେ କିଛି ଆପତ୍ତି ଅଛି କି ?”

 

ଜଗନ୍ନାଥ ମଙ୍ଗରାଜ ତ ବହୁ ଦିନରୁ ସେ କଥା ସ୍ଥିର କରିଅଛନ୍ତି । ରାଜକିଶୋର ତାଙ୍କୁ ହାର ଦେଖାଇ ଫେରିବା ସମୟରେ ସେ ଯେତେବେଳେ ଟ୧୦୦୦ ର ନୋଟ ତାଡ଼ାଟି ତାଙ୍କ ହାତକୁ ବଢ଼ାଇ ଦେଲେ ଏବଂ ଦରକାର ହେଲେ ପତ୍ର ଲେଖିବାକୁ କହିଲେ, ସେତିକିବେଳେ ସେ ମନେ ମନେ କହିଛନ୍ତି, “ଯା ବାପା, ମାକୁ ମୋର ଆଜି ଖୋଜି ବାହାର କର ସେହି ଲାବଣ୍ୟ ପିତୁଳାଟିକୁ ଅର୍ପଣ କରି ତୋତେ ପୁରସ୍କୃତ କରାଇବି ।”

 

ଗୋକୁଳବାବୁଙ୍କର କଥା ଶୁଣି ମଙ୍ଗରାଜଙ୍କର ଶୋକ ନଦୀ ଉଜାଣି ଉଠିଲା । ସେ ବାଷ୍ପପୂର୍ଣ୍ଣ କଣ୍ଠରେ କହିଲେ, “ତୋଠାରୁ କ’ଣ ମୁଁ ବେଶୀ ଜ୍ଞାନୀ ? ତୁ ବୟସରେ ସାନ ହେଲେହେଁ ମୋ ଠାରୁ ଜ୍ଞାନବୃଦ୍ଧ । ତୁ ଯଦି ରାଜୁକୁ ସତ୍‍ପାତ୍ର ବୋଲି ବିବେଚନା କରୁ, ମୁଁ କାହିଁକି ଆପତ୍ତି କରିବି-? କିଶୋରୀ ଯେ ତୋର ସାନ ଭଉଣୀ ।” ଗୋକୁଳ ବାବୁଙ୍କର ଅନ୍ତର ପଲକରେ ଭରିଗଲା । ସେ ସେହି ମୁହୂର୍ତ୍ତରେ ରାଜକିଶୋର ଏବଂ କିଶୋରୀକୁ ସେଠାକୁ ଘେନି ଆସିଲେ । ରାଜକିଶୋରଙ୍କୁ ଲକ୍ଷ୍ୟ କରି କହିଲେ, “ଭାଇ ରାଜକିଶୋର, ତୁମେ କ୍ଷୁଦ୍ର ହୋଇ ସୁଦ୍ଧା ଯେଉଁ ବୃହତ୍ କର୍ମ୍ମ ସାଧନ କରିଅଛ, ତାହା ଅସାଧାରଣ । ତମର ସେ ଅସାଧ୍ୟ ସାଧନାର ପୁରସ୍କାର ବୋଧ ହୁଏ ନାହିଁ । ତଥାପି ଆମେ ଗୋଟିଏ ପୁରସ୍କାର ଦେବାକୁ ଇଚ୍ଛା କରୁଚୁ ଗ୍ରହଣ କରିବ ତ ?”

 

ଜଣେ ମାଜିଷ୍ଟେଟଙ୍କ ଠାରୁ ‘ଭାଇ’ ସମ୍ବୋଧନ ପାଇବେ ବୋଲି ରାଜକିଶୋର ସ୍ଵପ୍ନରେ ସୁଦ୍ଧା ଭାବି ନ ଥିଲେ । ସେ ନିତାନ୍ତ ସଙ୍କୁଚିତ ହୋଇ କହିଲେ, “ମୋ ପରି ନଗଣ୍ୟ ଲୋକର ଆପଣଙ୍କ ଦାନକୁ ଅଗ୍ରାହ୍ୟ କରିବାର କ୍ଷମତା କାହିଁ ?”

 

ଗୋକୁଳ ବାବୁ ତାଙ୍କର ହାତ ଧରି ନିଜ ପାଖକୁ ଟାଣିନେଇ କହିଲେ, “ନା ଭାଇ, ସେପରି ଭାବ ନାହିଁ । ଏ ପୃଥିବୀରେ ବଡ଼ ହୋଇ କେହି ନାହିଁ ସମସ୍ତେ ସମାନ । ଯେ ବଡ଼, ସେ ଅବ୍ୟକ୍ତ, ଅନନ୍ତ, ଅସୀମ ।” ତତ୍ପର କିଶୋରୀର ହାତ ଧରି ରାଜକିଶୋରଙ୍କ ପାଖକୁ ଘେନି ଆସିଲେ । କହିଲେ, “ଭାଇ ରାଜକିଶୋର, ଏ ଭଉଣୀଟିକୁ ମୋର ଆଜିଠାରୁ ତମ ହସ୍ତରେ ଅର୍ପଣ କଲି । ଆଶା କରେ, ତମେ ସାଦରେ ଗ୍ରହଣ କରି ଆମ୍ଭମାନଙ୍କର ଆଶା ପୂର୍ଣ୍ଣ କରିବ ।” ରାଜକିଶୋର ଏବଂ କିଶୋରୀ ଉଭୟଙ୍କର ଅନ୍ତରରେ ପୁଲକର ସ୍ରୋତ ବହିବାକୁ ଲାଗିଲା । ସେ ଉଭୟେ ତ ସେହି କଥା ଚାହୁଁଥିଲେ; କିନ୍ତୁ ଲଜ୍ଜାରେ ଦୁଇ ଜଣଙ୍କର ମସ୍ତକ ଅବନତ ହୋଇଗଲା । ଜଗନ୍ନାଥ ମଙ୍ଗରାଜେ ତାଙ୍କ ମସ୍ତକରେ ହସ୍ତ ସଞ୍ଚାଳନ କରି କହିଲେ, “ମୁଁ ଆଶୀର୍ବାଦ କରୁଛି, ପରମ ପିତା ତୁମକୁ ସଦବୁଦ୍ଧି ଦିଅନ୍ତୁ । ତୁମ୍ଭମାନଙ୍କର ଜୀବନ ଚିର ସୁଖମୟ ହେଉ ।”

Image

 

ବିଂଶ ପରିଚ୍ଛେଦ

 

ରାଜକିଶୋର ହେମବାଇ ଗଳାରେ ଗୋଟିଏ ସ୍ଵର୍ଣ୍ଣ ହାର ଲମ୍ବାଇ ଦେଇଥିଲେ, ପାଠକମାନଙ୍କର ମନେ ଅଛି କି ? ସେ ହାର ସେ କେଉଁଠାରୁ ପାଇଥିଲେ, କେହି ଅନୁମାନ କରିପାରୁଛନ୍ତି ଭଲା ?

 

ବାଲେଶ୍ଵର ସଦର ସବ.ଡିଭିଜନର ଏସ.ଡି.ଓ. ବିପିନ ବାବୁଙ୍କ ଝିଅ ବିଦ୍ୟୁଲ୍ଲତା କଥା ସ୍ମରଣ ଅଛି ତ ? ପ୍ରଥମ ଦର୍ଶନରେ ତା’ର ରାଜକିଶୋର ତନ୍ମୟ ହୋଇଯାଇଥିଲେ । ବୈକୁଣ୍ଠ ବାବୁଙ୍କର ପୁତ୍ର ମୁରଲୀକୁ ସନ୍ଧ୍ୟା ସମୟରେ ବୁଲାଇ ନେବା ସୁଯୋଗରେ ରାଜକିଶୋର ପ୍ରତ୍ୟହ ବିଦୁର ଦର୍ଶନ ଲାଭ ତଥା ବାକ୍ୟସୁଧା ପାନ କରିବାର ସୁଯୋଗ ପାଇଲେ । ଏହିପରି ଅତ୍ୟଳ୍ପ ଦିନମାତ୍ର ଅତିବାହିତ ହୋଇଛି, ଉଭୟଙ୍କ ମଧ୍ୟରେ ସୌହାର୍ଧ୍ୟ ଜନ୍ମିଲା । ଯୁବକ ଯୁବତୀ ମଧ୍ୟରେ ସୌହାର୍ଦ୍ୟ, ପୁଣି ଏକାନ୍ତ ମିଳନ । ପ୍ରଣୟ ସ୍ଵତଃ ଆସି ତା’ର ଆସନ ଅଧିକାର କଲା । ବାକ୍ୟରେ ପ୍ରକାଶ ନ କଲେ ମଧ୍ୟ ଉଭୟେ ଉଭୟଙ୍କୁ ପ୍ରେମଚକ୍ଷୁରେ ଦେଖିବାକୁ ଲାଗିଲେ । ରାଜକିଶୋର ଦେଖିଲେ ବିଦୁ ସୁନ୍ଦରୀ, ଷୋଡଶୀ, ଶିକ୍ଷିତା ତାଙ୍କର ଉପଯୁକ୍ତ ହେଲେ ଦୁର୍ଲଭ । ସେଥିପାଇଁ ଆଶା ନୈରାଶ୍ୟର ଆବର୍ତ୍ତରେ ପଡ଼ି ଘାଣ୍ଟି ହେବାକୁ ଲାଗିଲେ । ବିଦୁ ଦେଖିଲା ରାଜକିଶୋର ସୁନ୍ଦର, ଶିକ୍ଷିତ, ଯୁବକ…. ତା’ର ଉପଯୁକ୍ତ ବୋଲି ସେ ମନେ ମନେ ବାଛିନେଲା । ତା ପକ୍ଷରେ ରାଜକିଶୋର ତ ଦୁର୍ଲଭ ନୁହନ୍ତି । ସେ ଯଦି ଜିଦ ଧରିବ, ଏକାନ୍ତ ଅନିଚ୍ଛା ଥିଲେ ସୁଦ୍ଧା କନ୍ୟାର ଅଳିକୁ ପିତାମାତା କ’ଣ ଅଗ୍ରାହ୍ୟ କରିପାରିବେ ?

 

ବିପିନ ବାବୁଙ୍କର ଛୁଟି ଶେଷ ହେଲା ସେ ବାଲେଶ୍ଵର ଚାଲିଗଲେ; ବିଦୁ କିନ୍ତୁ ପୁରୀରେ ରହିଲା । ରାଜକିଶୋର ଟାଉନ୍ ଥାନାରେ ଚାକିରୀ ପାଇଲେ ସୁଦ୍ଧା ବୈକୁଣ୍ଠ ବାବୁଙ୍କ ଘରକୁ ଯିବା ଆସିବା ତାଙ୍କର ବନ୍ଦ ନ ଥାଏ । ମୁରଲୀକୁ ଦେଖିବା ବାହାନାରେ ଯାଇ ବିଦୁର ବଧୂ ବଦନ ଦର୍ଶନ ଲାଭ କରନ୍ତି ।

 

ସେ ଦିନ ରାଜକିଶୋରଙ୍କ ବିଷର୍ଣ୍ଣ ବଦନ ଦେଖି ବିଦୁ ଯେତେବେଳେ ପଚାରିଲା, “ଆଜି ତମର ମୁହଁଟା ଶୁଖିଯାଇଛି କାହିଁକି ?” ଉତ୍ତରରେ ରାଜକିଶୋର ଏଣୁ ତେଣୁ ନାନା କାରଣ ଦେଖାଇଲେ; ବିଦୁର କିନ୍ତୁ ମନ ମାନିଲା ନାହିଁ । ସେ ଜିଦ ଧରିଲା, “ସତ କୁହ, ତୁମର ଦୁଃଖିତ ହେବାର କାରଣ କ’ଣ ?” ରାଜକିଶୋର ନାଚାର । ସେ ବାଧ୍ୟ ହୋଇ ପ୍ରକୃତ କଥା ପ୍ରକାଶ କଲେ ।

 

ବିଦୁ ଯେତେବେଳେ ଜାଣିପାରିଲା, ରାଜକିଶୋରଙ୍କର କେତେ ଦିନପାଇଁ ଗୋଟାଏ ସୁନାର ହାର ଆବଶ୍ୟକ, ସେ ତତକ୍ଷଣାତ ତା’ର ଗଳାରୁ ହାର ବାହାର କରି ପ୍ରଫୁଲ୍ଲ ଚିତ୍ତରେ ରାଜକିଶୋରଙ୍କୁ ଦେଇ ଦେଲା । କହିଲା “ଏ ହାରଟା ନିଅ । ଯେତେ ଦିନ ଇଚ୍ଛା ରଖ, ମୋର ଆବଶ୍ୟକ ନାହିଁ ।” ବିଦୁଠାରୁ ହାର ନେବା ରାଜକିଶୋରଙ୍କର ଉଦ୍ଦେଶ୍ୟ ନୁହେ । ତଥାପି ନ ନେଲେ ନ ଚଳେ, ଆଉ କେଉଠାରୁ ବା ସେ ପାଇବେ ? କିଣି ପାରିଥାନ୍ତେ; କିନ୍ତୁ ଅର୍ଥର ଅଭାବ । ଦରମା ତିରିଶଟି ମାତ୍ର ଟଙ୍କା । ସେଥିରୁ ନିଜ ଖର୍ଚ୍ଚ ଯାଇ ଯାହା ବଳେ, ପୁସ୍ତକ କ୍ରୟ କରିବାରେ ସମସ୍ତ ବ୍ୟୟ କରନ୍ତି । ତାଙ୍କର ପ୍ରବଳ ଜ୍ଞାନ ପିପାସା ହେତୁ ସେ ଆଇନ ପୁସ୍ତକ ଓ ଅନ୍ୟାନ୍ୟ ଉପାଦେୟ ପୁସ୍ତକମାନ ଅଧ୍ୟୟନ କରିବାକୁ ବଡ଼ ଭଲ ପାଉଥିଲେ । ରାଜକିଶୋର କେବଳ ମାଳତୀ ପିନ୍ଧିଥିବା ହାତର ଇତିହାସ ଅବଗତ ହେବା ଅଭିପ୍ରାୟରେ ବିଦୁର ହାରଟି ହେମ ଗଳାରେ ଲମ୍ବାଇଦେବାକୁ ବାଧ୍ୟ ହୋଇଥିଲେ ।

 

ବର୍ତ୍ତମାନ ସୁଦ୍ଧା ବିଦୁ ପୁରୀରେ ଅଛି । ଇତିମଧ୍ୟରେ ଥରେ ତା’ର ବିବାହ ପ୍ରସ୍ତାବ ହୋଇଥିଲା । ସେ କିନ୍ତୁ ସୁସ୍ପଷ୍ଟ ଉତ୍ତରରେ ଜଣାଇଦେଲା ଯେ ତା’ର ବିବାହରେ ଇଚ୍ଛା ନାହିଁ । ବିପିନବାବୁ ଶିକ୍ଷିତ, ବୈକୁଣ୍ଠ ବାବୁ ମଧ୍ୟ ଅଶିକ୍ଷିତ ନୁହନ୍ତି । କନ୍ୟାର ଇଚ୍ଛା ବିରୁଦ୍ଧରେ ସେମାନେ ଠିଆ ହେବାକୁ ସାହସ କଲେ ନାହିଁ । ଅଗତ୍ୟା ବିଦୁର ବିବାହ ପ୍ରସ୍ତାବ ସ୍ଥଗିତ ହେଲା ।

 

ଜଗନ୍ନାଥ ମଙ୍ଗରାଜ ଯେତେବେଳେ କିଶୋରୀ ଓ ରାଜକିଶୋର ଉଭୟଙ୍କ ମସ୍ତକରେ ହାତ ବୁଲାଇ ଆର୍ଶୀବାଦ କଲେ, ସେତିକି ବେଳେ ସହସା ରାଜକିଶୋରଙ୍କ ହୃଦୟରେ ବିଦୁକଥା ଜାଗି ଉଠିଲା । ବିଦୁ ତା’ର ନିଜ ଇଚ୍ଛାରେ ବିବାହ ପ୍ରସ୍ତାବ ସ୍ଥଗିତ ରଖିଛି ବୋଲି ସେ ଜାଣିଛନ୍ତି । ବିଦୁର ବିବାହ କରିବାକୁ ଏତେ ଅନିଚ୍ଛା କାହିଁକି ? ବାଙ୍କନିଧିବାବୁ ବିଲାତ ଫେରନ୍ତା ରେଭେନ୍ସା କଲେଜର ପ୍ରଫେସର, ମୋଟା ବେତନ ପାନ୍ତି ସୁନ୍ଦର ସୁପୁରଷ । ସର୍ବାଂଶରେ ସେ ବିଦୁର ଉପଯୁକ୍ତ; ତଥାପି ବିଦୁର ଅନିଚ୍ଛା କାହିଁକି ? ସେ କ’ଣ ରାଜକିଶୋରଙ୍କୁ ଭଲପାଏ ? ରାଜକିଶୋରଙ୍କ ଆଶାରେ କ’ଣ ? ସେ ଦିନ ହାରଟାଏ ଯେତେବେଳେ ବେକରୁ ବାହାର କରିଦେଲା, ରାଜକିଶୋର ବୁଝିପାରିଛନ୍ତି ତା’ର ମନୋଗତ ଭାବ । ମରମୀ ସିନା ମରମ କଥା ବୁଝେ !

 

ରାଜକିଶୋର ମହା ମୁଷ୍କିଲରେ ପଡ଼ିଲେ । କ’ଣ କରିବେ ? କାହାକୁ ତ୍ୟାଗ କରିବେ ? ଏକ ପାଖରେ କିଶୋରୀ, ଅପର ପାଖରେ ବିଦୁ ଉଭୟଙ୍କର ସମାନ ଆକର୍ଷଣ । ଉପାୟ କ’ଣ ? ଉପାୟ ହେଉଛି ଦୁଇଟା । ଯଦି ତ୍ୟାଗ କରିବାକୁ ହୁଏ ଉଭୟଙ୍କୁ ତ୍ୟାଗ କରିବା, ଗ୍ରହଣ କରିବାକୁ ହେଲେ ଉଭୟଙ୍କୁ ଗ୍ରହଣ କରିବା; କିନ୍ତୁ ଉଭୟ କାର୍ଯ୍ୟ ଅସାଧ୍ୟ । ତ୍ୟାଗ ତ ଏକବାରେ କରି ହେବ ନାହିଁ । ଏ କ୍ଷେତ୍ରରେ ତା ହେଲେ କର୍ତ୍ତବ୍ୟ କ’ଣ ?

 

ରାଜକିଶୋର ସେ ଦିନ ରାତି ସାରା ଭାବିଲେ ସେ ବିଷୟରେ । ଶେଷରେ ସ୍ଥିର କଲେ ସେ କିଶୋରୀକୁ ଗ୍ରହଣ କରିବେ, ବିଦୁକୁ ବୁଝା ସୁଝା କରି କୌଣସି ଉପାୟରେ ତା’ର ମନର ପରିବର୍ତ୍ତନ ଘଟାଇବେ । ପରଦିନ ରାଜକିଶୋର ଜଗନ୍ନାଥ ଦର୍ଶନ ଛଳନା କରି ଗୋକୁଳ ବାବୁଙ୍କ ସଙ୍ଗରେ ଘେନି ପୁରୀ ଗଲେ । ବୈକୁଣ୍ଠ ବାବୁ ତ ରାଜକିଶୋରଙ୍କୁ ପୁତ୍ର ପରି ସ୍ନେହ କରନ୍ତି, ସେ ସିଧା ଯାଇ ତାଙ୍କରି ଘରେ ପହଞ୍ଚିଲେ । ଗୋକୁଳ ବାବୁଙ୍କ ସଙ୍ଗରେ ବୈକୁଣ୍ଠ ବାବୁଙ୍କର ପରିଚୟ ହେଲା । ବୈକୁଣ୍ଠ ବାବୁ ଅତ୍ୟନ୍ତ ଆନନ୍ଦର ସହିତ ଗୋକୁଳ ବାବୁଙ୍କୁ ଅଭ୍ୟର୍ଥନା କଲେ ।

 

ସନ୍ଧ୍ୟା ଆତୀତ ହୋଇଗଲାଣି । ବୈକୁଣ୍ଠ ବାବୁଙ୍କ ବୈଠକ ଖାନାରେ ଦୁଇ ଜିଲାର ମାଜିଷ୍ଟ୍ରେଟ ବସି ସୁଖ ଦଃଖ ହେଉଛନ୍ତି । ରାଜକିଶୋର ମୁରଲୀର ପଢ଼ିବା ଘରକୁ ଆସିଲେ । ମୁରଲୀର ଦେହ ଭଲ ନ ଥିବାରୁ ସେ ସେଠାରେ ଉପସ୍ଥିତ ନ ଥିଲା । ରାଜକିଶୋର ଏକାକୀ ସେ ଘରେ ବସି ଅନ୍ୟମନସ୍କ ଭାବରେ ଗୋଟାଏ ବହିର ପୃଷ୍ଠା ଓଲଟାଇବାକୁ ଲାଗିଲେ ।

 

ପ୍ରତ୍ୟେକ ସନ୍ଧ୍ୟାରେ ନାଟକ ହେଉ, ଉପନ୍ୟାସ ହେଉ କିଛି ନା କିଛି ପଢ଼ିବା ବିଦୁର ଅଭ୍ୟାସ । ସେ ତା’ର ଅଭ୍ୟାସାନୁଯାୟୀ ମୂରଲୀର ପଢ଼ିବା ଘରେ ଉପସ୍ଥିତ ହେଲା । ରାଜକିଶୋର ଓ ବିଦୁ ଦୁଇ ଜଣଙ୍କ ଭିନ୍ନ ସେଠାରେ ଆଉ କେହି ନାହିଁ । ରାଜକିଶୋର ତାଙ୍କର ଉଦ୍ଦେଶ୍ୟ ସାଧନର ସୁଯୋଗ ପାଇଲେ । ଅନ୍ୟାନ୍ୟ କେତେକ କଥାବର୍ତ୍ତା ପରେ କହିଲେ, “ବିଦୁ, ତୁମକୁ ଗୋଟିଏ କଥା କହିବାର ଅଛି ।” ବିଦୁ ତ ସେହି କଥା ଚାହେଁ । ସେ ଯଦି ସ୍ତ୍ରୀ ନ ହୋଇ ପୁରୁଷ ହୋଇଥାନ୍ତା, ବହୁଦିନ ପୂର୍ବରୁ କହି ସାରନ୍ତାଣି ସେ କଥା । ଅବଳ ସୁଲଭ ଲଜ୍ଜାବଶତଃ ସେ କହିପାରୁ ନାହିଁ ସିନା ! ତଥାପି ସେ କର୍ତ୍ତବ୍ୟରେ ତ୍ରୁଟି କରି ନାହିଁ ତ । ବାପା, ବଡ଼ବାପା ଯେତେବେଳେ ତା’ର ବିବାହ ପ୍ରସ୍ତାବ ଉଠାଇଲେ, ସେ ପରିଷ୍କାର ଉତ୍ତରରେ ସ୍ଥଗିତ କରାଇ ଦେଇଛି । କାହିଁକି ? ରାଜକିଶୋରଙ୍କ ଲାଗି ସିନା ! ରାଜକିଶୋରଙ୍କ ଠାରୁ ଏହି କଥା ପଦକ ଶୁଣିବା ଲାଗି ସେ କେଡ଼େ ଆକାଂକ୍ଷିତ ନୁହେ-?

 

ବିଦୁର ଅନ୍ତର ଉଲ୍ଲାସିତ ହୋଇ ଉଠିଲା । ତା’ର ପ୍ରତ୍ୟେକ ଶିରା ପ୍ରଶିରାରେ ପ୍ରବାହ ବହିବାକୁ ଲାଗିଲା । ସେ ରାଜକିଶୋରଙ୍କୁ ଥରେ ଆଡ଼ନୟନରେ ଚାହିଁ ମସ୍ତକ ନତ କଲା ସରମରେ-। ରାଜକିଶୋର କହିଲେ, “କହିବି ନାହିଁ ତ ଅନୁରୋଧ କରିବି ରଖିବ କି ?” ବିଦୁର ଆରକ୍ତ ଗଣ୍ଡଯୁଗ ଲଜ୍ଜାରେ ପାଟଳିତ ହୋଇଗଲା । ଭାବପ୍ରବଣ ଯୁବତୀର ହୃଦୟ ତା’ର । ଭାବୋଚ୍ଛ୍ଵାସରେ ବିଭୋର ହୋଇ ସେ କିଛି କହିପାରିଲା ନାହିଁ । ରାଜକିଶୋର କହିଲେ, “ବିଦୁ, କିଛି କହୁ ନାହଁ ଯେ ! ମୋର ଅନୁରୋଧ ରକ୍ଷା କରିବ ନାହିଁ ?” ବିଦୁ ପୁଲକ କମ୍ପିତ କୋମଳ କଣ୍ଠରେ କହିଲା, “ଅନୁରୋଧ କାହିଁକି, କ’ଣ କରିବାକୁ ହେବ ଆଦେଶ କର ।” ରାଜକିଶୋର ତା’ର ମନୋଗତ ଭାବ ବୁଝିପାରିଲେ । “ଆଦେଶ କର” ଏହି ଦୁଇଟି ପଦରେ ବିଦୁ ସୁସ୍ପଷ୍ଟ ଜଣାଇ ଦେଲା ଯେ “ରାଜକିଶୋରଙ୍କୁ ସେ ତା’ର ହୃଦୟାସନରେ ଉଚ୍ଚତମ ସ୍ଥାନ ଦେଇଛି ।” ରାଜକିଶୋର ତ ପୂର୍ବରୁ ପ୍ରସ୍ତୁତ ହୋଇ ଆସିଛନ୍ତି । ସେ ଚିନ୍ତିତ କିମ୍ବା ବିଚଳିତ ନ ହୋଇ ସହଜ କଣ୍ଠରେ କହିଲେ, “ମୋ ସଙ୍ଗରେ ଯେଉଁ ବାବୁ ଆସିଛନ୍ତି ତାଙ୍କୁ ଚିହ୍ନ ?”

 

“ଚିହ୍ନେ ନାହିଁ ଶୁଣିଛି ସେ କଟକ ଜିଲାର ମାଜିଷ୍ଟ୍ରେଟ ସାହେବ ।”

 

ରାଜକିଶୋର ଆଉ କିଛି କହିଲେ ନାହିଁ । ବିଦୁ ଟିକିଏ ଅପେକ୍ଷା କରି କହିଲା, “ନୀରବ ହୋଇଗଲ କାହିଁକି ?” ରୋଗୀ ହସିଲା ପରି ରାଜକିଶୋର ଜୋର କରି ଓଷ୍ଠାଧର ପ୍ରାନ୍ତରେ କ୍ଷୀଣ ହାସ୍ୟରେଖାଟି ଫଟାଇ କହିଲେ, “ତାଙ୍କ ସହିତ ତୁମ୍ଭର ମିଳନ ହେଲେ ଭଲ ହୁଅନ୍ତା ନାହିଁ । ସର୍ବାଂଶରେ ସେ ତୁମ୍ଭର ଉପଯୁକ୍ତ ବୋଲି ମୋର ବିଶ୍ଵାସ ।” ବିଦୁକୁ ସତେ ଯେପରି କିଏ ହିମାଳୟର ଉଚ୍ଚତମ ଶୃଙ୍ଗ ଉପରୁ ଗଭୀର ଅନ୍ଧକୁପ ମଧ୍ୟକୁ ଫିଙ୍ଗିଦେଲା । ଅବ୍ୟକ୍ତ ବେଦନାରେ ତା’ର ସର୍ବାଙ୍ଗ ସିର ସିର ହୋଇ ଉଠିଲା । ରାଜକିଶୋରଙ୍କ ଠାରୁ ଏହି କଥା ଶୁଣିବ ବୋଲି ସେ କ’ଣ ଆଶା କରିଥିଲା ?

ବିଦୁର ଶୁଭ ମୁଖମଣ୍ଡଳକୁ ଚାହିଁ ରାଜକିଶୋର ତା’ର ଅନ୍ତରର ବେଦନା ବୁଝିପାରିଲେ । କହିଲେ “ବିଦୁ ମୁଁ ଜାଣେ ତୁମ୍ଭର ମନକଥା । କିନ୍ତୁ କ’ଣ କରିବି ?” ତା ପରେ କିଶୋରୀ ସଙ୍ଗରେ ସେ ଯେପରି ଅଚ୍ଛେଦ୍ୟ ବନ୍ଧନରେ ବାନ୍ଧିହୋଇ ଯାଇଛନ୍ତି, ସମସ୍ତ କଥା କହିଗଲେ; ବିଦୁ ନିର୍ବାକ୍ ନିସ୍ପନ୍ଦ । କେତେ କ୍ଷଣ ନୀରବରେ ଅତିବାହିତ ହେବାପରେ ରାଜକିଶୋର ଧୀର କଣ୍ଠରେ କହିଲେ “ବିଦୁ ।” ବିଦୁ ନିରୁତ୍ତର । ରାଜକିଶୋର ତା’ର ପାଖକୁ ଘୁଞ୍ଚିଯାଇ ଆଦରରେ ତା’ର ପୃଷ୍ଠଦେଶରେ ହସ୍ତ ସଂଚାଳନ କରି କହିଲେ, “ବିଦୁ, କ୍ଷମା କର । ମୁଁ..… ।” ବିଦୁ ଘୁଞ୍ଚିଯାଇ କ୍ରୋଧକମ୍ପିତ କଣ୍ଠରେ କହିଲା, “ନିଷ୍ଠୁର ! ପୁରୁଷ ହୃଦୟ ପାଷାଣରୁ ନିର୍ମମ, ମୁଁ ସ୍ଵପ୍ନରେ ସୁଦ୍ଧା ଭାବି ନ ଥିଲି । ଯଦି……” କ୍ରୋଧାବେଗରେ ଆଉ କହିପାରିଲା ନାହିଁ । ରାଜକିଶୋର ତାକୁ କୋଳକୁ ଟାଣିନେଇ କହିଲେ, “ମୁଁ ଇଚ୍ଛା କରି ଏପରି କରି ନାହିଁ ବିଦୁ ! ଶୁଣ କିଶୋରୀ ଅବିବାହିତା ଯୁବତୀ ହେଲେ ମଧ୍ୟ ସେ ତା’ର ଧର୍ମରୁ ଚ୍ୟୁତ ହୋଇ ନାହିଁ । ଏହା ମୁଁ ଶପଥ କରି କହିପାରେ । ଅନ୍ୟ କେତେ ଜଣ, ଯେଉଁ ମାନେ ତା’ର ସେ ବନ୍ଦୀ ଜୀବନ ପ୍ରତ୍ୟକ୍ଷ କରିଛନ୍ତି, ସେମାନେ ମଧ୍ୟ କହିବେ; କିନ୍ତୁ ସମାଜ କ’ଣ ତାହା ବିଶ୍ଵାସ କରିବ ? ବର୍ତ୍ତମାନ କାଳର ଗତି ତ ଦେଖୁଛ । ଯେଉଁମାନେ କୁଳବୃଦ୍ଧ ସମାଜପତି ବୋଲି ବାନା ଉଡ଼ାଉଛନ୍ତି ଅନ୍ୟାୟ, ଅତ୍ୟାଚାର, ଅନାଚାର, ବ୍ୟଭିଚାର ଏସବୁ ସେମାନଙ୍କର ନିତ୍ୟ ନୈମିତ୍ତକ କାର୍ଯ୍ୟ ହୋଇଛି । ନିଜର ସହସ୍ର ଦୋଷ ଥିଲେ ସୁଦ୍ଧା ପରର ବିଦୁ ମାତ୍ର ଦୋଷ ଅନ୍ଵେଷଣ କରିବାରେ ସେମାନେ ସହସ୍ରାକ୍ଷ । ଶାସ୍ତ୍ରର, ନୀତିର ପ୍ରଣେତା ସେହିମାନେ । ତାଙ୍କ ପକ୍ଷରେ ଯେଉଁଟା ନ୍ୟାୟ, ଅନ୍ୟ ପକ୍ଷରେ ତାହା ଅନ୍ୟାୟ । ତାଙ୍କର ଯେଉଁଟା ପୁଣ୍ୟକାର୍ଯ୍ୟ ଅନ୍ୟ ପକ୍ଷରେ ତାହା ଅମୋଘ ପାପ । ଆମ୍ଭେମାନେ ଏଡ଼େ ଦୁର୍ବଳ, ଏଡ଼େ ଶକ୍ତିସାମର୍ଥ୍ୟହୀନ ହୋଇ ପଡ଼ିଛୁ ଯେ, ସବୁ ଜାଣି ସୁଦ୍ଧା ତାହାର ପ୍ରତିବାଦ କରିପାରୁ ନାହିଁ । ବାଧ୍ୟ ହୋଇ ସେହି ନରପିଶାଚମାନଙ୍କର ଆଦେଶ ଦେବାଦେଶ ପରି ଶିରୋଧାର୍ଯ୍ୟ କରୁଛୁ । ବର୍ତ୍ତମାନ କିଶୋରୀ ଅବସ୍ଥା ତମେ ତ ବୁଝିପାରୁଛ-। ତମେ ନାରୀ ନାରୀର ଅପମାନରେ ତମ ପ୍ରାନରେ ଆଘାତ ଲାଗୁ ନାହିଁ ? ମୁଁ ନାରୀର ଆତ୍ମମର୍ଯ୍ୟଦା, ଆତ୍ମସମ୍ମାନ ରାକ୍ଷା କରିଛି । ତମର ଗର୍ବ ଅନୁଭବ କରିବାର କଥା ସେଥିପାଇଁ । କିଶୋରୀ ଅସହାୟ, ଅନଥିନୀ ମୁଁ ତାକୁ ଆଶ୍ରୟ ଦେଇ ନାରୀ ଜାତିର ଗୌରବ ରକ୍ଷା କରିବା ଭିନ୍ନ ଆଉ ତ କିଛି କରି ନାହିଁ । ତମର କଷ୍ଟ ହେବ ଜାଣି ସୁଦ୍ଧା ପ୍ରଥମ ଏବଂ ପ୍ରଧାନ କର୍ତ୍ତବ୍ୟ ଭାବି ମୁଁ ସେ କର୍ମରେ ହସ୍ତକ୍ଷେପ କରିଛି । ତମେ ଶିକ୍ଷିତା, ବୁଦ୍ଧିମତୀ ନାରୀ ଜାତିର ଗୌରବ ରକ୍ଷା ଲାଗି କଷ୍ଟ ସହିପାରିବ ନାହିଁ ? ଟିକିଏ ସ୍ଵାର୍ଥତ୍ୟାଗ କରିପାରିବ ନାହିଁ ? ଭାବି ଦେଖିଲ ମୁଁ ନ୍ୟାୟ କରିଛି କି ଅନ୍ୟାୟ କରିଛି ।” ବିଦୁ ତା’ର ଉନ୍ମୁଖ କ୍ରୋଧକୁ କୌଣସିମତେ ଦମନ କରିନେଇ କହିଲା, “ମୁଁ ସ୍ଵାର୍ଥତ୍ୟାଗ କରିପାରେ ନ ପାରେ ସେ ଭିନ୍ନ କଥା । କିନ୍ତୁ……” ବାକସ୍ଫର୍ତ୍ତ ହେଲା ନାହିଁ ବିଦୁର ଅତ୍ୟଧିକ ବାସ୍ପାବେଗରେ । ରାଜକିଶୋର ତା’ର ହାତଟି ଧରିପକାଇ କହିଲେ, “ସବୁ ଦୋଷ ମୋର-। ଯଦି ତମେ ମୋତେ ସ୍ନେହ କର ।”

ବିଦୁ ମୁଁ ତ ତମକୁ ଦୋଷ ଦେଉ ନାହିଁ ।

ରାଜ–ଦେଉ ନାହିଁ କିପରି ? ମୋତେ ଯଦି ଦୋଷ ନ ଦେଉଛ ସେଥିପାଇଁ ତେବେ ମୋର ଅନୁରୋଧ…

ବିଦୁ–ନା, ସେପରି ଅନୁରୋଧ କରିବାକୁ ତମକୁ କିଏ ଅଧିକାର ଦେଲା ?

 

ରାଜ–ତମେ ଦେଇଛ । ତମକୁ ସ୍ନେହ କରିବାର ଅଧିକାର ଦେଇଛ ତ ? ସ୍ନେହ କରିବାର ଯାର ଅଧିକାର ଅଛି, ତା’ର ମଙ୍ଗଳ କାମନା କରିବାର ଅଧିକାର ନିଶ୍ଚୟ ଅଛି ।

 

ବିଦୁ–ମୋର ମଙ୍ଗଳ କାମନା କରିବାର ଅଧିକାର ତମର ଅଛି । କିନ୍ତୁ ଦୁଃଖର ବିଷୟ, ମୁଁ ତାହା ଗ୍ରହଣ କରିପାରୁ ନାହିଁ ।

 

ରାଜ–କାରଣ ?

 

ବିଦୁ–କାରଣ ଜାଣି ତମର ଲାଭ ?

 

ରାଜ–ସ୍ନେହୀର ମନୋଗତ ଭାବ ବୁଝିପାରିଲେ ଅସ୍ଥିର ହୃଦୟ ସ୍ଥିର ହେବ ଏହିମାତ୍ର ଲାଭ ।

 

ବିଦୁ–ସେହି ଯଦି ତା’ର ମନୋଗତ ପ୍ରକାଶ ନ କରେ ?

 

ରାଜ–ଅସମ୍ଭବ । ସ୍ନେହୀ ଶବ୍ଦର ଅର୍ଥ ତାହାହେଲେ ଭିନ୍ନ ପ୍ରକାର ହୋଇଯିବ । ସ୍ନେହୀ ପାଖରେ….

 

ବିଦୁ–ଦରକାର ନାହିଁ ସେ ଭୂମିକାରେ । ଶେଷ କଥା କୁହ । ମୁଁ କାହିଁକି ତମର ସେ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କରୁଚି, ତା’ର କାରଣ ଜାଣିବାକୁ ତମେ ଏକାନ୍ତ ଇଚ୍ଛୁକ, ଏଇ କଥାଟା ପ୍ରତିପନ୍ନ କରିବାକୁ ଯାଉଛ ତ ?

 

ରାଜ–ହଁ ।

 

ବିଦୁ ଟିକିଏ ନୀରବ ରହି କହିଲା, “ହଉ, ଶୁଣ ତେବେ । ମୁଁ ବିବାହ କରିବି ନାହିଁ ଆଦୌ-।”

 

ରାଜ–କାହିଁକି ?

 

ବିଦୁ–ତମର ଏକା କର୍ତ୍ତବ୍ୟ ଜ୍ଞାନ ଅଛି, ଆଉ କାହାରି ନାହିଁ ? ତମେ ନିରାଶ୍ରୟା ଅବଳାକୁ ସ୍ଥାନ ଦେଇ ତମର କର୍ତ୍ତବ୍ୟ ପାଳନ କଲ । ମୁଁ ଅର୍ପିତ ହୃଦୟ ଫେରାଇ ଆଣି କିପରି ମୋ କର୍ତ୍ତବ୍ୟରେ ଅବହେଳା କରିବି ?

 

ଏହି କଥା କେତେ ପଦ ବିଦୁ ବଡ଼ କରୁଣ, ବଡ଼ କାତର ସ୍ଵରରେ କହିଲା । ତା’ର ସେ କରୁଣ ସ୍ଵର ଶୁଣି ରାଜକିଶୋରଙ୍କର ଅନ୍ତର କରୁଣାରେ ଗଳିଗଲା । ଲୋତକରେ ଚକ୍ଷୁ ତାଙ୍କର ଛଳ ଛଳ ହୋଇ ଆସିଲା । ସେ କାନ୍ଦି କାନ୍ଦି କହିଲେ, “ବିଦୁ ଦେବୀ ତମେ । ମୁଁ ନାରକୀ, ପାଷଣ୍ଡ–ତମର ନିତାନ୍ତ ଅଯୋଗ୍ୟ । ଦରିଦ୍ର କପାଳରେ ଐଶ୍ଵର୍ଯ୍ୟ ଭୋଗ କାହିଁ ? କର୍ମ ମନ୍ଦ ନ ହେଲେ ହସ୍ତରେ ଅମୃତ ଧରି କିଏ ପାନ କରିବାରୁ ବଞ୍ଚିତ ହୁଏ ? କିନ୍ତୁ ବିଦୁ, ଭଉଣୀ ମୋର, ସେପରି ପ୍ରତିଜ୍ଞା କର ନାହିଁ, ମୋତେ ସ୍ନେହ କର–ଅନ୍ତରର ସହିତ ସ୍ନେହ କର । ପ୍ରେମ କର ଅନ୍ତରର ସହିତ ପ୍ରେମ କର; କିନ୍ତୁ ସ୍ନେହ ବୋଲ ବା ପ୍ରେମ ବୋଲ, ପରମ ପବିତ୍ର ସ୍ଵର୍ଗୀୟ ସେ । ତାକୁ କ୍ଷୁଦ୍ର ବାସନାର ବେଷ୍ଟନୀ ମଧ୍ୟରେ ଆବଦ୍ଧ ରଖି କଳୁଷିତ ହେବାକୁ ଦିଅ ନାହିଁ ।”

 

ବିଦୁ–ବେଶ୍, ମୁଁ ଅସ୍ଵୀକାର କରୁ ନାହିଁ ସେ କଥା । କିନ୍ତୁ ତମେ ପୁଣି ସେ କଳୁଷିତ ପ୍ରସ୍ତାବ କରୁଚ କାହିଁକି ? ମୋତେ ବାସନା ନିଗଡରେ ଆବଦ୍ଧ ରଖିବାକୁ ତମର ଏତେ ଇଚ୍ଛା କାହିଁକି-?

 

ରାଜ–ବିଦୁ, ଯୁକ୍ତି କରନା, ବୁଝ ମୁଁ ଯାହା କହୁଛି । ସଂସାର ସଂସାରର ଅର୍ଥ କ’ଣ ? ନାରୀ ପୁରଷର ମିଳନହିଁ ସଂସାର । ନାରୀ ପୁରୁଷର ମିଳନ ନ ହେଲେ ମାନବ ସୃଷ୍ଟି ଅସମ୍ଭବ । ଭଗବାନ ସୃଷ୍ଟିକର୍ତ୍ତା, ତାଙ୍କର ଇଚ୍ଛା ସଂସାରକୁ ବଞ୍ଚାଇ ରଖିବା । କିନ୍ତୁ ତମେ ଯେଉଁ ସଙ୍କଳ୍ପ କରୁଛ, ତାହା ତାଙ୍କର ଇଚ୍ଛାବିରୁଦ୍ଧ କାର୍ଯ୍ୟ ହେଉଛି ।

 

ବିଦୁ–ଯୁକ୍ତି କରିବାକୁ ନାହିଁ କରୁଛ ତମେ, ସେଥିପାଇଁ ଆଉ କିଛି କହିପାରୁ ନାହିଁ । ତେବେ ଏତିକି ଜାଣ, ତମର ସେ ପ୍ରସ୍ତାବ ମୁଁ କୌଣସିମତେ ଗ୍ରହଣ କରିପାରିବି ନାହିଁ ।

 

ରାଜ–ବିଦୁ । ତମେ ପରା ମୋତେ ସ୍ନେହ କର–ଭଲ ପାଅ ? ମୋର ଏହି ସାମାନ୍ୟ ଅନୁରୋଧ ରକ୍ଷା କରିବ ନାହିଁ ?

 

ବିଦୁ–ନା, ମୋତେ ଆଉ ବଳାଅ ନାହିଁ । ମୋର ପ୍ରତିଜ୍ଞା ଚିର ଜୀବନ ମୁଁ ଏହିପରି କଟାଇଦେବି ।

 

ବିଦୁ ଉଠି ଚାଲିଯିବାକୁ ଉଦ୍ୟତ ହେଲା । ରାହକିଶୋର ବି ଉଠି ପଡ଼ିଲେ । କହିଲେ, “ବିଦୁ, ଅପେକ୍ଷା କର ।”

 

ବିଦୁ କହିଲା “କ’ଣ ?”

 

ରାଜ–ରଖିବ ନାହିଁ ଅନୁରୋଧ ମୋର ?

 

ବିଦୁ–ନା ।

 

ରାଜ–ଏ ପ୍ରତିଜ୍ଞା ତମର ଅଟଳ ?

 

ବିଦୁ–ନିଶ୍ଚୟ ।

 

ରାଜ–ମୋ ଲାଗି ତମର ସିନା ଏ ପ୍ରତିଜ୍ଞା । ମୋ ଲାଗି ତମର ସିନା ନାରୀ ଜନ୍ମ ବୃଥା ହେଉଛି ଜୀବନ ବ୍ୟର୍ଥ ହେଉଛି । ମୁଁ ସବୁ ଅଶାନ୍ତିର ମୂଳ । ବିଦୁ, ମୁଁ ଶପଥ କରି କହୁଛି, ତମକୁ ଭଲପାଏ ସ୍ନେହ କରେ ପ୍ରେମ କରେ । ମୋର ସ୍ନେହ କୃତ୍ରିମ ନୁହେ, ପ୍ରେମ ଆବିଳ ନୁହେ, ଭଲ ପାଇବା କ୍ଷଣିକ ନୁହେ । ଭାବି ଦେଖିଲ ବିଦୁ, ଭାଇ ଭଉଣୀ ପ୍ରେମ କେଡ଼େ ପବିତ୍ର ସ୍ନେହ କେଡ଼େ ପ୍ରାଣମୟ ଭଲ ପାଇବା କିପରି ସରସ । ସୁନା ଭଉଣୀଟି ମୋର, ସେ ନିଷ୍ଠୁର ପ୍ରତିଜ୍ଞାରୁ ବଞ୍ଚିତ ହୁଅ-। କନିଷ୍ଠା ଭଗିନୀର ଜୀବନ ଦୁଃଖମୟ ହେବ, ଏହା କ’ଣ ଜ୍ୟେଷ୍ଠ ଭ୍ରାତା ନୀରବରେ ସହ୍ୟ କରିପାରେ ? ମୋର ଏ ଜୀବନ ବିନିମୟରେ ତୁ ଯଦି ସୁଖୀ ହେଉ ଭଉଣୀ, ସେଥିପାଇଁ ମୁଁ କୁଣ୍ଠିତ ନୁହେ । ସୁଖୀ ହେବୁ କି ?

 

ବିଦୁ କିଛି କହିପାରିଲା ନାହିଁ । ତା’ର ଅନ୍ତରରୁ ଅବ୍ୟକ୍ତ ବେଦନାର ଯେଉଁ ଭୀମ ଆବର୍ତ୍ତ ଉତ୍ଵିତ ହେଉଥିଲା, ସେଥିରେ ତା’ର ବାକସ୍ଫର୍ତ୍ତ ହେଲା ନାହିଁ । ରାଜକିଶୋର ପକେଟରୁ ଏକ ଦୀର୍ଘ ଛୁରିକା ବାହାର କରି ନିଜର ବକ୍ଷ ଲକ୍ଷ୍ୟ କରି ଧରିଲେ । କହିଲେ, “ବିଦୁ, ଅନ୍ତିମ ଅନୁରୋଧ ମୋର, ତୋର ଜୀବନକୁ ହା ହୁତାଶମୟ କରିବୁ ନାହିଁ । ଭାଇର ବକ୍ଷ ଶୋଣିତରେ ଭଉଣୀ ଅନ୍ତରର ସମସ୍ତ ଦୁଃଖ, ବୈଦ୍ୟ ଧୋଇ ହୋଇଯାଉ ।”

 

“ଅନ୍ତିମ ଅନୁରୋଧ !” ବିଦୁ ଚମକି ଉଠିଲା । ରାଜକିଶୋରଙ୍କ ମୁହଁକୁ ଚାହିଁଲା । ସେହି ଦୀର୍ଘ ଛୁରିକା ଉପରେ ତା’ର ଆଗ ଆଖି ପଡ଼ିଲା । ଛୁରିକାର ତେଜରେ ଆଖି ଝାପସା ହୋଇଯାଉଛି-। କ୍ଷଣକ ପାଇଁ ଚକ୍ଷୁ ରାତ ବନ୍ଦ ହୋଇଗଲା । ରାଜକିଶୋର କହିଲେ, “ଗୋକୁଳବାବୁଙ୍କୁ ତୁ ପତିପଦରେ ବରଣ କଲେ ମୋର ଆତ୍ମା ନିଶ୍ଚୟ ସୁଖୀ ହେବ । ବିଦାୟ ଭଉଣୀ ! ଏ ନରାଧମକୁ ଭୁଲିଯା ଆଜିଠାରୁ ।”

 

ରାଜକିଶୋର ନିଜର ବକ୍ଷ ଉପରେ ଛୁରିକା ଠିକ୍ ବସାଇଦେବା ସମୟରେ ବିଦୁ କ୍ଷିପ୍ରହସ୍ତରେ ତାଙ୍କର ହସ୍ତକୁ ଧରିପକାଇଲା । ରାଜକିଶୋର କ୍ଷଣକ ପାଇଁ ସ୍ତମ୍ଭୀଭୁତ ଭାବରେ ଠିଆ ହୋଇଗଲେ । ପରେ କହିଲେ “ଛାଡ଼ିଦେ ବିଦୁ ! ମୁଁ ତୋତେ ଭଉଣୀ ଭାବରେ ସ୍ନେହକରି ଯେଉଁ ପାପ ଅର୍ଜନ କରିଛି, ତା’ର ପ୍ରାୟଶ୍ଚିତ୍ତ କରେ । ଜଗତ୍ ଦେଖୁ ଭାଇ ଭଉଣୀ ପବିତ୍ର ପ୍ରେମର କି ଭୀଷଣ ପରିଣାମ ।”

 

ବିଦୁ ଭୟରେ ବିହ୍ଵଳ ହୋଇ ଶୋକାର୍ତ୍ତ କଣ୍ଠରେ କହିଲା, “କ୍ଷମା କର ମୋର ସବୁ ଦୋଷ । ଏହି ଛୁରିଟାରେ ମୋର ବକ୍ଷ ବିଦ୍ଧ କର ଆଗ ।”

 

ରାଜକିଶୋର–ପାଗଳିନୀ ତୁ ବିଦୁ । ନାରୀହତ୍ୟା ମହାପାପ ।

 

ବିଦୁ–ନରହତ୍ୟା ତ କମ ପାପ ନୁହେ ।

 

ରାଜ–ତୁ ତ ନରହତ୍ୟା କରୁ ନାହୁଁ ।

 

ବିଦୁ–ମୁଁ କିପରି କରୁ ନାହିଁ ? ମୋ ଯୋଗୁ ସିନା ……

 

ରାଜ–ବେଶ୍, ତାହେଲେ କହ ବର୍ତ୍ତମାନ ତୁ ନିଜର ଭ୍ରମ ବୁଝିପାରିଛୁ ?

 

ବିଦୁ ନିରୁତ୍ତର ।

 

ରାଜ–ନୀରବ ହେଲୁ କାହିଁକି ? ସ୍ଵାର୍ଥତ୍ୟାଗ କରିବାକୁ କଷ୍ଟ ହେଉଛି ?

 

ବିଦୁ କମ୍ପିତ ଗଳାରେ କାହିଲା, “ତମର ଏତେ ବଡ଼ ମୂଲ୍ୟବାନ୍ ଜୀବନ ତମେ ନଷ୍ଟ କରିବାକୁ ପ୍ରସ୍ତୁତ, ମୁଁ ତ ତମରି ପରି ମନୁଷ୍ୟ ଜଣେ ମୋର କ’ଣ ମନୁଷ୍ୟର ହୃଦୟ ନୁହେଁ ? ଗୋଟାଏ ଅମୂଲ୍ୟ ଜୀବନ ବିନିମୟରେ କଷ୍ଟ ସ୍ଵୀକାର କରିପାରିବି ନାହିଁ ?”

 

ରାଜକିଶୋର ଦୂରକୁ ଛୁରୀଟା ଫିଙ୍ଗିଦେଇ କହିଲେ, “ବିଦୁ, ଭଉଣୀ ମୋର, ସତ କହ ଏ କ’ଣ ତୋର ଅନ୍ତରର କଥା ?”

 

ବିଦୁ–ଅନ୍ତର୍ଯ୍ୟାମୀଙ୍କୁ ଗୋଚର ସେ କଥା । ମୁଁ…….

 

ରାଜ–ଭଉଣୀ ମୋର, ଡାକିଲୁ ଥରେ ରାଜୁ ଭାଇ ବୋଲି ହୃଦୟ ପୂରିଉଠି ଅପୂର୍ଣ୍ଣ ପ୍ରେମ ପୂର୍ଣ୍ଣ ହେଉ ।

 

ବିଦୁ ଛଳଛଳ ନେତ୍ର ଦ୍ଵୟ ଟେକି ରାଜକିଶୋରଙ୍କୁ ଚାହିଁଲା । ରାଜକିଶୋର ତୃଷ୍ଣାଭରା ପବିତ୍ର ଚାହାଣୀରେ ବିଦୁର ବଧୂବଦନକୁ ଚାହିଁ ରହିଲେ କେତେ କ୍ଷଣ । ପରେ କହିଲେ, “ବିଦୁ, ଥରେ ଡାକ ରାଜୁ ଭାଇବୋଲି ।” ବିଦୁ ପଣନ୍ତରେ ଆଖି ପୋଛି ନେଇ ଡାକିଲା “ରାଜୁଭାଇ !” ଗୋକୁଳ ବାବୁ ସେହି ସମୟରେ ଗୃହ ମଧ୍ୟକୁ ପଶି ଆସିଲେ । ବିଦୁ ସଙ୍କୁଚିତ ହୋଇ ନତ ମସ୍ତକରେ ଠିଆ ହେଲା । ରାଜକିଶୋର ତା’ର ହାତଟି ଟାଣିନେଇ ଗୋକୁଳ ବାବୁଙ୍କ ହାତ ଉପରେ ଥୋଇଦେଲେ । ଗୋକୁଳ ବାବୁଙ୍କୁ ଲକ୍ଷ୍ୟ କରି କହିଲେ, “ମୋର ଏ ଭଉଣୀଟିକୁ ଆଜିଠାରୁ ଆପଣଙ୍କ ହସ୍ତରେ ଅର୍ପଣ କଲି । ଆଶା କରେ, ଦୀନର ଏ ଉପହାର ଗ୍ରହଣ କରି ଉପକୃତ କରାଇବେ ।” ବିଦୁ ଆଶ୍ରତହୀନା ଲତିକା ପରି ଢଳି ପଡ଼ିଲା ଗୋଟାଏ ପାଖକୁ । ଗୋକୁଳ ବାବୁ ସଙ୍ଗେ ସଙ୍ଗେ ଧରି ନେଇ ବକ୍ଷକୁ ଆଉଜାଇ ପକାଇଲେ ।

 

ଗୋକୁଳ ବାବୁଙ୍କୁ ବାଛିବାର କ’ଣ ଅଛି । ସେ ଶିକ୍ଷିତ, ସୁନ୍ଦର, ଯୁବକ ଏବଂ ଧନୀ ଜାତିରେ ମଧ୍ୟ ସମାନ । ବିପିନ ବାବୁ ଏବଂ ବୈକୁଣ୍ଠ ବାବୁ ଉଭୟେ ରାଜକିଶୋରଙ୍କ ପ୍ରସ୍ତାବରେ ଆନନ୍ଦିତ ହୋଇ ଉଠିଲେ । ଗୋକୁଳ ବାବୁଙ୍କ ସଙ୍ଗରେ ବିଦୁର ବିବାହ ପ୍ରସ୍ତାବ ସ୍ଥିର ହୋଇଗଲା ।

 

ଉକ୍ତ ଘଟଣାର ଦୁଇ ଦିନ ପରେ ରାଜକିଶୋର ଖବର ପାଇଲେ, ସରକାର ତାଙ୍କୁ ପାଞ୍ଚଶ ଟଙ୍କା ପୁରସ୍କାର ସହ ହେଡ କନେଷ୍ଟବଳରୁ ସବ୍ଇନ୍ସପେକ୍ଟର ପଦକୁ ଉନ୍ନୀତ କରିଅଛନ୍ତି । ଜଗନ୍ନାଥ ମଙ୍ଗରାଜ କିନ୍ତୁ ତାଙ୍କୁ ଆଉ ଚାକିରୀ କରିବାକୁ ଅନୁମତି ଦେଲେ ନାହିଁ । କହିଲେ, “ମୋର ଯେତେ ସମ୍ପତ୍ତି ଅଛି, ତୁ ବାବା, ଇଚ୍ଛା କଲେ ଦଶଟା ସବ୍ଇନ୍ସପେକ୍ଟର ରଖିପାରିବୁ । ଆମର ସେ ପୁଲିସ ଚୌକୀଦାର ଚାକିରୀ ଲୋଡ଼ା ନାହିଁ ।”

 

ସଦାନନ୍ଦଙ୍କର ତ ପରଲୋକ ହୋଇ ଯାଇଛି । ଗୋକୁଳ ବାବୁଙ୍କ ବୋଉ ମଧ୍ୟ ତାଙ୍କୁ ଆଉ ଚାକିରୀ କରିବାକୁ ଅନୁମତି ଦେଲେ ନାହିଁ । ଦୁଇ ବନ୍ଧୁ ଗୃହରେ ରହି ପଲ୍ଲୀର ଉନ୍ନତି ସାଧନ କରିବା ଲାଗି ଦୃଢ଼ସଙ୍କଳ୍ପ ହେଲେ ।

Image